Categories
ଆଜିର ଖବର ରାଜ୍ୟ ଖବର

“ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ

ନୂଆଦିଲ୍ଲୀ: ସଂସ୍କୃତ ବିଭାଗ ପକ୍ଷରୁ ସୋମବାର ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ‘ଆଧୁନିକ ପରିପ୍ରେକ୍ଷୀରେ ପ୍ରାଚୀନ ଭାରତୀୟ ସାହିତ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦ୍ ଘାଟିତ ହୋଇଯାଇଛି। ୨୦୨୪ ଏପ୍ରିଲ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେମିନାରରେ ୪ଟି ବିଶ୍ୱବିଦ୍ୟାଳୟର ବିଶିଷ୍ଟ କୁଳପତି ଓ ଅନ୍ୟ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ପ୍ରଫେସର ଶ୍ରୀନିବାସ ବରାଖେଡି, ତିରୁପତିସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଜିଏସଆର କ୍ରିଷ୍ଣା ମୂର୍ତ୍ତି, ରାମଟେକସ୍ଥିତ କବି କୁଳଗୁରୁ କାଳିଦାସ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେରାମ ତ୍ରିପାଠୀ, ବିହାରର କାମେଶ୍ୱର ସିଂହ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଲକ୍ଷ୍ମୀ ନିବାସ ପାଣ୍ଡେ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପରାମର୍ଶଦାତା ପ୍ରଫେସର ଭି.ସି.ଝା ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ସମ୍ମିଳନୀର ଆବାହକ ତଥା ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ ରେଜିଷ୍ଟ୍ରାର ତଥା ଅର୍ଥ ଅଧିକାରୀ ପ୍ରଫେସର ନରସିଂହ ଚରଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ।

ଓଡ଼ିଶା କେନ୍ଦ୍ରୀୟ କୁଳପତି ପ୍ରଫେସର ତ୍ରିପାଠୀ ସମ୍ମିଳନୀ ପାଇଁ ଶୁଭେଚ୍ଛା ଜଣାଇବା ସହ ସମ୍ମିଳନୀର ଅଭିଭାଷଣ ବେଶ୍ ଫଳପ୍ରଦ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ପ୍ରଫେସର ଏନ୍ ସି ପଣ୍ଡା ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଏକ ନିଆରା ଆଲୋଚନାଚକ୍ର ଯେଉଁଥିରେ ଗୋଟିଏ ମଞ୍ଚରେ ୫ ଜଣ ବିଶିଷ୍ଟ କୁଳପତି ଉପସ୍ଥିତ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଫେସର ବରଖେଡି କେବଳ ସାହିତ୍ୟ କ୍ଷେତ୍ରରେ ନୁହେଁ ବରଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ବିକାଶ କ୍ଷେତ୍ରରେ ସଂସ୍କୃତ ଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଯଦି ଆମେ ବିକଶିତ ଭାରତକୁ ହାସଲ କରିବାକୁ ଚାହୁଁଛୁ, ତେବେ ଆମକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସମେତ ସମସ୍ତ ବିଭାଗର ପ୍ରାଚୀନ ଭାରତୀୟ ପରମ୍ପରାକୁ ପୁନରୁଦ୍ଧାର କରିବାକୁ ହେବ।

