Categories
ବିଶେଷ ଖବର ରାଜ୍ୟ ଖବର

ଉନ୍ନୟନ କମିଶନରଙ୍କ ମେଗା ଲିଫ୍ଟ-ଏମଆଇଏସ ଓ “ଓଡ଼ିଶା ଜଳ ସମ୍ପଦ” ପ୍ରୟୋଗର ସମୀକ୍ଷା

ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି  ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ପାର୍ବତୀ ଗିରି ୧.୦ ଏବଂ ପାର୍ବତୀ ଗିରି ୨.୦   ପର୍ଯ୍ୟାୟରେ ୨୦୦ଟି ଯୋଜନା ସଂପୂର୍ଣ୍ଣ କରାଯାଇ  ପ୍ରାୟ  ୩,୨୪,୦୦୦  ହେକ୍ଟର ସେଚାଂଚଳକୁ ମେଗା ଲିଫ୍ଟ ପମ୍ପିଂ ଏବଂ ଚାପଯୁକ୍ତ ବୁନ୍ଦା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା  କରାଯାଇ ପାରିଥିବା ବେଳେ ୪୯ଟି ନିର୍ମାଣାଧୀନ ରହିଛି।

ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକର ଦୈନନ୍ଦିନ ପରିଚାଳନା ଏବଂ ଚାଲୁଥିବା ଯୋଜନାଗୁଡ଼ିକର ଠିକ୍ ସମୟରେ ପରିଚାଳନା ଉପରେ ନଜର ରଖିବା ପାଇଁ ଆଇଟି ସକ୍ଷମଯୁକ୍ତ ପ୍ରକଳ୍ପ ପରିଚାଳନା ଜଳ ସମ୍ପଦ ବିଭାଗର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ୫-ଟି ଉପକ୍ରମ ଅଧୀନରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ସହାୟତାରେ ଏକ ଜିଆଇଏସ୍ ଭିତ୍ତିକ ପରିଚାଳନା ସୂଚନା ପ୍ରଣାଳୀ ବିକଶିତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗତ ୧୭.୦୮.୨୦୨୩ରେ ଜଳ ସଂପଦ ବିଭାଗ ଏବଂ ଓକାକର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ରାଜୀବ ଭବନ ସମ୍ମିଳନୀ କକ୍ଷରେ ମେଗା ଲିଫ୍ଟ-ଏମ୍ଆଇଏସ୍ ପ୍ରୟୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାର  ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଖୁବଶୀଘ୍ର ଏହି ପୋର୍ଟାଲକୁ ବିଭାଗୀୟ ଅଧିକାରୀ ଓ ଓଡ଼ିଶାର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଜଣାପଡିଛି।

ସେହିପରି ଜଳସେଚନ ସେଚାଂଚଳ, ପ୍ରମୁଖ ଜଳଭଣ୍ଡାରଠାରୁ ଆରମ୍ଭ କରି ଚେକ୍ ଡ୍ୟାମ୍ ପର୍ଯ୍ୟନ୍ତ ଜଳସେଚନ କମାଣ୍ଡ, ଜଳ ସଂପଦ ବିଭାଗ ଦ୍ୱାରା ନିର୍ମିତ ଜଳାଶୟ, ଜଳଭଣ୍ଡାର, ବ୍ୟାରେଜ୍, କେନାଲ, ନଦୀ ଓ କେନାଲ ବନ୍ଧ, ଜଳସେଚନ ରାସ୍ତା, ବିଲ୍ଡିଂ ଇତ୍ୟାଦିର ମ୍ୟାପିଂ ପାଇଁ ଅନ୍ୟ ଏକ ଉପଗ୍ରହ ଭିତ୍ତିକ ଜିଆଇଏସ୍ ଆପ୍ଲିକେସନ୍ “ଓଡ଼ିଶା ଜଳ ସମ୍ପଦ” ନାମରେ ସଂଗଠିତ ଢଙ୍ଗରେ ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର  ସହଯୋଗରେ ବିକଶିତ କରାଯାଉଛି।ଏହି ଆପ୍ଲିକେସନ୍ ହେଉଛି ବିଭାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇଟି ଏବଂ ୫-ଟି ଉପକ୍ରମ ପଦକ୍ଷେପ, ଯାହାର ପ୍ରୟୋଗ ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ।

