Categories
ଖେଳ ଜାତୀୟ ଖବର ବିଶେଷ ଖବର

ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଭୁବନେଶ୍ବର: ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ସେ କହିଥିଲେ ଯେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। କୋଭିଡ-୧୯ ମହାମାରୀ ଭଳି କଷ୍ଟକର ସମୟରେ ହକି ଦଳକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଥିଲା।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ହକି ଖେଳରେ ଭାରତର ଏକ ସମୃଦ୍ଧ ଇତିହାସ ରହିଛି। ସ୍ବାଧୀନତା ପୂର୍ବରୁ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ବରେ ଏବଂ ସ୍ବାଧୀନତା ପରେ ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ନେତୃତ୍ବରେ ଭାରତୀୟ ଦଳ ତିନି ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲା।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ହକି ବିଶ୍ବକପର ଭବ୍ୟ ଉଦଘାଟନୀ ସମାରୋହକୁ ପ୍ରଶଂସା କରିଥିଲେ। ଭାରତରେ ଲଗାତାର ଦୁଇ ଥର ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଏଫଆଇଏଚ ସଭାପତି ତୟବ ଇକ୍ରାମଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଜଣାଇଥିଲେ। ଦେଶକୁ ଏକ ସୁନ୍ଦର ହକି ଷ୍ଟାଡିୟମ ଭେଟି ଦେଇଥିବାରୁ ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ସମାରୋହ ଅବସରରେ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ହକି ବିଶ୍ବକପ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ଏଫଆଇଏଚ ସଭାପତି ତୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀ, ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଭାରତୀୟ ଦଳ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଦଳର ଖେଳାଳୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଏବଂ ଭୁବନେଶ୍ବରସ୍ଥିତ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ (ଏନଏବିଏମ) ପରିଦର୍ଶନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହିତ ସେ ଏହି ଦୁଇ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ। ଦୂରଦର୍ଶନର ଦର୍ଶକ ସଂଖ୍ୟା ବଢ଼ାଇବା ପାଇଁ କାର୍ଯ୍ୟକ୍ରମର ମାନରେ ସୁଧାର ଆଣିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହାଦ୍ବାରା ଦୂରଦର୍ଶନର ବଜାର ଅଂଶଧନ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଉଭୟ ଦୂରଦର୍ଶନ ଏବଂ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ ପରିସରରେ କେନ୍ଦ୍ର ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କଟକ ଆକାଶବାଣୀ ପରିଦର୍ଶନ କରିଥିଲେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଉଦଘାଟିତ ହେଲା ଫିଫା ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ବକପ, ଯୋଗଦେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି।

ଶ୍ରୀ ଠାକୁର ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ମଧ୍ୟ ଦେଖିଥିଲେ। ଉଦଘାଟନୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ ଏହି ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ।

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ ଏବଂ ଗୋଆର ପିଜେଏନ ଷ୍ଟାଡିୟମକୁ ମିଶାଇ ତିନୋଟି ସ୍ଥାନରେ ମିଳିତ ଭାବେ ଆୟୋଜନ କରାଯାଉଛି।

ଏହି କ୍ରୀଡ଼ା ମହାକୁମ୍ଭରେ ୧୬ଟି ଦେଶ ଭାଗ ନେଇଛନ୍ତି। ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ବସ୍ତରୀୟ ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ୪ଟି ଗ୍ରୁପରେ ବିଭାଜିତ ହୋଇ ଦଳଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇ ଠାରେ ଫାଇନାଲ ମୁକାବିଲା ଖେଳାଯିବ।

୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତାରେ ତିନି ପୂର୍ବତନ ଚାମ୍ପିଅନ ଫ୍ରାନ୍ସ, ଜାପାନ ଏବଂ ସ୍ପେନ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପକ୍ଷରେ କାନାଡା, ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ଜାପାନ ସବୁଥର ଭଳି ଚଳିତ ସଂସ୍କରଣରେ ମଧ୍ୟ ଭାଗ ନେବାର ରେକର୍ଡ ବଜାୟ ରଖିଛନ୍ତି।

ଏଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛି। ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫୁଟବଲ ବିଶ୍ବକପ ପରେ ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ ରଖିଛି।

ଅନ୍ୟପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ।