Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକଙ୍କ ଇନଫୋଭ୍ୟାଲି ପରିଦର୍ଶନ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଇନଫୋଭ୍ୟାଲି ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳସ୍ଥିତ ଇନଫୋସିସ୍‌ ଆଇଟି କମ୍ପାନୀ ପରିଦର୍ଶନ କରି ସମସ୍ତ କାର୍ଯ୍ୟଶୈଳୀ ଦେଖିଛନ୍ତି। ୪୫୦୦ କର୍ମଚାରୀଙ୍କୁ ଗୋଟିଏ ସ୍ଥାନରେ କାର୍ଯ୍ୟ କରିବାର ଭିତ୍ତିଭୂମିକୁ ନେଇ ସେ ଅତ୍ୟନ୍ତ ଖୁସି ହେବା ସହ ଏହାର ଅଧିକ ଉନ୍ନତିକରଣ ପାଇଁ ଆଲୋଚନା କରିଛନ୍ତି।

ଏହି ଅବସରରେ ଅନୁଷ୍ଠାନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ପାରିପାଶ୍ୱର୍କ ଉନ୍ନତି, ମୋ ବସ ଚଳାଚଳ, ଡ୍ରେନେଜ ବ୍ୟବସ୍ଥା ତଥା ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ପଦକ୍ଷେପ ନେବା ପାଇଁ ମତବ୍ୟକ୍ତ କରିଛନ୍ତି। ଏଥିସହ ସେଠାରେ ଥିବା ଶାନ୍ତି ସୋଲାର କମ୍ପାନୀ ଯାଇ ସେଠାରେ ସୋଲାର ପିଭି ମୋଡ୍ୟìଲ ଉତ୍ପାଦନ ପଦ୍ଧତି ସବୁକୁ ବୁଲି ଦେଖିଥିଲେ।

ସମ୍ପୃକ୍ତ କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ସରକାରୀ ସହଯୋଗ ଦ୍ୱାରା ଉତ୍ପାଦନ ବଢାଇବା ଦିଗରେ ପଦକ୍ଷେପ ନେବାପାଇଁ ଉପଦେଶ ଦେଇଥିଲେ। ରାଜ୍ୟସରକାରଙ୍କ ଆଇଟି ହବ ଲକ୍ଷ୍ୟକୁ ସାର୍ଥକ କରିବା ଲକ୍ଷ୍ୟନେଇ ଇଡ଼କୋର ଜମି ଆବଣ୍ଟନ ଏବଂ ସମସ୍ତ ପ୍ରସ୍ତୁତି ଆଦିର ସମୀକ୍ଷା ମଧ୍ୟ କରିଥିଲେ।

ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଇଟି ହବ ଭିଜନକୁ ବାସ୍ତବ ଲକ୍ଷ୍ୟ ଦେବା ନେଇ ଏହି ଅଂଚଳର ୨୬୪ ଏକର ସ୍ଥାନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ପ୍ରସ୍ତୁତି କେନ୍ଦ୍ର, ଆଇଟି ପାର୍କ ଭଳି ଅନୁଷ୍ଠାନଗୁଡିକ ପାଇଁ ସଂରକ୍ଷିତ ରହିଛି। ଏଥିସହ ଇନଚର କମ୍ପାନୀର ଆଇଟି ୟୁନିଟ ପାଇଁ ୫ ଏକର, ଆଦାନୀ ଏଣ୍ଟରପ୍ରାଇଜେସ ପାଇଁ ୧୦ ଏକର ଏବଂ ଆରବିଆଇ ଡାଟାସେଣ୍ଟର ପାଇଁ ୧୭ ଏକର ପରିମିତ ଜାଗା ଆବଣ୍ଟନ ସରିଛି। ଏହି ଐତିହାସିକ ପଦକ୍ଷେପ ପାଇଁ ଆଇଟି ଉପଦେଷ୍ଟା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।