Categories
ବିଶେଷ ଖବର

ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ ହେବ ଏମ୍ଟିଏମ୍ ପରୀକ୍ଷା ଓ ସିଏଚଏସ୍ଏଲ୍ଇ ପରୀକ୍ଷା

ନୂଆଦିଲ୍ଲୀ: ଏକ ଐତିହାସିକ ନିଷ୍ପତ୍ତିକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ଷ୍ଟାଫ ସିଲେକ୍ସନ କମିଶନ ମଲ୍ଟି ଟାସ୍କିଂ (ନନ୍ ଟେକ୍ନିକାଲ) ଷ୍ଟାଫ (ଏସ୍ଏସ୍ସି ଏମ୍ଟିଏସ୍) ପରୀକ୍ଷା ୨୦୨୨ ଓ ସିଏଚଏସ୍ଏଲଇ ପରୀକ୍ଷା-୨୦୨୨କୁ ୧୩ଟି ଆଞ୍ଚଳିକ ଭାଷା ସହିତ ହିନ୍ଦି ଓ ଇଂରାଜୀରେ କରିବାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ସହିତ ବିଭିନ୍ନ କେନ୍ଦ୍ରୀୟ ପରୀକ୍ଷାରେ ସ୍ଥାନୀୟ ଯୁବକଯୁବତୀଙ୍କୁ ଉତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଗୁରୁତ୍ୱ ଦେଉଛନ୍ତି ତାହାକୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ଚାକିରି ପାଇଁ ଆବେଦନ କରିବାର ସମାନ ସୁବିଧା ସୁଯୋଗ ଯେପରି ପାଆନ୍ତି ଏବଂ ଭାଷାଗତ ପ୍ରତିବନ୍ଧକ ଯୋଗୁଁ କେହି ଯେପରି ପଛରେ ପଡି ନ ଯାଆନ୍ତି ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ବିଚାର ଓ ଲକ୍ଷ୍ୟ ରହିଛି ତଦନୁସାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ ଏସବୁ ପରୀକ୍ଷା ପ୍ରଶ୍ନପତ୍ର ଛପାଯିବ। ଏହି ଆଞ୍ଚଳିକ ଭାଷାଗୁଡିକ ହେଲା ଅସମୀୟା, ବାଂଲା, ଓଡିଆ, ତେଲୁଗୁ, ତାମିଲ, ମଲୟାଲି, କନ୍ନଡ, କୋଙ୍କଣୀ,ମରାଠୀ, ଗୁଜରାଟି, ପଞ୍ଜାବୀ, ଉର୍ଦ୍ଦୁ, ମଣିପୁରୀ। ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ ଏହି ନିଷ୍ପତ୍ତି ଫଳରେ ଲକ୍ଷ ଲକ୍ଷ ଚାକିରି ଆଶାୟୀ ନିଜ ମାତୃଭାଷାରେ ପରୀକ୍ଷା ଦେବାର ସୁଯୋଗ ପାଇବେ। ଏହା ଦ୍ୱାରା ସେମାନଙ୍କର କୃତକାର୍ଯ୍ୟ ହେବାର ସମ୍ଭାବନା ବଢିବ। ଏସ୍ଏସ୍ସି ପରୀକ୍ଷା ହିନ୍ଦି ଓ ଇଂରାଜୀ ବ୍ୟତୀତ ଅନ୍ୟାନ୍ୟ ପ୍ରାଦେଶିକ ଏବଂ ଆଞ୍ଚଳିକ ଭାଷାରେ କରିବାକୁ ବିଭିନ୍ନ ରାଜ୍ୟଙ୍କ ପକ୍ଷରୁ ବାରମ୍ବାର ଦାବି ହେଉଥିଲା। ଏହି ଦାବିକୁ ବିଚାର କରି ଦେଖିବାକୁ ଭାରତ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏହି କମିଟିକୁ ମଧ୍ୟ ପରୀକ୍ଷାର ପାଠ୍ୟକ୍ରମ ସମୀକ୍ଷା କରିବାକୁ କୁହାଯାଇଥିଲା।

ବିଶେଷଜ୍ଞ କମିଟି ଇଂରାଜୀ ଓ ହିନ୍ଦି ବ୍ୟତୀତ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା କରିବାକୁ ସୁପାରିସ କରିଥିଲେ। ରେଳବାଇ ରିକ୍ରୁଟିଂ ବୋର୍ଡ ଆଇବିପିଇଏସ ପୂର୍ବରୁ ଏହି ଢାଞ୍ଚାରେ ବିଭିନ୍ନ ଆଞ୍ଚଳିକ ଭାଷାରେ ପରୀକ୍ଷା କରୁଛନ୍ତି। ଏଥିରେ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ପ୍ରାୟ ସବୁ ଭାଷାଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଛି। ସରକାର ବିଶେଷଜ୍ଞ କମିଟିର ସୁପାରିସକୁ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି।