Categories
ବିଶେଷ ଖବର

ଉନ୍ନୟନ କମିଶନରଙ୍କ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ, ମନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା

ଭୁବନେଶ୍ୱର/ବଲାଙ୍ଗିର: ରାଜ୍ୟ ଉନ୍ନୟନ କମିଶନର ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଦୁଇ ଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଉନ୍ନୟନ କମିଶନର ଗତକାଲି ମଙ୍ଗଳବାର ପ୍ରଥମେ ତୁଷୁରା ଉଡାଜାହାଜ ପଡିଆ ରେ ପହଞ୍ଚିବା ପରେ ତୁଷୁରା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ। ପରେ ପରେ ସେ ତୁଷୁରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇ ସେଠାରେ ରୋଗୀ ସେବା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ପରେ ସେ ଗୁଡଭେଲା ସ୍ଥିତ ରାଉଲ ନଦୀରେ ନିର୍ମାଣଧୀନ ଅନ୍ତଃନଦୀ ଜଳାଶୟ(ଇନଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକ୍ଚର) ପ୍ରକଳ୍ପ ପରିଦର୍ଶନ କରି ଓ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ଏହି ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଙ୍କ ସମେତ ରାଜ୍ୟ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ,ମୁଖ୍ୟ ଯନ୍ତ୍ରୀ ଙ୍କ ସମେତ ରାଜ୍ୟ ଏବଂ ଜିଲ୍ଲାର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଗସ୍ତ ପରିପ୍ରେକ୍ଷୀରେ ଉନ୍ନୟନ କମିଶନର ବଲାଙ୍ଗୀର ସ୍ମାର୍ଟ ପାର୍କ ନିକଟରେ ନିର୍ମାଣାଧିନ ଜାତୀୟ ରାଜପଥ ବାଇପାସ୍ କାର୍ଯ୍ୟ ସହ ସ୍ମାର୍ଟ ପାର୍କ ସହ ବିଜା ଖମଣସ୍ଥିତ ଟ୍ରକ ଟର୍ମିନାଲ ପରିଦର୍ଶନ କରିଥିଲେ। ସେଠାରୁ ସେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଛତାମଖନାସ୍ଥିତ ଅନ୍ତନଦୀ ଜଳାଶୟ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଲାଲଟିକିରା ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଠ ଟିଚିଙ୍ଗ (ଶିକ୍ଷାଦାନ ) ହସ୍ପିଟାଲ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ସହ ଜିଲ୍ଲାପାଳ ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଏବଂ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ଡିନ ତଥା ଅଧ୍ୟକ୍ଷଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ।

ପରେ ଉନ୍ନୟନ କମିଶନର ପାଟଣାଗଡ ରାମପାଲି ସ୍ଥିତ ଅନ୍ଵେଷା ହଷ୍ଟେଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୈକ୍ଷିକ ବାତାବରଣ ତଥା ସେମାନଙ୍କର ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ। ସୋମାନଙ୍କ ସହ ମଧ୍ୟାନ୍ନ ଭୋଜନରେ ସାମିଲ ହୋଇ ଭାତ, ସୋୟାବଡ଼ି ତରକାରୀ ଖାଇଥିଲେ ଏବଂ ସେଠାରେ କିଛି ସମୟ ଅତିବାହିତ କରିଥିଲେ l ସେମାନଙ୍କ ସହିତ ଆଲୋଚନା ଅତି ସୁନ୍ଦର ଅନୁଭୂତି ଥିଲା ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଛନ୍ତି। ଏହାପରେ ସେ ହରିଶଙ୍କର ଯାଇ ମନ୍ଦିର ପରିଦର୍ଶନ କରିବା ସହ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀର ବିକାଶ ନିମନ୍ତେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ସେଠାରେ ମିଶନ ଶକ୍ତି ପାନ୍ଥନିବାସ ପରିଦର୍ଶନ କରି ମିଶନ ଶକ୍ତି କେଫ୍ ସହ ପାର୍କିଂ ଅଂଚଳ ପରିଚାଳନା କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରି ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ।

