Categories
ବିଶେଷ ଖବର

ଅର୍ଥନୀତିଜ୍ଞ ରାଜୀବ କୁମାର ନୀତି ଆୟୋଗର ଉପାଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା, ସୁମନ ବେରୀ ନେବେ ଦାୟିତ୍ଵ

ନୂଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫା ଦେବାର କାରଣ ଜଣା ପଡିନାହିଁ। ଜଣାଶୁଣା ଅର୍ଥନୀତିଜ୍ଞ କୁମାର ଅଗଷ୍ଟ ୨୦୧୭ ରେ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ। ତତ୍କାଳୀନ ଉପାଧ୍ୟକ୍ଷ ଅରବିନ୍ଦ ପନଗଢିଆ କମିଶନରୁ ଇସ୍ତଫା ଦେବା ପରେ କୁମାରଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା। କୁମାର ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ଡକ୍ଟରେଟ ଏବଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଥିଲେ। ସେ ସେଣ୍ଟର ଫର ପଲିସି ରିସର୍ଚ୍ଚରେ ଜଣେ ବରିଷ୍ଠ “ଫେଲୋ” ମଧ୍ୟ ରହିଛନ୍ତି।

ରାଜୀବ କୁମାରଙ୍କ ସ୍ଥାନରେ ଅର୍ଥନୀତିଜ୍ଞ ସୁମନ ବେରୀ ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିବେ। ସେ ଏହି ଦାୟିତ୍ୱ ମେ ୧ ତାରିଖରୁ ପାଇବେ। ରାଜୀବ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ସମୟ ପୂର୍ବରୁ ସେ ନିଜ ଦାୟିତ୍ଵରୁ ଇସ୍ତଫା ନେବେ।

ରାଜୀବ କୁମାରଙ୍କ ଇସ୍ତଫା ଗ୍ରହଣ କରାଯାଇଛି ଏବଂ ତାଙ୍କୁ ଏପ୍ରିଲ ୩୦ ତାରିଖରେ ମୁକ୍ତ କରାଯିବ। ରାଜୀବ କୁମାର ନୀତି ଆୟୋଗର ଯୋଜନାରେ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି। ବିଶେଷକରି କୃଷି, ସମ୍ପତ୍ତି ବିମୁଦ୍ରୀକରଣ, ବିନିଯୋଗ, ବୈଦ୍ୟୁତିକ ଯାନ ପରି କ୍ଷେତ୍ରରେ ସେ ସମସ୍ତ ନୀତି ଯୋଜନା ଉପସ୍ଥାପନ କରିବାରେ ସହଯୋଗ କରିଥିଲେ।

ଏଥି ସହିତ, ସୁମନ ବେରୀ ନ୍ୟାସନାଲ କାଉନସିଲ୍ ଅଫ୍ ଆପ୍ଲାଏଡ୍ ଇକୋନୋମିକ୍ ରିସର୍ଚ୍ଚର ମହାନିର୍ଦ୍ଦେଶକ (ମୁଖ୍ୟ କାର୍ଯ୍ୟନିର୍ବାହୀ) ଭାବରେ କାର୍ଯ୍ୟ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ମଧ୍ୟ ରହିଛନ୍ତି। ସେ ପରିସଂଖ୍ୟାନ ଆୟୋଗ ଏବଂ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତିର ବୈଷୟିକ ପରାମର୍ଶଦାତା କମିଟିରେ ମଧ୍ୟ ରହିଛନ୍ତି।