Categories
ଆଜିର ଖବର ଜାତୀୟ ଖବର

ଭିତ୍ତିଭୂମି ଆମ ପାଇଁ ରାଜନୀତି ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେନେରାଲ ଭିକେ ସିଂ, ସଞ୍ଜିବ ବାଲିୟାଁ, ଏସପି ସିଂ ବାଘେଲ ଏବଂ ବିଏଲ ବର୍ମା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମବେତ ଲୋକମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକବିଂଶ ଶତାବ୍ଦୀର ନୂତନ ଭାରତ ଆଜି ଶ୍ରେଷ୍ଠତମ ଆଧୁନିକ ଭିତ୍ତିଭୂମି ନିର୍ମାଣ କରୁଛି। “ଉନ୍ନତ ସଡ଼କ, ଉନ୍ନତ ରେଳ ନେଟୱର୍କ, ଉନ୍ନତ ବିମାନ ବନ୍ଦର କେବଳ କେତେଗୁଡ଼ିଏ ଭିତ୍ତିଭୂମି ପ୍ରକଳ୍ପ ନୁହନ୍ତି, ବରଂ ଏଗୁଡ଼ିକ ସମ୍ପୂର୍ଣ୍ଣ ଅଞ୍ଚଳର ବିକାଶ କରିଥାନ୍ତି, ଲୋକମାନଙ୍କ ଜୀବନକୁ ବଦଳାଇ ଦେଇଥାନ୍ତି ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ଉତ୍ତର ପ୍ରଦେଶର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଏହି ବିମାନ ବନ୍ଦର ସମ୍ପୂର୍ଣ୍ଣ ଅଞ୍ଚଳକୁ ଜାତୀୟ ଗତିଶକ୍ତି ମାଷ୍ଟର ପ୍ଲାନର ଏକ ଶକ୍ତିଶାଳୀ ପ୍ରତୀକରେ ପରିଣତ କରିବ ବୋଲି ସେ କହିଥିଲେ।

ଏହି ଭିତ୍ତିଭୂମି ବିକାଶର ଆର୍ଥିକ ପ୍ରଭାବ ବିଷୟରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବିମାନ ବନ୍ଦର ନିର୍ମାଣ ସମୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିମାନ ବନ୍ଦର ସୁପରିଚାଳନା ପାଇଁ ହଜାର ହଜାର ଲୋକମାନଙ୍କର ଆବଶ୍ୟକତା ଦେଖାଦେବ । ତେଣୁ “ଏହି ବିମାନ ବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶର ହଜାର ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ”, ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ସାତ ଦଶନ୍ଧି ପରେ, ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶକୁ ନିଜର ହକ୍ ମିଳିପାରୁଛି। ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଉତ୍ତର ପ୍ରଦେଶ ଆଜି ଦେଶରେ ସବୁଠୁ ଭଲ ଯୋଗାଯୋଗ ସୁବିଧା ଥିବା ରାଜ୍ୟରେ ପରିଣତ ହୋଇପାରିଛି। ସେ କହିଥିଲେ ଯେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଭାରତୀୟ ବିମାନ ଚଳାଚଳ କ୍ଷେତ୍ରର ବିକାଶ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ପରିଚାଳନାର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ। ସେ ସୂଚନା ଦେଇଥିଲେ ଯେ ଏହି ବିମାନ ବନ୍ଦର ଠାରେ ନିର୍ମାଣ ହେବାକୁ ଥିବା ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ (ଏମଆରଓ) ସୁବିଧା ୪୦ ଏକର ସ୍ଥାନରେ ନିର୍ମାଣ କରାଯିବ। ଏହା ଶହ ଶହ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ବର୍ତ୍ତମାନ ଏସବୁ ସୁବିଧା ପାଇବା ଲାଗି ଭାରତକୁ ବିଦେଶରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।