ପରେ ପରେ ସେ ବଲାଙ୍ଗିରର ଜୀବନ ରେଖା କୁହାଯାଉଥିବା ନିର୍ମାଣାଧିନ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଚଳିତ ବର୍ଷ ଏହି ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଇଂଜିନିୟରିଂ ଟିମ୍ ଓ ନିର୍ମାଣ ସଂସ୍ଥାର ସମସ୍ତ କର୍ମଚାରୀ ଦିନରାତି ପରିଶ୍ରମ କରି ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାରୁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଆମେ ଡ୍ରୋନ୍, ହ୍ୱାଟ୍ସସ ଆପ୍ ଭଳି ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରି ସବୁ ସମୟରେ ଏହି ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସଂପର୍କରେ ସ୍ଥିତି ଅନୁଧ୍ୟାନ କରୁଛୁ।

ଆଗାମୀ ଜୁଲାଇ ମାସରୁ ଆମେ ବର୍ଷାଜଳକୁ ରଖିପାରିବୁ ବୋଲି ଶ୍ରୀମତୀ ଗର୍ଗ ସୂଚନା ଦେଇଥିଲେ। ଏହି ପ୍ରକଳ୍ପ ଦ୍ୱାରା ୪୦ହଜାର ହେକ୍ଟର ଜମିକୁ ଜଳ ସେଚନ ସୁବିଧା ମିଳିବା ସହ ବଲାଙ୍ଗୀରବାସୀଙ୍କୁ ଜଳାଭାବ ଦୂର କରିବାରେ ସହାୟକ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକରଙ୍କ ସମେତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥାନୀୟ ସର୍କିଟ ହାଉସ ଠାରେ ପହଞ୍ଚି ସେଠାରେ ବଲାଙ୍ଗିର ଜିଲ୍ଲାରେ ଜଳ ସମ୍ପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସମେତ ମେଗା ଲିଫ୍ଟ ପ୍ରକଳ୍ପ ,ଉଠା ଜଳସେଚନ ପ୍ରକଳ୍ପ , କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଗ୍ରଗତି ଓ କାର୍ଯ୍ୟକାରିତା ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଥିଲେ।

ଏହି ସମୀକ୍ଷା ବୈଠକରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚଡ୍ଡା , ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ,ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ,ମୁଖ୍ୟ ଯନ୍ତ୍ରୀ -ତେଲ ବେସିନ ସନ୍ତୋଷ କୁମାର ମହାପାତ୍ର , ମୁଖ୍ୟ ଯନ୍ତ୍ରୀ (ଯୋଜନା ଓ ନକ୍ସାଙ୍କନ ) ସାଗର ମହାନ୍ତି ,ମୁଖ୍ୟ ଯନ୍ତ୍ରୀ-କ୍ଷୁଦ୍ର ଜଳସେଚନ ବସନ୍ତ ରାଉତ,ମୁଖ୍ୟ ଯନ୍ତ୍ରୀ ଡ୍ୟାମ ନିରାପତ୍ତା- ଶିବାଶିଷ ପାଢୀ ,ମୁଖ୍ୟ ଯନ୍ତ୍ରୀ ମେଗା ଲିଫ୍ଟ ଚିନ୍ମୟ ରାଉତ ,ଓଡିଶା ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ଦାସ, ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ସଂପୃକ୍ତ ବିଭିନ୍ନ ଶାଖାର ଯନ୍ତ୍ରୀ ଓ ପଦାଧିକାରୀ ଉପସ୍ଥିତ ଥିଲେ।

