Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ମା’ ଉଗ୍ରତାରାଙ୍କ ପୀଠର ହେବ ଉନ୍ନତିକରଣ: ୧ କୋଟି ମୂଲ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଖୋର୍ଦ୍ଧା ବିଧାୟକ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ରାଜ୍ୟର ଅନ୍ୟତମ ଶକ୍ତି ପୀଠ ଭାବେ ଟାଙ୍ଗୀ ବ୍ଲକ ମା’ ଉଗ୍ରତାରାଙ୍କ ପୀଠ ପରିଗଣିତ। ଏହି ପୀଠ ସଦାସର୍ବଦା ଚଳାଚଞ୍ଚଳ ରହିଥାଏ। ହଜାର ହଜାର ଭକ୍ତ ମା’ ଉଗ୍ରତାରାଙ୍କ ପୀଠକୁ ପୂଜା ପାଇଁ ଆସୁଥିବାବେଳେ ଭକ୍ତମାନଙ୍କ ସୁବିଧା ଓ ମା’ ଉଗ୍ରତାରଙ୍କ ପୀଠର ବିକାଶ ପାଇଁ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି।

ପୀଠର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୧ କୋଟି ଟଙ୍କା। କୋଟିଏ ଟଙ୍କାର ଅର୍ଥରେ ହେବ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଭକ୍ତମାନଙ୍କ ବିଶ୍ରାମ ସ୍ଥଳୀ ସହ ହେବ ଭୋଗ ମଣ୍ଡପ ନିର୍ମାଣ। ସେଥିପାଇଁ ରାଜ୍ୟ ସରକାର ଟାଙ୍ଗୀ ପୂର୍ତ୍ତ ବିଭାଗକୁ ଦେଇଛନ୍ତି ନିର୍ମାଣ ଦାୟିତ୍ୱ। ଟାଙ୍ଗୀ ପୂର୍ତ୍ତ ବିଭାଗ ପକ୍ଷରୁ ଠିକାଦାର ନିଯୁକ୍ତି ପରେ ଆରମ୍ଭ ହୋଇଛି ପ୍ରକ୍ରିୟା।

ଆଜି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମା’ ଉଗ୍ରତାରାଙ୍କ ପୀଠରେ ପହଞ୍ଚି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଵିଧାୟକଙ୍କ ସହ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରୀସ୍ନା ମାନ୍ଧତା, ଟାଙ୍ଗୀ ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ପୃଷ୍ଟି, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ପ୍ରମୁୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜନଜାତି କ୍ଷେତ୍ରର ଉନ୍ନତିକରଣ ପାଇଁ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର: ଖୁବଶୀଘ୍ର ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ୪୧ଟି ମନ୍ତ୍ରଣାଳୟ ଓ ବିଭାଗର ବିଭିନ୍ନ ଯୋଜନାକୁ ସମନ୍ବିତ ଢଙ୍ଗରେ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ଜନଜାତି କ୍ଷେତ୍ରର ଉନ୍ନତିକରଣ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜୁନ ମୁଣ୍ଡା।

କେନ୍ଦ୍ର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଜିଲ୍ଲାର ନଙ୍ଗଲବାହାଲି ବିକାଶନଗର ଠାରେ କୁଟିଆ କନ୍ଧ ଜନଜାତିର ଲୋକଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ମତ ବିନିମୟ କରିଥିଲେ। ଏଠାରେ ୮ଟି ପରିବାରର ୬୪ ଜଣ ଲୋକ ରହୁଛନ୍ତି। ପାହାଡ଼ ଉପରୁ ଅଣାଯାଇ ଏ ପରିବାରମାନଙ୍କୁ ଏଠାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସେମାନଙ୍କୁ ଘର ଯୋଗାଇ ଦିଆଯାଇଛି, ସ୍ବଚ୍ଛ ଭାରତ ମିଶନ ଅଧୀନରେ ସେଠାରେ ଶୌଚାଳୟ ନିର୍ମାଣ କରାଯାଇଛି। ମନରେଗା ଯୋଜନା ମାଧ୍ୟମରେ ସେମାନଙ୍କର ରୋଜଗାର ସୁନିଶ୍ଚିତ ହୋଇଛି। ମନରେଗା ଏବଂ ସିଏଫସି ଅଧୀନରେ ସଡ଼କ ନିର୍ମାଣ କରାଯାଉଛି।