ଏଠାରେ ନିର୍ମାଣ ହେବାକୁ ଥିବା ସମନ୍ୱିତ ମଲ୍ଟି-ମୋଡାଲ କାର୍ଗୋ ହବ୍ ବିଷୟରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତର ପ୍ରଦେଶ ଭଳି ଚତୁର୍ଦ୍ଦିଗରୁ ଭୂଖଣ୍ଡ ଘେରି ରହିଥିବା ରାଜ୍ୟ ପାଇଁ ଏହି ବିମାନ ବନ୍ଦର ବିଶେଷ ଲାଭଜନକ ସାବ୍ୟସ୍ତ ହେବ। ଅଲିଗଡ଼, ମଥୁରା, ମେରଟ, ଆଗ୍ରା, ବିଜନୋର, ମୋରାଦାବାଦ ଏବଂ ବରେଲି ଭଳି ଶିଳ୍ପ କେନ୍ଦ୍ର ପାଇଁ ଏହି ହବ୍ ସୁବିଧା ଯୋଗାଇ ଦେବ। ସେ କହିଥିଲେ ଯେ, “ପ୍ରସ୍ତାବିତ ଭିତ୍ତିଭୂମି ନିର୍ମାଣ ଫଳରେ ଖୁର୍ଜା କଳାକାର, ମେରଟ୍ କ୍ରୀଡ଼ା ଉଦ୍ୟୋଗ, ସାହାରନପୁର ଫର୍ଣ୍ଣିଚର, ମୋରାଦାବାଦର ବ୍ରାସ ଶିଳ୍ପ, ଆଗ୍ରାର ଜୋତା ଶିଳ୍ପ ଏବଂ ପେଠା ଶିଳ୍ପକୁ ବ୍ୟାପକ ସହାୟତା ମିଳିପାରିବ।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତରପ୍ରଦେଶକୁ ପୂର୍ବ ସରକାରମାନେ ଅବହେଳା ଓ ଅନ୍ଧକାର ମଧ୍ୟରେ ରଖିଥିଲେ। ପୂର୍ବ ସରକାରମାନେ ଉତ୍ତର ପ୍ରଦେଶକୁ କେବଳ ମିଥ୍ୟା ସ୍ୱପ୍ନ ଦେଖାଉଥିଲ। କିନ୍ତୁ ଏବେ ଉତ୍ତର ପ୍ରଦେଶ କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ପୂର୍ବର ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ପଶ୍ଚିମ ଉତ୍ତର ପ୍ରଦେଶକୁ କିଭଳି ଭାବେ ଅଣଦେଖା କରି ଆସୁଥିଲେ ଜେୱର ବିମାନ ବନ୍ଦର ତାହାର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଉତ୍ତର ପ୍ରଦେଶରେ ଥିବା ବିଜେପି ସରକାର ଏହି ପ୍ରକଳ୍ପ ସମ୍ପର୍କରେ ପରିକଳ୍ପନା କରିଥିଲେ। କିନ୍ତୁ ପରେ ପୂର୍ବତନ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଓଟରା ଯୋଗୁ ଏହି ବିମାନ ବନ୍ଦର ପ୍ରକଳ୍ପ ଝୁଲି ରହିଥିଲା। ଏପରିକି ପୂର୍ବରୁ ଉତ୍ତର ପ୍ରଦେଶରେ କ୍ଷମତାସୀନ ସରକାର ଏହି ବିମାନ ବନ୍ଦର ପ୍ରକଳ୍ପକୁ ବନ୍ଦ କରି ଦେବା ଲାଗି ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ବିଧିବଦ୍ଧ ଭାବେ ଚିଠି ମଧ୍ୟ ଲେଖିଥିଲେ। ଏବେ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ କାରଣରୁ, ଆଜି ଆମେ ସେହି ସମାନ ବିମାନ ବନ୍ଦର ପାଇଁ ଭୂମି ପୂଜନ କରୁଛୁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଆମ ପାଇଁ ଭିତ୍ତିଭୂମି ରାଜନୀତିର ଅଂଶବିଶେଷ ନୁହେଁ ବରଂ ରାଷ୍ଟ୍ରନୀତିର ଅଂଶବିଶେଷ। ପ୍ରକଳ୍ପଗୁଡ଼ିକ ଯେପରି ଅଟକି ରହିବ ନାହିଁ, ଝୁଲନ୍ତା ଅବସ୍ଥାରେ ରହିବ ନାହିଁ କିମ୍ବା ଦିଗହରା ହେବ ନାହିଁ ତାହା ଆମେ ସୁନିଶ୍ଚିତ କରୁଛୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରକଳ୍ପ କିଭଳି ଭାବେ ସମ୍ପୂର୍ଣ୍ଣ ହେବ ତାହା ସୁନିଶ୍ଚିତ କରିବା ଲାଗି ଆମେ ପ୍ରୟାସ କରୁଛୁ।”

