Categories
ଆଜିର ଖବର ଜାତୀୟ ଖବର

ଆକାଶରେ ଉଡିଲା ଭାରତର ପ୍ରଥମ ସୂର୍ଯ୍ୟ ମିଶନ, ଦେଖନ୍ତୁ ଆଦିତ୍ୟ-ଏଲ୍ ୧ ଲଞ୍ଚର ଭିଡିଓ

ନୂଆଦିଲ୍ଲୀ: ଭାରତ ମହାକାଶକୁ ନିଜର ଉଚ୍ଚାଭିଳାଷୀ ପ୍ରଥମ ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍ ୧ କୁ ସଫଳତାର ସହ ଉତକ୍ଷେପଣ କରିଛି। ଏହା ଆଜି ୧୧.୫୦ ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା। ପ୍ଲାଜ୍ମାର ତାପମାତ୍ରା ସହିତ ସୂର୍ଯ୍ୟଙ୍କ କରୋନାର ବିଭିନ୍ନ ଦିଗ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍ ୧ ବ୍ୟବହୃତ ହେବ।

୧୪୮୦ କିଲୋଗ୍ରାମ ଓଜନ ବିଶିଷ୍ଟ ଆଦିତ୍ୟ-ଏଲ୍ ୧ ISRO ର ବାହୁବଲୀ ରକେଟ୍ PSLV ସାହାଯ୍ୟରେ ଲଞ୍ଚ କରାଯାଇଥିଲା। ଏହା ହେଉଛି PSLV ର ୫୯ ତମ ଲଞ୍ଚ। ଏହି ରକେଟର ସଫଳତା ହାର ୯୯ ପ୍ରତିଶତ।

ଆଦିତ୍ୟ- ଏଲ୍ ୧ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ପୃଥିବୀର କକ୍ଷପଥରେ ରହିବ:

ଆଦିତ୍ୟ- ଏଲ୍ ୧ ବହନ କରୁଥିବା ରକେଟ୍ ମହାକାଶଯାନକୁ ପୃଥିବୀର କକ୍ଷପଥରେ ଉତକ୍ଷେପଣ କରିବ। ଲଞ୍ଚ ଠାରୁ ଆରମ୍ଭ କରି ଆଦିତ୍ୟ-ଏଲ୍ ୧ ରକେଟରୁ ପୃଥକ ହେବା ପର୍ଯ୍ୟନ୍ତ ଏକ ଘଣ୍ଟାରୁ ଅଧିକ ସମୟ ଲାଗିବ (ପ୍ରାୟ ୬୩ ମିନିଟ୍)। ଏହା ପରେ ଆଦିତ୍ୟ- ଏଲ୍ ୧ ଆସନ୍ତା ୧୬ ଦିନ (ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ) ପୃଥିବୀର କକ୍ଷପଥରେ ଗତି କରିବ।