ଅନ୍ୟପକ୍ଷରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ତହସିଲ ଅନ୍ତର୍ଗତ ତଙ୍ଗନକାନା ଗ୍ରାମରେ କାର୍ଯ୍ୟ କରୁଥିବା କୁଟିଆ କନ୍ଧ ଜନଜାତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ଭେଟିଥିଲେ। ଏ ମହିଳାମାନେ ଲେମନ୍‌ ଗ୍ରାସ ଚାଷ କରୁଛନ୍ତି। ଏଥିସହିତ ସେମାନେ ଏକ ଲେମନ ଗ୍ରାସ ପ୍ଲାଣ୍ଟ ପରିଚାଳନା କରୁଛନ୍ତି ତଥା ଏହାର ମାର୍କେଟିଂ ଓ ବିକ୍ରି କରୁଛନ୍ତି। କୁଟିଆ କନ୍ଧ ଜନଜାତିର ମହିଳାମାନେ ସ୍ବୟଂ ସହାୟକ ଗୋଷ୍ଠୀ ସହ ଯୋଡ଼ି ହୋଇ ସ୍ବାଭିମାନର ସହ ଟଙ୍କା ରୋଜଗାର କରୁଥିବା ଦେଖି କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ମୁଣ୍ଡା କଳାହାଣ୍ଡି ଜିଲ୍ଲାର ଭଟଙ୍ଗପଦର ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟରେ ରହିଥିବା ଶିକ୍ଷା ସମ୍ବନ୍ଧୀୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏଠାରେ ପଢ଼ୁଥିବା ୪୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେବଳ ୩୩୦ ଜଣ ଜନଜାତି ବର୍ଗର ଛାତ୍ରଛାତ୍ରୀ ରହିଛନ୍ତି। ଏ ସମ୍ପର୍କରେ ଜାଣି କେନ୍ଦ୍ର ମନ୍ତ୍ରୀ ଖୁସି ହୋଇଥିଲେ।

ଦୁଇ ଦିନିଆ କଳହାଣ୍ଡି ଗସ୍ତ ଅବସରରେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କ ସହିତ ମଧ୍ୟ କେନ୍ଦ୍ର ମନ୍ତ୍ରୀ ଆଲୋଚନା କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସମନ୍ବୟ ଆଣିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ବିଶେଷ କରି ସେ ବିଭାଗୀୟ ସମନ୍ବୟ ଉପରେ ଜୋର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡ଼ିକ ସୀମିତ ନୁହେଁ ବରଂ ବ୍ୟାପକ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଗ୍ରାମାଞ୍ଚଳରେ ରହିଥିବା ମୌଳିକ ସୁବିଧା ସୁଯୋଗ ଅନୁଧ୍ୟାନ କରିବା ସହିତ ସେସବୁ ଦୂର କରିବା ଲାଗି ଅଧିକ ସମର୍ପିତ ହୋଇ କାମ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପରାମର୍ଶ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର ଏବଂ ବିଶେଷ କରି ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଭାରତ ୧୪୦ଟି ଦେଶକୁ ମାଗଣା କରୋନା ଟିକା ଯୋଗାଇ ଦେଇଛି। ଏହା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ। ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଏକ ନୂଆ ପ୍ରଶାସନିକ ବ୍ୟବସ୍ଥା ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର ପଛୁଆ ଅଞ୍ଚଳରେ ଥିବା ଅଭାବ ଅସୁବିଧା ଦୂର କରାଯାଇପାରୁଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସ୍ବାସ୍ଥ୍ୟ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲାରେ ଅନେକ ଉନ୍ନତି ଆସିପାରିଛି। ଏଥିପାଇଁ ନୀତି ଆୟୋଗଙ୍କ ପକ୍ଷରୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ଆଇଟିଡିଏ ମାଧ୍ୟମରେ ଜନଜାତି କ୍ଷେତ୍ରର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଡିଜିଟାଲ ପ୍ରଶାସନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ସବୁ ଯୋଜନାର ସହାୟତା ସିଧାସଳଖ ଭାରତର ଗ୍ରାମାଞ୍ଚଳରେ ପହଞ୍ଚାଇବା ଲାଗି ପ୍ରୟାସ ଜାରି ରହିଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ। ଭାରତ ସରକାର ଟ୍ରାଇଫେଡ୍‌ ମାଧ୍ୟମରେ ବନ୍ୟଜାତ ଉତ୍ପାଦର ବିକ୍ରିବଟା, ମାର୍କେଟ ଲିଙ୍କେଜ ଓ ପ୍ରୋତ୍ସାହନ ପାଇଁ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଥିଲେ। ବିଶେଷ କରି ବନ୍ୟଜାତ ଉତ୍ପାଦର ଜିଓ ଟ୍ୟାଗିଂ ଉପରେ ଗୁରୁତ୍ବାରୋପ କରାଯାଉଛି। ଖୁବଶୀଘ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଏକ ଟିମ୍‌ କଳାହାଣ୍ଡି ସମେତ ରାଜ୍ୟର ବିଭିନ୍ନ ଜନଜାତି ବହୁଳ ଜିଲ୍ଲା ଗସ୍ତ କରିବ। ସେଠାରେ ଜିଲ୍ଲା ପ୍ରଶାସନ ସହ ସମନ୍ବୟ ସ୍ଥାପନ କରି ବନ୍ୟଜାତ ଉତ୍ପାଦଗୁଡ଼ିକ ବିପଣନ ପାଇଁ ବ୍ୟବସ୍ଥା କରିବ।