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଥିଲେ ଯେ ଆମ ଦେଶରେ କେତେକ ରାଜନୈତିକ ଦଳ କେବଳ ସେମାନଙ୍କ ନିଜ ସ୍ୱାର୍ଥକୁ ପ୍ରାଥମିକତା ଦେଇଥାନ୍ତି। “ଏପରି ଲୋକମାନଙ୍କର ଚିନ୍ତାଧାରା ହେଉଛି-ନିଜର ସ୍ୱାର୍ଥ, ନିଜର ଏବଂ ନିଜ ପରିବାରର ବିକାଶ। ଅନ୍ୟପକ୍ଷରେ ଆମେ କେବଳ ରାଷ୍ଟ୍ର ପ୍ରଥମ ଭାବନା ନେଇ କାମ କରିଥାଉ। ସବକା ସାଥ-ସବକା ବିକାଶ, ସବକା ବିଶ୍ୱାସ-ସବକା ପ୍ରୟାସ, ଆମର ମନ୍ତ୍ର”, ପ୍ରଧାନମନ୍ତ୍ରୀ କହିଥିଲେ।

ସରକାର ନିକଟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଲିକା ଦେଇଥିଲେ। ସେ କହିଥିଲେ ଯେ ଆମେ ୧୦୦ କୋଟିରୁ ଅଧିକ କୋଭିଡ ଟିକା ଦେବାର ମାଇଲଖୁଣ୍ଟ ହାସଲ କରିଛୁ। ୨୦୭୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନ ଶୂନ୍ୟସ୍ତରକୁ ହ୍ରାସ ପାଇଁ ଆମେ ଲକ୍ଷ୍ୟ ରଖିଛୁ। ଉତ୍ତର ପ୍ରଦେଶରେ କୁଶୀନଗର ବିମାନ ବନ୍ଦର, ୯ଟି ମେଡ଼ିକାଲ କଲେଜ ନିର୍ମାଣ ଓ ଉଦଘାଟନ, ମହୋବାରେ ନୂତନ ନଦୀ ବନ୍ଧ ଓ ଜଳସେଚନ ପ୍ରକଳ୍ପ, ଝାନସିଠାରେ ପ୍ରତିରକ୍ଷା କରିଡର ଏବଂ ତତସଂକ୍ରାନ୍ତ ପ୍ରକଳ୍ପ, ପୂର୍ବାଞ୍ଚଳ ଏକ୍ସପ୍ରେସୱେ, ଜନଜାତୀୟ ଗୌରବ ଦିବସ ସମାରୋହ, ଭୋପାଳରେ ଆଧୁନିକ ରେଳ ଷ୍ଟେସନ, ମହାରାଷ୍ଟ୍ରର ପଣ୍ଢରପୁରରେ ଜାତୀୟ ରାଜପଥ ଏବଂ ଆଜି ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଶିଳାନ୍ୟାସ ଆଦି ବିକାଶମୂଳକ ପ୍ରକଳ୍ପ ବିଷୟରେ ପ୍ରଧାନମନ୍ତୀ ଉଲ୍ଲେଖ କରିଥିଲେ। “ଆମର ଦେଶଭକ୍ତି ଓ ରାଷ୍ଟ୍ର ସେବା ସମ୍ମୁଖରେ କେତେକ ରାଜନୈତିକ ଦଳଗୁଡ଼ିକର ସ୍ୱାର୍ଥପର ନୀତି ତିଷ୍ଠି ରହିପାରିବ ନାହିଁ”, ବୋଲି ଶେଷରେ ପ୍ରଧାନମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ନଭେମ୍ବର ୨୫ ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ୨୫ ନଭେମ୍ବର, ୨୦୨୧ରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର (ଏନଆଇଏ) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଏହି ବିମାନ ବନ୍ଦର ନିର୍ମାଣ ପରେ ଉତ୍ତର ପ୍ରଦେଶ ହେବ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ଦେଶର ଏକମାତ୍ର ରାଜ୍ୟ।

