Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଏକାମ୍ର ହାଟଠାରେ ଚାଲିଛି ସ୍ୱତନ୍ତ୍ର ହସ୍ତତନ୍ତ ମେଳା, ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଆୟୋଜିତ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୨’କୁ ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ପୋହି (POHI) ୨୦୨୨-୨୩ ଯୋଜନାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟଠାରେ ଅନୁଷ୍ଠିତ ଏହି ମେଳା ଜନସାଧାରଣଙ୍କ ନିମନ୍ତେ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଜ୍ୟରେ ଥିବା ବିଭିନ୍ନ ହସ୍ତତନ୍ତ ସମିତି, ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକରେ ଜଡ଼ିତ ଥିବା ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି ସହ ବୁଣାକାରମାନଙ୍କୁ ନିୟମିତ କାମ ଯୋଗାଇଦେବା ନିମନ୍ତେ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ହିସାବରେ ଏହି ମେଳା ଆୟୋଜିତ ହୋଇଛି।

ଏହି ମେଳାରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ଼, ଢେଙ୍କାନାଳ, ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗିର ଓ ବୌଦ୍ଧ ବୟନମଣ୍ଡଳମାନଙ୍କରୁ ଆସିଥିବା ୩୫ଟି ସମବାୟ ସମିତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଏବଂ ବିକ୍ରୟ କରିବେ।

ଏଥି ନିମନ୍ତେ ସେମାନଙ୍କୁ ୩୪ଟି ଦେୟମୁକ୍ତ ଷ୍ଟଲ ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦିତ ହସ୍ତତନ୍ତ ଲୁଗା ଉପରେ ଗ୍ରାହକମାନଙ୍କୁ ୧୦ ପ୍ରତିଶତରୁ ୨୦ ପ୍ରତିଶତ ସରକାରୀ ରିହାତି ପ୍ରଦାନ କରାଯାଉଛି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶୋଭନ କି୍ରଷ୍ଣା ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିିବ ଶ୍ରୀ ସରୋଜ ପଟେଲ, ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶିଶିର କୁମାର ନାଗ, ସଭାପତି ଶ୍ରୀ ସମ୍ବିତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସମିତିର ବାଣିଜ୍ୟ ଅଧିକାରୀ ଶ୍ରୀ ହେମନ୍ତ କୁମାର ମିଶ୍ର ସଂଯୋଜନା କରିଥିଲେ।

ପ୍ରକାଶଯୋଗ୍ୟ ଯେ ଏକାମ୍ର ହାଟରେ ଅକେଫାବର ୨ରୁ ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୭୧ ଜଣ ହସ୍ତତନ୍ତ ବୁଣାକାର/ସଂସ୍ଥା ଓ ୮୭୬ ଜଣ ହସ୍ତଶିଳ୍ପ କାରିଗର ଯଥାକ୍ରମେ ୭୯୩.୫୬ ଲକ୍ଷ ଟଙ୍କା ଏବଂ ୬୩୩.୩୨ ଲକ୍ଷ ଟଙ୍କାର ବିକ୍ରିବଟା କରିଛନ୍ତି। ଏଠାରେ ଥିବା ଫୁଡ୍‌ ଷ୍ଟଲମାନଙ୍କରେ ମଧ୍ୟ ୨୭୫.୪୩ ଲକ୍ଷ ଟଙ୍କାର କାରବାର ହୋଇଛି। ଏହି ଅବଧି ମଧ୍ୟରେ ହାଟକୁ ୨.୧୭ ଲକ୍ଷ ଲୋକ ଆସିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରରେ ଆରମ୍ଭ ହେଲା ମୃତ୍ତିକା ହସ୍ତଶିଳ୍ପ ବା ଟେରାକୋଟା ପ୍ରଦର୍ଶନୀ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଆଜି ସନ୍ଧ୍ୟାରେ ‘ମୃତ୍ତିକା-୨୨’ ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଛନ୍ତି। ଚଳିତ ବର୍ଷ ଦୀପାବଳିକୁ ଦୃଷ୍ଟିରେ ରଖି ‘ମୃତ୍ତିକା-୨୨’ ନାମରେ ଏହି ପ୍ରଦର୍ଶନୀ ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟ, ଭୁବନେଶ୍ୱରଠାରେ ଅକ୍ଟୋବର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଛି।

ଏହି ଅବସରରେ ୧୨୫ଟି ଷ୍ଟଲର ବ୍ୟବସ୍ଥା କରାଯାଇ ୨୫୦ରୁ ଉର୍ଦ୍ଧ କାରିଗରମାନଙ୍କୁ ବିନା ଦେୟରେ ପ୍ରଦାନ କରାଯାଉଛି। ଅଂଶଗ୍ରହଣ କରୁଥିବା ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସୁବର୍ଣ୍ଣପୁର, ବରଗଡ଼, ରାୟଗଡ଼ା, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ମୟୂରଭଞ୍ଜ, ଜଗତସିଂହପୁର, ଭଦ୍ରକ, କଟକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼, କୋରାପୁଟ, ଗଜପତି, ଅନୁଗୋଳ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଓ ନୂଆପଡ଼ା। ଏହି ପ୍ରଦର୍ଶନୀ ମାଧ୍ୟମରେ ପ୍ରାୟ ୧୭୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ ଟେରାକୋଟା ସାମଗ୍ରୀ ବିକ୍ରି ହେବାର ଆକଳନ କରାଯାଇଛି ।

ଏହି ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି, ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ବିଭାଗୀୟ ଅତିରିକ୍ତ ସଚିବ ବିକ୍ରମାଦିତ୍ୟ ବାରିକ, ମୃତ୍ତିକା ଶିଳ୍ପୀ ଅଞ୍ଜୁଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦ୍‌ଘାଟନୀ ଉତ୍ସବରେ ଶ୍ରଦ୍ଧାଞ୍ଜଳି ରାଉଳ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ଓ ଲୋକନୃତ୍ୟ ପରିବେଷିତ ହୋଇଥିଲା।

ଟେରାକୋଟା ସାମଗ୍ରୀଗୁଡ଼ିକର ବିକ୍ରିବଟାର ସହାୟତା ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ୨୦୦୬ ମସିହାଠାରୁ ‘ମୃତ୍ତିକା’ ନାମରେ ଏହି ବାର୍ଷିକ ପ୍ରଦର୍ଶନୀ ଆୟୋଜିତ ହୋଇଆସୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜମୁଛି ଏକ୍ରାମ ହାଟରେ ଚାଲିଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ଭୁବନେଶ୍ୱର: ଏକାମ୍ର ହାଟରେ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ଓଡ଼ିଶା ଦ୍ୱାରା ଜୁଲାଇ ୨୧ ତାରିଖଠାରୁ ଏକ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କାରିଗରମାନେ ସେମାନଙ୍କ ଦ୍ୱାରା ଉତ୍ପାଦିତ ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ଚାନ୍ଦୁଆ କାମ, ବାଉଁଶ କାମ, କାଠ ଖୋଦେଇ, ଲାଖ କାମ, କାଇଁଚ, ଶିଙ୍ଘ କାମ, ଟେରାକୋଟା, ରୂପା ତାରକଶି ଭଳି ୧୯ଟି ହସ୍ତଶିଳ୍ପର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।

ଏହି ପ୍ରଦର୍ଶନୀରେ ଭାଗ ନେଇଥିବା କାରିଗରମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ ଆଜି ସନ୍ଧ୍ୟାରେ ଏକାମ୍ର ହାଟ ପରିଦର୍ଶନ କରିଥିଲେ । ତାଙ୍କ ସହିତ ବରି ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ, ବ୍ରଜରାଜନଗର ବିଧାୟିକା ଶ୍ରୀମତୀ ଅଳକା ମହାନ୍ତି ଓ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହନ୍ତ ପ୍ରଦର୍ଶନୀ ପରିଦର୍ଶନ କରି କାରିଗରମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ ନୂଆ ରୂପରେ ଏକାମ୍ର ହାଟ ଭୁବନେଶ୍ୱରର ଲୋକାର୍ପଣ ହେବା ପରେ କାରିଗର, ବୁଣାକାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ସମବାୟ ସମିତିମାନଙ୍କର ବ୍ୟବସାୟ ବୃଦ୍ଧି ନିମନ୍ତେ ଏହି ହାଟରେ ବିଭିନ୍ନ ସମୟରେ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି । ପରିଦର୍ଶକମାନେ ଏହି ହାଟରେ ଥିବା ସମୁଦାୟ ୮୩ଟି ଷ୍ଟଲରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରୁଛନ୍ତି ।

