Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଭବାନୀପାଟଣାରେ ଜଣେ ପଜିଟିଭ ଚିହ୍ନଟ, ଅର୍କାବାହାଲିପଡା ବଫରଜୋନ ଘୋଷିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ସହର ଅନ୍ତର୍ଗତ ୱାର୍ଡ ନଂ.୧୦ ଅଧିନସ୍ଥ ଅର୍କାବାହାଲିପଡାକୁ ଜିଲ୍ଲାପ୍ରଶାସନ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ଜଣାପଡିଛି। ଅର୍କାବାହାଲିପଡାର ଜଣେ ୫୮ ବର୍ଷୀୟ ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଠଟି ରାସ୍ତା ସଂଲଗ୍ନ ହେଉଥିବା ଅର୍କାବାହାଲିପଡାର ୩ କି.ମି. ବ୍ୟାସାର୍ଦ୍ଧ ଅଂଚଳକୁ ପ୍ରଶାସନ ପକ୍ଷରୁ ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବା ପ୍ରକାଶ। ସଂପୃକ୍ତ ବ୍ୟକ୍ତି ଜଣକ ଗତ ୧୭ ଜୁନ ଠାରୁ ୨୬ ଜୁନ ମଧ୍ୟରେ ଦୁଇଥର ଭୂବନେଶ୍ୱରସ୍ଥିତ ସମ ହସପିଟାଲ ଓ ଥରେ ବିସମକଟକସ୍ଥିତ ମିଶନାରୀ ହସପିଟାଲକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିବା ଜଣାପଡିଛି। ଗତ ୨୬ ତାରିଖ ଦିନ ସମ ହସପିଟାଲରେ କୋଭିଡ ସନ୍ଦିଗ୍ଧ ଭାବେ ସ୍ୱାବ ପରୀକ୍ଷା କରାଯାଇ ଭୂବନେଶ୍ୱର କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିବାର ପ୍ରକାଶ।

ସଂପୃକ୍ତ ବ୍ୟକ୍ତି ଜଣକ କରୋନା ପଜିଟିଭ ବାହାରିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଖୋଜାଚାଲିଥିବା ସହିତ ୱାର୍ଡ ନଂ୧୦ ଅନ୍ତର୍ଗତ ଦୟାନିଧି ଛକ ଠାରୁ ଖରିଆର ରାସ୍ତା ପୁରୁଣା ଚେକଗେଟ ପର୍ଯ୍ୟନ୍ତକୁ ୩ କି.ମି. ବ୍ୟାସାର୍ଦ୍ଧରେ ବଫର ଜୋନ ଭାବେ ଘୋଷଣା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଅନ୍ୟପକ୍ଷରେ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପଜିଟିଭ କେଶ ଗୁଡିକ ମଧ୍ୟରୁ ଆଜି ୭ ଜଣ ଆରୋଗ୍ୟ ଲାଭ କରିଥିବା ବିଜ୍ଞପ୍ତିରେ ଜଣାପଡିଛି। ଆରୋଗ୍ୟ ହାର ଶତକଡା ୯୨.୯ ହୋଇଥିବା ପ୍ରକାଶ। ବର୍ତ୍ତମାନ ୫ ଜଣ କରୋନା ପଜିଟିଭ ହିଁ ଭବାନୀପାଟଣା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ପ୍ରକାଶ।