ବିମାନ ଯୋଗାଯୋଗରେ ସୁଧାର ଆଣିବା ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ବିମାନ ଚଳାଚଳ କ୍ଷେତ୍ରର ପ୍ରୋତ୍ସାହନ ଲାଗି ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଆଧାରରେ ଏହି ବିମାନ ବନ୍ଦର ବିକଶିତ କରାଯାଉଛି। ଏହି ବୃହତ ପରିକଳ୍ପନା ଅଧୀନରେ ଉତ୍ତର ପ୍ରଦେଶ ରାଜ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଫଳରେ ରାଜ୍ୟରେ ଏକାଧିକ ନୂତନ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରାଯାଉଛି। ନିକଟରେ କୁଶୀନଗର ଅନ୍ତର୍ଜାତୀୟ ବିମାନ ବନ୍ଦର ଉଦଘାଟିତ ହୋଇଛି ଏବଂ ଅଯୋଧ୍ୟା ଠାରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣାଧୀନ ରହିଛି।

ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ଭାବେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ କରାଯାଉଛି। ଏହା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାତ୍ରୀ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ନୂତନ ବିମାନ ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ଏପରି ଏକ ସ୍ଥାନରେ ନିର୍ମାଣ କରାଯାଉଛି ଯାହାର ଲାଭ ଦିଲ୍ଲୀ, ନୋଏଡ଼ା, ଗାଜିଆବାଦ, ଅଲିଗଡ଼, ଆଗ୍ରା, ଫରିଦାବାଦ ଏବଂ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ମିଳିପାରିବ।

ଏହି ବିମାନ ବନ୍ଦର ଉତ୍ତର ଭାରତର ଲଜିଷ୍ଟିକ୍ସ ପ୍ରବେଶ ଦ୍ୱାରରେ ପରିଣତ ହେବ। ଆକାର ଏବଂ କ୍ଷମତା ଦୃଷ୍ଟିରୁ, ଏହି ବିମାନ ବନ୍ଦର ଉତ୍ତର ପ୍ରଦେଶର ବିକାଶ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ଏହା ବିଶ୍ୱ ସମ୍ମୁଖରେ ଉତ୍ତର ପ୍ରଦେଶର ସମ୍ଭାବନାକୁ ଉଜାଗର କରିବ ଏବଂ ରାଜ୍ୟକୁ ବିଶ୍ୱ ଲଜିଷ୍ଟିକ୍ସ ମାନଚିତ୍ରରେ ପ୍ରତିଷ୍ଠିତ କରିବାରେ ସହାୟକ ହେବ। ଭାରତରେ ପ୍ରଥମ ଥର ପାଇଁ, ଲଜିଷ୍ଟିକ୍ସର ମୋଟ୍ ସମୟ ଏବଂ ଖର୍ଚ୍ଚ ହ୍ରାସ ପ୍ରତି ଧ୍ୟାନ ଦିଆଯାଇ ସମନ୍ୱିତ ମଲ୍ଟି-ମୋଡାଲ୍ କାର୍ଗୋ ହବ୍ ସହିତ ଏକ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ବିମାନବନ୍ଦରରେ ଏକ ସମର୍ପିତ କାର୍ଗୋ ଟର୍ମିନାଲ ରହିବ ଯାହାର କ୍ଷମତା ୨୦ ଲକ୍ଷ ମେଟ୍ରିକ୍ ଟନ୍ ରହିବ, ଯାହାକି ପରବର୍ତ୍ତୀ ସମୟରେ ୮୦ ଲକ୍ଷ ମେଟ୍ରିକ୍ ଟନକୁ ବୃଦ୍ଧି କରାଯିବ। ଶିଳ୍ପ ଉତ୍ପାଦର ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେଇ ଏହି ବିମାନ ବନ୍ଦର ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ନିବେଶ ଆକୃଷ୍ଟ କରିବ, ଦ୍ରୁତ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବ ଏବଂ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ସ୍ଥାନୀୟ ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ। ଏହା ବିଭିନ୍ନ ଉଦ୍ୟୋଗ ପାଇଁ ନୂତନ ସମ୍ଭାବନା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ଏହି ବିମାନ ବନ୍ଦରରେ ଏକ ଭୂତଳ ପରିବହନ କେନ୍ଦ୍ର ରହିବ ଯେଉଁଥିରେ ମଲ୍ଟିମୋଡାଲ୍ ଗମନାଗମନ କେନ୍ଦ୍ର, ମେଟ୍ରୋ ଓ ହାଇସ୍ପିଡ୍ ରେଳ ଷ୍ଟେସନ, ଟ୍ୟାକ୍ସି, ବସ ସେବା ଓ ବ୍ୟକ୍ତିଗତ ପାର୍କିଂ ସୁବିଧା ରହିବ। ଏହା ସଡ଼କ ପଥ, ରେଳ ଓ ମେଟ୍ରୋ ମାଧ୍ୟମରେ ବିମାନ ବନ୍ଦରକୁ ବାଧାମୁକ୍ତ ସଂଯୋଗ ସୁବିଧା ଯୋଗାଇ ଦେବ। ବାଧାମୁକ୍ତ ମେଟ୍ରୋ ସେବା ଜରିଆରେ ବିମାନବନ୍ଦର ସହିତ ନୋଏଡ଼ା ଓ ଦିଲ୍ଲୀ ସିଧାସଳଖ ଯୋଡ଼ିହେବେ। ଯମୁନା ଏକ୍ସପ୍ରେସ ୱେ, ପଶ୍ଚିମ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ପୂର୍ବ ପାରିପାର୍ଶ୍ଵିକ ଏକ୍ସପ୍ରେସ ୱେ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ଆଦି ଅନ୍ୟ ସମସ୍ତ ପ୍ରମୁଖ ସଡ଼କ ଏବଂ ରାଜପଥ ପ୍ରତ୍ୟକ୍ଷ ଭାବେ ବିମାନ ବନ୍ଦର ସହ ଯୋଡ଼ି ହେବେ। ଏହି ବିମାନ ବନ୍ଦକୁ ମଧ୍ୟ ପ୍ରସ୍ତାବିତ ଦିଲ୍ଲୀ-ବାରାଣାସୀ ହାଇ ସ୍ପିଡ୍ ରେଳ ଲାଇନ ସହ ଯୋଡ଼ାଯିବ। ଯାହାଫଳରେ ଦିଲ୍ଲୀ ଓ ବିମାନ ବନ୍ଦର ମଧ୍ୟରେ ଦୂରତା ଅତିକ୍ରମ କରିବାକୁ ମାତ୍ର ୨୧ ମିନିଟ ସମୟ ଲାଗିବ।

