Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଟଳିଲା କି ବିପଦ? ଫେରୁଛନ୍ତି ୟୁକ୍ରେନ ସୀମାରେ ଅବସ୍ଥିତ ଋଷ ସୈନ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଗଭୀର ସଙ୍କଟ ମଧ୍ୟରେ ଏକ ବଡ଼ ଖବର ବାହାରକୁ ଆସୁଛି। ୟୁକ୍ରେନ ସୀମା ନିକଟରୁ ଋଷ ସୈନ୍ୟ ପଛକୁ ଫେରୁଛନ୍ତି। ୟୁକ୍ରେନ ସୀମାରେ ଅବସ୍ଥିତ ସୈନ୍ୟମାନେ ବେସକୁ ଫେରୁଛନ୍ତି।

ଆଜି ସକାଳେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ୟୁକ୍ରେନ ନିକଟରେ ଅବସ୍ଥାପିତ ସୈନ୍ୟବାହିନୀ ନିଜର ସମରାଭ୍ୟାସ ଶେଷ କରି ସେଠାରୁ ଚାଲିଯିବାକୁ ପ୍ରସ୍ତୁତ ହେଉଛନ୍ତି। ଋଷର ଆକ୍ରମଣକୁ ରୋକିବା ପାଇଁ ଦୀର୍ଘ ସମୟ ଧରି କୂଟନୈତିକ ପ୍ରୟାସ କରାଯାଉଥିଲା। କୂଟନୈତିକ ପ୍ରୟାସ ପରେ ଋଷ ଏହି ପଦକ୍ଷେପ ନେଇଛି। ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ମୁଖପାତ୍ର ଇଗୋର କୋନାଶେଙ୍କୋଭ ଋଷରଗଣମାଧ୍ୟମଙ୍କୁ କହିଛନ୍ତି ଯେ, ଦକ୍ଷିଣ ଏବଂ ପଶ୍ଚିମ ମିଲିଟାରୀ ଜିଲ୍ଲାର ୟୁନିଟ୍ ଗୁଡିକ କାର୍ଯ୍ୟ ସମାପ୍ତ କରିବା ପରେ ଆଜି ସୈନ୍ୟ ଚେକପଏଣ୍ଟରେ ରେଳ ଏବଂ ସଡ଼କ ପରିବହନରେ ଅସ୍ତ୍ରଶସ୍ତ୍ର ଏବଂ ସାମଗ୍ରୀ ଲୋଡ୍ କରିଛନ୍ତି। ଆଜି ସେମାନେ ଫେରିବା ଆରମ୍ଭ କରିବେ।

ତଥାପି, ବେସକୁ ଫେରିବାରେ କେତେ ୟୁନିଟ୍ ସାମିଲ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ଋଷର ସୈନ୍ୟ ପ୍ରତ୍ୟାହାର ଘୋଷଣା ଯୋଗୁଁ ସଙ୍କଟ ଦୂରହେବାର ସମ୍ଭାବନା ରହିଛି। ଏହି ପ୍ରସଙ୍ଗରେ ପ୍ରଥମ ପ୍ରତିକ୍ରିୟା ଜର୍ମାନ ଚାନସେଲର ଓଲାଫ ସ୍କୋଲଜଙ୍କଠାରୁ ଆସିପାରେ, କାରଣ ଜର୍ମାନ ଚାନ୍ସେଲର ମଙ୍ଗଳବାର ଦିନ ମସ୍କୋରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ ଉପସ୍ଥିତ ଥିଲେ।