Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏନଏସଡିସି, ଏଆଇସିଟିଇ ଓ ବଜାଜ ଫାଇନାନ୍ସ ମଧ୍ୟରେ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆମେ ଏପରି ଏକ ଦୁନିଆରେ ରହୁଛୁ ଯେଉଁଠାରେ କେବଳ ଡିଗ୍ରୀ ରହିବା ଯଥେଷ୍ଟ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମକୁ ଭାରତରେ ଜ୍ଞାନ ଓ ଦକ୍ଷତାର ଏକ ସୁପର ହାଇୱେ ନିର୍ମାଣ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ  ଆର୍ଥିକ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଦେବା ପାଇଁ ସ୍ନାତକ ଯୁବପିଢିଙ୍କୁ ପ୍ରସ୍ତୁତ କରାଇବା ଦିଗରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସଡିସି) ସହ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଏବଂ ବଜାଜ ଫାଇନାନ୍ସ କମ୍ପାନୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ବ୍ୟାଙ୍କିଂ, ଫାଇନାନ୍ସ ଓ ବୀମା କ୍ଷେତ୍ରରେ ଏକ ସାର୍ଟିଫିକେଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଏମଓୟୁ ଶିକ୍ଷାନୁଷ୍ଠାନ-ଶିଳ୍ପାନୁଷ୍ଠାନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ଯୁବବର୍ଗଙ୍କୁ ସଶକ୍ତ କରିବ। ବିଶ୍ୱସ୍ତରୀୟ ଦକ୍ଷତା ଦେଇ ଭବିଷ୍ୟତ ପାଇଁ ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ସହ ଆର୍ଥିକ କ୍ଷେତ୍ରରେ ବ୍ୟାପକ ଦକ୍ଷତା ସୃଷ୍ଟି କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିକଶିତ ଭାରତ ପାଇଁ ଥିବା ଦୂରଦୃଷ୍ଟି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ।

ସେ କହିଛନ୍ତି ଲୋକଙ୍କର ଦକ୍ଷତା ବଢାଇବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍ ସ୍କିଲିଂ ସହ ଯୋଡିଲେ ହିଁ ଦେଶ ଆଗକୁ ବଢିବ। ଆଜି ଦେଶରେ ଡିପିଆଇ ବା ଡିଜିଟାଲ ପବ୍ଲିକ ଇନଟ୍ରେଷ୍ଟ କାରଣରୁ ଦେଶ ଆଗକୁ ବଢୁଛି। ଭାରତର ଆର୍ଥିକ କ୍ଷେତ୍ର ମଜଭୂତ୍ ହେଉଛି। ଏକ ବିକଶିତ ଭାରତ ପାଇଁ ଯୁବବର୍ଗଙ୍କ ସୃଜନଶୀଳ ଚିନ୍ତାଧାରା ସହ ବିକଶିତ ଭାରତ ଗଠନରେ ଦକ୍ଷତା ବିକାଶ ଓ ଆର୍ଥିକ କ୍ଷେତ୍ରର ଯୋଗଦାନକୁ ଏକାଠି କରିବା ପାଇଁ ହେବ।  ବିଶ୍ୱସ୍ତରୀୟ ଦକ୍ଷତା ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ଦେଶର ଯୁବବର୍ଗ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ପାଇଁ ଏମଓୟୁ, ଖୋଲିବ ୯ଟି ନୂଆ ତାଲିମ ପାଠ୍ୟକ୍ରମ

ଭୁବନେଶ୍ୱର: ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶାର ଅଭିଯାନ ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ରାଜ୍ୟର ଯୁବକଯୁବତୀଙ୍କୁ ଅତ୍ୟାଧୁନିକ ତଥା ଶିଳ୍ପ-ଉପଯୋଗୀ ତାଲିମ ଦେବା ପାଇଁ “ସ୍କିଲ୍ଡ ଇନ ଓଡ଼ିଶା” କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟ ସରକାର ବିଶ୍ୱ ଦକ୍ଷତା କେନ୍ଦ୍ର କାର୍ଯ୍ୟ ପରିସରକୁ ବ୍ୟାପକ କରିବାକୁ ଯାଉଛନ୍ତି। ଏହାର ଦ୍ୱିତୀୟ କ୍ୟାମ୍ପସର ସ୍ଥାପନା ଓ ପରିଚାଳନା ଲାଗି ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଗୁରୁବାର ଦିନ ଭୁବନେଶ୍ୱରଠାରେ ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଊଷା ପାଢ଼ୀ ଏବଂ ଆଇଟିଇଇଏସର ସିଇଓ ବ୍ରୁସ୍ ପୋହ ଦସ୍ତଖତ କରିଥିଲେ। ଏହି କାର୍ଯ୍ୟକ୍ରମ ବେଳେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଉପସ୍ଥିତ ଥିଲେ।

ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେଠାରେ ୯ଟି ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଦିଆଯିବ। ଏଥିରେ ରହିଛି ହସ୍ପିଟାଲିଟି – ଫୁଡ୍ ଆଣ୍ଡ ବେଭେରେଜ୍ ଅପରେସନସ୍‌, ହସ୍ପିଟାଲିଟି – ହୋଟେଲ ଅପରେସନସ୍‌, ଡିଜିଟାଲ ଆନିମେସନ, ହେଲଥ କେୟାର ଆସିଷ୍ଟାଣ୍ଟ ଟ୍ରେନିଙ୍ଗ, ଲଜିଷ୍ଟିକ୍ସ ଆଣ୍ଡ ସପ୍ଲାଏ ଚେନ୍ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଟେକ୍ନୋଲୋଜି, ଏରୋସ୍ପେସ୍ ଆଭିଓନିକ୍ସ, ମେରାଇନ ଇଞ୍ଜିନିୟରିଂ ଏବଂ ନର୍ସିଂ ଆଦି ବିଷୟ।

ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ପରିଚିତ ସିଙ୍ଗାପୁରସ୍ଥିତ ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ୱ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଲାଗି ଆଇଟିଇଇଏସ୍ ସହ ବିଶ୍ୱ ଦକ୍ଷତା କେନ୍ଦ୍ରର ଦ୍ୱିତୀୟ କ୍ୟାମ୍ପସ ଲାଗି ରାଜ୍ୟ ସରକାର ଏମଓୟୁ କରିଛନ୍ତି।

“ମହାରାଷ୍ଟ୍ର ପରେ ଓଡ଼ିଶା ଆଜି ଶିଳ୍ପ ବିକାଶ କ୍ଷେତ୍ରରେ ଭାରତର ଦ୍ୱିତୀୟ ରାଜ୍ୟ ଭାବେ ପରିଚିତ ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ତଥା ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ଛଡ଼ା ଓଡ଼ିଶାର ତାଲିମପ୍ରାପ୍ତ ଓ ଦକ୍ଷ ମାନବ ସମ୍ବଳ ଏହି ସଫଳତା ପଛର ଅନ୍ୟତମ କାରଣ। “ସ୍କିଲ୍ଡ ଇନ ଓଡ଼ିଶା” ଆଜି ସାରା ଦେଶରେ ଏକ ବିଶେଷ ପରିଚୟ ସୃଷ୍ଟି କରିଛି। ଓଡ଼ିଶାର ଯୁବପିଢ଼ିଙ୍କୁ ବିଶ୍ୱସ୍ତରୀୟ ତାଲିମ ଦେଇ ସେମାନଙ୍କ ସ୍ୱପ୍ନକୁ ସାକାର କରିବାରେ ଏହା ହୋଇଛି ଏକ ନୂଆ ବାଟ”, କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ।

ଏହି ଅବସରରେ ଆଇଟିଇ ଏଜୁକେସନ ସର୍ଭିସେସର ସିଇଓ ଏବଂ ଅନ୍ୟ ସଦସ୍ୟମାନେ ବିଶ୍ୱ ଦକ୍ଷତା କେନ୍ଦ୍ରର ବିଭିନ୍ନ ଲାବୋରେଟୋରି ବୁଲି ଦେଖିଥିଲେ । ଛାତ୍ରଛାତ୍ରୀମାନଙ୍କ ତାଲିମ ଓ ଦକ୍ଷତା ବିକାଶରେ ଏହା କିପରି ବିଶେଷ ସହାୟକ ହେଉଛି ସେ ବିଷୟରେ ସେମାନେ ପ୍ରଶିକ୍ଷକମାନଙ୍କଠାରୁ ପଚାରି ବୁଝିଥିଲେ ।

ଏମଓୟୁ ସ୍ୱାକ୍ଷର ବେଳେ ସୂଚନା ଓ ଲୋକସମ୍ପର୍କ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂ, ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଅଶ୍ୱଥୀ ଏସ୍‌, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ରେଘୁ ଜି, ଅତିରିକ୍ତ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରଣ ଗୋପାଳ, ଉପାଧ୍ୟକ୍ଷ ଡକ୍ଟର ଶୁଭଙ୍ଗ କିଶୋର ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ଅତ୍ୟାଧୁନିକ ତଥା ଶିଳ୍ପ ଉପଯୋଗୀ ପାଠ୍ୟକ୍ରମ, ବିଶ୍ୱସ୍ତରୀୟ ଲାବୋରେଟୋରି, ୮୦ ପ୍ରତିଶତ ପ୍ରାକ୍ଟିକାଲ ତାଲିମ ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଜୀବନ କୌଶଳ ତାଲିମ ବିଶ୍ୱ ଦକ୍ଷତା କେନ୍ଦ୍ରର ପ୍ରମୁଖ ଆକର୍ଷଣ । ତେଣୁ ଏହାର ଦ୍ୱିତୀୟ କ୍ୟାମ୍ପସ ଏବେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତାକୁ ସମସାମୟିକ ଏବଂ ପ୍ରତିଯୋଗିତାମୂଳକ କରିବାରେ ଆଉ ଏକ ପାହାଚ ହେବ ।

ରାଜ୍ୟ ସରକାରଙ୍କ \”ସ୍କିଲ୍ଡ ଇନ୍ ଓଡ଼ିଶା\’ ଅଭିଯାନ ଅଧୀନରେ ଭୁବନେଶ୍ୱରଠାରେ ୨୦୨୧ରୁ ଚାଲିଛି ବିଶ୍ୱ ଦକ୍ଷତା କେନ୍ଦ୍ର । \”ଫିନିସିଙ୍ଗ୍ ସ୍କୁଲ\’ ଢାଞ୍ଚାରେ ପରିଚାଳିତ ଏହି କେନ୍ଦ୍ର ଓଡ଼ିଶାର ଯୁବକ ଯୁବତୀମାନଙ୍କୁ ବିଭିନ୍ନ ବିଷୟରେ ତାଲିମ ଦେଇ ସେମାନଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ କାମ କରିବା ପାଇଁ ପ୍ରସ୍ତୁତ କରୁଛି । ଏଠାରେ ବର୍ତ୍ତମାନ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ବିଷୟରେ ବିଭିନ୍ନ ତାଲିମ ପାଠ୍ୟକ୍ରମ ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଆଇବିଏମ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ଲୋଲୋଜି କମ୍ପାନୀ ଆଇବିଏମ ମଧ୍ୟରେ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ଡିଜିଟାଲ ସ୍କିଲିଂ ଏବଂ ଉଭା ହେଉଥିବା ସ୍କିଲିଂକୁ ନେଇ ଏହି ଏମଓୟୁ ସ୍ୱାକ୍ଷର ହୋଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ବିଶାଳ ଓ ଯୁବ ଜନସଂଖ୍ୟା ସହ ଭାରତ ପର୍ଯ୍ୟାପ୍ତ ସମ୍ଭାବନା ହାସଲ କରିପାରିବା କ୍ଷେତ୍ରରେ ଶୀର୍ଷରେ ରହିଛି। ଏହି ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା ପାଇଁ ଆଜିର ଅଧୁନା କର୍ମକ୍ଷେତ୍ରରେ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଜରୁରୀ । ଏହି ସହଯୋଗ ଆମର ‘ସ୍କିଲ୍ ଇଣ୍ଡିଆ’ ଲକ୍ଷ୍ୟ ଏବଂ ଆଇବିଏମ୍ ସ୍କିଲ୍ସ ବିଲ୍ଡ ପ୍ଲାଟଫର୍ମ ବ୍ୟବହାର କରି ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ସୃଷ୍ଟି ହୋଇଥିବା ଏହି ଭାଗିଦାରୀ ଆମ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ସହ ସେମାନଙ୍କୁ ଭବିଷ୍ୟତର ଓ୍ୱେଲଥ୍ କ୍ରିଏଟର ଓ ସମାଜର ଉଦ୍ୟୋଗୀରେ ପରିଣତ କରିବାରେ ସହାୟକ ହେବ।