ଏହି ବିମାନ ବନ୍ଦରରେ ମଧ୍ୟ ଏକ ଆଧୁନିକ ଏମଆରଓ (ରକ୍ଷଣାବେକ୍ଷଣ, ମରାମତି ଏବଂ ପୁନରୁଦ୍ଧାର ବା ଓଭରହଲିଂ) ସେବା ରହିବ। କମ ପରିଚାଳନା ଖର୍ଚ୍ଚ ଏବଂ ଯାତ୍ରୀମାନଙ୍କର ବାଧାମୁକ୍ତ ଓ ଦ୍ରୁତ ସ୍ଥାନାନ୍ତର ପ୍ରକ୍ରିୟା ପ୍ରତି ଧ୍ୟାନ ଦିଆଯାଇ ଏହି ବିମାନ ବନ୍ଦରର ଡିଜାଇନ କରାଯାଇଛି। ଏହି ବିମାନ ବନ୍ଦରରେ ପ୍ରଥମ ଥର ପାଇଁ ଏକ ସୁଇଙ୍ଗ ଏୟାରକ୍ରାଫ୍ଟ ଷ୍ଟାଣ୍ଡ କନସେପ୍ଟ ଆରମ୍ଭ କରିବା ଲାଗି ଯୋଜନା କରାଯାଇଛି। ଏହା ଗୋଟିଏ କଣ୍ଟାକ୍ଟ ଷ୍ଟାଣ୍ଡରୁ ଏୟାରଲାଇନ୍ସଗୁଡ଼ିକୁ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ପରିଚାଳନା କରିବା ଲାଗି ସୁବିଧା ଦେବ। ଏଥିପାଇଁ ସେମାନଙ୍କୁ ବିମାନକୁ ଅନ୍ୟତ୍ର ରଖିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ସୁବିଧା ବିମାନ ବନ୍ଦରରେ ବିମାନ ପରିଚାଳନାକୁ ଦ୍ରୁତ ଏବଂ ଦକ୍ଷ କରିବ, ଅନ୍ୟପକ୍ଷରେ ଯାତ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ସୁଗମ ଏବଂ ବାଧାମୁକ୍ତ ହୋଇପାରିବ।

