ଭଦ୍ରକ, ଆଜି ସେପ୍ଟେମ୍ବର ୨୮ ତାରିଖ ଓଡିଶା ସ୍ବାଧୀନତା ସଂଗ୍ରାମ ଇତିହାର ଏକ ସ୍ମରଣୀୟ ଦିନ ହୋଇ ରହିଛି। କାରଣ ହେଲା ଠିକ୍ ୧୯୪୨ ମସିହା ଆଜିର ଦିନରେ ଇଂରେଜ ସରକାର ଓଡିଶାର ୨୯ ଜଣ ସ୍ବାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରିଥିଲେ। ଆଉ ସେହି ସ୍ଥାନଟି ହେଉଛି ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଇରମ୍ ଅଞ୍ଚଳ। ସେତେବେଳେ ଏହି ସ୍ବାଧୀନତା ସଂଗ୍ରାମୀଙ୍କୁ ଯେପରି ହତ୍ୟା କରାଗଲା ତାହା ଜାଣିଲେ ଲୋମ ଟାଙ୍କୁରି ଉଠେ।
ଘଟଣାଟି ହେଲା ସେତେବେଳେ ଇରମ ସ୍ଥାନଟି ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଗୁପ୍ତଭାବେ ବୈଠକ କରିବା ପାଇଁ ପ୍ରକୃଷ୍ଠ ଥିଲା। କାରଣ ହେଲା ଏହା ଏପରି ଏକ ସ୍ଥାନ ଯେଉଁଠାରେ ପ୍ରାକୃିତକ ଭାବେ ପାହଡ ସମୁଦ୍ର ଏବଂ ନଦୀ ଦ୍ବାରା ଆବଦ୍ଧ ଥିଲା। ଫଳରେ ଇଂରେଜମାନେ କିଛି ଜାଣିବା କଷ୍ଟକର ଥିଲା।
ଏହି ସ୍ଥାନର ମଝିରେ ଗୋଟିଏ ଖୋଲା ପଡିଆ ଥିଲା। ସେହି ପଡିଆ ଚାରିପଟୁ ଆବଦ୍ଧ ଥିବା ବେଳେ ଗୋଟିଏ ପଟେ ଯିବା ଆସିବା ପାଇଁ ରାସ୍ତାଟିଏ ଥିଲା। ଏହା ଗୁପ୍ତଭାବେ ଇଂରେଜ ସରକାରଙ୍କ ବିରୋଧରେ ସଭା କରିବା ସ୍ବାଧୀନତା ସଂଗ୍ରାମଙ୍କ ପାଇଁ ବେଶ୍ ଭଲ ସ୍ଥାନ ଥିଲା। ୧୯୨୦ରୁ ଆରମ୍ଭ କରି ଏହି ପଡିଆରେ ପ୍ରମୁଖ ଜାତୀୟତାବାଦୀ ନେତୃବୃନ୍ଦ ଯଥା ଉତ୍କଳମଣୀ ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ ଆଦି ବୈଠକ କରି ଆସୁଥିଲେ। “ଭାରତଛାଡ ଆନ୍ଦୋଳନ” ସମୟରେ ଏହି ପଡିଆରେ ଅନେକ ଜାତୀୟତାବାଦୀ ସଭା ସମିତି ମଧ୍ୟ ଆୟୋଜିତ ହୋଇଥିଲା।
ଏହି ଗୁପ୍ତ ସ୍ଥାନରେ ବିଭିନ୍ନ ସମୟରେ ବୈଠକ ହେଉଛି ବୋଲି ଇଂରେଜ ଶାସକ ଜାଣିପାରିଲେ। ଫଳରେ ଏହାର ଜବାବ ଦେବା ପାଇଁ ସେମାନେ ଏକ ସଭାକୁ ଅପେକ୍ଷା କରି ରହିଥିଲେ। ଦୁଃର୍ଭାଗ୍ୟ ବସତଃ ସେଠାରେ ୨୮ ସେପ୍ଟେମ୍ୱର ୧୯୪୨ ରେ ଏକ ବିରାଟ ଜନସଭାର ଆୟୋଜନ କରାଯାଇଥିଲା।ଏହି ବିରାଟ ଜନସଭାର ଖବର ପାଇ ସେତେବେଳର ବାସୁଦେବପୁର ପୋଲିସ ଭୟଭିତ ହୋଇ ଯାଇଥିଲା। ସେମାନଙ୍କୁ ଜବାବ ଦେବା ପାଇଁ ଡିଏସପି କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ଫୌଜଦଳ ଇରମ ଅଭିମୁଖେ ମା଼ଡି ଆସିଥିଲେ ।
ସେତେବେଳେ ସନ୍ଧ୍ୟା ପ୍ରାୟ ୬.୩୦ ହୋଇଥିଲା। ଶାନ୍ତିପୁର୍ଣ୍ଣ ଜନସଭା ଉପରେ ହଠାତ୍ ଫୌଜଙ୍କ ଗୁଳିଗୋଳା ଗର୍ଜି ଉଠିଲା। ଯେହେତୁ ତିନିଦିଗରୁ ପଡିଆଟି ଆବଦ୍ଧ ଥିଲା, କେହି ବାହାରକୁ ବାହାରି ପାରିଲେ ନାହିଁ । ଦେଖୁ ଦେଖୁ କେଇ ମିନିଟି ମଧ୍ୟରେ ୨୯ ଜଣ ଟଳିପଡିଲେ ଏବଂ ୫୬ ଜଣ ଆହତ ହେଲେ। ଏହି ମୃତକଙ୍କ ମଧ୍ୟରେ ଥିଲେ ଏକ ମାତ୍ର ମହିଳା ଶହୀଦ୍ ଯାହାଙ୍କ ନାମ ଥିଲା ପରି ବେୱା। ଏତେ ସଂଖ୍ୟକ ଶହୀଦଙ୍କ ମୃତ୍ୟୁ ଯୋଗୁଁ ଏହା ୨ୟ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଭାବେ ପରିଚିତ ହୋଇ ରହିଆସିଛି। ସେଥିପାଇଁ ଭଦ୍ରକର ଏହି ଇରମ କ୍ଷେତ୍ର ରକ୍ତତୀର୍ଥ ଭାବେ ପରିଚିତ ହୋଇଆସିଛି।