Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସ୍ତରୀୟ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃହତ୍ତର ଓଡ଼ିଶା ଗଠନରେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଓ ସାମାଜିକ ବିକାଶରେ ନିଜକୁ ସମର୍ପିତ କରିଥିଲେ ଡ. ମହତାବ । ସମୟର ଆହ୍ୱାନରେ ଏହିଭଳି ଯୋଗଜନ୍ମା ଯୁଗପୁରୁଷଙ୍କର ଆବିର୍ଭାବ ଘଟେ ବୋଲି ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ମଞ୍ଚ ଓ ଆଭାସି ମାଧ୍ୟମରେ ଆୟୋଜିତ ରାଜ୍ୟସ୍ତରୀୟ ଡକଫର ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହରେ ଅତିଥି ଓ ବକ୍ତାମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଭିଡ଼ିଓ ମାଧ୍ୟମରେ ପ୍ରସାରିତ ହୋଇଥିଲା । ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଡ. ମହତାବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ଆଧୁନିକ ଓଡ଼ିଶାର ନିର୍ମାଣ ସହ ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଏବଂ ସାମ୍ବାଦିକତା ଜଗତ ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ।

ଏହି ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ସ୍ୱର୍ଗୀୟ ଡ. ହରେକୃଷ୍ଣ ମହତାବଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭଣ୍ଡାରୀପୋଖରୀର ବିଧାୟକ ଶ୍ରୀ ପ୍ରଫୁଲ୍ଲ ସାମଲ ଡକଫର ମହତାବଙ୍କୁ ଯଥାର୍ଥରେ ଉତ୍କଳକେଶରୀ ବୋଲି ଅଭିହିତ କରି କହିଲେ ଯେ ଡ. ମହତାବ ବ୍ୟକ୍ତି ନଥିଲେ, ସେ ଥିଲେ ଓଡ଼ିଶା ଏକ ବହୁମୁଖୀ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ଡକଫର ମହତାବଙ୍କ ଜୀବନ ଥିଲା ଦେଶ ଓ ଜାତି ପାଇଁ ଏକ ସମର୍ପିତ ଜୀବନ । ସେ ଥିଲେ ଓଡ଼ିଶାର ନବଯୁଗର ପ୍ରବର୍ତ୍ତକ ଏବଂ ବହୁ ଦେଶପ୍ରେମୀ ଏବଂ ସମାଜସେବୀଙ୍କ ପ୍ରେରଣାର ଉତ୍ସ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଶିକ୍ଷାବିତ୍‌ ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ ସ୍ୱାଧୀନ ଭାରତର ଏକତା ଓ ସଂହତି ପ୍ରତିଷ୍ଠା ଦିଗରେ ହରେକୃଷ୍ଣ ମହତାବଙ୍କ ପ୍ରଚେଷ୍ଟା ଅନନ୍ୟ ବୋଲି ମତବ୍ୟକ୍ତ କରିଥିଲେ । ଡକ୍ଟର ମହତାବଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସଂପର୍କରେ ଅବତାରଣା କରି ଐତିହାସିକ ଶ୍ରୀ ପଟ୍ଟନାୟକ କହିଲେ ଯେ ସେ ଥିଲେ ଏକାଧାରରେ ଜନପି୍ରୟ ଗାନ୍ଧୀବାଦୀ ନେତା, ରାଜନୀତିର ଭୀଷ୍ମ ପିତାମହ, ସାହିତ୍ୟ ଓ ସଂସ୍କୃତିର ନୂତନ ପ୍ରବର୍ତ୍ତକ, ଗଡ଼ଜାତ ଆନ୍ଦୋଳନର ପୁରୋଧା ଏବଂ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ତଥା ପ୍ରବୀଣ ସାମ୍ବାଦିକ ।

ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଡକଫର ମହତାବଙ୍କ ପରି ଜଣେ ଯୁଗପୁରୁଷଙ୍କ ଆଦର୍ଶବୋଧର ସ୍ମୃତିଚାରଣ କରି ଓଡ଼ିଆ ଜାତି ଅଧିକ ମହିମାମଣ୍ଡିତ ହୋଇଛି । ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର ନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଡ୍‌ ନିୟମ ଅନୁପାଳନପୂର୍ବକ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଯୋଗଦାନ କରିଥିଲେ ।