Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

Breaking News: ଝାରସୁଗୁଡାରେ ଆଇଟିଆଇ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ITI ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ।

ସୂଚନାଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ। ଏଠାରେ ଖଣି ଉତ୍ତୋଳନ ଓ ଅନ୍ୟାନ୍ୟ ଆନୁସାଙ୍ଗିକ କାମ ପାଇଁ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଠାରେ ITI ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ନୂତନ ITIରେ ୯ଟି ବିଷୟରେ ପ୍ରଶିକ୍ଷଣ ଦିଆଯିବ। ମଞ୍ଜୁର ହୋଇଥିବା ଅର୍ଥରେ Academic ଓ Workshop Building ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଓ ଯନ୍ତ୍ରପାତି କିଣାଯିବ।

Categories
EngExam ବିଶେଷ ଖବର ରାଜ୍ୟ ଖବର

ଆଇଟିଆଇ, ପଲିଟେକନିକ ଦକ୍ଷତା ବିକାଶର ମୂଳଦୁଆ ବୋଲି କହିଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଭାରତୀୟ ଦକ୍ଷତା ବିକାଶ ସେବା (ଆଇଏସ୍‌ଡିଏସ୍‌)ର ଚାଳିଶ ଜଣିଆ ଶିକ୍ଷାନବୀଶ ଅଧିକାରୀ ଓଡିଶା ଗସ୍ତରେ ଆସି ରାଜୀବ ଭବନଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍‌ଚୀଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ଶ୍ରୀ ବାଗ୍‌ଚୀ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଇଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସଂପର୍କରେ ସେମାନଙ୍କୁ ଅବଗତ କରାଇଥିଲେ।

ଏହି ଅବସରରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବାଗ୍‌ଚୀ କହିଥିଲେ ଯେ ସେମାନେ ନିଜର ପ୍ରତିଭା ଏବଂ ନୂତନ ଚିନ୍ତାଧାରା ମାଧ୍ୟମରେ ସ୍କିଲ ଇକୋ ସିଷ୍ଟମକୁ ଆହୁରି ସୁଦୃଢ କରିବେ। ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ଆଇଟିଆଇ ଏବଂ ପଲିଟେକନିକମାନଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟତା ଦେଉଛନ୍ତି। କାରଣ ଦକ୍ଷତା ବିକାଶର ମୂଳଦୁଆ ହେଉଛି ଆଇଟିଆଇ ଏବଂ ପଲିଟେକନିକ। ଦକ୍ଷତା ବିକାଶରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

ସେହିପରି ତୃଣମୂଳ ସ୍ତରରେ ଦକ୍ଷତା ବିକାଶ କରିବା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ସ୍ତରରେ ସ୍କିଲ ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ୫-‘ଟି’ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ‘ମୋ ସ୍କୁଲ ଅଭିଯାନ’ରେ ରାଜ୍ୟର ପାଖାପାଖି ୫୬,୦୦୦ ସରକାରୀ ବିଦ୍ୟାଳୟର ରୂପାନ୍ତରଣ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ବାଗ୍‌ଚୀ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ ଯେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ତାଲିମ ନିର୍ଦ୍ଦେଶାଳୟ ପାଇଁ ଏହି ସେବା ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯାଇଛି ଏବଂ ଏହା ଗ୍ରୁପ୍‌ ’ଏ’ ସେବା ଅଟେ। ସଂଘ ଲୋକ ସେବା ଆୟୋଗ(ୟୁପିଏସ୍‌ସି) ଦ୍ୱାରା ପରିଚାଳିତ ଭାରତୀୟ ଇଞ୍ଜିନିୟରିଂ ସେବା ପରୀକ୍ଷା ମାଧ୍ୟମରେ ଆଇଏସ୍‌ଡିଏସ୍‌ କ୍ୟାଡରର ଅଧିକାରୀଙ୍କୁ ଚୟନ କରାଯାଇଥାଏ ଏହି ଆଇଏସ୍‌ଡିଏସ୍‌ ଅଧିକାରୀମାନେ ଦେଶର ସ୍କିଲ ଇକୋ ସିଷ୍ଟମକୁ ସୁଦୃଢ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ।