Categories
ଆଜିର ଖବର ଜାତୀୟ ଖବର

ଦେଶର ସମସ୍ତ ଅଦାଲତରେ ୫ କୋଟି ମାମଲା ବିଚାରାଧୀନ: ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ୨୫ଟି ହାଇକୋର୍ଟ, ଜିଲ୍ଲା ଓ ଅଧୀନ ଅଦାଲତରେ ସମୁଦାୟ ୫ କୋଟି ମାମଲା ବିଚାରାଧୀନ ରହିଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି।

ଏକ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି ଯେ ଡିସେମ୍ବର ୧ ସୁଦ୍ଧା ଦେଶର ବିଭିନ୍ନ ଅଦାଲତରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲାର ଶୁଣାଣି ବାକି ରହିଛି। ସେଥିମଧ୍ୟରୁ ୨୫ଟି ହାଇକୋର୍ଟରେ ୬୧ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି।
ଅର୍ଜୁନ ରାମ କହିଛନ୍ତି ଯେ ବର୍ତ୍ତମାନ ସୁପ୍ରିମକୋର୍ଟରେ ୮୦ ହଜାର ମାମଲା ବିଚାରାଧୀନ ରହିଛି । ୬ ମାସ ତଳେ ଜୁଲାଇ ପହିଲାରେ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲା ସଂଖ୍ୟା ୬୯ ହଜାର ୭୬୬ ଥିଲା । ଯାହା ଡିସେମ୍ବର ୧ରେ ୮୦ ହଜାରରୁ ଅଧିକ ହୋଇଥିଲା। ତିନି ବର୍ଷ ତଳେ ୨୦୨୦ ମାର୍ଚ୍ଚରୁ ୨୦୨୩ ଜୁଲାଇ ପର୍ଯ୍ୟନ୍ତ ୧୦ ହଜାର ବିଚାରାଧୀନ ମାମଲା ବୃଦ୍ଧି ପାଇଁ ସମୟ ଲାଗିଥିଲା।

ନ୍ୟାୟପାଳିକାରେ ସମୁଦାୟ ୨୬ ହଜାର ୫୬୮ ବିଚାରପତି

ଅର୍ଜୁନ ରାମ ମେଘୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ନ୍ୟାୟପାଳିକାରେ ବିଚାରପତିଙ୍କ ସମୁଦାୟ ମଞ୍ଜୁରୀପ୍ରାପ୍ତ ସଦସ୍ୟ ସଂଖ୍ୟା ହେଉଛି ୨୬,୫୬୮। ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ ରହିଛି। ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୧୧୪ ରହିଛି। ଜିଲ୍ଲା ଓ ଅଧୀନ ଅଦାଲତରେ ମଞ୍ଜୁରୀପ୍ରାପ୍ତ ବିଚାରପତି ଙ୍କ ସଂଖ୍ୟା ୨୫,୪୨୦ ରହିଛି।

ଜୁନ୍ ୧୫ ସୁଦ୍ଧା ଭିଡିଓ କନଫରେନ୍ସିଂ ଜରିଆରେ ୧.୮୦ ଲକ୍ଷ ମାମଲାର ଶୁଣାଣି ହୋଇଛି
ଲୋକସଭାରେ ବକ୍ତବ୍ୟ ରଖି ଆଇନ ମନ୍ତ୍ରୀ କହିଛନ୍ତି ଯେ ୨୦୨୩ରେ ସୁପ୍ରିମକୋର୍ଟ ମଧ୍ୟ ଜୁନ୍ ୧୫ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି କରିଥିଲେ।  ଯେଉଁଥିରେ ସମୁଦାୟ ୧ ଲକ୍ଷ ୮୨ ହଜାରରୁ ଅଧିକ ମାମଲାର ଶୁଣାଣୀ ହୋଇଛି କରିଥିଲେ।

ଏହାବ୍ୟତୀତ ଗୁଜରାଟ, ଗୁଆହାଟୀ, ଓଡ଼ିଶା, କର୍ଣ୍ଣାଟକ, ଝାଡ଼ଖଣ୍ଡ, ପାଟନା ଓ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟ ସାମ୍ବିଧାନିକ ଖଣ୍ଡପୀଠର କାର୍ଯ୍ୟର ସିଧା ପ୍ରସାରଣ ଆରମ୍ଭ କରିଛନ୍ତି।

