Categories
ଆଜିର ଖବର ରାଜ୍ୟ ଖବର

ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ବରି ସିଂଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ ଅଭିଯୋଗ

ନୟାଗଡ଼ (ସୁଧାକର ମିଶ୍ର): ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ବରି ସିଂଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ କରାଯାଇଥିବା ବିଜେପି ଅଭିଯୋଗ କରିଛି। ଏହାକୁ ନେଇ ନୟାଗଡ଼ରେ ଶତାଧିକ ମହିଳାଙ୍କ ବିରୋଧ ପ୍ରଦର୍ଶନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଜେପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ସୂଚନା ଅନୁଯାୟୀ, ଆମ ପାଇଁ ବଡ଼ ଆମ ନୟାଗଡ଼ ଫେସବୁକ୍ ଆଇ ଡି ରୁ ନୟାଗଡ଼ ରାଣୀଙ୍କୁ ପୁତନା ବୋଲି କହିବା ସହ ତାଙ୍କୁ ବଧ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଏଭଳି ଅଶ୍ଳୀଳ କଟାକ୍ଷକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି। ସୋସିଆଲ ମିଡିଆରେ ଯେଭଳି ଭାବରେ ପ୍ରତ୍ୟୁଷାଙ୍କୁ କଟାକ୍ଷ କରାଗଲା, ଏହା ମହିଳାମାନଙ୍କ ପାଇଁ ଗୋଟେ ଅପମାନଜନକ ଘଟଣା ବୋଲି ବିଜେପି କହିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ କାର୍ଯାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଜେଡ଼ି ହାରିବା ଭୟରେ ସୋସିଆଲ ମିଡିଆରେ ଏଭଳି କାଣ୍ଡ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ମା’କୁ ଏହା କି ପ୍ରକାର ସମ୍ମାନ ବୋଲି ବିଜେପି ପ୍ରଶ୍ନ କରିଛି।

ପ୍ରତ୍ୟୁଷା ରାଜେଶ୍ବରି ସିଂ ଙ୍କୁ ଅଶ୍ଳୀଳ କଟାକ୍ଷକୁ ନେଇ ନୟାଗଡ଼ ରାଜବାଟିରେ ବିଜେପି ର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ତୁରନ୍ତ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଏହାକୁ ବେଶ ଗୁରୁତର ସହ ନିଆଯିବ ବୋଲି ସମ୍ବିତ କହିଛନ୍ତି।