ଭାରତ ଅର୍ଥନୈତିକ ଦୃଷ୍ଟିରୁ ଏକ ସମୃଦ୍ଧ ଦେଶ ଥିଲା କିନ୍ତୁ ବିଭିନ୍ନ ବିଦେଶୀ ଆକ୍ରମଣରୁ ଲୁଟ୍ ଯୋଗୁଁ ପରବର୍ତ୍ତୀ ସମୟରେ ଏହାର ମେରୁଦଣ୍ଡ ଭାଙ୍ଗି ପଡିଥିଲା। କିନ୍ତୁ ଆମେ ବିକାଶ ପାଇଁ ଲଢ଼େଇ କରିବୁ। ଏଥିପାଇଁ ସ୍ୱଦେଶୀ ଜ୍ଞାନର ବିକାଶ ହେବା ଦରକାର ବୋଲି ସେ କହିଛନ୍ତି।
ପ୍ରଫେସର କ୍ରିଷ୍ଣା ମୂର୍ତ୍ତି ତାଙ୍କ ଅଭିଭାଷଣରେ ଦେଶରେ ସାମଗ୍ରିକ ସାହିତ୍ୟର ବିକାଶ ପାଇଁ ସଂସ୍କୃତ ଭାଷା ଓ ସାହିତ୍ୟର ପୁନରୁଦ୍ଧାର ପାଇଁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ସଂସ୍କୃତ ଭାଷାକୁ ବହୁମୁଖୀ ଏବଂ ଅଧ୍ୟୟନ ପାଇଁ ସମସ୍ତ ବିଷୟ ସହିତ ମିଶ୍ରଣ କରାଯିବା ଉଚିତ୍। ବୃକ୍ଷରୋପଣ ଓ ବିଜ୍ଞାନ ପରସ୍ପର ସହ ଜଡ଼ିତ। ତେଣୁ ବୃକ୍ଷରୋପଣ ଦ୍ୱାରା ବୈଜ୍ଞାନିକ ବିକାଶ ହୋଇପାରିବ ବୋଲି ସେ କହିଛନ୍ତି।

ଏହି ଆନ୍ତର୍ଜାତିକ ଆଲୋଚନାଚକ୍ର ସମଗ୍ର ବିଶ୍ୱରେ ସଂସ୍କୃତ ଭାଷାର ବିକାଶ ଦିଗରେ ବେଶ୍ ଫଳପ୍ରଦ ଓ ସହାୟକ ହେବ ବୋଲି ପ୍ରଫେସର ହରେରାମ ତ୍ରିପାଠୀ ଆଶାବ୍ୟକ୍ତ କରିଥିଲେ। ପ୍ରଫେସର ପାଣ୍ଡେ ଭାରତୀୟ ପାରମ୍ପରିକ ଜ୍ଞାନ ପ୍ରଣାଳୀର ବିକାଶ ସହ ଜ୍ଞାନ ଓ ଐତିହ୍ୟରେ ସମୃଦ୍ଧ ସଂସ୍କୃତ ଭାଷାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଫେସର ଝା କହିଥିଲେ ଯେ ସେମିନାରର କାର୍ଯ୍ୟକଳାପକୁ ସଠିକ ଭାବରେ ଦସ୍ତାବିଜ କରାଯାଇ ଦେଶକୁ ପ୍ରଦର୍ଶିତ କରାଯିବା ଉଚିତ ଯାହା ଦ୍ୱାରା ଏହି ସେମିନାର ଅନନ୍ୟ ହେବ। ସଂସ୍କୃତ ଅଧ୍ୟାପକ ଡ. ବୀରେନ୍ଦ୍ର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ପରିଚାଳନା କରିଥିଲେ। ଉଦ୍ ଘାଟନୀ ସମାରୋହରେ ସମଗ୍ର ଭାରତବର୍ଷର ବହୁ ପ୍ରତିନିଧି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଉଦ୍ ଘାଟନୀ କାର୍ଯ୍ୟକ୍ରମ ପୂର୍ବରୁ ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ମାଣ୍ଡିଆ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ସନ୍ଥକବି ଭୀମଭୋଇ ଓ ମହିମା ପରମ୍ପରାର ମାହାତ୍ମ୍ୟ ଉପରେ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ ଉଦଘାଟିତ

