Categories
ଆଞ୍ଚଳିକ

ଆଇଏନଏସ ଚିଲିକା ପକ୍ଷରୁ ଛତ୍ରଗଡ଼ ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳେ ଭାରତୀୟ ନୌସେନା ଚିଲିକା ଓ ଆଇଏନଏଚଏସ ନିବାରିଣୀର ମିଳିତ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଛତ୍ରଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ନୌସେନା ସପ୍ତାହ ଅବସରରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ନାଭାଲ ଅଫିସର ଇନଚାର୍ଜ (ଓଡ଼ିଶା) କମୋଡର ଏନ ପି ପ୍ରଦୀପ ଓ ଆଇଏନଏଚଏସ ନିବାରିଣୀ ସିଓ ନିରଞ୍ଜନ ରୟ ମିଳିତ ଭାବେ ଉଦଘାଟନ କରିଥିବା ବେଳେ ଡୁଙ୍ଗମାଳ ସରପଞ୍ଚ ଗଣେଷ ସ୍ୱାଇଁ, ଗ୍ରାମ ସଭାପତି ନୀଳମଣି ସାହୁ, ୱାର୍ଡ ସଭ୍ୟ ସୁକାନ୍ତ ସାହୁ, ପ୍ରଦୀପ ଚଣ୍ଡ, ପ୍ରଧାନ ଶିକ୍ଷକ ସୁବ୍ରତ ବାରିକଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ହିଁ ସମ୍ପଦ ଯାହାକି ଉତ୍ତମ ସ୍ୱାସ୍ଥ୍ୟସେବା ଦିଗରେ ଧ୍ୟାନ ଦେବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ।

ଉକ୍ତ ଶିବିର ସକାଳ ୮.୩୦ ସମୟରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଆଇଏନଏଚଏସ ନିବାରିଣୀ ପକ୍ଷରୁ ବହୁ ବିଶେଷଜ୍ଞ ଡାକ୍ତରଙ୍କ ସହଯୋଗରେ ବିନା ଶୁଳ୍କରେ ସେବା ଯୋଗାଇ ଦିଆଯାଇଥିଲା। ଯାହାଫଳରେ ଆଖପାଖ ଅଞ୍ଚଳର ୨୩୫ ଜଣ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯଥା ମଧୁମେହ,ଉଚ୍ଚରକ୍ତଚାପ,ହୃଦରୋଗ,ମ୍ୟାଲେରିଆ, ଯକ୍ଷ୍ମା,ଚକ୍ଷୁ ଆଦି ପରୀକ୍ଷା କରିବା ସହ ବିନା ଦେୟରେ ରୋଗୀଙ୍କୁ ଔଷଧ ପ୍ରଦାନ କରାଯାଇଥିଲା।