ଏହା ହେବ ଭାରତର ପ୍ରଥମ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ କ୍ଷମତାସମ୍ପନ୍ନ ବିମାନ ବନ୍ଦର। ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରୁ ଗଛ ଆଣି ବିମାନ ବନ୍ଦର ନିକଟରେ ନିର୍ମାଣ କରାଯିବାକୁ ଥିବା ଏକ ଫରେଷ୍ଟ ପାର୍କରେ ରୋପଣ କରାଯିବ। ଏହି ପାର୍କ ପାଇଁ ସ୍ୱତନ୍ତ୍ର ଭୂଖଣ୍ଡ ଆବଣ୍ଟନ କରାଯାଇଛି। ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ବିକଶିତ ହେବା ସମୟରେ ସମସ୍ତ ସ୍ଥାନୀୟ ଜୈବ ପ୍ରଜାତିକୁ ସୁରକ୍ଷିତ ରଖାଯିବ ଏବଂ ଏହା ପରିବେଶ ଅନୁକୂଳ ହେବ।

ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦର ବିକାଶ କାର୍ଯ୍ୟ ପାଇଁ ୧୦ ହଜାର ୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ୧୩୦୦ ହେକ୍ଟରରୁ ଅଧିକ ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ବାର୍ଷିକ ୧ କୋଟି ୨୦ ଲକ୍ଷ ଯାତ୍ରୀଙ୍କୁ ସେବା ଯୋଗାଇ ଦେବ ଏବଂ ଏହାର ନିର୍ମାଣ କାର୍ଯ୍ୟ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। କନସେସନେୟାର ଭାବେ ଅନ୍ତର୍ଜାତୀୟ ବିଡର ଜୁରିଚ୍ ଏୟାରପୋର୍ଟ ଇଣ୍ଟରନ୍ୟାସନାଲ ଏଜି ଏହି ପ୍ରକଳ୍ପ ନିର୍ମାଣ କରିବ। ଭୂମି ଅଧିଗ୍ରହଣ ଏବଂ ବିସ୍ଥାପିତ ପରିବାରମାନଙ୍କ ଥଇଥାନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରାରମ୍ଭିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

Categories
ଆଜିର ଖବର ଜାତୀୟ ଖବର

ଦେଶର ପ୍ରଥମ ରାଜ୍ୟ ଭାବେ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର କରିବ ଉତ୍ତରପ୍ରଦେଶ

ଲକ୍ଷ୍ନୌ: ଦେଶର ଅନ୍ୟ ରାଜ୍ୟ ତୁଳନାରେ ଖୁବ୍ ଶୀଘ୍ର ଉତ୍ତରପ୍ରଦେଶରେ ଅଧିକ ଆନ୍ତର୍ଜାତୀୟ ବିମାନବନ୍ଦର ଚାଲୁ ହେବ ବୋଲି ରାଜ୍ୟ ସରକାର କହିଛି। ବର୍ତ୍ତମାନ ରାଜ୍ୟରେ ଆଠଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିବାବେଳେ ୧୩ ଟି ବିମାନବନ୍ଦର ଏବଂ ସାତୋଟି ଏୟାରଷ୍ଟ୍ରିପ୍ ବିକଶିତ ହେଉଛି। ରାଜ୍ୟରେ ପାଞ୍ଚଟି ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପ୍ରକ୍ରିୟା ଜାରି ରହିଛି ବୋଲି ବିବୃତ୍ତିରେ କୁହାଯାଇଛି। ଏହି ୫ ଟି ବିମାନବନ୍ଦର ନିର୍ମାଣ ହେବା ପରେ, ଲୋକମାନେ ଏଥିରୁ ସିଧାସଳଖ ବିଦେଶ ଯିବା ପାଇଁ ବିମାନ ପାଇପାରିବେ। ନଭେମ୍ବର ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେବରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ମୂଳଦୁଆ ପକାଇବାକୁ ଯାଉଛନ୍ତି।