Categories
ଆଜିର ଖବର ଜାତୀୟ ଖବର

ଶ୍ରମିକଙ୍କ ପାଇଁ ବରଦାନ ପାଲଟିଛି ମନରେଗା ଓ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଜରିଆରେ ସାଧାରଣ ଶ୍ରମିକଙ୍କୁ ରୋଜଗାର ଗ୍ୟାରେଣ୍ଟି ଦେଉଛନ୍ତି ମୋଦୀ ସରକାର। ଅନ୍ୟପଟେ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଜରିଆରେ ପ୍ରବାସୀ ଶ୍ରମିକ ଦେଶର ଯେକୌଣସି ସ୍ଥାନରେ ରାସନ ପାଇପାରୁଛନ୍ତି। ମୋଦୀ ସରକାରଙ୍କ ଏ ଦୁଇଟି ଯୋଜନା ଶ୍ରମିକଙ୍କ ପାଇଁ ବରଦାନ ପାଲଟିବା ସହିତ ସେମାନଙ୍କ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରୁଛି।

ବର୍ତ୍ତମାନ ଓଡ଼ିଶାରେ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ନିଜର ଅନୁଭୂତି ପ୍ରକାଶ କରି ଶ୍ରମିକ ବର୍ଗର ଲୋକମାନେ ମନରେଗା ଓ ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାକୁ ପ୍ରଶଂସା କରିବା ସହିତ ଏହି ଦୁଇଟି ଯୋଜନାର ସୁଫଳ ପାଇଥିବାରୁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି। ନିକଟରେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଧୁଲିପୁଟ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ପହଞ୍ଚିବା ଅବସରରେ ସ୍ଥାନୀୟ ଶ୍ରମିକମାନେ ଏଥିରେ ସାମିଲ ହୋଇ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଥିଲା।

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ବର୍ଷକୁ ଅତିକମ୍‌ରେ ୧୦୦ ଦିନର ନିଶ୍ଚିତ ରୋଜଗାର ମିଳିପାରୁଛି । ଗତ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ମନରେଗା ଶ୍ରମିକମାନଙ୍କର ଦୈନିକ ମଜୁରି ବୃଦ୍ଧି କରିଥିଲେ ।  ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏକ ଚାହିଦା ଆଧାରିତ ରୋଜଗାର କାର୍ଯ୍ୟକ୍ରମ ଭାବେ ମନରେଗା ଯୋଜନାକୁ କାର୍ଯ୍ୟକାରୀ କରୁଛି । ଏହି ଯୋଜନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ କେନ୍ଦ୍ର ସରକାର କ୍ରମାଗତ ଭାବେ ପାଣ୍ଠି ଯୋଗାଇ ଦେଉଛନ୍ତି ଏବଂ କାମର ଚାହିଦା ଅନୁସାରେ ପାଣ୍ଠି ଯୋଗାଇ ଦିଆଯାଉଛି । କେବଳ ସେତିକି ନୁହେଁ ଠିକ୍‌ ସମୟରେ ଶ୍ରମିକଙ୍କୁ ମଜୁରି ପ୍ରଦାନ ସୁନିଶ୍ଚିତ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ୯୯.୧୨ ପ୍ରତିଶତ ମଜୁରି ପଇଠ ଆଦେଶ ୧୫ ଦିନ ମଧ୍ୟରେ ଜାରି କରାଯାଇଛି। ଜବକାର୍ଡଧାରୀ ମନରେଗା ଶ୍ରମିକଙ୍କୁ ଆଧାର ଆଧାରିତ ଅର୍ଥ ପଇଠ ବ୍ୟବସ୍ଥା ଜରିଆରେ ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ ସିଧାସଳଖ ଟଙ୍କା ଜମା କରାଯାଉଛି। ଏହାଦ୍ୱାରା ଶ୍ରମିକ ବର୍ଗଙ୍କ ଆର୍ଥିକ ସଶକ୍ତିକରଣ, ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ ହେଉଛି ।

ଅନ୍ୟପକ୍ଷରେ ଅଗଷ୍ଟ ୨୦୧୯ରେ ୪ଟି ରାଜ୍ୟରେ ଆରମ୍ଭ ହୋଇଥିବା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନା ଏବେ ସାରା ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଲାଗୁ ହୋଇଛି । ଏହା ଜରିଆରେ ପ୍ରାୟ ୧୦୦ ପ୍ରତିଶତ ବା ପ୍ରାୟ ୮୦ କୋଟି ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ରାସନ କାର୍ଡ ପୋର୍ଟେବଲିଟୀ ହୋଇପାରିଛି । ଫଳରେ ଶ୍ରମିକମାନେ ଦେଶର ଯେକୌଣସି ସ୍ଥାନରେ ନିଜର ରାସନ କାର୍ଡ ଦେଖାଇ ମାଗଣା ଖାଦ୍ୟଶସ୍ୟ ପାଇପାରୁଛନ୍ତି। ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଏକ ରାଷ୍ଟ୍ର ଏକ ରାସନ କାର୍ଡ ଯୋଜନାରେ ୧୨୫ କୋଟି ପୋର୍ଟେବଲିଟୀ କାରବାର ମାଧ୍ୟମରେ ୨୪୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଖାଦ୍ୟଶସ୍ୟ ବିତରଣ କରାଯାଇଛି, ଯେଉଁଥିରେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ହୋଇଥିବା କାରବାର ସାମିଲ ରହିଛି।