ଭୁବନେଶ୍ୱର: ମହିମା ପରମ୍ପରା କାହା ପାଇଁ ଧର୍ମ ହୋଇପାରେ, କାହା ପାଇଁ ସେମାନଙ୍କ ଠାରୁ ମିଳୁଥିବା ବାଉଁଶ ଛତା ଉପହାରର ବସ୍ତୁ ହୋଇପାରେ କିନ୍ତୁ ମୋ ପାଇଁ ମହିମା ତତ୍ତ୍ୱ ଜୀବନ ପ୍ରେରଣାର ମୂଳ ଉତ୍ସ ହୋଇ ରହିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଭୁବନେଶ୍ୱର ଠାରେ ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମଭୋଇ ଓ ମହିମା ସଂସ୍କୃତିର ପରମ୍ପରାର ମାହାତ୍ମ୍ୟ ଉପରେ ଆୟୋଜିତ ‘ତିନିଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ’ର ଉଦଘାଟନୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଓଡ଼ିଶାର ଆତ୍ମା, ତା’ର ସାଧୁ ସଜ୍ଜନ ଓ ସନ୍ନ୍ୟାସୀମାନଙ୍କ ଜୀବନ ଦର୍ଶନରେ ପରିପୂର୍ଣ୍ଣ। ଏ ଦେଶର ଅନ୍ଧକାରାଚ୍ଛନ୍ନ ମଣିଷ ସମାଜକୁ ସେମାନେ ନିଜ ମହାନ୍‌ ଚିନ୍ତାଧାରା ଏବଂ ଭାବଧାରାରେ ଅନୁପ୍ରାଣିତ କରିଥାନ୍ତି। ଯେତେବେଳେ ସମାଜ ଅନ୍ଧକାରରେ ଥିଲା, ରାଜାରାଜୁଡା ଓ ଇଂରେଜ ଶାସନ ସହ ପ୍ରତିପ୍ରତ୍ତିଶାଳୀଙ୍କ ହାତରେ ସମାଜର ଦାୟିତ୍ୱ ଥିଲା, ସେ ସମୟରେ ମୃଷ୍ଟିମେୟ ଲୋକମାନେ ଏକ ବୃହତ ସମାଜକୁ ଉପେକ୍ଷା କରିଥିଲେ। ସେହିଭଳି ଘଡିସନ୍ଧି ମୁହୂର୍ତ୍ତରେ ପରବ୍ରହ୍ଣ ଓ ନିରାକାରଙ୍କୁ ଆଖ୍ୟା ଦେବା ପାଇଁ ମହିମା ଗୋସାଇଙ୍କ ଅନନ୍ୟ ଭକ୍ତ ସନ୍ଥ କବି ଭୀମ ଭୋଇଙ୍କ ଆବିର୍ଭାବ ଓଡ଼ିଶାରେ ହୋଇଥିଲା।  ଭୀମ ଭୋଇ ସମାଜର କୁସ୍କାର, ଅନ୍ଧବିଶ୍ୱାସ, ଅନ୍ୟାୟ ବିରୋଧରେ ସ୍ୱର ଉଠାଇଥିଲେ। ତାଙ୍କ ସମୟରେ ଓଡ଼ିଶା ସାହିତ୍ୟରେ ସମାଜିକ ଉତ୍ଥାନର ନବଜାଗରଣର ସୁବର୍ଣ୍ଣ ଯୁଗର ଅଭ୍ୟୁଦୋୟ ହୋଇଥିଲା। ପ୍ରଜାତନ୍ତ୍ରିକ ସମାଜ ଗଣତନ୍ତ୍ରରେ ବିଶ୍ୱାସ କରେ। ଆଜି ବି ଅନେକ ଲୋକମାନେ ସମସ୍ୟାର ବାଟ ବନ୍ଧୁକର ତାକତରେ ଅଛି ବୋଲି କହୁଥିବା ବେଳେ ଓଡ଼ିଶାରେ ଦୀର୍ଘ ବର୍ଷ ପୂର୍ବେ ମହିମା ଗୋସାଇଁ ଓ ଭୀମ ଭୋଇଙ୍କ ପରି କ୍ରାନ୍ତିକାରୀମାନେ ସମାଜବାଦର ସଠିକ୍ ପ୍ରତିନିଧିତ୍ୱ କରିଥିଲେ। ଏମାନେ ଦାର୍ଶନିକ କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦୀ ଥିଲେ। ଅନ୍ୟ କାହାକୁ ଗାଳି ନ ଦେଇ ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେବା ଭଳି କଳ୍ପନା କରିଥିଲେ।  ମହିମା ଧର୍ମର ମୁଁ ଅନୁୟାୟୀ, ଏହି ଧର୍ମ ମୋ ପାଇଁ ସଂସ୍କାର, ଉତ୍କଳୀୟ ପରମ୍ପରାକୁ ବିଶ୍ୱକୁ ନେବା ଦିଗରେ ମହିମା ଧର୍ମ ହେବ ସର୍ବଶ୍ରେଷ୍ଠ ମାଧ୍ୟମ।

