Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ମନୋରଂଜନ

ନୀତା ଅମ୍ବାନି କଲଚରାଲ୍ ସେଣ୍ଟରରେ ମେଗା ସୋ’ “ଇଣ୍ଡିଆ ଇନ୍ ଫେସନ୍‌’ ଆୟୋଜିତ

ମୁମ୍ବାଇ: ନୀତା ଅମ୍ବାନି କଲଚରାଲ୍ ସେଣ୍ଟର ଶୁଭାରମ୍ଭର ଦ୍ୱିତୀୟ ଦିନରେ “ଇଣ୍ଡିଆ ଇନ୍ ଫେସନ’ ନାମକ ଏକ ମେଗା ସୋ’ ଆୟୋଜିତ ହୋଇଯାଛି। ଏହି ପ୍ରଦର୍ଶନୀରେ ଫେସନ ଦୁନିଆରେ ଭାରତୀୟ ଫେସନର ରହିଥିବା ପ୍ରଭାବକୁ ଅତି ଚମତ୍କାର ଢଙ୍ଗରେ ପ୍ରଦର୍ଶିତ କରାଯାଇଥିଲା। କଷ୍ଟ୍ୟୁମ୍ ବିଶେଷଜ୍ଞ ହାମିସ ବୋଲ୍‌ସ ଏହି କଷ୍ଟ୍ୟୁମ୍ ଆର୍ଟ ସୋ’କୁ ପ୍ରସ୍ତୁତ କରିଥିବା ବେଳେ ପ୍ୟାଟ୍ରିକ୍ କିନ୍‌ମୋଂଥ୍‌ଙ୍କ ସହିତ ମିଶି ଋଶଦ ଶ୍ରଫ ଏହାର ଡିଜାଇନ୍ ପ୍ରସ୍ତୁତ କରିଥିଲେ।

ଏହି ସୋ’ରେ ଦୁନିଆର କିଛି ଦୁର୍ଲଭ ପୋଷାକକୁ ସାମିଲ କରାଯାଇଛି। ଏହି ସୋ’ ପାଇଁ ୧୪୦ରୁ ଅଧିକ ପୋଷାକ ପରିଚ୍ଛଦକୁ ପ୍ରମୁଖ ଫେସନ୍ ହାଉସ୍‌, ବ୍ୟକ୍ତିଗତ ସଂଗ୍ରହ ଏବଂ ସାରା ଦୁନିଆର ପ୍ରମୁଖ ସଂଗ୍ରହାଳୟଗୁଡ଼ିକରୁ ଅଣାଯାଇଥିଲା।

ଆଲେକଜାଣ୍ଡର ମାକ୍ୱିନ, ବେଲେନ୍‌ସିୟାଗା ଆର୍କାଇଭ୍‌ସ-ପ୍ୟାରିସ, ସନେଲ୍‌, କ୍ରିଷ୍ଟିଆନ ଡିୟୋର କୁଟୁଅର, ମେସନ କ୍ରିଷ୍ଟିଆନ ଲୁବୋଟିନ୍‌, କୋରା ଗେନ୍‌ସବର୍ଗ ଏଲ୍‌ଏଲ୍‌ସି, ଡ୍ରିସ୍ ବେନ୍ ନୋଟେନ୍‌, ଏନ୍‌ରିକୋ କ୍ୱିଂଟୋ ଏବଂ ପାଓଲୋ ତିନାରେଲି କଲେକ୍ସନ, ଫେସନ ମ୍ୟୁଜିୟମ୍ ବାଥ୍‌, ଫ୍ରାଂଚେସ୍କା ଗେଲୋୱେ କଲେକ୍ସନ-ଲଣ୍ଡନ ଭଳି ବହୁ ଆନ୍ତର୍ଜାତିକ ଫେସନ ହାଉସ୍ ଓ ଫେସନ ଡିଜାଇନରମାନଙ୍କ କଲେକ୍ସନ (ସମ୍ଭାର)କୁ ଏଥିରେ ପ୍ରଦର୍ଶିତ କରାଯାଇଥିଲା।

ଭାରତୀୟ ଫେସନ ଡିଜାଇନ୍‌ର ରାହୁଲ ମିଶ୍ର, ରିତୁ କୁମାର, ଅବୁ ଜାନି ସନ୍ଦୀପ ଖୋସଲା, ମନିଷ ଅରୋରା, ସବ୍ୟସାଚୀ, ତରୁଣ ତହିଲିୟାନି, ଅନାମିକା ଖାନ୍ନା, ଅନିତା ଡୋଙ୍ଗରେ, ଅନୁରାଧା ୱକିଲଙ୍କ ଡିଜାଇନର ପୋଷାକର ଯାଦୁ ମଧ୍ୟ ଦେଖିବାକୁ ମିଳିଥିଲା।

ମୁଖ୍ୟତଃ ଅଷ୍ଟାଦଶରୁ ଏକବିଂଶ ଶତାବ୍ଦୀ ପର‌୍ୟ୍ୟନ୍ତ ୟୁରୋପୀୟ ଡିଜାଇନରମାନଙ୍କୁ ଭାରତ ପ୍ରେରଣା ପ୍ରଦାନ କରିଥିଲା। କିନ୍ତୁ ଏଥିରୁ ଅତ୍ୟନ୍ତ ସ୍ୱତନ୍ତ୍ର ଥିବା ତିନି ଫେସନ ହାଉସ୍ ହେଉଛି ସନେଲ୍‌, କ୍ରିଷ୍ଟିଆନ୍ ଡିୟୋର ଏବଂ ୱିବ୍‌ସ ସେଂଟ୍ ଲରେଂଟ୍। ତିନି ପ୍ରଦର୍ଶନୀ କକ୍ଷରେ ପ୍ରଦର୍ଶିତ ଏହି ତାରକା ଡିଜାଇନରମାନଙ୍କ କୃତିରେ ଭାରତୀୟତାର ଛାପ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର

