Categories
ବିଶେଷ ଖବର

ପ୍ରଥମ ଥର ଲାଗି ପ୍ରକାଶ ପାଇଲା ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’: ୧ ନମ୍ବର ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’। ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶକୁ ଦ୍ବିତୀୟ ଏବଂ ଆନ୍ଧ୍ର ପ୍ରଦେଶକୁ ତୃତୀୟ ସ୍ଥାନ ମିଳିଛି। ସ୍ବତନ୍ତ୍ର ବର୍ଗର ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ତ୍ରିପୁରା ପ୍ରଥମ ସ୍ଥାନରେ ରହିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ସିକ୍କିମ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଆହୁରି ଯେଉଁ ତିନୋଟି କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)-କ୍ୟାଶ୍‌ କାର୍ଯ୍ୟକାରୀ ହୋଇଛି ସେମାନଙ୍କ ମଧ୍ୟରେ ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଡିଉ ଶୀର୍ଷ ସ୍ଥାନରେ ରହିଛନ୍ତି।

କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନଶିଳ୍ପ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ, ଆଜି ନୂଆଦିଲ୍ଲୀ ଠାରେ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଖାଦ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ର ପ୍ରଥମ ସଂସ୍କରଣ ଫଳାଫଳ ପ୍ରକାଶ କରିଥିଲେ। ‘ଭାରତରେ ଖାଦ୍ୟ ପୋଷଣ ଏବଂ ସୁରକ୍ଷା’  ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି, ଡିଏଫପିଡି ସଚିବ ଶ୍ରୀ ସୁଧାଂଶୁ ପାଣ୍ଡେଙ୍କ ସମେତ ୮ଟି ରାଜ୍ୟର ଖାଦ୍ୟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’ରେ ଏନଏଫଏସଏର କାର୍ଯ୍ୟକାରିତା ସ୍ଥିତି ଏବଂ ଅଗ୍ରଗତିକୁ ନେଇ ତଥ୍ୟ ରହିଛି। ଦେଶର ବିଭିନ୍ନ ରାଜ୍ୟମାନଙ୍କ ସହିତ ପରାମର୍ଶ କରାଯାଇ ଏହାକୁ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଏଥିରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନର ସୂଚକାଙ୍କରେ ଏନଏଫଏସଏ ବିତରଣକୁ ସାମିଲ କରାଯାଇଥିବା ବେଳେ ଆଗାମୀ ଦିନରେ ଖାଦ୍ୟଶସ୍ୟ କ୍ରୟ ଏବଂ ପିଏମଜିକେଏୱାଇ ବିତରଣକୁ ଏଥିରେ ସାମିଲ କରାଯିବ। ଏନଏଫଏସଏ-କଭରେଜ, ଟାର୍ଗେଟିଂ ଏବଂ ଆଇନର ବ୍ୟବସ୍ଥା, ବିତରଣ ପ୍ଲାଟଫର୍ମ ଏବଂ ପୋଷଣ ପଦକ୍ଷେପ ଆଦି ତିନୋଟି ସ୍ତମ୍ଭକୁ ନେଇ ଏହି ମାନ୍ୟତା ପ୍ରସ୍ତୁତ କରାଯାଇଛି।

ଜୁଲାଇ ୫, ୨୦୧୩ରେ ଦେଶରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହୋଇଥିଲା। ଏହି ଦିନକୁ ପାଳନ କରିବା ସହିତ ପୋଷଣ ସୁରକ୍ଷା, ଖାଦ୍ୟ ସୁରକ୍ଷା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶ୍ରେଷ୍ଠ ପଦ୍ଧତି, ଫସଲ ବିବିଧକରଣ, ପିଡିଏସ ବ୍ୟବସ୍ଥାରେ ସଂସ୍କାର ଏବଂ ସଂରକ୍ଷଣ କ୍ଷେତ୍ର ଉପରେ ଆଲୋଚନା ଏବଂ ବିଚାରବିମର୍ଶ କରିବା ଲାଗି ସମ୍ମିଳନୀ ଆୟୋଜନ କରାଯାଇଛି।

ଏଥିରେ ଉଦବୋଧନ ଦେଇ ଶ୍ରୀ ଗୋୟଲ କହିଥିଲେ ଯେ ଭାରତ ବର୍ତ୍ତମାନ ଏକ ରାଷ୍ଟ୍ର ଏକ ରାସନ କାର୍ଡ (ଓଏନଓଆରସି) ଯୋଜନା ଅଧୀନରେ ୧୦୦% ଯୋଡ଼ି ହୋଇପାରିଛି । ଏହି ଯୁଗାନ୍ତକାରୀ ଯୋଜନାର ପରିକଳ୍ପନା କରିଥିବାରୁ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ବତ୍ତର୍ମନା ସୁଦ୍ଧା ୪୫ କୋଟିରୁ ଅଧିକ ପରିବର୍ତ୍ତନ ହୋଇସାରିଲାଣି ଯାହାଫଳରେ ହିତାଧିକାରୀମାନେ ଦେଶର ଯେକୌଣସି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ସେମାନଙ୍କ ହକ୍‌ ବାବଦ ଖାଦ୍ୟଶସ୍ୟ ଉଠାଇ ପାରୁଛନ୍ତି। କୋଭିଡ ସମୟରେ ଓଏନଓଆରସି ଯୋଜନା ପ୍ରବାସୀ ଶ୍ରମିକମାନଙ୍କୁ ସହାୟକ ହୋଇଥିଲା।

