ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି

Published: May 14, 2021, 1:35 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି।

ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି।

ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ତହସିଲଦାର ମନ୍ମଥ ବେହରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସହରର ବ୍ୟସ୍ତବହୁଳ ଅଞ୍ଚଳ ପଲଟନ ପଡିଆରେ ହୋଇଥିଲା କଡ଼ା କୋଭିଡ଼ ଏନ୍ଫୋର୍ସମେଣ୍ଟ।

ଖୋଦ ଏସଡ଼ିପିଓ ବଜାରରେ ବୁଲୁଥୁବା ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡି ଜବତ କରିଥିଲେ। ତତସହିତ ମାସ୍କ, ସାମାଜିକ ଦୂରତ୍ୱ ଏବଂ ହେଲମେଟ ଚେକିଂ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଉକ୍ତ ଏନ୍ଫୋର୍ସମେଣ୍ଟ ଜାରିରହିଥିବାବେଳେ ଆଜି ସର୍ବମୋଟ ୧୦ ଗୋଟି ଗାଡି ବାଣପୁର ପୋଲିସ ଦ୍ୱାରା ଜବତ ହେବା ସହ ପୋଲିସ, ତହସିଲ ଏବଂ ଏନଏସି ପ୍ରଶାସନଦ୍ୱାରା ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମଧ୍ୟ ଉକ୍ତ ଏନ୍ଫୋରଫସମେଣ୍ଟ ରେ ସାମିଲ ଥିଲେ।

ତେବେ ବିନା କାରଣରେ ଯେଉଁ ମାନେ ଗାଡି ଧରି ବଜାରକୁ ଆସିବେ ସେମାନଙ୍କ ଗାଡି ଆସନ୍ତାକାଲି ଠାରୁ ଜବତ କରାଯିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି। ତତସହିତ ଲକଡ଼ାଉନ ସମୟରେ ସରକାରଙ୍କ ଅନୁମତି ଥିବା ଦୋକାନୀମାନେ କେବଳ ନିଜ ଦୋକାନ ଖୋଲିବେ ଏବଂ ଯଦି କେହି ନିୟମକୁ ନମାନି ଦୋକାନ ଖୋଲିବେ ତେବେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏବଂ ପ୍ରଶାସନର ଆଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମାନିଆ ମାନେ ଛାନିଆ ହୋଇଥିବାବେଳେ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।

Related posts