ଏଥି ମଧ୍ୟରୁ ଉତ୍କଳିକା, କଳାଭୂମି, ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଏବଂ ଓର୍‌ମାସ୍‌ ଭଳି ସଂସ୍ଥାମାନଙ୍କୁ ୮ଟି ଷ୍ଟଲ ଆବଣ୍ଟନ କରାଯାଇଛି । ଏତଦ୍‌ବ୍ୟତୀତ ଏହି ହାଟରେ ଦର୍ଶକମାନଙ୍କ ପାଇଁ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ଉପଲବ୍ଧ କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଉପଲବ୍ଧ କରାଯାଉଛି ।

ସେହିପରି ପରିଦର୍ଶକ,ପ୍ରଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଞ୍ଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଉପଲବ୍ଧ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଦର୍ଶନୀ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଚାଲିଛି ହସ୍ତତନ୍ତ ବଜାର, କରୋନା ସମୟରେ ମଧ୍ୟ ଗ୍ରାହକଙ୍କ ବଢୁଛି ଆଗ୍ରହ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱରସ୍ଥିତ ଏକାମ୍ର ହାଟରେ ‘ବୟନିକା’ ଦ୍ୱାରା ହସ୍ତତନ୍ତ ବଜାର ଗତ ୨୫ ତାରିଖରୁ ଚଳିତ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବଜାରକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଆଜି ପରିଦର୍ଶନ କରିଥିଲେ । ତାଙ୍କ ସହିତ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ, ‘ବୟନିକା’ର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଓ ଅନ୍ୟାନ୍ୟ ପଦାଧିକାରୀମାନେ ମଧ୍ୟ ପରିଦର୍ଶନ କରିଥିଲେ ।

ବଜାରରେ ‘ବୟନିକା’ ବ୍ୟତୀତ ୧୪ଟି ବୟନମଣ୍ଡଳର ୩୩ଟି ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶିତ ଓ ବିକ୍ରୟ ହେଉଛି । ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାର ବାନ୍ଧ ଶାଢ଼ି, ବମକେଇ ଶାଢ଼ି, ବରଗଡ଼ ଜିଲ୍ଲାର କଟନ୍‌ ବାନ୍ଧ ଶାଢ଼ି, ବେଡ୍‌ସିଟ୍‌, ଆଠଗଡ଼ର ଖଣ୍ଡୁଆ ଓ ମାଣିଆବନ୍ଧ ଶାଢ଼ି, କଟକ ଗୋପାଳପୁରର ଟସର ବସ୍ତ୍ର, ବ୍ରହ୍ମପୁର ସୂତା ଶାଢ଼ି ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ ବସ୍ତ୍ର ଇତ୍ୟାଦି ଉପଲବ୍ଧ ହେଉଛି ।

ଏତଦ୍‌ବ୍ୟତୀତ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଉତ୍ପାଦିତ ବସ୍ତ୍ର ପ୍ରଦର୍ଶିତ କରାଯାଇଛି । ମନ୍ତ୍ରୀ ଶ୍ରୀମତୀ ଦିଆନ୍‌ ଓ ବିଭାଗୀୟ ଶାସନ ସଚିବ ପ୍ରତ୍ୟେକ ଷ୍ଟଲ ବୁଲି ବୁଣାକାରମାନେ ପ୍ରସ୍ତୁତ କରିଥିବା ନୂତନ ଡିଜାଇନ୍‌ର ବସ୍ତ୍ରଗୁଡ଼ିକ ଦେଖିବା ସହିତ ନୂତନ ଡିଜାଇନ୍‌ର ବସ୍ତ୍ର ବୁଣି ବୁଣାକାରମାନେ ଅଧିକ ଉପାର୍ଜନ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ଉପରୋକ୍ତ ୩୩ଟି ସମିତି ବ୍ୟତୀତ ଏକାମ୍ର କୁଟୀରରେ ଅନ୍ୟ ୪୪ଟି ପ୍ରାଥମିକ ସମିତି/ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ବଜାରରେ ଚଳିତ ମାସ ୧୫ ତାରିଖ ପର୍ଯ୍ୟନ୍ତ ଅଂଶଗ୍ରହଣ କରିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟହ ଏହି ହସ୍ତତନ୍ତ ବଜାରକୁ ଦର୍ଶକ ଓ ଗ୍ରାହକମାନେ ଆସି ସେମାନଙ୍କର ଆବଶ୍ୟକୀୟ ବସ୍ତ୍ର କ୍ରୟ କରୁଛନ୍ତି । ଡିସେମ୍ବର ୧ ତାରିଖ ସୁଦ୍ଧା ହସ୍ତତନ୍ତ ବଜାରରେ ୨୦ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ବିକ୍ରୟ ହୋଇଛି ।