ଶ୍ରୀ ଗୋୟଲ କହିଥିଲେ ଯେ, ଡିଜିଟାଲ ବ୍ୟବସ୍ଥା, ଆଧାର ସଂଯୁକ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଉପଯୋଗ କରାଯାଇ ଆୟୁଷ୍ମାନ ଭାରତ କାର୍ଡ ଜାରି କରାଯିବ। ଏହି ବ୍ୟବସ୍ଥାକୁ ଉପଯୋଗ କରି ଉତ୍ତର ପ୍ରଦେଶ ଆୟୁଷ୍ମାନ ଭାରତ କାର୍ଡ ଜାରି କରୁଛି। ପୋଷଣ ସୁରକ୍ଷା ସହିତ ସ୍ବାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଅନ୍ୟ ରାଜ୍ୟମାନେ ମଧ୍ୟ ଏ ସମ୍ପର୍କରେ ବିଚାର କରିବା ଆବଶ୍ୟକ ବୋଲି ଶ୍ରୀ ଗୋୟଲ କହିଥିଲେ। ସେ କହିଥିଲେ ଯେ, ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କର ଟିକାକରଣକୁ ମଧ୍ୟ ଏହି ବ୍ୟବସ୍ଥା ସହିତ ଯୋଡ଼ିବା ଆବଶ୍ୟକ।

ରାଜ୍ୟମାନଙ୍କୁ ଦିଆଯାଉଥିବା ଖାଦ୍ୟ ସବସିଡି ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ଗୋୟଲ ଗୋୟଲ କହିଥିଲେ ଯେ, ୨୦୧୯-୨୦ ବର୍ଷ ପର୍ଯ୍ୟନ୍ତ ସବସିଡି ଅର୍ଥରାଶି ପାଇବା ଲାଗି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ଅଗଷ୍ଟ ୧୫, ୨୦୨୨ ସୁଦ୍ଧା ସେମାନଙ୍କର ଦାବି ଦାଖଲ କରିବା ଆବଶ୍ୟକ। ସେ ଦୋହରାଇଥିଲେ ଯେ, ଏହି ଅବଧି ପରେ ଦାଖଲ କରାଯାଇଥିବା କୌଣସି ବକେୟା ଦାବିକୁ ବିଚାର କରାଯିବ ନାହିଁ। ସେ ଆହୁରି କହିଥିଲେ ଯେ, ସବସିଡି ବକେୟା ଥିବା ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନେ ୧୫ ଅଗଷ୍ଟ, ୨୦୨୨ ସୁଦ୍ଧା ସେମାନଙ୍କ ଆକାଉଣ୍ଟର ଅଡିଟ୍‌ ଚୁଡ଼ାନ୍ତ କରିବା ସହ ଏ ସଂକ୍ରାନ୍ତ ଦସ୍ତାବିଜ ଦାଖଲ କରିବା ଜରୁରି। ଏସବୁ ଦସ୍ତାବିଜ ହସ୍ତଗତ ହେଲେ ଆସନ୍ତା ୬୦ ଦିନ ମଧ୍ୟରେ ଅର୍ଥାତ୍‌ ୧୫ ଅକ୍ଟୋବର, ୨୦୨୨ ସୁଦ୍ଧା ସମସ୍ତ ବକେୟା ପଇଠ କରି ଦିଆଯିବ। ତେବେ ଯେଉଁ ରାଜ୍ୟମାନେ ପରବର୍ତ୍ତୀ ତିନି ମାସ ଅର୍ଥାତ୍‌ ଜୁଲାଇ-ସେପ୍ଟେମ୍ବର ୨୦୨୨ ରେ ସେମାନଙ୍କର ଦାବି ଦାଖଲ କରିବେ ସେମାନଙ୍କର ବିଲ୍‌ ୩୧ ଜାନୁଆରୀ, ୨୦୨୩ ସୁଦ୍ଧା ପଇଠ କରାଯିବ। ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପାଖରେ ପାଣ୍ଠିର ଅଭାବ ନାହିଁ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନେ ଆବଶ୍ୟକ ଦସ୍ତାବିଜ ଦାଖଲ କରୁନଥିବାରୁ ସବସିଡି ପଇଠରେ ବିଳମ୍ବ ହେଉଛି। କେତେକ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ସିଏଜି ଅଡିଟରେ ବିଳମ୍ବକୁ ନେଇ ଆପତ୍ତି ଉଠାଇଛନ୍ତି। ଅଡିଟ୍‌ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ସବୁ ଦାବିର ଡିଜିଟାଲ କରଣ କରାଯିବ। ତେଲଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ ଓ ନାଗାଲାଣ୍ଡ ଭଳି ରାଜ୍ୟର ଅନୁପସ୍ଥିତି ଏକ ନକାରାତ୍ମକ ବାର୍ତ୍ତା ଦେଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ।

ଏଥିପୂର୍ବରୁ ଏହି ସମ୍ମିଳନୀରେ ଖାଦ୍ୟ ସୁରକ୍ଷା, ଚାଉଳ ପୌଷ୍ଟିକରଣ ଏବଂ ଖାଦ୍ୟ ବାସ୍କେଟର ବିବିଧକରଣ ଉପରେ ଆଲୋଚନା ହୋଇଥିଲା।