ବାଲୁଗାଁର ନୂତନ ଏସଡିପିଓ ଭାବେ ଦାୟିତ୍ଵ ନେଲେ ଯୁବ ଓପିଏସ ମାନସ ରଞ୍ଜନ ବାରିକ

Published: Jan 3, 2021, 8:40 pm IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୂତନ ଏସ.ଡି.ପି.ଓ ଭାବେ ଯୋଗଦେଇଛନ୍ତି ଯୁବ ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ। ନିକଟରେ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜାନୁଆରୀ ୧ ରେ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବାରିକ। ବାଣପୁର, ବାଲୁଗାଁ, ନିରାକାରପୁର ଏବଂ ଟାଙ୍ଗୀ ପରି ଚାରି ଗୋଟି ଗୁରୁତ୍ୱପୂର୍ଣ ଥାନା ଶ୍ରୀ ବାରିକଙ୍କ  ପ୍ରତ୍ୟେକ୍ଷ ତତ୍ୱାବଧାନରେ ରହିବ।

ଜଣେ ଯୁବ କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ  ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବାରିକ। ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ଓଡ଼ିଶା ପୋଲିସ ସେବା(ଓ.ପି.ଏସ)ରେ ଯୋଗଦେଇ ଦୁଇ ବର୍ଷ ଟ୍ରେନିଂ ପରେ ୨୦୧୮ ରେ  ପ୍ରଥମେ ମାଲକାନଗିରି ଜିଲ୍ଲାର  ଚିତ୍ରକୋଣ୍ଡା ଏସ.ଡି.ପି.ଓ ରୂପେ ପୋଷ୍ଟିଙ୍ଗ ପାଇଥିଲେ ଶ୍ରୀ ବାରିକ ଏବଂ ଏହାପରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏସ.ଡି.ପି.ଓ ଭାବେ କାର୍ଯ୍ୟରତ ଥିଲେ।

ଲକ ଡ଼ାଉନ ସମୟରେ ବାଲିଗୁଡା ଉପଖଣ୍ଡ ଅଞ୍ଚଳରେ  କୋଭିଡ ଆଇନ ଅମାନିଆଙ୍କୁ ଅଭିନଵ ତରିକାରେ ଦଣ୍ଡ ଦେବା ହେଉ କିମ୍ବା କାନ୍ଧିବନ୍ଧ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ଟ୍ରକ ଡ୍ରାଇଭରର ଜୀବନ ବଞ୍ଚାଇବା ପରି ବହୁ ଘଟଣା ଲାଗି ସେ ଅନେକ ଥର ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି।

ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ସମୀକ୍ଷା ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ବାଣପୁର ଏବଂ ବାଲୁଗାଁ ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ  କରାଯିବ, ବିଶେଷ କରି ଉଭୟ ସହରରେ ବଢୁଥିବା ଟ୍ରାଫିକ ସମସ୍ୟା, ଜାତୀୟ ରାଜପଥ ଡକାୟତି, ଚୋରି ଏବଂ ସାଇବର କ୍ରାଇମ ପରି ଅପରାଧର ମୁଳୋତ୍ପାଟନ ଉପରେ ଗୁରୁତ୍ଵ ଦେବେ ବୋଲି ଆମ ପ୍ରତିନିଧିଙ୍କୁ ଏସ.ଡି.ପି.ଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

Related posts