Categories
ଅପରାଧ ଆଜିର ଖବର ଜାତୀୟ ଖବର

ପାକିସ୍ତାନର ବିଜୟରେ ଉତ୍ସବ ପାଳନ କରିବା ଦେଶଦ୍ରୋହ”!: ଆଗ୍ରାରେ ଗିରଫ ହେଲେ ତିନିଜଣ କାଶ୍ମୀର ଛାତ୍ର

ଆଗ୍ରା: ପାକିସ୍ତାନର ବିଜୟ ଉତ୍ସବ ପାଳନ କରୁଥିବା ଲୋକଙ୍କୁ ଦେଶଦ୍ରୋହ ଅଭିଯୋଗ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ସକାଳେ ଟୁଇଟ୍ କରି କୁହାଯାଇଛି। ତେବେ ଏହାପରେ ଉତ୍ତରପ୍ରଦେଶ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି। ଟି-୨୦ ବିଶ୍ୱକପରେ ଭାରତ ଉପରେ ପାକିସ୍ତାନର ବିଜୟ ଉତ୍ସବ ପାଳନ କରିଥିବା ଅଭିଯୋଗରେ ଆଗ୍ରା ଠାରେ ତିନି ଜଣ କାଶ୍ମୀର ଛାତ୍ରଙ୍କୁ ଗିରଫ କରାଯାଇଛି।

ଏହି ତିନି ଅଭିଯୁକ୍ତ ଆଗ୍ରା ରଜା ବଲୱନ୍ତ ସିଂ କଲେଜର ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡିଛି। ଅରସିଦ ୟୁସୁଫ ଏବଂ ଇନାୟତ ଅଲତାଫ ଶେଖ କଲେଜର ତୃତୀୟ ବର୍ଷରେ ପଢୁଥିବାବେଳେ ସୌକତ ଅହମ୍ମଦ ଗନଇ ଚତୁର୍ଥ ବର୍ଷରେ ଛାତ୍ର ଅଟନ୍ତି।

ଧର୍ମ ଏବଂ ସାଇବର ଆତଙ୍କବାଦ ଆଧାରରେ ଏହି ତିନିଜଣ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ଟୁଇଟରେ ଦର୍ଶାଯାଇଛି ଯେ, ସେମାନେ ଦେଶଦ୍ରୋହ ଅଭିଯୋଗର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି।

ସୋମବାର ଦିନ ଏହି ତିନି ଛାତ୍ରଙ୍କୁ କଲେଜ ନିଲମ୍ବନ କରି କହିଛି ଯେ, ଭାରତ-ପାକିସ୍ତାନ ମ୍ୟାଚ୍ ପରେ ସେମାନେ ପାକିସ୍ତାନ ସପକ୍ଷରେ ପୋଷ୍ଟ କରି ଅନୁଶାସନ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି। ସମାନ ମାମଲାରେ ଉତ୍ତରପ୍ରଦେଶରେ ଆଉ ୪ ଜଣଙ୍କୁ ଗିରଫ କରାଯାଇଛି। ସେଥିମଧ୍ୟରୁ ବରେଲିରେ ତିନି ଜଣ ଏବଂ ଲକ୍ଷ୍ନୌରୁ ଜଣେ ଗିରଫ କରାଯାଇଛି।