ମହିମା ଧର୍ମର ପ୍ରତିଷ୍ଠାତା ମହିମା ଗୋସାଇଁ, ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇ, ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ବାଜି ରାଉତ, ଧର୍ମପଦ, ଗୋପବନ୍ଧୁ ଦାସଙ୍କ ସହ ଦାସିଆ ବାଉରୀ, ବାଇମୁଣ୍ଡିଙ୍କ ପରି ସମାଜରେ କୀର୍ତ୍ତି ସ୍ଥାପନ କରିଥିବା ଲୋକମାନେ ସର୍ବଦା ନିଜ ଜାତି ଓ ସମାଜ ପାଇଁ ଆଗଭର ହୋଇଛନ୍ତି। ଓଡ଼ିଆ ଲୋକ ସମୟ ସମୟରୁ ସଂକୀର୍ଣ୍ଣ ବିଚାରରେ ନିଜକୁ ସୀମିତ ରଖିନାହିଁ। ଏଥିପାଇଁ ଓଡ଼ିଆ ଜାତିର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଓଡ଼ିଆ ସମାଜର ଦୃଷ୍ଟିକୋଣ ସମାଜ କଲ୍ୟାଣ।

ସନ୍ଥ କବି ବଳରାମ ଦାସଙ୍କ ଲିଖିତ ଲକ୍ଷ୍ମୀ ପୂରାଣ ଓ ସନ୍ଥ କବିଙ୍କ ତତ୍ତ୍ୱ ସମାନ। ଗରିବ, ବଞ୍ଚିତ , ନିଷ୍ପେସିତ, ସମାଜର ତଳ ଲୋକମାନଙ୍କ ସେବା କଲେ ହିଁ ଭଗବାନ ମିଳିବେ, ଏହା ଓଡ଼ିଆ ଜାତିର ପରମ୍ପରା ଓ ସଂସ୍କାରରେ ଦୀର୍ଘଦିନରୁ ରହିଆସିଛି। ମହିମା ଧର୍ମର ସଂସ୍କୃତି ଓ ପରମ୍ପରା ଅନନ୍ୟ। ମହିମା ବିଚାର ତତ୍ତ୍ଵ ପାଞ୍ଚ ମୁଠା ନୁହେଁ, ମୁଠେ ଖାଇବାରେ ବିଶ୍ୱାସ କରେ। ମାତ୍ର ଆଜିର ଏ ସମ୍ମିଳନୀର ବମର୍ଷ କଣ ପାଇଁ? ଗାନ୍ଧିଜୀ ଖଦୀ ବସ୍ତ୍ର ପିନ୍ଧି ସ୍ୱଦେଶୀ ବସ୍ତ୍ରର ଆହ୍ୱାନ ଦେଇ ସମସ୍ତଙ୍କ ଆଦର୍ଶ ହୋଇଥିବା ବେଳେ ଶହେ ବର୍ଷ ପୂର୍ବରୁ ଜାତିପ୍ରଥା ବିରୋଧରେ କଷ୍ଟ ସହି ଏବଂ ମୁଠେ ଖାଇ ବଞ୍ଚିଥିବା ସନ୍ଥ କାହିଁକି ଅନାଲୋଚିତ? ମହିମା ଗୋସାଇଁ ଓ ସନ୍ଥ କବିଙ୍କ ବିଚାର ପ୍ରଭାବଶାଳୀ ଥିବା କାରଣରୁ ଜାତି ସଂଘର କାନ୍ଥରେ ଲେଖାଗଲା। ଏହା ବିଚାରକୁ ସେ ପର୍ଯ୍ୟନ୍ତ କିଏ ନେଲା? ଏହାକୁ ଜାଣିବାର ଆବଶ୍ୟକତା ରହିଛି।

ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ପ୍ରଣାଳୀର ସଂସ୍କାରରେ ମହିମା ଗୋସାଇଁ ଏବଂ ଭୀମ ଭୋଇଙ୍କ ବିଚାର ଅନ୍ତର୍ନିହିତ। ଆଜି ସବକା ସାଥ-ସବକା ବିକାଶ- ସବକା ପ୍ରୟାସ-ସବକା ବିଶ୍ୱାସ ମୋଦିଙ୍କ ମୂଳ ମନ୍ତ୍ର ହୋଇଛି।

ସମାଜ ପାଇଁ ଉତ୍ସର୍ଗୀକୃତ ବିଚାରକୁ ନୂଆପିଢି ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ନେବା ଦରକାର। ସନ୍ଥକବି ଭୀମଭୋଇ ଚେୟାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଗୁରୁ ଘାସିଦାସ ବିଶ୍ୱବିଦ୍ୟାଳୟ, ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହୋଇଛି। ଆଗାମୀ ଦିନରେ ଭାରତର ଦକ୍ଷିଣାଞ୍ଚଳରେ ଏବଂ ଦେଶ ବାହାରେ ମହିମା ଗୋସାଇଁଙ୍କ ନାଁରେ ଚେୟାର ପ୍ରତିଷ୍ଠା କରିବା ପାଇଁ ଯୋଜନା କରାଯିବ। ଆଜି ପ୍ରଥମ ଥର ପାଇଁ ହିନ୍ଦି ଭାଷାରେ ମହିମା ଧର୍ମ ସମ୍ପର୍କରେ ଲୋକାର୍ପିତ ପୁସ୍ତକଟିକୁ ସମାଜର ସବୁ ବର୍ଗର ଲୋକମାନେ ପଢନ୍ତୁ, ବିମର୍ଷ କରନ୍ତୁ ଓ ନିଜର ଅଭିବ୍ୟକ୍ତି ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଅନୁରୂପ ଭାବରେ ମହିମା ବିଚାରକୁ ସବୁ ଭାରତୀୟ ଭାଷାରେ ପହଞ୍ଚାଇବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ।

ମହିମା ସାଧୁ ସନ୍ଥମାନେ ଓଡ଼ିଶାର ପୁଞ୍ଜି, ସଂସ୍କାର, ଓଡ଼ିଶାର ସ୍ପନ୍ଦନ। ସେମାନଙ୍କ ମାର୍ଗଦର୍ଶନରେ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଜାତି ତାର ସଂସ୍କୃତିକୁ ସୁରକ୍ଷିତ ରଖିବ। ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସରେ ଭରି ସମାଜର ମୂଳଧାରା ସହ ଯୋଡିବା ନେତୃତ୍ୱ ଦେଉଥିବାର ମହିମା ପରମ୍ପରା ସର୍ବଦା ବଜାୟ ରହୁ ବୋଲି ଶ୍ରୀ ପ୍ରଧାନ କାମନା କରିଥିଲେ। ମହିମା ସମାଜର ଆଶା ଓ ଅପେକ୍ଷାକୁ ପୂରଣ କରିବା ପାଇଁ ଭାରତ ସରକାର ସହଯୋଗୀ ହେବେ ବୋଲି ସେ କହିଥିଲେ।