ବଲାଙ୍ଗିର ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଆଜି ସକାଳେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନ ଶିଶୁ ଯତ୍ନ ଅନୁଷ୍ଠାନ ପରିଦର୍ଶନ କରିଥିଲେ। ଉନ୍ନୟନ କମିଶନରଙ୍କ ସହ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଚଡ୍ଡା , ଜିଲ୍ଲାପାଳ ଶ୍ରୀ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ଉନ୍ନୟନ କମିଶନର ଅନ୍ତେବାସୀମାନଙ୍କୁ ସେମାନଙ୍କର ରହିବା ,ଖାଇବା ,ଯତ୍ନ ,ପାଠପଢା ତଥା ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବୁଝିବା ସହ ସେମାନକୁ ଉତ୍ସାହିତ କରିଥିଲେ। ଅନ୍ତେବାସୀ ମାନେ ରହୁଥିବା ବାଳକ ଓ ବାଳିକା ହଷ୍ଟେଲ ଓ ରୋଷେଇ ଶାଳା ପରିଦର୍ଶନ କରିବା ସହ ସେଠାରେ ଥିବା ସିଲେଇ ତାଲିମ କେନ୍ଦ୍ର ଓ ଯତ୍ନ ପରବର୍ତ୍ତୀ କେନ୍ଦ୍ର ( ପୋଷ୍ଟ କେୟାର ସେଣ୍ଟର) ପରିଦର୍ଶନ କରିଥିଲେ।

ପାର୍ବତୀ ଗିରି ବାଳ ନିକେତନର ଦିବ୍ୟାଙ୍ଗ ଅନ୍ତେବାସୀ ପାୟଲ ନାଗ ନିଜ ପାଟିରେ ଆଙ୍କିଥିବା ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଫୋଟୋଚିତ୍ର କୁ ଉନ୍ନୟନ କମିଶନରଙ୍କୁ ଭେଟି ଦେଇଥିଲେ। ଅନ୍ତେବାସୀ ମାନଙ୍କୁ ଉନ୍ନୟନ କମିଶନର, ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଓ ଜିଲ୍ଲାପାଳ ମିଷ୍ଠାନ ବଣ୍ଟନ କରିଥିଲେ। ପରେ ପରେ ସେ ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ସ୍ଥିତ ସ୍ଳମ ରିଲୋକେସନ ସାଇଟ ପରିଦର୍ଶନରେ ଯାଇ ଜାଗା ମିଶନ କଲୋନୀ ବୁଲି ଦେଖିଥିଲେ। ସେଠାରେ ଦୟାନିଧି ବାଗ କରିଥିବା ସଂପୂର୍ଣ୍ଣ ଘର କୁ ବୁଲିଦେଖିବା ସହ ଉପସ୍ଥିତ ହିତାଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସେଠାରୁ ଉନ୍ନୟନ କମିଶନର ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଟିଟିଲାଗଡ ଅଭିମୁଖେ ଯାଇଥିଲେ। ଟିଟିଲାଗଡ ଠାରେ ନୂତନ ଭାବେ ନିର୍ମାଣାଧୀନ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ପରିଦର୍ଶନ କରିବା ସହ ଏହାର ନିର୍ମାଣ କାର୍ଯ୍ୟ ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ବିଭାଗୀୟ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପିପଲପଦର ଯାଇ ସେଠାରେ ପ୍ରତିଷ୍ଠା ହୋଇଥିବା ମେଗା ଛତୁଆ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ଏହାର ପରିଚାଳନା ଦାୟିତ୍ଵ ନେଇଥିବା ମିଶନ ଶକ୍ତି ବ୍ଲକ ସ୍ତରୀୟ ମହାସଂଘ, ଟିଟିଲାଗଡର ସଦସ୍ୟା ମାନଙ୍କ ସହ ଛତୁଆ ପ୍ରସ୍ତୁତି ପ୍ରଣାଳୀ, ପ୍ୟାକେଜିଙ୍ଗ ଓ ଗୁଣବତ୍ତା ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ୟୁନିଟ ଦ୍ଵାରା ପ୍ରସ୍ତୁତ ଛତୁଆକୁ ଉନ୍ନୟନ କମିଶନର ନିଜେ ସ୍ଵାଦନେବା ସହ ଛତୁଆର ଗୁଣବତ୍ତାକୁ ପ୍ରଶଂସା କରି ଏହା ବଜାୟ ରଖିବା ନିମନ୍ତେ ମିଶନ ଶକ୍ତିର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଥିଲେ। ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟ କୋଠା ଓ ମେଗା ଛତୁଆ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ ସମୟରେ ଜଳ ସମ୍ପଦ ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ଥିଲେ। ପରେ ଉନ୍ନୟନ କମିଶନର ଓ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ମୁରିବାହାଲ ଯାଇ ନିୟନ୍ତ୍ରିତ ବଜାର କମିଟି ପରିସରରେ ଥିବା ପିଆଜ ଷ୍ଟୋରେଜ କେନ୍ଦ୍ର ପରିଦର୍ଶନ କରିଥିଲେ।

