Categories
ଆଞ୍ଚଳିକ

ବାଲୁଗାଁରୁ ଏସଡିପିଓ ଏବଂ ଟାଟା ପାୱାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରଣକୁ ଜୋରଦାର ବିରୋଧ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡିଆ ସ୍ଥିତ ସହିଦ କୃତିବାସ ଭବନ ଠାରେ ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦାବି କରି ଆସୁଥିବା କ୍ରିୟାନୁଷ୍ଠାନ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସଭାପତି ନଳିନୀକାନ୍ତ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ମିଟୁ ନାୟକ, ରବି ନାୟକ, ଉପ ସଭାପତି ଭଗବାନ ପ୍ରଧାନ, ସାଧାରଣ ସମ୍ପାଦକ ମୁରଲୀ ସାମନ୍ତସିଂହାର, ବରିଷ୍ଠ ସାମ୍ବାଦିକ ରାଧାକୃଷ୍ଣ ରାମ, ବୀରଭଦ୍ର କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

କ୍ରିୟାନୁଷ୍ଠାନ କମିଟି ତରଫରୁ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକ ଦୀର୍ଘ ଚାରି ଦଶନ୍ଧି ଧରି ବାଣପୁରକୁ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବା ଲାଗି ବାଣପୁର ଜନ ସାଧାରଣ ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା କେଉଁ ଆଧାରରେ ଏବଂ କାହା ସ୍ୱାର୍ଥରେ ବାଲୁଗାଁରୁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ ପାଇଁ ଷଡଯନ୍ତ୍ର ଚାଲିଛି ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ଉକ୍ତ ଖବର ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ କ୍ଷୁବ୍ଧ କରିବା ସହ ଏହାଦ୍ୱାରା ବାଣପୁର ବାଲୁଗାଁ ଅଂଚଳର ଶତକଡା ୮୦ ଭାଗ ଲୋକ କ୍ଷତିଗ୍ରସ୍ତ ହେବେ।

ବାଣପୁର ବ୍ଲକରେ ନୀଳାଦ୍ରି ପ୍ରସାଦ ଓ ଦାମିଆ ବରବରା ଭଳି ଦୁଇ ଦୁଇଟି ଆଦିବାସୀ ଅଧୁଷିତ ପଞ୍ଚାୟତ ଥିବା ସତ୍ତ୍ୱେ ସରକାର ମସୁଧା କରି ଉପରୋକ୍ତ ଦୁଇଟି କାର୍ଯ୍ୟାଳୟକୁ ସ୍ଥାନାନ୍ତରଣ କରିବାକୁ ସ୍ଥିର କରିଥିବା ଶ୍ରୀଯୁକ୍ତ ପଟ୍ଟନାୟକ ଜଣାଇଥିଲେ। ତେଣୁ ଆଗାମୀ ଦିନରେ ଯଦି ସରକାର ବାଣପୁର ଅଞ୍ଚଳର ବାସିନ୍ଦାଙ୍କୁ ପ୍ରାଧାନ୍ୟ ନଦେଇ ରାଜସ୍ବ ଉପଖଣ୍ଡ ମାନ୍ୟତା ଦେବାରେ ପାତର ଅନ୍ତର କରନ୍ତି, ତେବେ ଚିଲିକା ନିର୍ବାଚନମଣ୍ଡଳୀରେ ଚକଅଖ ବନ୍ଦ ସହ ଜନସାଧାରଣଙ୍କ ସହଯୋଗରେ ଆଇନ ଅମାନ୍ୟ ଆନ୍ଦୋଳନ ଭଳି କଠୋର ପଦକ୍ଷେପ ଗ୍ରହଣ କରିବାକୁ କ୍ରିୟାନୁଷ୍ଠାନ କମିଟି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ ଦେଇଛି।

ଅନୁରୂପ ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଏବଂ ଟିପିସିଓଡ଼ିଏଲ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ତୁରନ୍ତ ବାତିଲ କରାଯାଉ ବୋଲି ଦାବି କରିଛି କ୍ରିୟାନୁଷ୍ଠାନ କମିଟି।