ଉଲ୍ଲେଖନୀୟ ଯେ, ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ଅନୁଷ୍ଠାନ ପକ୍ଷରୁ ଏହି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି। ସମ୍ମିଳନୀରେ ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଯୋଡିହୋଇଥିବା ବ୍ୟକ୍ତିବିଶେଷଙ୍କୁ ଶୂନ୍ୟ ମନ୍ଦିର ଓ ମହିମା ଗାଦି ବୁଲିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ଠାରେ ‘ବାୟୁ ମହତ୍ୱପୂର୍ଣ୍ଣ ଜୀବନଶକ୍ତି’ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ ଶୃଙ୍ଖଳା ଆୟୋଜିତ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି ଉପରେ ଏକ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଶନିବାର ଦିନ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ପଞ୍ଚ ମହାଭୂତ ବା ସୃଷ୍ଟିର ପାଞ୍ଚଟି ମହତ୍ୱପୂର୍ଣ୍ଣ ଉପାଦାନ ସମ୍ପର୍କରେ ରହି ଆସିଥିବା ଭାରତୀୟ ବିଚାରକୁ ପ୍ରଚାରପ୍ରସାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ସମ୍ମିଳନୀ ଶୃଙ୍ଖଳା ଆୟୋଜନ କରାଯାଉଛି। ‘ବାୟୁ : ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଏହି ଶୃଙ୍ଖଳାର ଏକ ଅଂଶବିଶେଷ।

ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ମାନନୀୟ ରାଜ୍ୟପାଳ କହିଥିଲେ ଯେ, ଦେଶ ଓ ସାମଗ୍ରିକ ଭାବେ ବିଶ୍ୱ ପ୍ରତି କୃତଜ୍ଞତା ଜଣାଇବା ଲାଗି ଆଜାଦୀ କା ଅମୃତ ମହୋତ୍ସବ ଏକ ସୁଯୋଗ ଆଣିଛି। ସାମ୍ପ୍ରତିକ ସମୟରେ ବିଶ୍ୱ ବ୍ୟକ୍ତିବାଦୀ ହୋଇପଡ଼ିଛି। ସେ ଆହୁରି କହିଥିଲେ ଯେ ଏହି ସମ୍ମିଳନୀ ଜଗତ ଓ ମାନବତା ମଧ୍ୟରେ ରହିଥିବା ସମ୍ପର୍କକୁ ହୃଦୟଙ୍ଗମ କରିବା ଲାଗି ବ୍ୟକ୍ତିବିଶେଷଙ୍କୁ ସହାୟକ ହୋଇପାରିବ। ସାରା ଜଗତ ସହଯୋଗ ଓ ସହାବସ୍ଥାନ ଭାବନା ଉପରେ ଆଧାରିତ ବୋଲି ରାଜ୍ୟପାଳ କହିଥିଲେ। ସେ କହିଥିଲେ ଯେ, ବାୟୁ ତତ୍ତ୍ବ ବା ଉପାଦାନକୁ ପଞ୍ଚମହାଭୂତ ଠାରୁ ଅଲଗା କରାଯାଇପାରିବ ନାହିଁ ଏବଂ ସମସ୍ତ ଉପାଦାନକୁ ଏକତ୍ରିତ କରି ଦେଖିବା ଜରୁରି। ଆନ୍ତରିକ ଜାଗୃତି ଏହି ସମ୍ମିଳନୀର ଉଦ୍ଦେଶ୍ୟ ବୋଲି ସେ ଜୋର ଦେଇ କହିଥିଲେ। ପରିବେଶ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ସମାରୋହକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ ଉଦଘାଟନୀ ଅଧିବେଶନରେ ଯୋଗ ଦେଇଥିବାରୁ ସେ ରାଜ୍ୟପାଳଙ୍କ ପ୍ରତି କୃତଜ୍ଞ। ସମ୍ମିଳନୀରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାକୁ ଜାଣିବା ଜରୁରି। ଆମ ସମସ୍ତଙ୍କର ଦେଶ ଓ ପୃଥିବୀ ପ୍ରତି ଉତ୍ତରଦାୟିତ୍ୱ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ଦିଗରେ ବିଶେଷ ପ୍ରଗତି ହାସଲ କରିଛି । ଶକ୍ତି କ୍ଷେତ୍ର ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇଛି ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟର ପ୍ରତିଷ୍ଠା କରାଯାଇଛି । ବିଦ୍ୟୁତ ଚାଳିତ ବାହନକୁ ପ୍ରୋତ୍ସାହନ ଦିଆଯାଉଛି ଏବଂ ବାହନ ଚଳାଚଳ କ୍ଷେତ୍ରରେ ଇଥାନଲ ମିଶ୍ରଣକୁ ବାଧ୍ୟତାମୂଳକ କରାଯାଇଛି । ଶିଳ୍ପ କ୍ଷେତ୍ରରେ ସ୍ୱଚ୍ଛ ଇନ୍ଧନ ଆପଣାଇବାକୁ ପଦକ୍ଷେପ ନିଆଯାଇଛି । ଏକକ ବ୍ୟବହାର ବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ନିଷେଧ କରାଯିବା ଭଳି ପଦକ୍ଷେପ ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ମିଶନ୍‌ ଲାଇଫ ବା ପରିବେଶ ଅନୁକୂଳ ଜୀବନଶୈଳୀ ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅକ୍ଟୋବର ୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦଙ୍କ ଏହି ମହତ୍ବାକାଂକ୍ଷୀ ଅଭିଯାନ ଆରମ୍ଭ କରାଯାଇଥିଲା। ଶ୍ରୀ ଯାଦବ କହିଥିଲେ ଯେ, କେବଳ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ନୁହେଁ ବରଂ ବର୍ଜ୍ୟବସ୍ତୁ ସୃଷ୍ଟି ହ୍ରାସ କରିବା ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି । ଅଙ୍ଗାରକାମ୍ଳ ବଜାର, ଅଙ୍ଗାରକାମ୍ଳ ହ୍ରାସ ପାଇଁ ପାଣ୍ଠି ଯୋଗାଣ, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଓ ଅନୁକୂଳ ପଦକ୍ଷେପ ଗ୍ରହଣ, ଦୀର୍ଘସ୍ଥାୟୀ ଉପଭୋଗ, ଦୀର୍ଘସ୍ଥାୟୀ ଉତ୍ପାଦନ ଏବଂ ଭବିଷ୍ୟତରେ ପରିବେଶ ଅନୁକୂଳ ବିବେକାନୁମୋଦିତ ଜୀବନଶୈଳୀ ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି ।

ସମ୍ମିଳନୀ ସମୟରେ ଆୟୋଜିତ ହେବାକୁ ଥିବା ବୈଷୟିକ ଅଧିବେଶନରେ ବିଚାରବିମର୍ଶ ଜରିଆରେ ଗୁରୁତ୍ୱପୂର୍ଣ୍ଣ ପରିଣାମ ମିଳିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ। ତେବେ ନୀତି ପ୍ରସ୍ତୁତି, ନୀତି କାର୍ଯ୍ୟକାରିତା, ଅଭିନବ ଓ ବୈଜ୍ଞାନିକ ବିକାଶ, ନୈତିକ ମୂଲ୍ୟବୋଧ ଓ ପାରମ୍ପରିକ ଜ୍ଞାନ ଆଦି ବିଷୟ ଉପରେ ଆଲୋଚନା କରାଯିବା ଉଚିତ୍‌। ଜଳବାୟୁ ପରିବର୍ତ୍ତନ ବିରୋଧରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବାକୁ ହେଲେ ଏସବୁ ଦିଗ ପ୍ରତି ଧ୍ୟାନ ଦିଆଯିବା ଜରୁରି ।

ସମ୍ମିଳନୀ ଅବସରରେ, ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୨ ଉପରେ ଆଧାରିତ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର ୯ଟି ଶ୍ରେଷ୍ଠ ସହରକୁ ଦିଆଯାଇଥିଲା। ବାୟୁ ଗୁଣବତ୍ତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାର, ନିରାକରଣ ଓ ପ୍ରଶପନ ପଦକ୍ଷେପ ଗ୍ରହଣ କରିଥିବା ସହରଗୁଡ଼ିକୁ ଏହି ପୁରସ୍କାର ମିଳିଥିଲା।

ଜନସଂଖ୍ୟା ଆଧାରରେ ତିନୋଟି ବର୍ଗରେ ପୁରସ୍କାର ରାଶି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହର ମଧ୍ୟରେ ଲକ୍ଷ୍ନୌ ଶ୍ରେଷ୍ଠ ସହର ଭାବେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଜିତିଥିଲା । ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ବାୟୁ ପ୍ରଦୂଷଣର ହାରାହାରୀ ସ୍ତରକୁ ୩୧% ବା ପିଏମ ୧୦ ସ୍ତର ପର୍ଯ୍ୟନ୍ତ ହ୍ରାସ କରିବା ସହିତ ଅପଶିଷ୍ଟ ଓ କଠିନ ବର୍ଜ୍ୟବସ୍ତୁ ଜଳାଇବା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଲକ୍ଷ୍ନୌ ଏହି ପୁରସ୍କାର ପାଇଥିଲା। ରାଜ୍ୟପାଳ ଓ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଲକ୍ଷ୍ନୌ ମେୟର ସୁଶ୍ରୀ ସଂଯୁକ୍ତ ଭାଟିଆ ପୁରସ୍କାର ଗ୍ରହଣ କରିଥିଲେ ।

୩-୧୦ ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବା ଦ୍ବିତୀୟ ବର୍ଗର ସହର ମଧ୍ୟରେ ମୋରଦାଦାବାଦକୁ ପ୍ରଥମ ପୁରସ୍କାର ଭାବେ ୭୫ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା। ଏହି ସହର ବାୟୁ ପ୍ରଦୂଷଣକୁ  ୩୬% ବା ପିଏମ ୧୦ ପର୍ଯ୍ୟନ୍ତ ହ୍ରାସ କରିପାରିଛି । ତୃତୀୟ ବର୍ଗ ଅର୍ଥାତ୍‌ ୩ ଲକ୍ଷରୁ କମ ଜନସଂଖ୍ୟା ଥିବା ସହର ମଧ୍ୟରେ ଦେୱାସକୁ ପ୍ରଥମ ପୁରସ୍କାର ଭାବେ ୩୭.୫ ଲକ୍ଷ ଟଙ୍କାର ଅର୍ଥରାଶି ମିଳିଥିଲା । ଏହି ପୁରସ୍କାର ପ୍ରଦାନ ବ୍ୟବସ୍ଥା ଏକ ସ୍ୱଚ୍ଛ ଓ ସବୁଜ ଭାରତ ନିର୍ମାଣ ଦିଗରେ ପଦକ୍ଷେପ ନେବା ଲାଗି ଅନ୍ୟ ସହରମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା କରାଯାଉଛି ।

ଉଦଘାଟନୀ ଅଧିବେଶନରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ମହାନଗର ନିଗମ ଆୟୁକ୍ତ, ରାଜ୍ୟ ସହରାଞ୍ଚଳ ବିକାଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ ସମିତିର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିଙ୍କ ସମେତ ପରିବେଶ ବିଜ୍ଞାନୀ, ଶିକ୍ଷାବିତ, ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି ।