Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ, ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ।

ପ୍ରତ୍ୟେକ ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ।

ଯେଉଁ ଶ୍ରମିକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା। ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ଶ୍ରୀ ପାଣ୍ଡିଆନ ଗତ କାଲି ସେମାନଙ୍କ ସହ ଭିଡ଼ିଓ ଜରିଆରେ ଆଲୋଚନା କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ।

ଏହି ସାକ୍ଷାତ ସମୟରେ ଶ୍ରମ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ନାୟକ ସେମାନଙ୍କ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଖବର ରଖିବା ପାଇଁ ଉତ୍ତରାଖଣ୍ଡ ଯାଇ ଥିଲେ ଓ ସମସ୍ତଙ୍କୁ ଧରି ଓଡ଼ିଶା ଫେରି ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓ ଶ୍ରମ କମିଶନ ର ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଓଡିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକ

ଭୁବନେଶ୍ବର: ଆଉ କିଛି ସମୟ ପରେ ଓଡିଶା ଫେରିବେ ଉତ୍ତରକାଶୀ ଟନେଲରେ ଫସିଥିବା ଓଡିଶାର 5 ଶ୍ରମିକ। ସେମାନେ ବିମାନ ଯୋଗେ ଭୁବନେଶ୍ବର ବିମାନ ମନ୍ଦରରେ ପହଞ୍ଚିବେ। ତାଙ୍କ ସହିତ ଅଛନ୍ତି ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସେ କିଛିଦିନ ଧରି ଉତ୍ତରକାଶୀ ଗସ୍ତ କରି ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିଲେ।

ଓଡିଶାରେ ଏହି ପାଞ୍ଚ ଜଣ ଶ୍ରମିକ ଭୁବନେଶ୍ବର ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେମାନଙ୍କ ଗାଁକୁ ପଠାଇବା ପାଇଁ ସରକାରୀ ସ୍ତରରେ ବନ୍ଦୋବସ୍ତ ମଧ୍ୟ କରାଯାଇଛି। ସେମାନେ ସୁରକ୍ଷିତ ଭାବେ ଫେରିଆସିବା ପାଇଁ ତାଙ୍କ ପରିବାର ତରଫରୁ ପୂଜାପାଠ କରାଯାଇଥିଲା।

Categories
ବିଶେଷ ଖବର

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଉତ୍ତରକାଶୀ ଟନେଲରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟ 

ଭୁବନେଶ୍ବର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟମାନେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି।
ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟ ମାନଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି। ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୁରଭଂଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ ପୂର୍ବରୁ  ଅନ୍ୟ  ଦୁଇ ଶ୍ରମିକଙ୍କ  ପରିବାର ଉତ୍ତର କାଶୀରେ ପହଂଚି ସାରିଛନ୍ତି। ଏହାଦ୍ବାରା ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାରବର୍ଗଙ୍କୁ ଭେଟି ପାରିବେ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୩ ଦିନ ଧରି ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ୪୧ ଜଣ ଶ୍ରମିକ  ଫସି ରହିଛନ୍ତି। ଏଥିରେ ଓଡିଶାର ୫ ଜଣ ଶ୍ରମିକ ରହିଛନ୍ତି। ଏହି ଶ୍ରମିକ ମାନେ ହେଲେ – ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା  ଏବଂ ମୟୁରଭଂଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ।

ଏହି ଶ୍ରମିକଙ୍କ ପରିବାର ସଦସ୍ୟ ୫-ଟି ଅଧ୍ୟକ୍ଷଙ୍କୁ ନବୀନ  ନିବାସ  ରେ ସାକ୍ଷାତ କରିଥିଲେ।  ୫-ଟି ଅଧ୍ୟକ୍ଷ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ  ଶ୍ରମିକଙ୍କ  ସୁରକ୍ଷା   ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜଣାଇଥିଲେ। ରାଜ୍ୟ ସରକାରଙ୍କ ଅଫିସର ଓ ସ୍ବତନ୍ତ୍ର ଟିମ୍‌ ଉଦ୍ଧାରସ୍ଥଳୀକୁ ଯାଇଛନ୍ତି ଏବଂ ଉଦ୍ଧାରକାରୀ ଦଳ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି। ଆମର ସବୁ ଶ୍ରମିକ ସୁରକ୍ଷିତ ଅଛନ୍ତି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଅଛନ୍ତି ଏବଂ ଶ୍ରମିକ ମାନଙ୍କ ନିରାପତ୍ତା ଓ ଉଦ୍ଧାର କାର୍ଯ୍ୟ ସଂପର୍କରେ ନିୟମିତ ଖବର ନେଉଛନ୍ତି ବୋଲି ସେ ପରିବାର ସଦସ୍ୟ ମାନଙ୍କୁ  କହିଥିଲେ।

ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି ଏବଂ  ଖୁବ ଶୀଘ୍ର ସେମାନେ  ପରିବାରକୁ ଫେରି ଆସିବେ ବୋଲି  ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଆଶ୍ବାସନା ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଦେଶରୁ ଦିଲ୍ଲୀରେ ପହଞ୍ଚିଲେ ସୁଦ୍ଧା ଘରକୁ ଫେରିଲାନି ପୁଅ: ବାଲୁଗାଁ ଥାନାରେ ଏତଲା ଦେଲେ ବାପା