ଏହି କେନ୍ଦ୍ର କୃଷି ଉତ୍ପାଦନ କ୍ଲଷ୍ଟର ଅନ୍ତର୍ଗତ ମିଳିତ ଉତ୍ଥାନ ପ୍ରଡ୍ୟୁସର କମ୍ପାନୀ ଦ୍ୱାରା ପରିଚାଳନା କରାଯାଉଛି। ସେଠାରେ ସେ ଅଞ୍ଚଳର ସଫଳ ଚାଷୀ ଓ ପ୍ରଡ୍ୟୁସର କମ୍ପାନୀର ସଦସ୍ୟାଙ୍କ ସହ ପିଆଜର ସଂରକ୍ଷଣ ଓ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ସେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବାଗବାହାଲ ଗ୍ରାମକୁ ଯାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା କରାଯାଇଥିବା ପିଆଜ ଓ ପନିପରିବା ଚାଷ ସମ୍ପର୍କରେ ଆଲୋଚନା କରିବା ସହ ସେମାନଙ୍କ ଆତ୍ମବିଶ୍ଵାସକୁ ପ୍ରଶଂସା କରିଥିଲେ।

ନୂତନ ଅମଳ ପରବର୍ତ୍ତୀ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଥିବା ସହାୟତା ସମ୍ପର୍କରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ କୃଷି ଉତ୍ପାଦକ ସଂଗଠନକୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ। ଉନ୍ନୟନ କମିଶନରଙ୍କ ଆଜିର ଟିଟିଲାଗଡ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ,ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢୀଙ୍କ ସମେତ ସମ୍ପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଦିବସ ପାଳନ ଉପଲକ୍ଷେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ବର୍ଷ ଓଡିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନ ୨ୟ ମହଲା ସମ୍ମିଳନୀ କକ୍ଷରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସବିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ଗୌରବ ବହନ କରୁଥିବା ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ନେଇ ନୂଆ ନୂଆ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ସମସ୍ତଙ୍କଠାରୁ ପ୍ରସ୍ତାବ ଲୋଡିଥିଲେ।

ବୈଠକରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଭୁବନେଶ୍ୱର ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପାଓ୍ୱାର ପଏଣ୍ଟ ଉପସ୍ଥାପନ ମାଧ୍ୟମରେ ଚଳିତ ବର୍ଷ ଓଡିଶା ଦିବସ ପାଳନ ସଂପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଓଡିଶା ଦିବସ ଭୁବନେଶ୍ୱର ଉତ୍କଳ ସଂଗୀତ ମହାବିଦ୍ୟାଳୟ ନିକଟସ୍ଥ ଉତ୍କଳ ମଣ୍ଡପ ଠାରେ ପାଳନ କରାଯିବ। ସେହିପରି ଏହି ଦିବସ ଉପଲକ୍ଷେ ଏବର୍ଷ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଇତିହାସ ଓ ଓଡିଶାର ବରପୁତ୍ରମାନଙ୍କ ସଂପର୍କିତ ପ୍ରଦର୍ଶନୀ ଜୟଦେବ ଭବନରେ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନୀକୁ ଉତ୍କଳ ମଣ୍ଡପକୁ ସଂଧ୍ୟାରେ ଆସିବାକୁ ଥିବା ଦର୍ଶକ ଓ ଛାତ୍ରଛାତ୍ରୀମାନେ ଯେପରି ଦେଖି ପାରିବେ, ସେଥିପାଇଁ ଏଠାରେ ଇ-ପ୍ରଦର୍ଶନୀ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ସେହିପରି ଜିଲ୍ଲାସ୍ତରରେ ଏହି ଉତ୍ସବକୁ ଅଧିକ ଭଲ ଭାବେ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ “୫-ଟି” ରୂପାନ୍ତରିତ ସ୍କୁଲ ସମେତ ଅନ୍ୟ ସ୍କୁଲରେ ମଧ୍ୟ ଓଡିଶା ଦିବସ ଉତ୍ସବକୁ ଅଧିକ ଭଲ ଭାବରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ପରୀକ୍ଷା ସମୟ ହୋଇଥିବାକୁ ଏ କ୍ଷେତ୍ରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ବିଦ୍ୟାଳୟଗୁଡିକ ସହ ସମନ୍ୱୟ ରଖି ଉତ୍ସବ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଛାତ୍ରଛାତ୍ରୀମାନଙ୍କୁ ଓଡିଶାର ବରପୁତ୍ରମାନଙ୍କ ସମ୍ପର୍କରେ ଅଧିକରୁ ଅଧିକ ଜାଣିବା ପାଇଁ ସାମାଜିକ ଗଣମାଧ୍ୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଅନ୍ୟ ଆଲୋଚନା ମଧ୍ୟରେ ଏପ୍ରିଲ ୧ ତାରିଖ ସକାଳ ୬ ରୁ ୭ ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପୂର୍ବକ ପ୍ରଭାତଫେରୀ, ସଂଧ୍ୟାରେ ୬ ଟାରେ ଉତ୍କଳ ମଣ୍ଡପ ଠାରେ ସାଧାରଣ ସଭା ଏବଂ ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ, ନିରାପତ୍ତା ଓ ଯାନବାହନ ନିୟନ୍ତ୍ରଣ ବ୍ୟବସ୍ଥା, ସହରର ରାଜଭବନ, ବିଧାନସଭା ସୌଧ, ଲୋକସେବା ଭବନ, ଖାରବେଳ ଭବନ, ରବୀନ୍ଦ୍ର ମଣ୍ଡପ, ଜୟଦେବ ଭବନ ସମେତ ଅନ୍ୟାନ୍ୟ ସରକାରୀ କୋଠାଗୁଡିକର ଆଲୋକ ସଜ୍ଜା, ସଭାସ୍ଥଳ ପରିଚ୍ଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ଅଗ୍ମିଶମ ସେବା ବ୍ୟବସ୍ଥା, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ।