ଏକସଙ୍ଗେ ଦେଖିବାକୁ ମିଳିଲା ଅମ୍ବାନି ପରିବାରର ଚାରି ପିଢ଼ି, ଜାଣନ୍ତୁ କିପରି, କେଉଁଠି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ମା’ ଶ୍ରୀମତୀ କୋକିଳାବେନ୍ ରବିବାର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟରରେ ୧୬ ହଜାର ବର୍ଗଫୁଟ ପରିବ୍ୟାପ୍ତ ଆର୍ଟ ହାଉସ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି କଲଚରାଲ୍ ସେଂଟର୍‌ର ଉଦ୍‌ଘାଟନୀ ସମାରୋହର ଆଜି ତୃତୀୟ ଦିନରେ ଅମ୍ବାନି ପରିବାରର ଚାରି ପିଢ଼ିଙ୍କୁ ଏକସଙ୍ଗେ ଦେଖିବାକୁ ମିଳିଥିଲା।

ମେଗା ଉଦଘାଟନୀ ସମାରୋହର ତୃତୀୟ ଦିନରେ ଆନ୍ତର୍ଜାତିକ ଫେସନ ଜଗତରେ ଭାରତୀୟ ଫେସନର ପ୍ରଭାବକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର କଫି-ଟେବୁଲ୍ ପୁସ୍ତକ “ଇଣ୍ଡିଆ ଇନ୍ ଫେସନ୍‌” କୁ ନୀତା ଅମ୍ବାନି ଓ ଇଶା ଅମ୍ବାନି ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକର କିଛି ମହତ୍ୱପୂର୍ଣ୍ଣ ଭାଗକୁ ଇଶା ଅମ୍ବାନି ଉପସ୍ଥିତ ଦର୍ଶକଙ୍କୁ ପଢ଼ି ଶୁଣାଇଥିଲେ। ଏହି ଅବସରରେ ଗାୟକ ପ୍ରତୀକ କୁହାଡ଼ ନିଜ ମଧୂର ସ୍ୱରରେ ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକଙ୍କୁ ରୋମାଂଚିତ କରିଥିଲେ।

ଆର୍ଟ ହାଉସ୍‌ରେ “ସଙ୍ଗମ’ ନାମରେ ଏକ ଉଦ୍‌ଘାଟନୀ କଳା ପ୍ରଦର୍ଶନୀ ଆୟୋଜନ କରାଯାଇଛି। ଭାରତର ବିଶିଷ୍ଟ ସାଂସ୍କୃତିକ ବିଚାରକ ରଣଜିତ ହୋସକୋଟେ ଓ ନ୍ୟୁୟର୍କ ସ୍ଥିତ କଳା ସଂଗ୍ରାହକ ଓ ଗ୍ୟାଲେରିଷ୍ଟ୍ ଜେଫ୍ରି ଡାଇଚ୍ ଏହାକୁ ଡିଜାଇନ୍ କରିଛନ୍ତି। ଏହି ପ୍ରଦର୍ଶନୀରେ ଦେଶବିଦେଶର ୧୦ ପ୍ରସିଦ୍ଧ କଳାକାରଙ୍କ ୫୦ରୁ ଅଧିକ କଳାକୃତିକୁ ସାମିଲ କରାଯାଇଛି।

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଫ୍ରାଂଚେସ୍କୋ କ୍ଲେମେଂଟ୍‌, ଅନ୍‌ସେଲ୍‌ମ୍ କିଫର ଏବଂ ସେସିଲି ବ୍ରାଉନ୍‌ଙ୍କ ଭଳି କଳାକାରମାନଙ୍କ କୃତିକୁ ପ୍ରଥମ ଥର ପାଇଁ ଭାରତରେ ପ୍ରଦର୍ଶିତ କରାଯାଇଛି । ଭାରତୀୟ କଳାକାର ଭୁପେନ୍ ଖଖର, ଶାନ୍ତିବାଇ, ରଞ୍ଜନୀ ସେଟ୍ଟାର ଓ ରତିଶ ଟି’ଙ୍କ କାମକୁ ମଧ୍ୟ ସେଥିରେ ସାମିଲ କରାଯାଇଛି।

କଲ୍‌ଚରାଲ୍ ସେଂଟର୍‌ରେ ଥିବା ଆର୍ଟ ହାଉସ୍‌ର ବିଶେଷତ୍ୱ ହେଉଛି ଏହାକୁ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇପାରିବ। ଚାରି ମହଲା ବିଶିଷ୍ଟ ଏହି ଆର୍ଟ ହାଉସ୍‌କୁ ତିଆରି କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ବିଶ୍ୱସ୍ତରୀୟ କଳା ପ୍ରଦର୍ଶନୀଠାରୁ ଆରମ୍ଭ କରି ବୈଷୟିକ ଓ ଶିକ୍ଷା ସମ୍ପର୍କିତ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଏଠାରେ ଆୟୋଜନ କରାଯାଇପାରିବ।

ନୂଆ ପ୍ରତିଭାମାନଙ୍କୁ ସାମ୍ନାକୁ ଆଣିବା ଏବଂ କଳାକୁ ଆଗକୁ ବଢ଼ାଇବାରେ ଏହି ଆର୍ଟ ହାଉସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବିଶ୍ୱସ୍ତରୀୟ ମଂଚ ମିଳିବା ଦ୍ୱାରା ଯୁବ କଳାକାରମାନଙ୍କ ପ୍ରତିଭାକୁ ସାରା ବିଶ୍ୱରେ ପରିଚୟ ମିଳିପାରିବ।