କରୋନା ପରବର୍ତ୍ତୀ ସମୟରେ ଆୟୋଜିତ ହୋଇଥିବା ଏହି ହସ୍ତତନ୍ତ ବଜାର ବୁଣାକାରମାନଙ୍କର ଗଚ୍ଛିତ ଲୁଗା ବିକ୍ରିର ହେବାରେ ସହାୟକ ହୋଇଛି ବୋଲି ଅଂଶଗ୍ରହଣକାରୀ ବୁଣାକାରମାନେ ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଏକାମ୍ର ହାଟରେ ମାଟିର ଦୀପ ଓ ଟେରାକୋଟା ସାମଗ୍ରୀର ସମ୍ଭାର

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଏକାମ୍ର ହାଟ ଏବେ ନୂଆ ରୂପରେ। ଏକାମ୍ର ହାଟରେ ହସ୍ତଶିଳ୍ପ, ହସ୍ତତନ୍ତ, ଉତ୍କର୍ଷ କଳା ପ୍ରଦର୍ଶନ, ରୁଚିକର ଓଡ଼ିଆ ଖାଦ୍ୟ, ବିବିଧ ଭାରତୀୟ ବ୍ୟଞ୍ଜନ, କନ୍‌ଫରେନ୍ସ ହଲ୍‌, ମୁକ୍ତାକାଶ ରଙ୍ଗମଞ୍ଚ, ପାର୍କିଂ ଓ ଏଟିଏମ୍‌ର ସୁବିଧା ରହିଛି।

ଏକାମ୍ର ହାଟରେ ଦୀପାବଳି ଉପଲକ୍ଷେ ଦୀପ ଓ ଟେରାକୋଟା ସାମଗ୍ରୀର ବିଶେଷ ଆୟୋଜନ କରାଯାଇଛି। ଅକେଫାବର ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ବିଶେଷ ଆୟୋଜନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶିଳ୍ପୀ ଓ କାରିଗରମାନେ ମାଟିର ବିଭିନ୍ନ ସାମଗ୍ରୀ ଯଥା: ଦୀପ, ଘରକରଣା ସାମଗ୍ରୀ, ଘର ସଜାଇବା ସାମଗ୍ରୀ, ରଙ୍ଗବେରଙ୍ଗର କେ„ଇ, ଲେଡି ଦୀପ, ଗଣେଶ ଦୀପ, ଗଣେଶ ମୂର୍ତ୍ତି, ମୋଟୁପତଳୁ, ବୁଦ୍ଧମୂର୍ତ୍ତି, କଙ୍ଗାରୁ କୁଂପିିି, ହଂସ କୁଂପି, ମାଛ କୁଂପି, ଶଙ୍ଖ କୁଂପି, ଅମୃତଭଣ୍ଡା କୁଂପି, ଗୋଲ କୁଂପି, ଝୁଲା ଦୀପ ଷ୍ଟାଣ୍ଡ, ଦେଉଳ ଦୀପ ଷ୍ଟାଣ୍ଡ, ଲଣ୍ଠନ ଦୀପ ଷ୍ଟାଣ୍ଡ, ପଞ୍ଚଦୀପ, ଲାଇଟ୍‌ ପୋଷ୍ଟଷ୍ଟାଣ୍ଡ, ବ୍ରସଷ୍ଟାଣ୍ଡ, ଦୀପ, ମଶାଧୂପ ଷ୍ଟାଣ୍ଡ ଆଦି ସାମଗ୍ରୀ ଦର୍ଶକମାନଙ୍କୁ ବେଶ୍‌ ଆକୃଷ୍ଟ କରୁଛି।

ଏକାମ୍ର ହାଟରେ ଆଉ ମଧ୍ୟ ଗ୍ଲାସ, ଜଗ୍‌, ଦହିହାଣ୍ଡି, ପାଣିବୋତଲ, ମାଟିର କପ୍‌, ଶ୍ରୀଜଗନ୍ନାଥଙ୍କର ନବକଳେବର ରଥ, ରୋଷେଇ ସାମଗ୍ରୀ, ରଙ୍ଗୀନ ମୁ୍ୟଜିକ୍‌ ସେଟ୍‌, ମହାପୁରୁଷଙ୍କର ମାଟିର ମୂର୍ତ୍ତି ମାଟି ଚଢ଼େଇ,ହାତୀ ଦ୍ୱୀପ, ମାଟି ନିର୍ମିତ ବାଦ୍ୟ, ମାଟି ଲଣ୍ଠନ, ଡେଉଁଥିବା ବେଙ୍ଗ, ଲ୍ୟାମ୍ପ, ବଡ଼ ଫୁଲଦାନୀ, ଦୀପଦାନୀ, ମୟୁର ମୁଖା ଆଦି ଗ୍ରାହକମାନଙ୍କ ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି। ପୁଣି ମାଟିରେ ତିଆରି ୱାଟର ଫଲ୍‌ ଷ୍ଟାଲ୍‌ରେ ଭୀଡ଼ ହେଉଛି। ଏକାଥରକେ କାରିଗର ମାଟିପୋଡ଼ି ୧୦ରୁ ୨୦ଟି ଫାଉଣ୍ଟେନ୍‌ ଗଢ଼ିଥାନ୍ତି । ଏହି ମାଟି ତିଆରି ଫାଉଣ୍ଟେନ୍‌ ୧୮୦୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରୟ ହେଉଛି।

ଗତକାଲି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ଏକାମ୍ର ହାଟର ଟେରାକୋଟାର ବିଶେଷ ଆୟୋଜନ ପରିଦର୍ଶନ କରି କାରିଗରମାନଙ୍କ କଳାକୃତି ଦେଖି ତା’ର ଭୂୟସୀ ପ୍ରଶଂସା କରିଥିଲେ ଓ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ଏକାମ୍ର ହାଟ ପ୍ରତ୍ୟହ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଏକାମ୍ର ହାଟରେ ଟେରାକୋଟାର ବିଶେଷ ଆୟୋଜନ ଅକେଫାବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ବିଶେଷ ଖବର ରାଜ୍ୟ ଖବର

ନୂଆ ରୂପରେ ଖୋଲିଲା ‘ଏକାମ୍ର ହାଟ’; ୮୩ଟି ଷ୍ଟଲରେ ପ୍ରଦର୍ଶିତ ହେଉଛି ହସ୍ତଶିଳ୍ପ,ହସ୍ତତନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଥିବା ଅର୍ବାନ୍‌ ହାଟଗୁଡ଼ିକର ପରିଚାଳନା ଦାୟିତ୍ୱ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ନିଜ ହାତକୁ ନେବା ପରେ, ଭୁବନେଶ୍ୱର ୟୁନିଟ୍‌-୩ସ୍ଥିତ ଏକାମ୍ର ହାଟକୁ କାରିଗର ଓ ବୁଣାକାରମାନଙ୍କର ବ୍ୟବସାୟ ଉଦ୍ଦେଶ୍ୟରେ ନୂତନ ଭାବରେ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାର ହସ୍ତଶିଳ୍ପ ତଥା ବୁଣାକାରମାନଙ୍କୁ ସେମାନଙ୍କ ଉତ୍ପାଦିତ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବଜାର ପାଇଁ ସୁଯୋଗ ସୃଷ୍ଟି କରିବା ଏକାମ୍ର ହାଟର ମୁଖ୍ୟ ଉଦ୍ଦେଶ୍ୟ । ଏହା ମଧ୍ୟ କୋଭିଡ୍‌ ସମୟରେ ପ୍ରଭାବିତ ହୋଇଥିବା ହସ୍ତଶିଳ୍ପୀ ତଥା ବୁଣାକାରମାନଙ୍କ ମଧ୍ୟରେ ଆଶାର ନୂତନ କିରଣ ଭାବେ ଉଭା ହୋଇଛି ।

ହାଟକୁ ଦୁଇଟି ଜୋନ୍‌ରେ ବିଭକ୍ତ କରାଯାଇଛି, ଯଥା-‘ଏକାମ୍ର କୁଟୀର’, ଯେଉଁଠି ୮ଟି କଳା ପ୍ରଦର୍ଶନ ଷ୍ଟଲ ସହିତ ୫୦ଟି ଷ୍ଟଲ ଏବଂ ‘ଏକାମ୍ର ବଜାର’ ଯେଉଁଠି ଏକ ଖୋଲା ଜାଗା ପରିବେଷ୍ଟିତ ୩୩ଟି ଷ୍ଟଲ ଅଛି । ସମୁଦାୟ ୮୩ଟି ଷ୍ଟଲ ମଧ୍ୟରୁ ୫୬ଟି ହସ୍ତଶିଳ୍ପ ପାଇଁ ଓ ୨୭ଟି ହସ୍ତତନ୍ତ ପାଇଁ ଉଦ୍ଦିଷ୍ଟ ।