ନୂଆ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ଓଡିଶା ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ , ବିଭିନ୍ନ ସ୍ତରର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡିଆ ବକ୍ତୃତା ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ, ଭାରତୀୟ ରେଡକ୍ରସ, ଓଡିଶା ଶାଖା ତରଫରୁ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ପ୍ରଦାନ, ଉତ୍କଳ ମଣ୍ଡପ ସାଜସଜ୍ଜା ଓ ତୋରଣ ନିର୍ମାଣ, ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ ସହ ଗଣମାଧ୍ୟମରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ , ସହରରେ ଥିବା ଓଡିଶାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିସ୍ଥଳ ସଫେଇ ଓ ମାଲ୍ୟାର୍ପଣ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ପ୍ରକାଶନ ଏବଂ ଉନ୍ମୋଚନ ଆଦି ସଂପର୍କରେ ବୈଠକରେ ବିଶଦ୍ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡଃ. ସନ୍ତୋଷ ବାଲା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ବଲଓ୍ୱନ୍ତ ସିଂ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ସୁରେନ୍ଦ୍ରନାଥ ପରିଡାଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ ଆଇଏଏସ ଅନୁ ଗର୍ଗ ହେଲେ ଉନ୍ନୟନ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ସରକାର ବରିଷ୍ଠ ଆଇଏଏସ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି। ସେ ଆସନ୍ତା ମାର୍ଚ୍ଚ 1 ତାରିଖରେ ଦାୟିତ୍ବ ଗ୍ରହଣ କରିବେ। ସେ ମୁଖ୍ୟ ଶାସନ ସଚିବ ହେବା ପରେ ଉନ୍ନୟନ କମିସନର ଭାବେ ଅନୁ ଗର୍ଗଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ଅନୁ ଗର୍ଗଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ୟାହାରେ ଅଛନ୍ତି। ସେ ବର୍ତ୍ତମାନ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେ ଏହି ଦାୟିତ୍ବରେ ମଧ୍ୟ ରହିବେ। ସେହିପରି ତାଙ୍କୁ ଯୋଜନା ଏବଂ ସମନ୍ବୟ ବିଭାଗର ଅତିରିକ୍ତ ଶାସନ ସଚିବ ମଧ୍ୟ ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଦୀପ ଜେନା

ଭୁବନେଶ୍ୱର: ଆଜି ନୂଆ ଭର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ପ୍ରଦୀପ କୁମାର ଜେନା। ୧୯୮୯ ବ୍ୟାଚର ଏହି ଆଇଏଏସ୍ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି। ସୁରେଶ ମହାପାତ୍ର ମୁଖ୍ୟଶାସନ ସଚିବକୁ ଯିବା ପରେ ପ୍ରଦୀପ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଏହି ସମୟରେ ସେ ଫାଇଲିନ ବାତ୍ୟାକୁ ଠିକ ଭାବେ ମୁକାବିଲା କରିଥିଲେ। ଜଣେ ଦକ୍ଷ ଅଫିସର ଭାବେ ସେ ପ୍ରଶାସନ ମହଲରେ ବେଶ ପରିଚିତ।

Categories
ଆଜିର ଖବର ରାଜ୍ୟ ଖବର

କରୋନା ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ: ଉନ୍ନୟନ କମିଶନର

ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ସେମାନଙ୍କର ରହିବା, ଖାଇବା, ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ଦେବେ ବୋଲି କହିଛନ୍ତି ଉନ୍ନୟନ କମିଶନର। ସେହିପରି ଡାକ୍ତର, ଷ୍ଟାଫ୍‌ଙ୍କ ଖର୍ଚ୍ଚ ବି ସରକାର ବହନ କରୁଛନ୍ତି। ଷ୍ଟାଫ୍‌ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି। 14 ଦିନ ଡ୍ୟୁଟି ପରେ ଆଉ 14 ଦିନ କ୍ବାରେଣ୍ଟାଇନ୍‌ରେ ରହୁଛନ୍ତି। ସେଥିପାଇଁ ଡାକ୍ତରଙ୍କୁ ହୋଟେଲ୍‌, ଅନ୍ୟ ଷ୍ଟାଫ୍‌ଙ୍କୁ ହଷ୍ଟେଲ୍‌ରେ ରଖାଯାଉଛି। ଡାକ୍ତର, ଷ୍ଟାଫ୍‌ଙ୍କ ରହିବା, ଖାଇବା ଯାବତୀୟ ଖର୍ଚ୍ଚ ସରକାର ଦେଉଛନ୍ତି।