Categories
ଆଜିର ଖବର ରାଜ୍ୟ ଖବର

ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ଏସଡିପିଓଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଉନ୍ମୋଚନ ଅପେକ୍ଷାରେ ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’। ଶ୍ରୀ ବାରିକ ରାଜ୍ୟର ଜଣେ ଦକ୍ଷ ପୋଲିସ ଅଧିକାରୀ ହୋଇଥିବା ବେଳେ ସେ ଜଣେ ଭଲ ଲେଖକ ଓ କବି ମଧ୍ୟ। ସମୟ ସମୟରେ ସେ କ୍ଷୁଦ୍ର କବିତା ଏବଂ ଅଣୁଗଳ୍ପ ଲେଖି ନିଜେ ଟ୍ୱିଟ୍ କରିଥାନ୍ତି। ତାଙ୍କର ଗଳ୍ପ କବିତା ଗୁଡିକ ପ୍ରାୟତଃ ସାମ୍ପ୍ରତିକ ସମାଜରେ ମାନବୀୟ ଦୃଷ୍ଟିଭଙ୍ଗୀକୁ ଇଙ୍ଗିତ କରିଥାଏ।

ବାଲୁଗାଁରେ ଦୀର୍ଘ ଦୁଇ ବର୍ଷ ଚାକିରି ଜୀବନରେ ସାଉଁଟିଥିବା ଅଭିଜ୍ଞତା, କାହାଣୀ ଓ ଚରିତ୍ର ମାନଙ୍କୁ ମଧ୍ୟରାତ୍ରିରେ କାଳ୍ପନିକ ରୂପ ଦେଇ ଉକ୍ତ ପୁସ୍ତକରେ ଆହୁରି ଉଜ୍ଜୀବିତ କରିଛନ୍ତି ସେ। ଦୁଇ ଚାରି ମାସ ଭିତରେ ଏହି ଗଳ୍ପ ଗୁଡିକୁ ଜୀବନ୍ତ କରି ଗଢ଼ିଛନ୍ତି ଯାହାର ସମ୍ପୂର୍ଣ୍ଣ ସଂକଳନ ଆସନ୍ତା ୧୭ ତାରିଖରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଅଡିଟୋରିଅମ ହଲରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉକ୍ତ ପୁସ୍ତକ ଉନ୍ମୋଚନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବାରିକ।

ଏହାର ମୂଲ୍ୟ ମାତ୍ର ୧୨୯ ଟଙ୍କା ରହିଥିବା ବେଳେ ୧୭ ତାରିଖ ପରେ ଏହା ଅଗ୍ରଣୀ ଅନଲାଇନ ସଂସ୍ଥା ଆମାଜନରେ ଉପଲବ୍ଧ ହେବ। ଭୁବନେଶ୍ୱରସ୍ଥିତ ପଶ୍ଚିମା ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଉକ୍ତ ପୁସ୍ତକରେ ସମୁଦାୟ ୨୦୭ ଟି ଅଣୁଗଳ୍ପ ଅଛି। ସବୁଠାରୁ କ୍ଷୁଦ୍ର ଗଳ୍ପ ଗୋଟିଏ ବାକ୍ୟରେ ଏବଂ ଦୀର୍ଘତମ ଗଳ୍ପ ପାଞ୍ଚଗୋଟି ବାକ୍ୟରେ ସମାପ୍ତ ହୋଇଛି।

ଉକ୍ତ ପୁସ୍ତକ କୋଡିଏ ଗୋଟି ଥିମକୁ ନେଇ ଗଠିତ ହୋଇଥିବା ବେଳେ ପ୍ରତ୍ୟେକ ଥିମରେ ଦଶଗୋଟି ଅଣୁଗଳ୍ପ ରହିଅଛି। ପ୍ରତ୍ୟେକ ଗଳ୍ପରେ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ବାର୍ତ୍ତା ଲୁଚି ରହିଛି। ଆଙ୍ଗୀକ ଦୃଷ୍ଟିରୁ ମୁଖ୍ୟତଃ ଚିତ୍ରକଳ୍ପରେ ପରିପୂର୍ଣ୍ଣ ଆଉ ଆତ୍ମିକ ଦୃଷ୍ଟିରୁ ବାସ୍ତବଧର୍ମୀ ଘଟଣା ସବୁ ନିହିତ ଅଛି ବୋଲି କହିଛନ୍ତି ଶ୍ରୀ ବାରିକ।

