Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ କେବଳ ଡିଗ୍ରୀ ରହିବା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମକୁ ଭାରତରେ ଜ୍ଞାନ ଓ ଦକ୍ଷତାର ଏକ ସୁପର ହାଇୱେ ନିର୍ମାଣ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ  ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ବଜାଜ ଫାଇନାନ୍ସ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଏକ ସାର୍ଟିଫିକେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଏମଓୟୁ ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ଯୁବବର୍ଗଙ୍କୁ ସଶକ୍ତ କରିବ। ବିଶ୍ୱସ୍ତରୀୟ ଦକ୍ଷତା ଦେଇ ଭବିଷ୍ୟତ ପାଇଁ ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ସହ ଆର୍ଥିକ କ୍ଷେତ୍ରରେ ବ୍ୟାପକ ଦକ୍ଷତା ସୃଷ୍ଟି କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ପାଇଁ ଥିବା ଦୂରଦୃଷ୍ଟି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଲୋକଙ୍କର ଦକ୍ଷତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ସହ ଯୋଡିଲେ ହିଁ ଦେଶ ଆଗକୁ ବଢିବ। ଆଜି ଦେଶରେ ଡିପିଆଇ ବା ଡିଜିଟାଲ ପବ୍ଲିକ ଇନଟ୍ରେଷ୍ଟ କାରଣରୁ ଦେଶ ଆଗକୁ ବଢୁଛି। ଭାରତର ଆର୍ଥିକ କ୍ଷେତ୍ର ମଜଭୂତ୍ ହେଉଛି। ଏକ ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ସୃଜନଶୀଳ ଚିନ୍ତାଧାରା ସହ ବିକଶିତ ଭାରତ ଗଠନରେ ଦକ୍ଷତା ବିକାଶ ଓ ଆର୍ଥିକ କ୍ଷେତ୍ରର ଯୋଗଦାନକୁ ଏକାଠି କରିବା ପାଇଁ ହେବ।  ବିଶ୍ୱସ୍ତରୀୟ ଦକ୍ଷତା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦେଶର ଯୁବବର୍ଗ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା ମନ୍ତ୍ରଣାଳୟର ସ୍ଵଚ୍ଛତା ଶପଥ ପାଠ

ଭୁବନେଶ୍ଵର: ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ ହେଲେ ୧୭୦ ଉଚ୍ଚ ଶିକ୍ଷାନୁଷ୍ଠାନ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ସଚିବ କେ ସଞ୍ଜୟ ମୂର୍ତ୍ତି ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଛନ୍ତି।

ଏହି ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଏବଂ ‘ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ପ୍ରସାରିତ କରିବାକୁ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କେ ସଞ୍ଜୟ ମୂର୍ତ୍ତି କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର କୁଳପତି/ନିର୍ଦ୍ଦେଶକ ମାନଙ୍କ ସହ ଏକ ବୈଠକ କରି ସେମାନଙ୍କୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ୩.୦, ‘ସ୍ଵଚ୍ଛତା ହି ସେବା’ ଅଭିଯାନ ଏବଂ ‘ମିଶନ ଲାଇଫ’ କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ବିଷୟରେ ସଚେତନ କରାଇଥିଲେ।

ଶୂନ୍ୟ ବର୍ଜ୍ୟବସ୍ତୁ ଅଭିଯାନ, ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ, ନିକଟସ୍ଥ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କାରଖାନା ପରିଦର୍ଶନ, ନିକଟସ୍ଥ ଅଞ୍ଚଳକୁ ସ୍ବଚ୍ଛ ରଖିବା ପାଇଁ ଶ୍ରମଦାନ ଭଳି ବାର୍ତ୍ତା ପ୍ରଚାର କରିବା ଏବଂ ଜୀବନର ସମସ୍ତ ଦିଗରେ ‘କମ୍ ଏବଂ ପୁନଃବ୍ୟବହାର’ ନୀତିକୁ ପ୍ରୋତ୍ସାହନ ଦେବା ପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ। ଏକତ୍ରିତ ହୋଇ ଏହି ଅଭିଯାନରେ ଅଂଶଗ୍ରହଣ କରିବାକୁ ସେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ କହିଥିଲେ। ଜି-୨୦ ନୂଆଦିଲ୍ଲୀ ନେତାଙ୍କ ଘୋଷଣାନାମାରେ ଦର୍ଶାଯାଇଥିବା ‘ମିଶନ ଲାଇଫ’ର ନୀତିକୁ ନିଜ ଅନୁଷ୍ଠାନରେ ଗ୍ରହଣ କରିବାକୁ ସେ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