Categories
ବିଶେଷ ଖବର

ଦଲାଲଙ୍କ କବଳରୁ ମୁକ୍ତ ହେବେ ଅଦାଲତ: ସଂସଦରେ ପାରିତ ହେଲା ବିଲ

ନୂଆଦିଲ୍ଲୀ: ସଂସଦରେ ‘ଓକିଲ (ସଂଶୋଧନ) ବିଲ୍- ୨୦୨୩’ ଗୃହୀତ ହୋଇଛି। ଅଦାଲତ ପରିସରରେ ଦଲାଲଙ୍କ ଭୂମିକାକୁ ଦୂର କରିବା ଏହି ବିଲର ଉଦ୍ଦେଶ୍ୟ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ବିସ୍ତୃତ ଆଲୋଚନା ଓ ଉତ୍ତର ପରେ ଲୋକସଭାରେ ଏହି ବିଲକୁ ସ୍ୱର ଭୋଟରେ ପାରିତ କରାଯାଇଛି। ଗତ ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା। ସୋମବାର ଲୋକସଭାରେ ବିଭିନ୍ନ ଦଳର ସଦସ୍ୟମାନେ ଅଦାଲତକୁ ଦଲାଲଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତ କରିବାକୁ ଦାବି କରିଥିଲେ। ଏଥିପାଇଁ ବଡ଼ ଦଲାଲଙ୍କୁ ଧରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ କଂଗ୍ରେସ ଗୁରୁତ୍ୱାରୋପ କରିଛି।

ଅନ୍ୟପକ୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି) କହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ନ୍ୟାୟପାଳିକାକୁ ‘ସ୍ୱଚ୍ଛ’ କରିବା ପାଇଁ ପ୍ରୟାସ ଜାରି ରହିଛି। ତେବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଡିଏମକେ ଭଳି ଦଳ ଏହି ବିଲ ପ୍ରତ୍ୟାହାର କରି ପୁନର୍ବିଚାର କରିବାର ଆବଶ୍ୟକତା ପ୍ରକାଶ କରିଛନ୍ତି। ଲୋକସଭାରେ ଓକିଲ (ସଂଶୋଧନ) ବିଲ୍- ୨୦୨୩ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍ କହିଛନ୍ତି ଯେ ଛୋଟ ଅଦାଲତରେ ଛୋଟ ଦଲାଲଙ୍କ ବିରୋଧରେ ପଦକ୍ଷେପ ନେବା ସହିତ କେନ୍ଦ୍ର ’ବଡ଼ ଦଲାଲ’ ଧରିବା ପାଇଁ ବ୍ୟବସ୍ଥା କରିବା ଉଚିତ।

ଲୋକସଭାରେ ଏହି ବିଲ ଉପରେ ବିତର୍କର ଉତ୍ତର ଦେଇ ମେଘୱାଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପୁରୁଣା ହୋଇଯାଇଥିବା ଔପନିବେଶିକ ଆଇନଗୁଡ଼ିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସଂଶୋଧନ ଆଣିବାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ମହାନ। ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ସରକାର ଅଧୀନରେ ୧୪୮୬ଟି ଔପନିବେଶିକ ଆଇନ ଉଚ୍ଛେଦ ହୋଇଥିବାବେଳେ ୟୁପିଏ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳରେ ଏଭଳି ଗୋଟିଏ ବି ଆଇନ ରଦ୍ଦ ହୋଇନାହିଁ। ମେଘୱାଲଙ୍କ ଉତ୍ତର ପରେ ଗୃହରେ ଏହି ବିଲକୁ ସ୍ୱର ଭୋଟରେ ଅନୁମୋଦନ ମିଳିଥିଲା।