ଅନେକାଂଶରେ ଟୁଇଷ୍ଟ, ଟର୍ନ୍, ମୋହଭଙ୍ଗ ଏବଂ ଅଯୌକ୍ତିକ ବଦ୍ଧମୂଳ ଧାରଣା ମାନଙ୍କର ମୂଳୋତ୍ପାଟନରେ ଗଳ୍ପ ସବୁ ପର୍ଯ୍ୟବେସିତ ହୋଇଛି। ଉଦ୍ଦେଶ୍ୟ ସ୍ତରୀଭୂତ ସତ୍ୟ ମାନଙ୍କର ଅନାବରଣ କାରଣ ସତ୍ୟ କେବେ ବି ଏକମାତ୍ର ନିର୍ଦ୍ଧାରିତ ଧାରଣା ହୋଇ ନପାରେ ବୋଲି ଗାଳ୍ପିକଙ୍କର ମତ। ଗୋଟିଏ ବିଷୟ କେମିତି ଭିନ୍ନ ପରିସ୍ଥିତିରେ ଭିନ୍ନ ଅର୍ଥ ବହନ କରିପାରେ ତାହା ଅତି ସହଜରେ ଅଣୁଗଳ୍ପର ସ୍ଵଳ୍ପ କାୟାରେ ବଖାଣିବାର ଚେଷ୍ଟା କରିଛନ୍ତି ଶ୍ରୀ ବାରିକ୍। ଆଗରୁ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଏହାର ଝଲକ ପାଠକମାନେ ଦେଖିଥିବେ। ବହିର ପ୍ରଚ୍ଛଦପଟ୍ଟରୁ ଜଣା ପଡେ ଗାଳ୍ପିକ ସିନ୍ଧୁକୁ ବିନ୍ଦୁରେ ଦେଖେଇବାକୁ ଶ୍ରୀ ବାରିକ ଚେଷ୍ଟା କରିଛନ୍ତି।

ତେବେ ଚିଲିକା ଓ ବାଣପୁର ଏକ ଐତିହ୍ୟ ଭରା ମାଟି ହୋଇଥିବାବେଳେ ନିଜ କାର୍ଯ୍ୟକାଳ ମଧ୍ୟରେ ଏହି ମାଟିରେ ଉକ୍ତ ପୁସ୍ତକ ଲେଖିପାରିଥିବାରୁ ଖୁସି ଅନୁଭବ କରୁଛନ୍ତି ବୋଲି ଶ୍ରୀ ବାରିକ କହିଛନ୍ତି। ତେବେ ଉକ୍ତ ପୁସ୍ତକ ‘ଅଣୁଗଳ୍ପ ମାନସାଙ୍କ’ ସବୁ ବର୍ଗର ପାଠକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ବାଲୁଗାଁର ବିଦାୟୀ ଏସଡିପିଓ ମାନସ ରଞ୍ଜନ ବାରିକ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି।

ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି।

ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ତହସିଲଦାର ମନ୍ମଥ ବେହରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସହରର ବ୍ୟସ୍ତବହୁଳ ଅଞ୍ଚଳ ପଲଟନ ପଡିଆରେ ହୋଇଥିଲା କଡ଼ା କୋଭିଡ଼ ଏନ୍ଫୋର୍ସମେଣ୍ଟ।

ଖୋଦ ଏସଡ଼ିପିଓ ବଜାରରେ ବୁଲୁଥୁବା ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡି ଜବତ କରିଥିଲେ। ତତସହିତ ମାସ୍କ, ସାମାଜିକ ଦୂରତ୍ୱ ଏବଂ ହେଲମେଟ ଚେକିଂ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଉକ୍ତ ଏନ୍ଫୋର୍ସମେଣ୍ଟ ଜାରିରହିଥିବାବେଳେ ଆଜି ସର୍ବମୋଟ ୧୦ ଗୋଟି ଗାଡି ବାଣପୁର ପୋଲିସ ଦ୍ୱାରା ଜବତ ହେବା ସହ ପୋଲିସ, ତହସିଲ ଏବଂ ଏନଏସି ପ୍ରଶାସନଦ୍ୱାରା ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମଧ୍ୟ ଉକ୍ତ ଏନ୍ଫୋରଫସମେଣ୍ଟ ରେ ସାମିଲ ଥିଲେ।