ପରିଦର୍ଶକମାନେ ଏକାମ୍ର ହାଟରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଉତ୍ପାଦିତ ପ୍ରକୃତ ହସ୍ତଶିଳ୍ପ ତଥା ହସ୍ତତନ୍ତ ସାମଗ୍ରୀ ପ୍ରତ୍ୟକ୍ଷ ଭାବେ ଦେଖିବା ଓ କିଣିବାର ସୁଯୋଗ ପାଇପାରିବେ ତଥା ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିପାରିବେ । ଏଠାରେ ହସ୍ତଶିଳ୍ପୀ ଓ ବୁଣାକାରମାନଙ୍କ ଦ୍ୱାରା ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରତ୍ୟକ୍ଷ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି, ଯଦ୍ଦ୍ୱାରା ପରିଦର୍ଶକମାନେ ଓଡ଼ିଶାର ହସ୍ତଶିଳ୍ପ ତଥା ହସ୍ତତନ୍ତର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ।

ଏହି ହାଟରେ ବୟନିକା, ଅମ୍ଳାନ, ସମ୍ବଲପୁରୀ ବସ୍ତ୍ରାଳୟ ଓ ଉତ୍କଳିକା ସଂସ୍ଥାମାନଙ୍କ ଷ୍ଟଲ ଖୋଲାଯାଇଛି । ଏକାମ୍ର ହାଟରେ ୧୦ଟି ସ୍ୱତନ୍ତ୍ର ଜଳପାନ ଷ୍ଟଲ ବ୍ୟବସ୍ଥା କରାଯାଇଛି । ସେହି ଷ୍ଟଲମାନଙ୍କରେ ପାରମ୍ପରିକ ଓଡ଼ିଆ ଖାଦ୍ୟ ସହିତ ଭାରତର ଅନ୍ୟାନ୍ୟ ପ୍ରାନ୍ତର ସୁସ୍ୱାଦୁ ଖାଦ୍ୟମାନ ଗୋଟିଏ ଛାତ ତଳେ ଉପଲବ୍ଧ କରାଯାଇଛି ।

ପରିଦର୍ଶକ, ପ୍ରଦର୍ଶକ, କ୍ରେତାମାନଙ୍କ ସୁବିଧା ନିମନ୍ତେ ଏକାମ୍ର ହାଟ ପରିସରରେ ସମ୍ମିଳନୀ କକ୍ଷ, ମୁକ୍ତାକାଶ ମଂଚ, ଏଟିଏମ୍‌, ପାର୍କିଂ ସ୍ଥଳ ଓ କିଓସ୍କ ଆଦିର ସୁବିଧା ଅଛି ।
ଏକାମ୍ର ହାଟ ଏପରି ଗୋଟିଏ ସୁନ୍ଦର ପରିକଳ୍ପନା ଯେଉଁଠାରେ ଓଡ଼ିଶା ରାଜ୍ୟର ପୁରାତନ ସଂସ୍କୃତି ଓ ପରମ୍ପରା ସହିତ ହସ୍ତଶିଳ୍ପ ଓ ହସ୍ତତନ୍ତ ତଥା ପାରମ୍ପରିକ ସୁସ୍ୱାଦୁ ଖାଦ୍ୟକୁ ଉପଲବ୍ଧ କରାଯାଇଛି ।

ଏକାମ୍ର ହାଟ ପ୍ରତ୍ୟେକ ଦିନ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମସ୍ତ କୋଭିଡ୍‌-୧୯ ନିୟମ ପାଳନ ସହିତ ଖୋଲା ରହିବ । ସରକାରଙ୍କ କୋଭିଡ୍‌ ନିୟମ ଅନୁଯାୟୀ ଅକେଫାବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଖୋଲିବା ସମୟରେ ପରିବର୍ତ୍ତନ କରାଯିବ । ଏକାମ୍ର ହାଟର ପରିଚାଳନା ଦାୟିତ୍ୱ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (ସିଡାକ୍‌) ଉପରେ ନ୍ୟସ୍ତ ହୋଇଛି ।