ପାଖାପାଖି ୧୭୦ଟି ଏଚଇଆଇ, ୟୁଜିସି ଓ ଏଆଇସିଟିଇର ପ୍ରତିନିଧି ଭର୍ଚୁଆଲ୍ ମାଧ୍ୟମରେ ଏହି ବୈଠକରେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ବରର ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଓଡ଼ିଆ ଭାଷାରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ବାରା ପ୍ରକାଶିତ ଇଞ୍ଜିନିୟରିଂ ପୁସ୍ତକ କୁ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ। ଏହାଛଡ଼ା ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗଙ୍କ ଦ୍ବାରା ବିକଶିତ ଓଡ଼ିଆ ଭାଷାରେ ବୈଷୟିକ ଶବ୍ଦକୋଷ ଏବଂ ଇ-କୁମ୍ଭ (ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଜ୍ଞାନ) ପୋର୍ଟାଲକୁ ମଧ୍ୟ ରାଷ୍ଟ୍ରପତି ଉନ୍ମୋଚନ କରିଥିଲେ।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏସବୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ଉନ୍ମୋଚନ କରି ସେ ଆନନ୍ଦିତ। ସମସ୍ତଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ଦିଗରେ ଭାରତ ସରକାରଙ୍କ ଏହି ପଦକ୍ଷେପ ପ୍ରଶଂସନୀୟ। ଇଂରାଜୀ ଭାଷାରେ ବୈଷୟିକ ଶିକ୍ଷାକୁ ବୁଝିବା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ଏହି କାରଣରୁ ଜାତୀୟ ଶିକ୍ଷା ନୀତି -୨୦୨୦ରେ ସରକାର ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ଯୋଗାଇ ଦେବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। ମାତୃଭାଷାରେ ଶିକ୍ଷା ଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏହାଦ୍ବାରା ସମାନ ସୁଯୋଗ ମିଳିପାରିବ। ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେଉନଥିବାରୁ ପୂର୍ବରୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ କରିବା କ୍ଷେତ୍ରରେ ବାଧା ଉତ୍ପନ୍ନ ହେଉଥିଲା। ଏହି ବାଧା ଦୂର କରିବା କ୍ଷେତ୍ରରେ ଏଆଇସିଟିଇର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ରାଷ୍ଟ୍ରପତି କହିଥିଲେ ଯେ ଶିକ୍ଷା ହେଉଛି ସଶକ୍ତିକରଣର ଏକ ମାଧ୍ୟମ। ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତ୍ୟେକ ସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ ଆମେ ତାହା ସୁନିଶ୍ଚିତ କରିବା ଉଚିତ୍। ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଖରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଆମେ ଯଥାସମ୍ଭବ ପ୍ରୟାସ କରିବା ଉଚିତ୍‌। ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା କ୍ଷେତ୍ରରେ ଭାଷା ବାଧକ ନୁହେଁ ବରଂ ସହାୟକ ହେବା ଉଚିତ୍‌। ଆଞ୍ଚଳିକ ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଫଳରେ ଦୀର୍ଘସ୍ଥାୟୀ ଭିତ୍ତିରେ ଏକ ଶିକ୍ଷିତ, ସଚେତନ ଏବଂ ସକ୍ରିୟ ସମାଜ ଗଠନରେ ସହାୟତା ମିଳିପାରିବ।

ରାଷ୍ଟ୍ରପତି କହିଥିଲେ ଯେ, ଓଡ଼ିଆ ଏକ ପ୍ରାଚୀନ ଏବଂ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି। ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବ ନାହିଁ। ସେ କହିଥିଲେ ଯେ, ସବୁ ଭାରତୀୟ ଭାଷାରେ ଅଳ୍ପବହୁତ ଏଭଳି ସମ୍ଭାବନା ରହିଛି। ଜାତୀୟ ଶିକ୍ଷା ନୀତି -୨୦୨୦ରେ ସବୁ ଭାରତୀୟ ଭାଷାକୁ ସମାନ ଗୁରୁତ୍ବ ଦିଆଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ, ଭାରତୀୟ ଭାଷା କ୍ଷେତ୍ରରେ ଏହା ଏକ ନୂତନ ଯୁଗର ଆରମ୍ଭ କରିଛି।