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସହ ପରାମର୍ଶ କରି ସରକାର ଲିଗାଲ ପ୍ରାକ୍ଟିସନର ଆକ୍ଟ ୧୮୭୯କୁ ଉଚ୍ଛେଦ କରିବା ସହ ଆଡଭୋକେଟ ଆକ୍ଟ ୧୯୬୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଅନାବଶ୍ୟକ ଆଇନ’ର ସଂଖ୍ୟା ହ୍ରାସ କରିବା ପାଇଁ ଆଇନଜୀବୀ ଆଇନ, ୧୯୬୧ରେ ଆଇନଜୀବୀ ଅଧିନିୟମ, ୧୮୭୯ର ଧାରା ୩୬ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବା ଏହି ବିଲର ଉଦ୍ଦେଶ୍ୟ। ଏହି ଧାରାରେ ଅଦାଲତରେ ଦଲାଲଙ୍କ ତାଲିକା ପ୍ରସ୍ତୁତ କରି ପ୍ରକାଶ କରିବାର କ୍ଷମତା ରହିଛି।

Categories
ବିଶେଷ ଖବର

ଉପରାଷ୍ଟ୍ରପତିଙ୍କ ମନ୍ତବ୍ୟ ପରେ ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ମନ୍ତବ୍ୟ ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ସୋମବାର କହିଛନ୍ତି ଯେ ଦେଶର ଲୋକସଭା ଓ ବିଧାନସଭାରେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ମିଳିବା ଦିନ ଦୂର ନୁହେଁ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲେ ହେଁ ଲୋକସଭାରେ ଏହାକୁ ଅନୁମୋଦନ ନ ମିଳିବାରୁ ଏହା ଅଚଳ ହୋଇଯାଇଥିଲା।

ଉପରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଆଗତ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି, ଯାହାର କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

ମଙ୍ଗଳବାର ଦିନ ତେଲେଙ୍ଗାନାର ଏମଏଲସି ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ କବିତା ମଧ୍ୟ ସଂସଦରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ୪୭ଟି ରାଜନୈତିକ ଦଳର ସଭାପତିଙ୍କୁ ଏକ ଚିଠି ଲେଖି ରାଜନୈତିକ ମତଭେଦକୁ ଦୂର କରି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ ପାରିତ କରିବାକୁ ପ୍ରାଥମିକତା ଦେବାକୁ ଅନୁରୋଧ କରିଛନ୍ତି।
୧୯୯୬ମସିହାରେ ଦେବେଗୌଡ଼ା ସରକାର ପ୍ରଥମେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ପାଇଁ ଏକ ବିଲ ଆଗତ କରିଥିଲେ। ଏହାପରେ ୟୁପିଏ ସରକାର ୨୦୦୮ ମସିହାରେ ସମ୍ବିଧାନ (ଅଷ୍ଟମ ସଂଶୋଧନ) ବିଲ ନାମରେ ପରିଚିତ ଏହି ବିଲକୁ ପୁନଃ ଆଗତ କରିଥିଲେ।

୨୦୧୦ମସିହାରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା, କିନ୍ତୁ ପଞ୍ଚଦଶ ଲୋକସଭାରେ ଏହି ବିଲ ପାରିତ ହୋଇପାରିନଥିଲା ଏବଂ ଏହା ଭଙ୍ଗ ହେବା ପରେ ଏହା ଅଚଳ ହୋଇଯାଇଥିଲା। ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଭଳି ଦଳ ଏହି ବିଲକୁ ବର୍ତ୍ତମାନର ରୂପରେ ବିରୋଧ କରି ‘କୋଟା ଭିତରେ ସଂରକ୍ଷଣ’ ଦାବି କରିଛନ୍ତି। ଦଳିତ, ପଛୁଆ, ଅତ୍ୟନ୍ତ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ଉଚିତ ବୋଲି ଦଳଗୁଡ଼ିକ ଯୁକ୍ତି ବାଢ଼ିଛନ୍ତି। ଆରଜେଡି କହିଛି ଯେ ଯଦି ଏହି ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ ମହିଳାଙ୍କ ପାଇଁ ସଂରକ୍ଷଣ ୫୦%କୁ ବୃଦ୍ଧି କରିବାକୁ ପଡ଼ିବ ତେବେ ଏହାର କୌଣସି ଅସୁବିଧା ନାହିଁ, କିନ୍ତୁ ସଂରକ୍ଷଣରେ ସଂରକ୍ଷଣ ବିନା ଏହା “ଅର୍ଥହୀନ” ଅଟେ।

