Categories
ଆଜିର ଖବର ରାଜ୍ୟ ଖବର

କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରେ କିଏ ହେବ ବିଜେପିର ବିଧାୟକ ପ୍ରାର୍ଥୀ?, ବଢୁଛି ଆଶାୟୀଙ୍କ ସଂଖ୍ୟା

ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ୨୩ ଗୋଟି ପଞ୍ଚାୟତ ଏବଂ କୋଦଳା ଏନ୍ ଏ ସି , କବିସୂର୍ଯ୍ୟନଗର ଏନ୍ ଏ ସି ଏବଂ କବିସୂର୍ଯ୍ୟନଗର ବ୍ଲକ୍ ର ୯ ଗୋଟି ଏବଂ ପୁରୁଷୋତ୍ତମପୁର ବ୍ଲକ୍ ର ୧୧ ଗୋଟି ପଞ୍ଚାୟତକୁ ନେଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଗଠିତ। ଆସନ୍ତା ୨୦୨୪ ବିଧାନସଭା କ୍ଷେତ୍ର ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ସମର୍ଥକ ମାନଙ୍କୁ ଯୋଗାଡ଼ କରି ସଂଗଠନରେ ଲାଗିପଡିଥିବାର ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ୪ ଜଣଙ୍କ ନା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଗାଁ ଗହଳିର ଚା ଖଟି ଠାରୁ ଆରମ୍ଭ କରି ବ୍ଲକ୍ ହେଡ୍ କ୍ୱାଟର ପର୍ଯ୍ୟନ୍ତ ଜନସାଧାରଣ ମାନେ ଆଲୋଚନା କରୁଥିବାର ଶୁଣିବାକୁ ମିଳୁଛି! ଗୋଟିଏ ପଟେ ପ୍ରତାପ ନାୟକ ବେଶ୍ ସକ୍ରିୟ ରହି ନିର୍ବାଚନ ମଣ୍ଡଳୀ ଭିତରେ ନିଜର ଦବ୍ ଦବା ଜାହିର୍ କରି ଦଳୀୟ ସଂଗଠନକୁ ସୁଦୃଢ଼ କରୁଥିବା ବେଳେ ଅନ୍ୟପଟେ ଗତ ନିର୍ବାଚନରେ ବିଧାୟକ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ରଞ୍ଜନ ପୋଲାଇ ମଧ୍ୟ ନିଜର ସମର୍ଥକ ଏବଂ କର୍ମୀ ମାନଙ୍କୁ ନେଇ ନିଜ ସପକ୍ଷରେ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି।

ଏଥିସହିତ ବିଜେପିର ଉପର ମୁଣ୍ଡରେ ରଞ୍ଜନଙ୍କ ବେଶ୍ ସୁସମ୍ପର୍କ ଥିବା ମଧ୍ୟ ଶୁଣିବାକୁ ମିଳୁଛି। ନୂଆଁ ନୂଆଁ ରାଜନୀତିରେ ପାଦ ଦେଇ ବିଜେଡ଼ି ବିଧାୟିକା ଲତିକା ପ୍ରଧାନଙ୍କୁ ଚେକ୍ ଦେଇ କୋଦଳା ଏନ୍ ଏ ସି ଅଧ୍ୟକ୍ଷ ପଦବୀ ହାସଲ କରିଥିବା ସୂର୍ଯ୍ୟନାରାୟଣ ନାୟକ ମଧ୍ୟ ବିଧାୟକ ପ୍ରାର୍ଥୀ ପାଇଁ ଭୁବନେଶ୍ଵର ଦଳୀୟ କାର୍ଯ୍ୟାଳୟରେ ଲବି ଆରମ୍ଭ କରୁଥିବାର ତାଙ୍କର ସମର୍ଥକମାନେ କୁହାକୁହି ହେଉଛନ୍ତି।

ଅନ୍ୟପଟେ ଆଠଗଡ଼ ପାଟଣା ଅଞ୍ଚଳର ଝିଅ ଏବଂ ବେଗୁନିଆପଡ଼ା ଅଞ୍ଚଳର ବୋହୂ ସମାଜସେବୀ ତଥା ବିଜେପି ନେତ୍ରୀ ଭାବରେ ସୁପରିଚିତା ମୀରାବାଈ ଦେଓ ମଧ୍ୟ ପ୍ରାର୍ଥୀ ହେବା ପାଇଁ ସଜବାଜ ହେଉଥିବାର ତାଙ୍କ ନିକଟ ତମ ସୂତ୍ରରୁ ଜଣାପଡିଛି।

ଏହି ନିର୍ବାଚନମଣ୍ଡଳୀ ରେ ମହିଳା ସଂଗଠନର ବହୁ ଭୋଟ୍ ମୀରାଙ୍କ ସପକ୍ଷରେ ଥିବା ପ୍ରଚାର ଚାଲିଛି। ଦେଖାଯାଉ ଦଳ କାହା ଉପରେ ଭରସା କରି କାହାକୁ ଟିକଟ ଦେଉଛି ତାହା ଦେଖବାକୁ ବାକି ରହିଲା।

ଅପର ପକ୍ଷରେ ବିଜେଡିର ଜଣେ ବରିଷ୍ଠ ନେତା ତାଙ୍କୁ ଯଦି ବିଜେଡି ପକ୍ଷରୁ ଟିକଟ ନ ମିଳେ ସେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

Categories
ଆଞ୍ଚଳିକ

ବାଣପୁର, ବାଲୁଗାଁ ପୌରାଞ୍ଚଳରେ ବଢୁଛି ନିର୍ବାଚନ ତାତି, ଆଶାୟୀଙ୍କ ସଂଖ୍ୟା ଦେଖି ଚିନ୍ତାରେ ଦଳୀୟ ନେତା

ସୀତାରାମ ଅଗ୍ରୱାଲ

ଚିଲିକା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଶାୟୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ପାଇଁ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତିନି ଦିନ ମଧ୍ୟରେ ଆଶାୟୀମାନେ ୪୯ ଟି ନାମାଙ୍କନ ଫର୍ମ ନେଇଥିବାର ସୂଚନା ମିଳିଛି। ୩ ଦିନ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୮ ଜଣ ଏବଂ କାଉନସିଲର ପଦବୀ ପାଇଁ ୧୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଅନୁରୂପ ଭାବେ ଗତ ୩ ଦିନ ମଧ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ଏବଂ କାଉନସିଲର ପଦବୀ ପାଇଁ ୨୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଛନ୍ତି।

ସେହିପରି ଭାବେ ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ଚଳିତ ବର୍ଷ ଭୋଟରମାନେ ସିଧାସଳଖ ଭୋଟ ଦେଇ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ମାନଙ୍କୁ ନିର୍ବାଚିତ କରିବେ। ଯାହାକି ସବୁ ଦଳରେ ଅଙ୍କକଷା ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦଳ ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ଜଣାପଡିଛି।

ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ଆଉ ମାତ୍ର ତିନି ଦିନ ଥିବାରୁ ଆଗକୁ ଏହି ନାମାଙ୍କନ ପତ୍ର ଦାଖଲ ସଂଖ୍ୟା ବୃଦ୍ଧି ପାଇବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବା ବେଳେ ସବୁ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବାରୁ ଦଳର ମୁଖିଆମାନଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି।