Categories
ଆଞ୍ଚଳିକ

କର୍କଟ ରୋଗରେ ପୀଡ଼ିତାଙ୍କ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କୈଳାଶ ଚନ୍ଦ୍ର ଚୌଧୁରୀ

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ସହର ଅରବିନ୍ଦ ନଗର ବାସିନ୍ଦା ପ୍ରମିଳା ଚର୍ଚ୍ଚି ଆଜକୁ ଏକ ବର୍ଷ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। କିନ୍ତୁ ୪ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେବା ପରେ ସେ ଆରୋଗ୍ୟ ହୋଇନଥିଲେ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରମିଳାଙ୍କୁ ଘରକୁ ଫେରାଇ ଦେଇଥିଲେ। ଏହାଦ୍ଵାରା ପ୍ରମିଳା ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଇଥିଲେ, ସେଠାରେ ମଧ୍ୟ ଉନ୍ନତ ଚିକିତ୍ସା ନହେବାରୁ ସେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ।

ସେଠାରେ ସେ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକ ଓ ଏଥିପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡର ଆବଶ୍ୟକ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ କବିସୂର୍ଯ୍ୟ ନଗର ଏନ୍ ଏ ସି କାର୍ଯ୍ୟାଳୟ କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗ କରିବା ପରେ କୌଣସି ସୁବିଧା ନ ହେବାରୁ ସେ ଆଜି ଠାରୁ ଉକ୍ତ କାର୍ଯ୍ୟାଳୟ ବାରଣ୍ଡାରେ ସ୍ବାମୀଙ୍କ ସହ ଆମରଣ ଅନଶନ ଆରମ୍ଭ କରିଛନ୍ତି। ନିଜ ଅଞ୍ଚଳର ଅରବିନ୍ଦ ନଗର ବାସିନ୍ଦା ସୁରେନ୍ଦ୍ର ଚର୍ଚ୍ଚିଙ୍କ ପତ୍ନୀ ପ୍ରମିଳା ଚର୍ଚ୍ଚି ପ୍ରଥମରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ, ଆର୍ଥିକ ସମ୍ବଳ ଅଭାବରୁ ତାକୁ ଘରକୁ ପଠାଇ ଦେବାରୁ ଉଭୟ ପ୍ରମିଳା ଓ ସୁରେନ୍ଦ୍ର ନେହୁରା ହୋଇ କହିବାରୁ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।

କିନ୍ତୁ ସେଠାରେ ମଧ୍ୟ ଅନୁରୂପ ପରିସ୍ଥିତି, ଟଙ୍କା ଦରକାର ନଚେତ ସ୍ବାସ୍ଥ୍ୟ ବିମା କାର୍ଡର ଆବଶ୍ୟକ ବୋଲି କହିବାରୁ ସେମାନେ ଆଜି ଏନ୍ ଏ ସି କାର୍ଯ୍ୟାଳୟ କର୍ତ୍ତୁପକ୍ଷଙ୍କୁ ସାକ୍ଷାତ କରିଥିଲେ ଓ ନାସ୍ତିବାଣୀ ଶୁଣିବାରୁ ଉଭୟ ଆଜି ଧାରଣାରେ ବସିଛନ୍ତି।

ଖବର ପାଇ ଯୋଗାଣ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସତ୍ୟାସତ୍ୟ ଅନୁସନ୍ଧାନ କରି ଜିଲ୍ଲା କର୍ତ୍ତୁପକ୍ଷଙ୍କୁ ଅବଗତ କରାଇଛନ୍ତି। ପ୍ରମିଳା ଚର୍ଚ୍ଚି ଗତ ୨୦୨୨ ଅଗଷ୍ଟ ୧୬ ଠାରୁ ଏହି ଫେବୃଆରୀ ମାସ ୪ ତାରିଖ ପର୍ଯ୍ୟନ୍ତ ଚିକିତ୍ସା ହେଉଥିଲେ।