ବାଣପୁର, ବାଲୁଗାଁ ପୌରାଞ୍ଚଳରେ ବଢୁଛି ନିର୍ବାଚନ ତାତି, ଆଶାୟୀଙ୍କ ସଂଖ୍ୟା ଦେଖି ଚିନ୍ତାରେ ଦଳୀୟ ନେତା

Published: Mar 4, 2022, 9:11 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆଶାୟୀଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ପାଇଁ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ତେବେ ବାଣପୁର ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତିନି ଦିନ ମଧ୍ୟରେ ଆଶାୟୀମାନେ ୪୯ ଟି ନାମାଙ୍କନ ଫର୍ମ ନେଇଥିବାର ସୂଚନା ମିଳିଛି। ୩ ଦିନ ମଧ୍ୟରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୮ ଜଣ ଏବଂ କାଉନସିଲର ପଦବୀ ପାଇଁ ୧୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଅନୁରୂପ ଭାବେ ଗତ ୩ ଦିନ ମଧ୍ୟରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅଧ୍ୟକ୍ଷ ପଦବୀ ପାଇଁ ୩ ଜଣ ଏବଂ କାଉନସିଲର ପଦବୀ ପାଇଁ ୨୪ ଜଣ ଆଶାୟୀ ଫର୍ମ ନେଇଥିବା ଜଣାପଡ଼ିଛି।

ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନ ପାଇଁ ୧୧ ଟି ୱାର୍ଡ ବିଶିଷ୍ଟ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୨ ହଜାର ୯୧୩ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୮୬୨, ମହିଳା ଭୋଟର ୬ ହଜାର ୫୦ ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା ଜଣେ ରହିଛନ୍ତି।

ସେହିପରି ଭାବେ ୧୫ ଗୋଟି ୱାର୍ଡ ବିଶିଷ୍ଟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୋଟ ଭୋଟର ସଂଖ୍ୟା ୧୩ ହଜାର ୨୨୫ ରହିଥିବା ବେଳେ ପୁରୁଷ ଭୋଟର ୬ ହଜାର ୯୨୭ ଏବଂ ମହିଳା ଭୋଟର ୬ ହଜାର ୨୯୮ ରହିଥିବାର ଜଣାପଡିଛି। ଚଳିତ ବର୍ଷ ଭୋଟରମାନେ ସିଧାସଳଖ ଭୋଟ ଦେଇ ଅଧ୍ୟକ୍ଷା ଏବଂ ସମସ୍ତ କାଉନସିଲର ମାନଙ୍କୁ ନିର୍ବାଚିତ କରିବେ। ଯାହାକି ସବୁ ଦଳରେ ଅଙ୍କକଷା ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଦଳ ସେମାନଙ୍କ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନଥିବା ଜଣାପଡିଛି।

ନାମାଙ୍କନ ପତ୍ର ଦାଖଲର ଶେଷ ସମୟ ଆଉ ମାତ୍ର ତିନି ଦିନ ଥିବାରୁ ଆଗକୁ ଏହି ନାମାଙ୍କନ ପତ୍ର ଦାଖଲ ସଂଖ୍ୟା ବୃଦ୍ଧି ପାଇବ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅଧ୍ୟକ୍ଷା ଓ କାଉନସିଲର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇନଥିବା ବେଳେ ସବୁ ଦଳରେ ଏକାଧିକ ଆଶାୟୀ ପ୍ରାର୍ଥୀ ରହିଥିବାରୁ ଦଳର ମୁଖିଆମାନଙ୍କ ମୁଣ୍ଡବିନ୍ଧା କାରଣ ପାଲଟିଛି।

Related posts