ତେବେ ବିନା କାରଣରେ ଯେଉଁ ମାନେ ଗାଡି ଧରି ବଜାରକୁ ଆସିବେ ସେମାନଙ୍କ ଗାଡି ଆସନ୍ତାକାଲି ଠାରୁ ଜବତ କରାଯିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି। ତତସହିତ ଲକଡ଼ାଉନ ସମୟରେ ସରକାରଙ୍କ ଅନୁମତି ଥିବା ଦୋକାନୀମାନେ କେବଳ ନିଜ ଦୋକାନ ଖୋଲିବେ ଏବଂ ଯଦି କେହି ନିୟମକୁ ନମାନି ଦୋକାନ ଖୋଲିବେ ତେବେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏବଂ ପ୍ରଶାସନର ଆଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମାନିଆ ମାନେ ଛାନିଆ ହୋଇଥିବାବେଳେ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁର ନୂତନ ଏସଡିପିଓ ଭାବେ ଦାୟିତ୍ଵ ନେଲେ ଯୁବ ଓପିଏସ ମାନସ ରଞ୍ଜନ ବାରିକ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୂତନ ଏସ.ଡି.ପି.ଓ ଭାବେ ଯୋଗଦେଇଛନ୍ତି ଯୁବ ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ। ନିକଟରେ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜାନୁଆରୀ ୧ ରେ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବାରିକ। ବାଣପୁର, ବାଲୁଗାଁ, ନିରାକାରପୁର ଏବଂ ଟାଙ୍ଗୀ ପରି ଚାରି ଗୋଟି ଗୁରୁତ୍ୱପୂର୍ଣ ଥାନା ଶ୍ରୀ ବାରିକଙ୍କ  ପ୍ରତ୍ୟେକ୍ଷ ତତ୍ୱାବଧାନରେ ରହିବ।

ଜଣେ ଯୁବ କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ  ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବାରିକ। ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ଓଡ଼ିଶା ପୋଲିସ ସେବା(ଓ.ପି.ଏସ)ରେ ଯୋଗଦେଇ ଦୁଇ ବର୍ଷ ଟ୍ରେନିଂ ପରେ ୨୦୧୮ ରେ  ପ୍ରଥମେ ମାଲକାନଗିରି ଜିଲ୍ଲାର  ଚିତ୍ରକୋଣ୍ଡା ଏସ.ଡି.ପି.ଓ ରୂପେ ପୋଷ୍ଟିଙ୍ଗ ପାଇଥିଲେ ଶ୍ରୀ ବାରିକ ଏବଂ ଏହାପରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ଥିଲେ।

ଲକ ଡ଼ାଉନ ସମୟରେ ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ  କୋଭିଡ ଆଇନ ଅମାନିଆଙ୍କୁ ଅଭିନଵ ତରିକାରେ ଦଣ୍ଡ ଦେବା ହେଉ କିମ୍ବା କାନ୍ଧିବନ୍ଧ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଡ୍ରାଇଭରର ଜୀବନ ବଞ୍ଚାଇବା ପରି ବହୁ ଘଟଣା ଲାଗି ସେ ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସମୀକ୍ଷା ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ  କରାଯିବ, ବିଶେଷ କରି ଉଭୟ ସହରରେ ବଢୁଥିବା ଟ୍ରାଫିକ ସମସ୍ୟା, ଜାତୀୟ ରାଜପଥ ଡକାୟତି, ଚୋରି ଏବଂ ସାଇବର କ୍ରାଇମ ପରି ଅପରାଧର ମୁଳୋତ୍ପାଟନ ଉପରେ ଗୁରୁତ୍ଵ ଦେବେ ବୋଲି ଆମ ପ୍ରତିନିଧିଙ୍କୁ ଏସ.ଡି.ପି.ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।