ସମ୍ବିଧାନ ସଂଶୋଧନ ହୋଇଥିବାରୁ ଲୋକସଭାରେ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ୨୦୧୪ରେ ଏହା ବିଜେପିର ନିର୍ବାଚନୀ ଇସ୍ତାହାରର ଏକ ଅଂଶ ଥିଲା ଏବଂ ଏହା ଗୃହୀତ ହେବାଦ୍ୱାରା ଦଳ ମହିଳାଙ୍କ ଭୋଟକୁ ସୁଦୃଢ଼ କରିବାରେ ସହାୟକ ହେବ।

ସୋମବାର ଜୟପୁରର ଏକ କଲେଜରେ ‘ରାଷ୍ଟ୍ର ନିର୍ମାଣରେ ମହିଳାଙ୍କ ଭାଗିଦାରୀ’ ଶୀର୍ଷକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଧନଖଡ଼ କହିଥିଲେ ଯେ ସେହିଦିନ ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ସଂଶୋଧନ ମାଧ୍ୟମରେ ମହିଳାମାନେ ସଂସଦ ଏବଂ ବିଧାନସଭାରେ ସେମାନଙ୍କର ଉପଯୁକ୍ତ ପ୍ରତିନିଧିତ୍ୱ ପାଇବେ। ଖୁବଶୀଘ୍ର ଏହି ସଂରକ୍ଷଣ ଦିଆଗଲେ ୨୦୪୭ ପୂର୍ବରୁ ଭାରତ ବିଶ୍ୱ ଶକ୍ତିରେ ପରିଣତ ହେବ ବୋଲି ସେ କହିଛନ୍ତି।

ପ୍ରଶାସନ, କର୍ପୋରେଟ ଜଗତ ଓ ସେନା ସମେତ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ନୂଆ ନୂଆ ମଡେଲ ତିଆରି କରୁଥିବାରୁ ମହିଳାଙ୍କ ପାଇଁ ଆକାଶ ହେଉଛି ସୀମା ବୋଲି ଶ୍ରୀ ଧନଖଡ଼ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମଙ୍ଗଳବାର ଭାରତ ରାଷ୍ଟ୍ର ସମିତି ନେତ୍ରୀ ତଥା ପୂର୍ବତନ ଲୋକସଭା ସାଂସଦ କେ କବିତା ତାଙ୍କ ଚିଠିରେ କହିଛନ୍ତି ଯେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ଏକ ସ୍ୱତନ୍ତ୍ରତାର ବିଷୟ ନୁହେଁ ବରଂ ଏକ ଅଧିକ ସମାନ ଏବଂ ସନ୍ତୁଳିତ ରାଜନୈତିକ ଦୃଶ୍ୟପଟ୍ଟ ସୃଷ୍ଟି କରିବାର ଏକ ମାଧ୍ୟମ। ଏହି ମାମଲାର ଜରୁରୀକୁ ସ୍ୱୀକାର କରି ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରିବାକୁ ସେ ସମସ୍ତ ଦଳକୁ ଅନୁରୋଧ କରିଛନ୍ତି।

ଗତ ଜୁଲାଇ ମାସରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସରକାର ରାଜ୍ୟସଭାରେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲ ସଂସଦକୁ ଅଣାଯିବା ପୂର୍ବରୁ ସମସ୍ତ ରାଜନୈତିକ ଦଳର ସହମତି ଆଧାରରେ ସତର୍କତାର ସହ ବିଚାର କରାଯିବାର ଆବଶ୍ୟକତା ରହିଛି। ଏହାର ଉତ୍ତରରେ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଥିଲେ ଯେ ଲିଙ୍ଗଗତ ନ୍ୟାୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର କିସ ଠାରେ ଜନ ଜାତୀୟ ଗୌରବ ଦିବସ ପାଳିଲା ସଂସ୍କୃତି ମନ୍ତ୍ରଣାଳୟ

