ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

Published: Jan 11, 2023, 10:19 pm IST

ଭୁବନେଶ୍ବର: ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ସେ କହିଥିଲେ ଯେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। କୋଭିଡ-୧୯ ମହାମାରୀ ଭଳି କଷ୍ଟକର ସମୟରେ ହକି ଦଳକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଥିଲା।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ହକି ଖେଳରେ ଭାରତର ଏକ ସମୃଦ୍ଧ ଇତିହାସ ରହିଛି। ସ୍ବାଧୀନତା ପୂର୍ବରୁ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ବରେ ଏବଂ ସ୍ବାଧୀନତା ପରେ ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ନେତୃତ୍ବରେ ଭାରତୀୟ ଦଳ ତିନି ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲା।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ହକି ବିଶ୍ବକପର ଭବ୍ୟ ଉଦଘାଟନୀ ସମାରୋହକୁ ପ୍ରଶଂସା କରିଥିଲେ। ଭାରତରେ ଲଗାତାର ଦୁଇ ଥର ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଏଫଆଇଏଚ ସଭାପତି ତୟବ ଇକ୍ରାମଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଜଣାଇଥିଲେ। ଦେଶକୁ ଏକ ସୁନ୍ଦର ହକି ଷ୍ଟାଡିୟମ ଭେଟି ଦେଇଥିବାରୁ ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ସମାରୋହ ଅବସରରେ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ହକି ବିଶ୍ବକପ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ଏଫଆଇଏଚ ସଭାପତି ତୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀ, ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଭାରତୀୟ ଦଳ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଦଳର ଖେଳାଳୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଏବଂ ଭୁବନେଶ୍ବରସ୍ଥିତ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ (ଏନଏବିଏମ) ପରିଦର୍ଶନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହିତ ସେ ଏହି ଦୁଇ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ। ଦୂରଦର୍ଶନର ଦର୍ଶକ ସଂଖ୍ୟା ବଢ଼ାଇବା ପାଇଁ କାର୍ଯ୍ୟକ୍ରମର ମାନରେ ସୁଧାର ଆଣିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହାଦ୍ବାରା ଦୂରଦର୍ଶନର ବଜାର ଅଂଶଧନ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଉଭୟ ଦୂରଦର୍ଶନ ଏବଂ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ ପରିସରରେ କେନ୍ଦ୍ର ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କଟକ ଆକାଶବାଣୀ ପରିଦର୍ଶନ କରିଥିଲେ।

Related posts