Categories
PIB_NEWS ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତ ଅଷ୍ଟ୍ରେଲିଆ ମଧ୍ୟର ମନ୍ତ୍ରିସ୍ତରୀୟ କଥାବାର୍ତ୍ତା, ସାମରିକ ସହଯୋଗକୁ ସଂପ୍ରସାରିତ କରିବା ପାଇଁ ରାଜି

ନୂଆଦିଲ୍ଲୀ, ଆଜି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ନୂଆଦିଲ୍ଲୀରେ ହୋଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅଷ୍ଟ୍ରେଲିଆର ପ୍ରତିରକ୍ଷା ମନ୍ତ୍ରୀ ପିଟର ଡଟ୍ଟନଙ୍କ ସହ ବୈଦେଶିକ ମନ୍ତ୍ରୀ ଡ ଜୟଶଙ୍କର ଏବଂ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ମାରାଇଜ୍ ପେନ୍‌ ଉପସ୍ଥିତ ଥିଲେ।

ଏହି ଦୁଇ+ଦୁଇ ଆଲୋଚନାରେ ଉଭୟ ପକ୍ଷ ସାମରିକ ସହଯୋଗକୁ ସଂପ୍ରସାରିତ କରିବା ସହିତ ପରସ୍ପରର ତିନିବାହିନୀ ମଧ୍ୟରେ ସାମରିକ ତଥ୍ୟ ବିନିମୟ ଏବଂ ସାମରିକ ସାମଗ୍ରୀ ଯୋଗାଣ କ୍ଷେତ୍ରରେ କାମ କରିବାକୁ ରାଜି ହୋଇଛନ୍ତି । ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ପୂର୍ବପରି କାମ ଚାଲିବ ଏବଂ ମାଲବାର ସମରାଭ୍ୟାସରେ ଅଷ୍ଟ୍ରେଲିଆ ପୂର୍ବଭଳି ଭାଗ ନେବାକୁ ରାଜି ହୋଇଛି ।

ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରତିରକ୍ଷା ଉଦ୍ୟୋଗରେ ସାମିଲ ହେବାକୁ ଅଷ୍ଟ୍ରେଲିଆକୁ ଭାରତ ନିମନ୍ତ୍ରଣ କରିଛି। ସେହିଭଳି ସାମରିକ ଉପକରଣର ବିକାଶ ଓ ଉତ୍ପାଦନ କ୍ଷେତ୍ରରେ ଅଷ୍ଟ୍ରେଲିଆକୁ ଅଂଶୀଦାର ହେବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

କରୋନା ମହାମାରୀ ସତ୍ତ୍ୱେ ଏହି ଆଲୋଚନାରେ  ଅଷ୍ଟ୍ରେଲିଆର ଦୁଇମନ୍ତ୍ରୀଙ୍କୁ ଯୋଗଦେଇଥିବା ରାଜନାଥ ସିଂ ଧନ୍ୟବାଦ ଦେଇଥିଲେ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ଦୃଢ, ବ୍ୟାପକ ଓ ନିବିଡ କରିବା ପାଇଁ ଉଚ୍ଚସ୍ତରରେ ଆଲୋଚନା ଓ ସମ୍ପର୍କ ସ୍ଥାପନ ଅବ୍ୟାହତ ରଖିବାକୁ ଉଭୟପକ୍ଷ ରାଜି ହୋଇଛନ୍ତି ।