Categories
ଆଜିର ଖବର ରାଜ୍ୟ ଖବର

ସହରାଞ୍ଚଳ ରାସ୍ତାଘାଟ ଓ ନର୍ଦ୍ଦମା ଉନ୍ନତିକରଣ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ଷା ଯୋଗୁଁ ସାରା ରାଜ୍ୟରେ ବିଭିନ୍ନ ସହରାଞ୍ଚଳର କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ରାସ୍ତାଘାଟ, ନର୍ଦ୍ଦମା ଓ ଫୁଟପାଥ ଆଦିର ମରାମତି ତଥା ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ସହିତ ଆଗାମୀ ମୌସୁମୀ ଋତୁ ପୂର୍ବରୁ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ସିରସ୍ତାରୁ ବଟିରା ପର୍ଯ୍ୟନ୍ତ କେନାଲ କାର୍ଯ୍ୟ: କୋଟି କୋଟି ଟଙ୍କାର ଅର୍ଥ ହଡ଼ପ ଉଦ୍ୟମ

ରମେଶ ମହାନ୍ତି
ଜଗତସିଂହପୁର: ଗାଁ ଗହଳିର ଉନ୍ନତିକରଣ ନିମନ୍ତେ ସରକାରଙ୍କ ତରଫରୁ କୋଟି କୋଟି ଟଙ୍କାର ଅନୁଦାନ ଆସୁଥିବା ବେଳେ ଠିକାଦାରଙ୍କ ସହ ବିଭାଗୀୟ କିଛି ଅସାଧୁ ଅଫିସରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ସିଂହ ଭାଗ ଅର୍ଥକୁ ଚଳୁ କରିବାରେ ଠିକାଦାର ସଫଳ ହେଉଥିବା ଅଭିଯୋଗ ହେଉଛି।

ଅଭିଯୋଗ ଅନୁଯାୟୀ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ସିରସ୍ତା ଠାରୁ ବଟିରା ପର୍ଯ୍ୟନ୍ତ ପାଇକା ବାମପାର୍ଶ୍ୱ କେନାଲ ଓ ବନ୍ଧର ପୁନଃରୁଦ୍ଧାର ନିମନ୍ତେ (ଏମ୍.ସି.ଆଇ)ମହାନଦୀ ଚିତ୍ରୋତ୍ପଳା ଆଇଲାଣ୍ଡ ଇରିକେସନ ବିଭାଗ ପକ୍ଷରୁ ପାଖାପାଖି ୯କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା କାର୍ଯ୍ୟ ଏଷ୍ଟିମେଣ୍ଟ ଅନୁସାରେ କରାନଯାଇ ଅତ୍ୟନ୍ତ ନିମ୍ନମାନର ଭାବେ ଯେନତେନ ପ୍ରକାରେ କାର୍ଯ୍ୟ କରାଯାଉଥିବା କୁହାଯାଉଥିବା ବେଳେ ବିଭାଗୀୟ କିଛି ଅଧିକାରୀଙ୍କୁ କରାୟତ କରି ଠିକାଦାର ଏହି କୋଟି କୋଟି ଟଙ୍କାର ଅର୍ଥକୁ ଚଳୁ କରିଦେବାକୁ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ବିଭାଗୀୟ ଏମ୍.ସି.ଆଇ କାର୍ଯ୍ୟାଳୟ ଏସ୍.ଡି.ଓ ଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଏଷ୍ଟିମେଣ୍ଟ ଅନୁଯାୟୀ ଏହି କେନାଲବନ୍ଧ ସୁଦୃଢୀକରଣ, ବନ୍ଧ ମଜବୁତ୍, ମାଟିକାମ, ୫ଟି ବ୍ରିଜ୍ କାର୍ଯ୍ୟ, କେନାଲ୍ ଖୋଳା କାର୍ଯ୍ୟ ସହିତ କେନାଲ ଭିତର ବନ୍ଧ କଡରେ ନିର୍ମାଣ ହେଉଥିବା ଦେବାଲ୍ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଭାବେ କରାଯାଇ ଯଥାଶୀଘ୍ର ଏହାକୁ ଘୋଡାଇବାକୁ ମାଟି ଚଢାଇ ଦିଆଯାଉଛି ବୋଲି କୁହାଯାଉଛି। ଉକ୍ତ କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କୁ କାର୍ଯ୍ୟ ସ୍ଥଳରେ ଦେଖିବାକୁ ମିଳୁନାହିଁ ବୋଲି ସ୍ଥାନୀୟ ବାସିନ୍ଦାଙ୍କଠୁ ଶୁଣିବାକୁ ମିଳୁଛି।

ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ ଚାଲିଥିବା କୁହାଯାଉଥିବା ବେଳେ ଯେନତେନ ପ୍ରକାରେ ନିମ୍ନମାନର କାର୍ଯ୍ୟ କରି ଠିକାଦାର କୋଟି କୋଟି ଟଙ୍କାର ଅର୍ଥକୁ ହଡପ୍ କରି ଚଳୁ କରିଦେବାକୁ ଉଦ୍ୟମ କରୁଥିବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ଥାନୀୟ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବିଭାଗୀୟ ଉଚ୍ଚପଦାଧିକାରୀ ଉକ୍ତ କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।