ଟେକ୍ନୋଲୋଜି ଏବଂ ଇନୋଭେସନ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି। ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତର ଦକ୍ଷତା ଇକୋସିଷ୍ଟମକୁ ଅଧିକ ପ୍ରାଥମିକତା ଦେଇଥିଲେ। ଜି-୨୦ ଫୋରମରେ ବିଶ୍ୱ ନେତୃତ୍ୱଙ୍କ ସହ ବିଶ୍ୱର ସ୍କିଲ୍ ମ୍ୟାପିଂ କରିବା ଭଳି ଚୁକ୍ତି ହୋଇଛି। ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ବିଚାରକୁ ପ୍ରଭାବିତ କରିବା ସହ ଜୀବନଶୈଳୀରେ ବ୍ୟପାକ ପରିବର୍ତ୍ତନ ଆଣୁଛି। ଟେକ୍ନୋଲୋଜି ଓ ଡିଜିଟାଲକରଣ ଆମ ଦୈନନ୍ଦିନ ଜୀବନର ଗୋଟିଏ ମାଧ୍ୟମ ହୋଇଛି। ଡିଜିଟାଲ ସାକ୍ଷରତା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇଛି । ଏଆଇ ଆମର ଅର୍ଥନୀତି ବ୍ୟବସ୍ଥା ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି।

ଆଜି ୮ଟି ଶିକ୍ଷଣ ସଂସ୍ଥା ଆଇବିଏମ ସହ ବୁଝାମଣା କରିଛନ୍ତି। ସ୍କିଲିଂ, ରି-ସ୍କିଲିଂ, ଅପ୍ ସ୍କିଲିଂ ଆମର ସର୍ବୋଚ୍ଚ ପ୍ରାଥମିକତା। ଦେଶର ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ କୁଶଳୀ କରିବା ପାଇଁ ଅନେକ ଯୋଜନା ହେଉଛି। ପ୍ରତି ସପ୍ତାହରେ ଚାଟ ଜିପିଟିର ନୂଆ ଭର୍ସନ ଆସୁଛି। ଆଜି ଏହାର ବହୁଳ ବ୍ୟବହାର ହେଉଛି। ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ଆଗାମୀ ଦିନରେ ବିଶ୍ୱର ଏକ ନମ୍ବର ଅର୍ଥନୀତି ମଧ୍ୟ ହେବ। ତେଣୁ ସମାଜକୁ ବର୍ତ୍ତମାନ ଠାରୁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି। ସେ ଦିଗରେ ଆଜିର ଏମଓୟୁ ଅନ୍ୟତମ ପଦକ୍ଷେପ। ଆଜିର ଯୁବପିଢିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଛି। ଏହା ହିଁ ନୂଆ ଭାରତ। ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଇବିଏମ ଭଳି ସଂସ୍ଥା ମଧ୍ୟ ଲାଭବାନ ହେବ। ସ୍କିଲିଂ ଇକୋସିଷ୍ଟମରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମ୍ୟାପିଂ କରାଯିବାର ବ୍ୟବସ୍ଥା ହୋଇଛି।

ପିଏମ ବିଶ୍ୱକର୍ମା ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଛନ୍ତି ।  ୧୮ଟି ପାରମ୍ପରିକ ତଥା କୌଳିକ ବୃତ୍ତିକୁ ଏହି ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି।  ଅର୍ଥାତ୍ ଶିଳ୍ପୀକାରଙ୍କୁ ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରାଇବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଆଇବିଏମ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ଆଇବିଏମ ସହଯୋଗ ହୋଇ କାର୍ଯ୍ୟକରିବ। ଏହାବ୍ୟତିତ ଆଇବିଏମ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସ୍କିଲିଂ ଏବଂ ବ୍ଲକ୍ ଚେନ୍ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯିବ।

Categories
ଆଜିର ଖବର ରାଜ୍ୟ ଖବର

ବ୍ୟାଙ୍କ ଓ ଓଡିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ସେପେଫମ୍ବର ୧୩, ୨୦୨୩ ତାରିଖରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ୬ଟି ପବ୍ଲିକ୍ ସେକଫର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ୍ ବରୋଦା ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି। ସିଏସପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ରାଜ୍ୟର ୬୭୯୮ ଜିପି ମଧ୍ୟରୁ ପ୍ରାୟ ଶତକଡା ୬୫ ଭାଗ ଜିପିରେ (୪୩୭୩ ଜିପି) ସ୍ଥାୟୀ ବ୍ୟାଙ୍କ ଶାଖା ନାହିଁ। ଆର୍ଥିକ ଅଗ୍ରସର ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ବ୍ୟାଙ୍କ ସେବା ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ରାଜ୍ୟର ପ୍ରତ୍ୟେକ ଜିପିଙ୍କୁ ଏକ ସ୍ଥାୟୀ ବ୍ୟାଙ୍କ ଶାଖା ଯୋଗାଇ ଦିଆଯିବା ଆବଶ୍ୟକ।

ତେଣୁ ଓଡିଶା ସରକାର ସିଏସ୍‌ପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ବ୍ୟାଙ୍କବିହୀନ ଜିପିକୁ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ରାଜ୍ୟର ସମସ୍ତ ବ୍ୟାଙ୍କବିହୀନ ଜିପିମାନଙ୍କୁ ଏହି ଯୋଜନାରେ ପର‌୍ୟ୍ୟାୟ କ୍ରମେ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାର ୫ ବର୍ଷ ପାଇଁ ବିନା ଭଡାରେ ବ୍ୟାଙ୍କିଙ୍ଗ ସ୍ଥାନ ପ୍ରଦାନ କରିବେ। ଏଥିସହିତ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଏବଂ ୩ ବର୍ଷ ପାଇଁ ରେକରିଙ୍ଗ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସର୍ବମୋଟ ୫୦୦ କୋଟି ଟଙ୍କା ଖର୍ଚ୍ଚର ଯୋଜନା ପ୍ରସ୍ତୁତ କରାଯାଇଛି।

ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ସଠିକ ରୂପଦେବା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ୫-ଟି ମନ୍ତ୍ର ଅନୁଯାୟୀ ଏହାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ସମସ୍ତ ଜିପିମାନଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ଏଭଳି ଏକ ଆଦର୍ଶ ମଡେଲ୍ ଗ୍ରହଣ କରିଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ ଅଟେ।

ଏହା ଦ୍ୱାରା ରାଜ୍ୟର ସମସ୍ତ ଅଣବ୍ୟାଙ୍କିଙ୍ଗ ଗ୍ରାମ ପଞ୍ଚାୟତରେ ରହୁଥିବା ଲୋକମାନେ ସୁବିଧାରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ୍ ସେବା ପାଇପାରିବେ। ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାମାନେ ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ଏବଂ ଠିକ୍ ସମୟରେ ସରକାରଙ୍କ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥାର ଲାଭ ପାଇ ପାରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଏମଓୟୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆବୁଧାବୀରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ(ଏମଓୟୁ) ହୋଇଛି। ଏହା ଦ୍ୱାରା ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ପଦକ୍ଷେପ ନୂଆ ଭାରତର ନୂତନତ୍ୱ ଓ ଦକ୍ଷତା କ୍ଷେତ୍ରରେ ଏକ ଉଦାହରଣ। ୟୁଏଇରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ସ୍ଥାପନ ହେବା ଭାରତ ଏବଂ ୟୁଏଇ ବନ୍ଧୁତ୍ୱର ଏକ ପ୍ରତିଫଳନ। ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତିରେ କଳ୍ପନାକୁ ବାସ୍ତବର ରୂପ ଦେବ ତଥା ଉଭୟ ଦେଶର ପାରସ୍ପରିକ ସମୃଦ୍ଧି ଏବଂ ବିଶ୍ୱର ବିକାଶ ଦିଗରେ ଜ୍ଞାନଶକ୍ତିର ଉପଯୋଗ ପାଇଁ ଏହା ଏକ ନୂତନ ଢାଞ୍ଚା ସ୍ଥାପିତ କରିବ। ଭାରତ ଓ ୟୁଏଇର ରଣନୈତିକ ଭାଗିଦାରୀ ସୁଦୃଢ ହେବ। ଭାରତୀୟ ଓ ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଉଲ୍ଲେଖନୀୟ ଯେ, ନିକଟରେ ଗତ ୧୦ ତାରିଖରେ ଆଇଆଇଟି ଦିଲ୍ଲୀ ଠାରେ ୟୁଏଇର ପ୍ରାଥମିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ସାରା ମୁସଲ୍ଲମଙ୍କୁ ସାକ୍ଷାତ୍ କରିବା ଅବସରରେ ଆବୁଧାବୀରେ ଦିଲ୍ଲୀର ଆଇଆଇଟି କ୍ୟାମ୍ପସ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ। ଏହା ପୂର୍ବରୁ ଗତ ୭ ତାରିଖରେ ବିଦେଶରେ ଆଇଆଇଟିର ସର୍ବପ୍ରଥମ କ୍ୟାମ୍ପସ ତଥା ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି ମାଡ୍ରାସର କ୍ୟାମ୍ପସ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।