ଏଥିପୂର୍ବରୁ, ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତପୋବନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହାପରେ, ସେ ପିଲାଦିନେ ପାଠ ପଢ଼ୁଥିବା ୟୁନିଟ୍‌-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସ୍କୁଲରେ ପଢ଼ିବା ବେଳେ ରହୁଥିବା ୟୁନିଟ୍‌-୨ କୁନ୍ତଳା କୁମାର ସାବତ ଆଦିବାସୀ ବାଳିକା ଛାତ୍ରୀନିବାସକୁ ଯାଇଥିଲେ। ରାଷ୍ଟ୍ରପତି ସେଠାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଛାତ୍ରୀନିବାସ ଅନ୍ତେବାସୀଙ୍କ ସହ ମତବିନିମୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଏଆଇସିଟିଇ ପୋର୍ଟାଲରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍‌ ସୁଯୋଗର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ପୋର୍ଟାଲରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପ୍ ସୁଯୋଗ ଦେବା ପାଇଁ ଏଆଇସିଟିଇ, ସିସ୍କୋ, ସେଲ୍ସଫୋର୍ସ, ମହାତ୍ମା ଗାନ୍ଧି କାଉନସିଲ ଫର୍ ରୁରାଲ ଏଜୁକେସନ(ଏମଜିଏନସିଆରଇ) ଏବଂ ଆରସବି ଟ୍ରାନ୍ସମିସନ ଇଣ୍ଡିଆ ଲିମିଟେଡ ମିଳିତ ଭାବରେ ଆଗେଇ ଆସିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଦେଶର ଯୁବପିଢିଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜକୁ ପ୍ରସ୍ତୁତ କରିବା ଦିଗରେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ଶିଳ୍ପ ସଂସ୍ଥା ସହ ଶିକ୍ଷାନୁଷ୍ଠାନକୁ ଯୋଡିବା ପାଇଁ ପ୍ରଧାନ୍ୟ ଦିଆଯାଇଛି। ୧ ଲକ୍ଷରୁ ଉର୍ଦ୍ଧ୍ୱ ଇଂଟର୍ଣ୍ଣସିପର ସୁଯୋଗ ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଦେଶର ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସଂସ୍ଥା ଇଂଟର୍ଣ୍ଣସିପର ସୁଯୋଗ ସମସ୍ତଙ୍କୁ ଦିଆଯାଉ, ଏପରି ଲକ୍ଷ୍ୟ ରଖିବା ଉଚିତ୍।

୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ। ଏଥିପାଇଁ ଭାରତ ରୋଡମ୍ୟାପ ପ୍ରସ୍ତୁତ କରୁଛି। ଏହି ସମୟ ଅବଧି ମଧ୍ୟରେ ଆମକୁ ମିଳିତ ଭାବରେ କାମ କରିବାର ଆବଶ୍ୟକତା ରହିଛି।

ଆଗାମୀ ୨ ରୁ ୩ ବର୍ଷରେ ୧୦ କୋଟି ଇଂଟର୍ଣ୍ଣସିପ ପ୍ରଦାନ କରିବା ଆମର ଲକ୍ଷ୍ୟ ହେବା ଦରକାର। ଏହା ଦ୍ୱାରା ନିଯୁକ୍ତି କ୍ଷେତ୍ର ଗତିଶୀଳ ହେବ ଏବଂ ଅର୍ଥନୀତି ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତିା

ବର୍ତ୍ତମାନ ଶିଳ୍ପସଂସ୍ଥା ପ୍ରଶିକ୍ଷଣ, ସ୍କିଲିଂ ଏବଂ ରି ସ୍କିଲିଂର ଗୁରୁତ୍ୱକୁ ବୁଝିପାରୁଛନ୍ତି। ଏହା ସହ କମ୍ପାନୀ ତଥା ଶିଳ୍ପ ସଂସ୍ଥା ହ୍ୟୁମାନିଟିଜ୍ ଏବଂ ଟେକ୍ନୋଲୋଜିରେ ଇଂଟର୍ଣ୍ଣସିପ୍ ଦେବା ପାଇଁ ଆଗେଇ ଆସିବା ଦରକାର। ଏହାସହ ଏଆଇସିଟିଇକୁ ମଧ୍ୟ ଇଂଟର୍ଣ୍ଣସିପ ଇକୋସିଷ୍ଟମକୁ ଏକାଡେମିକ ବ୍ୟାଙ୍କ୍ ଅଫ୍‌ କ୍ରେଡିଟ୍ ସହ ଯୋଡି ସମସ୍ତ ବୟସର ବର୍ଗଙ୍କୁ ଇଂଟର୍ଣ୍ଣସିପ୍ ଏବଂ ଟ୍ରେନିଂ ଦେବା ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରୋତ୍ସାହିତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିଟ୍ ୩.୦ ଓ ଆଂଚଳିକ ଭାଷାରେ ଏଆଇସିଟିଇର ବୈଷୟିକ ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଶୁଭାରମ୍ଭ ହୋଇଥିବା ନିଟ୍ ୩.୦(ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ ବଂଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ ଠାରେ ସୋମବାର ନ୍ୟାସନାଲ ଏଜ୍ୟୁକେସିନାଲ ଏଲାଇନ୍ସ ଫର୍ ଟେକ୍ନୋଲୋଜି ବା ନିଟ୍ ୩.୦ ଏବଂ ଆଂଚଳିକ ଭାଷାରେ ଏଆଇସିଟିଇ ପ୍ରାପ୍ତ ବୈଷୟିକ ପୁସ୍ତକର ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ- ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ୍ ଇଡ଼ି-ଟେକ୍ କୋର୍ସ କୁପନ ବଂଟନ କରାଯାଇଛି। ସେଥିମଧ୍ୟରୁ ଓଡିଶାରେ ୩୩ ହଜାର ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍ ଏଡ଼ି-ଟେକ୍ କୋର୍ସ କୁପନ ବିତରଣ କରାଯାଇଛି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାତ୍ର ସମାଜକୁ ୨୦୨୨ ବର୍ଷ ଆରମ୍ଭର ସର୍ବଶ୍ରେଷ୍ଠ ଉପହାର।