ଭୁବନେଶ୍ବର: ଦେଶକୁ ସୁଦୃଢ଼ କରିବାକୁ ହେଲେ ଆମ ଜନଜାତି ସମୁଦାୟକୁ ସଶକ୍ତ କରିବାକୁ ହେବ। ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଭୁବନେଶ୍ବର ଠାରେ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ସୋଶଲ ସାଇନ୍ସେସ (କିସ) ସହଯୋଗରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଜନଜାତୀୟ ଗୌରବ ଦିବସରେ ୩୦ ହଜାରରୁ ଅଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ ରାଷ୍ଟ୍ର ନିର୍ମାଣରେ ଜନଜାତି ସମୁଦାୟର ଯୋଗଦାନ ବିଷୟରେ କହିଥିଲେ।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମେଘୱାଲ କହିଥିଲେ ଯେ, ଦେଶର ସ୍ବାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କର ଅମୂଲ୍ୟ ଯୋଗଦାନ ରହିଥିଲା। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନ ଜାତୀୟ ଗୌରବ ଦିବସ ଭାବେ ପାଳନ କରିବା ଲାଗି ଗତ ବର୍ଷ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କୃତଜ୍ଞତା ବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମେଘୱାଲ କହିଥିଲେ ଯେ, ଜନଜାତି ସମାଜକୁ ଜାଗ୍ରତ କରାଇବାରେ ଭଗବାନ ବିର୍ସା ମୁଣ୍ଡାଙ୍କର ଯୋଗଦାନ ଅତୁଳନୀୟ। ସେ ସାହସିକ ପଦେକ୍ଷପ ଗ୍ରହଣ କରିଥିଲେ, ବ୍ରିଟିଶ ସରକାରଙ୍କ ବିରୋଧରେ ସାହସର ସହିତ ଲଢ଼େଇ କରିଥିଲେ ଏବଂ ଏହା ପ୍ରମାଣିତ କରିଥିଲେ ଯେ ଜନଜାତି ଲୋକମାନେ ଆମ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ। ଆମେ ତାଙ୍କ ଠାରୁ ଶିକ୍ଷା ଲାଭ କରି ଆମ ଜନଜାତି ସମୁଦାୟକୁ ସଶକ୍ତ କରିବା ଉଚିତ୍‌। ଏହାଦ୍ବାରା ଆମ ଦେଶ ମଧ୍ୟ ସଶକ୍ତ ଓ ସୁଦୃଢ଼ ହୋଇପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଶ୍ରୀ ମେଘୱାଲ କହିଥିଲେ ଯେ ପ୍ରକୃତି ମା’ ସହିତ ଆଦିବାସୀ ଲୋକମାନଙ୍କର ଜୀବନଶୈଳୀ ପ୍ରତ୍ୟକ୍ଷ ଭାବେ ଜଡ଼ିତ। ଆରମ୍ଭରୁ ପ୍ରକୃତି ସହ ଯୋଡ଼ି ହୋଇ ଜୀବନ ନିର୍ବାହ କରିବା ଲାଗି ଜନଜାତି ସମୁଦାୟର ଲୋକମାନେ ଶିକ୍ଷା ଦେଇଛନ୍ତି ଏବଂ ଏହା ଏବେ ଏକ ବୈଶ୍ବିକ ମନ୍ତ୍ରରେ ପରିଣତ ହୋଇଛି ବୋଲି ସେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମିଶନ ଲାଇଫ’ର ଶୁଭାରମ୍ଭ କରିଛନ୍ତି, ପରିବେଶ ଅବକ୍ଷୟ ସହ ଲଢ଼ିବା ଏହାର ମୂଳ ଲକ୍ଷ୍ୟ।

ସେ କହିଥିଲେ ଯେ, ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ସ୍ବରୂପ ଜନଜାତୀୟ ଗୌରବ ଦିବସ ପାଳନ କରାଯାଉଛି। ଦେଶର ଅପରିଚିତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବାର ପରିକଳ୍ପନା କରିଥିଲେ ଯାହାକି ଏବେ ଆଜାଦୀ କା ଅମୃତକାଳରେ ପ୍ରବେଶ କରିଛି। ଆମ ସ୍ବାଧୀନତା ସଂଗ୍ରାମର ପ୍ରକୃତ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ଶ୍ରୀ ମେଘୱାଲ କହିଥିଲେ।

ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବ୍ୟାପାର ମନ୍ତ୍ରୀଜଗନ୍ନାଥ ସାରକା, ସଂସ୍କୃତି ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉମା ନନ୍ଦୁରୀ ଉପସ୍ଥିତ ଥିଲେ। ଏକ ସର୍ବଭାରତୀୟ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ କରିବା ଲାଗି ଶ୍ରୀମତୀ ନନ୍ଦୁରୀ କିସ୍‌ ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ।