Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଗୁରୁତର ଥିବା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା, ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବାର ଲକ୍ଷ୍ୟ ନେଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଶନିବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ସମ୍ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗ ପକ୍ଷରୁ ଆୟୋଜିତ “କ୍ରିଟିକାଲ୍ କେୟାର ନର୍ସିଂ ଅପ୍‌ଡେଟ୍‌-୨୦୨୨” ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) ରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍‌ର ୬୦ ଜଣ ନର୍ସଙ୍କ ସମେତ ପ୍ରାୟ ୧୨୦ ଜଣ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଆୟୋଜନ କରିବା ଉପରେ ଜୋର ଦେଇଥିଲେ।

ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏଭଳି ସିଏମ୍‌ଇକୁ ଗୋଟିଏ ଦିନ ମଧ୍ୟରେ ସିମୀତ ନ ରଖି ନିୟମିତ ଭାବେ ପରିଚାଳନା କରିବା ନେଇ ମତ ବ୍ୟକ୍ତ କରିଥିଲେ।

ସେହିପରି କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶକ୍ତି ବେଦାନ୍ତ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ନର୍ସମାନଙ୍କ କାର୍ଯ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଆଇସିୟୁରେ ଭତି ର୍ ହୋଇଥିବା ରୋଗୀଙ୍କ ଚିକିତ୍ସା ଓ ସେବା ସୁଶୃଷା ଦିଗରେ ନର୍ସମାନଙ୍କ ଭୂମିକା ଅନେକ ଗୁରୁତ୍ୱପୂର୍ଣ୍ଣ।

ତେବେ ନର୍ସିଂ ପାଠ୍ୟକ୍ରମରେ ଏ ସମ୍ପର୍କିତ ଶିକ୍ଷା ପ୍ରଦାନ ବ୍ୟବସ୍ଥା ନାହିଁ। ତେଣୁ ଏଭଳି ସିଏମ୍‌ଇ ଦ୍ୱାରା ନର୍ସମାନଙ୍କୁ ଅଧିକ ପ୍ରଶିକ୍ଷିତ କରିହେବ ବୋଲି ଡାକ୍ତର ମିଶ୍ର କହିଛନ୍ତି। କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତି ପ୍ରଜ୍ଞା ଦଳବେହେରା ଯୋଗ ଦେଇ ନର୍ସମାନଙ୍କୁ ଫିଜିଓଥେରାପି ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ସେହିପରି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କ୍ରିଟିକାଲ୍ କେୟାର ବିଭାଗର ଡାକ୍ତର ସାଗରିକା ପଣ୍ଡା ଓ ଡାକ୍ତର ଅଭିଳାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଆଡିସ୍‌ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି ଶୋଭାମଞ୍ଜରୀ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ୱାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ପାରିବେ: ବିଶେଷଜ୍ଞ

ଭୁବନେଶ୍ୱର: ଶିଶୁ ମାନଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ କିନ୍ତୁ ନିରାଶାଜନକ ନୁହେଁ। ସଠିକ ସମୟରେ ଲକ୍ଷଣ ଚି଼ହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁ କର୍କଟ ରୋଗରୁ ଆରୋଗ୍ୟ ମିଳି ପାରିବ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡ଼ଃ ବିଜୟ କୁମାର ପାଣିଗ୍ରାହୀ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ଆଇଏମଏସ ଓ ସମ ହସ୍ପିଟାଲ ଏବଂ ଇଣ୍ଡିଆନ ଆସୋସିଏସନ ଅଫ ପେଡ଼ିଆଟ୍ରିକ୍ସ (ଓଡିଶା ଶାଖା) ର ମିଳିତ ସହଯୋଗରେ ଆୟୋଜିତ ପେଡିଆଟ୍ରିକ ହେମାଟୋଲୋଜି ଆଣ୍ଡ ଅଙ୍କୋଲୋଜି ମିଟ- ୨୦୨୧ ରେ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡ଼ଃ ପାଣିଗ୍ରାହୀ।

ଆଏପି ଓଡିଶା ଶାଖାର ସଭାପତି ଡ଼ଃ ପାଣିଗ୍ରାହୀ ଏହି ଅବସରରେ କହିଥିଲେ ଯେ ଶିଶୁ ମାନଙ୍କ କ୍ଷେତ୍ରରେ ମୁଖ୍ୟତଃ ରକ୍ତ କର୍କଟ, ମସ୍ତିଷ୍କ କର୍କଟ ଓ ଚକ୍ଷୁ କର୍କଟ ଭଳି ସମସ୍ୟା ଦେଖା ଦେଉଛି। ମାତ୍ର ରୋଗ ଯେତେ ଶୀଘ୍ର ଚି଼ହ୍ନଟ ହେବ ସେତେ ଶୀଘ୍ର ଚିକିତ୍ସା ଆରମ୍ଭ ହେବା ସହ ଶିଶୁ ଟି ଆରୋଗ୍ୟ ଲାଭ କରିପାରିବ। ବିଶେଷ କରି ରକ୍ତ କର୍କଟ ରୋଗରେ ଠିକ ସମୟରେ ଚିକିତ୍ସା ଆରମ୍ଭ କରାଗଲେ ଶିଶୁମାନେ ସୁସ୍ଥ ହେଉଛନ୍ତି ବୋଲି ଡ଼ଃ ପାଣିଗ୍ରାହୀ କହିଛନ୍ତି।

କୋଭିଡ ମହାମାରୀ ସମୟରେ ପରୀକ୍ଷା ନିରୀକ୍ଷା ନିମନ୍ତେ ଡାକ୍ତରଙ୍କ ପରାମର୍ଶ ଟେଲି କନସଲଟେସନ ମାଧ୍ୟମରେ ନେବାକୁ ଡକ୍ଟର ପାଣିଗ୍ରାହୀ କହିଥିଲେ।

କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ତଥା ସମ ହସ୍ପିଟାଲର ପେଡ଼ିଆଟ୍ରିକ ଅଙ୍କୋଲୋଜି ଆଣ୍ଡ ହେମାଟୋଲୋଜି ବିଭାଗର ପ୍ରଫେସର ଡ଼ଃ ସରୋଜ ପଣ୍ଡା କହିଥିଲେ ଯେ କର୍କଟ ରୋଗର ଆଗୁଆ ଚି଼ହ୍ନଟ, ସଠିକ ଓ ଉପଯୁକ୍ତ ଚିକିତ୍ସା ଦ୍ୱାରା ୮୦ ପ୍ରତିଶତ ଶିଶୁ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇ ପାରିବେ। ତେବେ ଏଥି ନିମନ୍ତେ ସଚେତନତା ଜରୁରୀ ବୋଲି ସେ କହିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅଡିସନାଲ ଡିନ ପ୍ରଫେସର ଅଜୟ ଜେନା, ଶିଶୁରୋଗ ବିଭାଗର ମୁଖ୍ୟ ଡ଼ଃ ମମତା ଦେବୀ ମହାନ୍ତି ଏବଂ କେନ୍ଦ୍ର ଆଇଏପି ର ଏକଜିକ୍ୟୁଟିଭ ବୋର୍ଡ ର ସଦସ୍ୟ ଡ଼ଃ ବିଶ୍ୱଜିତ ମିଶ୍ର ପ୍ରମୁଖ ଉପସ୍ଥିତି ରହି ବକ୍ତବ୍ୟ ରଖିଥିଲେ।

ଶିଶୁ କର୍କଟ ରୋଗ ସମ୍ବନ୍ଧୀୟ ୩ଟି ପ୍ରସଂଗକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ବିଶିଷ୍ଟ ଡାକ୍ତରଙ୍କ ସହ ପ୍ରାୟ ୧୦୦ ଜଣ ଯୋଗ ଦେଇଥିଲେ।