ମନ୍ତ୍ରୀଙ୍କ କହିବାନୁସାରେ ଏମ୍ଟିଏମ୍ ପରୀକ୍ଷା -୨୦୨୨ ଓ ସିଏଚଏସ୍ଏଲ୍ଇ ପରୀକ୍ଷା -୨୦୨୨ ନୂଆ ଢାଞ୍ଚାରେ ହିନ୍ଦି ଓ ଇଂରାଜୀ ସହିତ ୧୩ଟି ଆଞ୍ଚଳିକ ଭାଷାରେ (ମୋଟ ୧୫ଭାଷା)ରେ ଅନୁଷ୍ଠିତ ହେବ। ଆଗାମୀ ମେ ୨ରୁ ଆରମ୍ଭ ହେବାକୁ ଥିବା ଏମ୍ଟିଏସ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିଏଚଏସ୍ଏଲ ପରୀକ୍ଷା ପାଇଁ ବିଜ୍ଞପ୍ତି ୨୦୨୩ ମେ-ଜୁନ୍ ରେ ପ୍ରକାଶ ପାଇବ।

କେନ୍ଦ୍ର କାର୍ମିକ ଓ ସାଧାରଣ ଅଭିଯୋଗ ତଥା ପେନସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆହୁରି କହିଛନ୍ତି ଯେ ବିଭିନ୍ନ ପ୍ରକାର କେନ୍ଦ୍ରୀୟ ପରୀକ୍ଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନ ପାଇଥିବା ସବୁ ଭାଷାରେ କରିବାକୁ ଉଦ୍ୟମ ଚାଲିଛି। ଏହା ଫଳରେ ଆଞ୍ଚଳିକ ବୈଷମ୍ୟ ଦୂର ହେବ ଓ ସବୁ ରାଜ୍ୟ ଓ ଅଞ୍ଚଳର ପରୀକ୍ଷାର୍ଥୀଙ୍କୁ ସମାନ ସୁବିଧା ସୁଯୋଗ ମିଳିବ। ଏହା ମଧ୍ୟ ଦେଶର ଭାଷାଗତ ବିବିଧତାକୁ ସ୍ୱୀକୃତି ପ୍ରଦାନ କରିବାର ଆଉ ଏକ ପ୍ରୟାସ।

ସେ କହିଛନ୍ତି ଯେ ଦେଶର କୌଣସି ଅଞ୍ଚଳର ନିଯୁକ୍ତି ଆଶାୟୀ ଯୁବବର୍ଗ ଭାଷାଗତ ପ୍ରତିବନ୍ଧକ ପାଇଁ ସର୍ବଭାରତୀୟ ପରୀକ୍ଷା ଦେବାରେ ଯେପରି ଅସୁବିଧା ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶେଷ ତତ୍ପର। ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିଚାର ଅନୁସାରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କାର୍ମିକ ଓ ତାଲିମ ମନ୍ତ୍ରଣାଳୟ ସମର୍ପିତ ଭାବେ କାର୍ଯ୍ୟ କରୁଛି। ଆଞ୍ଚଳିକ ଭାଷା ସମୂହର ବିକାଶ ପାଇଁ କାର୍ମିକ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣଭାବେ ଅଙ୍ଗୀକୃତ ହୋଇ କାମ କରୁଛି।

Categories
ଆଜିର ଖବର ଜାତୀୟ ଖବର

ଦ୍ୱାଦଶ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ବଡ଼ ଖବର, ଇଂରାଜୀରେ ମିଳିବ ଅତିରିକ୍ତ ୬ ମାର୍କ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବୋର୍ଡ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ୍ (HSC) ଦ୍ୱାଦଶ ପରୀକ୍ଷାରେ ଉପସ୍ଥିତ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବୋର୍ଡ ନିଷ୍ପତ୍ତି ନେଇଛି ଯେ, ଇଂରାଜୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ୬ ମାର୍କ ଅତିରିକ୍ତ ପ୍ରଦାନ କରାଯିବ।

ସୂଚନା ଅନୁଯାୟୀ, ଏଥର ଦ୍ୱାଦଶ ବୋର୍ଡ ଇଂରାଜୀ କାଗଜରୁ ଦୁଇ ଦୁଇ ନମ୍ବରର ତିନୋଟି ପ୍ରଶ୍ନ ନଥିଲା ଏବଂ ତାହା ସ୍ଥାନରେ ମଡେଲ ଉତ୍ତରଗୁଡ଼ିକ ଛପା ଯାଇଥିଲା। ଏହାକୁ ନେଇ ରାଜ୍ୟରେ ବହୁ ବିବାଦ ଦେଖାଦେଇଥିଲା, ଯାହା ପରେ ବୋର୍ଡ ବିଷୟ ମୋଡରେଟରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବାକୁ ଘୋଷଣା କରିଥିଲା। ଏହି ବୈଠକରେ ଗ୍ରହଣ କରାଯାଇଥିବା ସୁପାରିଶ ଆଧାରରେ ନିଷ୍ପତ୍ତି ନିଆଯାଇଛି ଯେ ଇଂରାଜୀ କାଗଜ ଦେଉଥିବା ସମସ୍ତ ପିଲାଙ୍କୁ ୬ ମାର୍କ ଅତିରିକ୍ତ ଦିଆଯିବ ଯାହା ଦ୍ଵାରା ସେମାନଙ୍କ ପ୍ରତି ଅନ୍ୟାୟ କରାଯିବ ନାହିଁ।