ଭାଷା ହେଉଛି ଭାରତର ମୂଳଶକ୍ତି। ଭାଷାକୁ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ରେ ମାତୃଭାଷା ଏବଂ ଆଂଚଳିକ ଭାଷାରେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଆଜି ଶୁଭାରମ୍ଭ ହୋଇଥିବା ନିଟ୍ ୩.୦ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ। ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ୱାରା ଦେଶର ଛାତ୍ରଛାତ୍ରୀ ମାନଙ୍କୁ ସର୍ବୋତମ ବିକଶିତ ଶିକ୍ଷା ଏବଂ ବୈଷୟିକ ସମାଧାନ, ପାଠ୍ୟକ୍ରମ ତଥା ଆଂଚଳିକ ଭାଷାରେ ପ୍ରସ୍ତୁତ କରାଯାଇଥିବା ବୈଷୟିକ ପୁସ୍ତକ ପାଇଁ ଏକକ ପ୍ଲାଟଫର୍ମ ଯୋଗାଇବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ୍‌’ ହୋଇଛି। ତେଣୁ ଆମକୁ ଶିକ୍ଷାର କ୍ଷତି(ଲଣ୍ଣିଂ ଲସ୍‌) କୁ ଭରଣ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ। ଶିକ୍ଷା କ୍ଷତିକୁ ହ୍ରାସ କରିବା ପାଇଁ ଇ-କଂଟେଟ୍ ଏବଂ ନିଟ୍ ଭଳି ଡ଼ିଜିଟାଲ ଫ୍ରେମୱାର୍କ ଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି। ଭାରତ ଏବଂ ବିଶ୍ୱର ୫୮ଟି ଷ୍ଟାଟଅପ୍ ଏଡ୍‌-ଟେକ୍ କମ୍ପାନୀ ନିଟ୍ ସହ ସଂଶ୍ଲିଷ୍ଟ ଅଛନ୍ତି। ୧୦୦ଟି ପାଠ୍ୟକ୍ରମ, ଶିକ୍ଷାର ଗୁଣବତାକୁ ବଜାୟ ରଖିବା ପାଇଁ ଇ-ରିସୋର୍ସ, ରୋଜଗାର ପାଇଁ ଆବଶ୍ୟକୀୟ ଦକ୍ଷତାର ବିକାଶ ତଥା ଶିକ୍ଷାର କ୍ଷତିକୁ ଭରଣ କରିବା ଦିଗରେ ଏହି କମ୍ପାନୀ କାର୍ଯ୍ୟ କରୁଛନ୍ତି। ଛାତ୍ରଛାତ୍ରୀ ସମାଜ ବିଶେଷ ଭାବରେ ଆର୍ଥିକ
ଅନଗ୍ରସର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡିଜିଟାଲ ଡ଼ିଭାଇଡକୁ ସମାଧାନ କରିବା ଦିଗରେ ନିଟ୍  ଏକ ଗେମ୍ ଚେଞ୍ଜର ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ “ମୋ ଜୀବନ ସେବେ ସାର୍ଥକ ହେବ ଯେବେ ମୋର ରାଜ୍ୟ ଓଡ଼ିଶାର ସନ୍ଥ କବି ଭୀମ ଭୋଇ ଏବଂ ଆଦିକବି ସାରଳା ଦାସଙ୍କ ରଚିତ ସାହିତ୍ୟ ମରାଠୀ ଓ ତାଲିମ ଭାଷା ସମେତ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ କରି ପଢ଼ା ହେବ”।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକବଂଶ ଶତାବ୍ଦୀରେ ଭାରତ ବିଶ୍ୱର ଜ୍ଞାନ ଆଧାରିତ ଆବଶ୍ୟକତାକୁ ପୂରଣ କରିବ। ଏଆଇସିଟିକୁ ଦକ୍ଷତା କ୍ଷେତ୍ରରେ ଥିବା ସୁଯୋଗର ପୂର୍ଣ୍ଣ ବ୍ୟବହାର ପାଇଁ ନିଟକୁ ସ୍କିଲ ଇଣ୍ଡିଆ ସହ ମିଶି ପାଠ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ। ଏହି ପଦକ୍ଷେପ ନିଯୁକ୍ତିକୁ ଗତି ଦେବା ସହ ଯୁବପିଢ଼ିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ। ଏଆଇସିଟିଇ ଏବଂ ଏଡ୍‌-ଟେକ୍ କମ୍ପାନୀ ସ୍ୱଳ୍ପ
ମୂଲ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ଇ-ରିସୋର୍ସ ପ୍ରଦାନ କରିବା ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି।

ଏକବିଂଶ ଶତାବ୍ଦୀରେ ଭାରତ ବିଶ୍ୱ ଅର୍ଥନୀତିର ନେତୃତ୍ୱ ନେବ ଏବଂ ବାଣିଜ୍ୟ ଓ ଆର୍ôଥକ କାରବାର ପାଇଁ ସବୁଠୁ ଆକୃଷ୍ଟ ବଜାର ହେବ। ଆଂଚଳିକ ଭାଷାରେ ଶିକ୍ଷା ଯୁବପିଢିଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବା ସହ ସେମାନଙ୍କୁ ବୈଶ୍ୱିକ ନାଗରିକ ଭାବେ ପ୍ରସ୍ତୁତ କରିବ। ଶିକ୍ଷାର ଉପଲବ୍ଧି ଏବଂ ସୁଲଭ ମୂଲ୍ୟରେ ଶିକ୍ଷା ପ୍ରଦାନ କରିବା ପାଇଁ ସମସ୍ତ ଏଡ-ଟେକ୍ନିକାଲ ନେଇଥିବା ପଦକ୍ଷେପ ସ୍ୱାଗତଯୋଗ୍ୟ।

ଏହି କାର୍ଯ୍ୟକ୍ରମରେ ଏଆଇସିଟିଇର ଚେୟାରମ୍ୟାନ ପ୍ରଫେସର ଅନିଲ ଡି ପ୍ରଫେସର ସହସ୍ର ବୁଦ୍ଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।