ଉନ୍ନୟନ କମିଶନରଙ୍କ ମେଗା ଲିଫ୍ଟ-ଏମଆଇଏସ ଓ “ଓଡ଼ିଶା ଜଳ ସମ୍ପଦ” ପ୍ରୟୋଗର ସମୀକ୍ଷା

Published: Aug 18, 2023, 11:45 pm IST
anugarg

ଭୁବନେଶ୍ବର: ୨୦୧୧-୧୨ ମସିହାରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପ୍ରଣୟନ କରାଯାଇଥିଲା, ଯେଉଁଥିରେ କି  ସେଚାଂଚଳ ଭିତରେ କିମ୍ବା ବାହାରେ ଥିବା ଉପରମୁଣ୍ଡକୁ ସ୍ଥାନୀୟ ଅବସ୍ଥିତି ଦୃଷ୍ଟିରୁ ଜଳସେଚନ ସୁବିଧା ନଥିବା ଅଂଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିଲା।

ବର୍ତ୍ତମାନ ସୁଦ୍ଧା ପାର୍ବତୀ ଗିରି ୧.୦ ଏବଂ ପାର୍ବତୀ ଗିରି ୨.୦   ପର୍ଯ୍ୟାୟରେ ୨୦୦ଟି ଯୋଜନା ସଂପୂର୍ଣ୍ଣ କରାଯାଇ  ପ୍ରାୟ  ୩,୨୪,୦୦୦  ହେକ୍ଟର ସେଚାଂଚଳକୁ ମେଗା ଲିଫ୍ଟ ପମ୍ପିଂ ଏବଂ ଚାପଯୁକ୍ତ ବୁନ୍ଦା ଜଳସେଚନ ବ୍ୟବସ୍ଥାରେ ଜଳସେଚନ ସୁବିଧା  କରାଯାଇ ପାରିଥିବା ବେଳେ ୪୯ଟି ନିର୍ମାଣାଧୀନ ରହିଛି।

ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡିକର ଦୈନନ୍ଦିନ ପରିଚାଳନା ଏବଂ ଚାଲୁଥିବା ଯୋଜନାଗୁଡ଼ିକର ଠିକ୍ ସମୟରେ ପରିଚାଳନା ଉପରେ ନଜର ରଖିବା ପାଇଁ ଆଇଟି ସକ୍ଷମଯୁକ୍ତ ପ୍ରକଳ୍ପ ପରିଚାଳନା ଜଳ ସମ୍ପଦ ବିଭାଗର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ୫-ଟି ଉପକ୍ରମ ଅଧୀନରେ ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ସହାୟତାରେ ଏକ ଜିଆଇଏସ୍ ଭିତ୍ତିକ ପରିଚାଳନା ସୂଚନା ପ୍ରଣାଳୀ ବିକଶିତ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଗତ ୧୭.୦୮.୨୦୨୩ରେ ଜଳ ସଂପଦ ବିଭାଗ ଏବଂ ଓକାକର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ରାଜୀବ ଭବନ ସମ୍ମିଳନୀ କକ୍ଷରେ ମେଗା ଲିଫ୍ଟ-ଏମ୍ଆଇଏସ୍ ପ୍ରୟୋଗର ଅଗ୍ରଗତି ସମୀକ୍ଷା କରିଥିଲେ। ଏହାର  ବିକାଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବା ବେଳେ ଖୁବଶୀଘ୍ର ଏହି ପୋର୍ଟାଲକୁ ବିଭାଗୀୟ ଅଧିକାରୀ ଓ ଓଡ଼ିଶାର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ବୋଲି ଜଣାପଡିଛି।

ସେହିପରି ଜଳସେଚନ ସେଚାଂଚଳ, ପ୍ରମୁଖ ଜଳଭଣ୍ଡାରଠାରୁ ଆରମ୍ଭ କରି ଚେକ୍ ଡ୍ୟାମ୍ ପର୍ଯ୍ୟନ୍ତ ଜଳସେଚନ କମାଣ୍ଡ, ଜଳ ସଂପଦ ବିଭାଗ ଦ୍ୱାରା ନିର୍ମିତ ଜଳାଶୟ, ଜଳଭଣ୍ଡାର, ବ୍ୟାରେଜ୍, କେନାଲ, ନଦୀ ଓ କେନାଲ ବନ୍ଧ, ଜଳସେଚନ ରାସ୍ତା, ବିଲ୍ଡିଂ ଇତ୍ୟାଦିର ମ୍ୟାପିଂ ପାଇଁ ଅନ୍ୟ ଏକ ଉପଗ୍ରହ ଭିତ୍ତିକ ଜିଆଇଏସ୍ ଆପ୍ଲିକେସନ୍ “ଓଡ଼ିଶା ଜଳ ସମ୍ପଦ” ନାମରେ ସଂଗଠିତ ଢଙ୍ଗରେ ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର  ସହଯୋଗରେ ବିକଶିତ କରାଯାଉଛି।ଏହି ଆପ୍ଲିକେସନ୍ ହେଉଛି ବିଭାଗର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇଟି ଏବଂ ୫-ଟି ଉପକ୍ରମ ପଦକ୍ଷେପ, ଯାହାର ପ୍ରୟୋଗ ସଂପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ସମୀକ୍ଷା କରିଥିଲେ।

Related posts