ବାଲୁଗାଁ (ସୀତାରାମ ଅଗ୍ରୱାଲ): ପରିବାର ପୋଷଣ ପାଇଁ ଦୀର୍ଘ ତିନି ବର୍ଷ ଧରି ବିଦେଶରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକ ନିଜ ଘରକୁ ଫେରିବା ନେଇ ଜଣାଇଥିଲେ ସୁଦ୍ଧା ଅଦ୍ୟାବଧି ଘରେ ନପହଞ୍ଚିବା ଯୋଗୁଁ ପରିବାର ବର୍ଗ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି।

ଖବର ମୁତାବକ ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡା ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ରଞ୍ଜନ ସ୍ୱାଇଁ (୩୦) ଦୀର୍ଘ ତିନି ବର୍ଷ ଧରି ଆବୁଧାବିରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲା। ଗତ ୧୮ ତାରିଖରେ ଉକ୍ତ କମ୍ପାନୀରୁ ଛୁଟି ନେଇ ରଞ୍ଜନ ନିଜ ଘରକୁ ଆସୁଥିବା ସମ୍ପର୍କରେ ପରିବାରକୁ ଫୋନ ଯୋଗେ କହିଥିଲେ। ବିମାନ ଯୋଗେ ଆବୁଧାବିରୁ ମୁମ୍ବାଇ ତାପରେ ଦିଲ୍ଲୀ ପହଁଚିବା ପର୍ଯ୍ୟନ୍ତ ପୁଅ ସହ ଫୋନରେ ଯୋଗାଯୋଗ ହୋଇଥିବା ବେଳେ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ପୁଅ ରଞ୍ଜନ ଘରକୁ ଫେରି ନଥିବା ବେଳେ କୌଣସି ଯୋଗାଯୋଗ ମଧ୍ୟ ହୋଇପାରୁନାହିଁ। ଯାହାଫଳରେ ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇଥିବା ବେଳେ ନାନା ଦୁଶ୍ଚିନ୍ତାରେ ରହିଛନ୍ତି।

ଏନେଇ ରଞ୍ଜନଙ୍କ ବାପା ଅକ୍ଷୟ ସ୍ୱାଇଁ ଥାନାରେ ଅଭିଯୋଗ କରିଛନ୍ତି। ଏତଲାକୁ ଗୁରୁତର ସହ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରଖିଥିବା ଥାନାଧିକାରୀ ଜୟ ପ୍ରକାଶ ପରିଡା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବାଣପୁର: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ସୀତାରାମ ଅଗ୍ରୱାଲ

ବାଣପୁର: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଶେଷଦେବ ବେହେରା। ସୂଚନା ମୁତାବକ ଶେଷଦେବ ଦୀର୍ଘ ୧୦ ବର୍ଷ ହେବ କେରଳର ଥ୍ରୀଶୁର ସହରରେ ଶ୍ରୀ ମେନନ ନାମକ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ।

ତେବେ କରୋନା ଲାଗି ଦୀର୍ଘ ମାସ ହେବ ଘରେ ବସିଲା ପରେ ଗତ ବର୍ଷ ଜାନୁଆରୀ ମାସରେ ପୁନଶ୍ଚ ସେ କାମକୁ କେରଳ ଯାଇଥିଲେ। ଆଜି ସକାଳେ କମ୍ପାନୀ ଗାଡ଼ି ତାଙ୍କୁ କାମ ନିମନ୍ତେ ନେବାକୁ ଆସିଥିବା ବେଳେ ସେ ଏକ ଚା’ ଦୋକାନରେ ଚା’ ପିଇ ବାହାରିଲା ବେଳକୁ ଅଚେତ ହୋଇ ତଳେ ପଡିଯାଇଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିବାର ତାଙ୍କ ପତ୍ନୀ ସସ୍ମିତା ବେହେରାକୁ କମ୍ପାନୀ ସୂଚନା ଦେଇଥିଲା।

ତେବେ ମୃତ୍ୟୁ କିପରି ହେଲା ସେ ବିଷୟରେ ତାଙ୍କ ପତ୍ନୀ ଅବଗତ ନଥିବାର କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପତ୍ନୀ ସସ୍ମିତା କହିଛନ୍ତି। ଅପରପକ୍ଷେ ସସ୍ମିତା ଅତି ଗରିବ ହୋଇଥିବା ବେଳେ ତାଙ୍କର ବୟସ୍କ ଶାଶୁ ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ଏକ ଭଡ଼ାଘରେ ରହୁଥିବାର କୋହଭରା କଣ୍ଠରେ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ସ୍ୱାମୀ ଶେଷଦେବଙ୍କ ଅକାଳ ବିୟୋଗ ପରେ ସସ୍ମିତା ଭାଙ୍ଗିପଡିଛନ୍ତି। ବର୍ତ୍ତମାନ ଚଳିବା ପାଇଁ ଏବଂ ପିଲାଙ୍କ ଭବିଷ୍ୟତ ଗଢିବାରେ ଜନୈକ କମ୍ପାନୀ ସହଯୋଗ କରୁ ବୋଲି ସସ୍ମିତା ଦାବି କରିଛନ୍ତି। ଶେଷଦେବଙ୍କ ମର ଶରୀର ଆଜି ତାଙ୍କ ଗ୍ରାମକୁ ଆସିବ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଦେଶରେ ଓଡିଆ ଶ୍ରମିକଙ୍କୁ ନିର୍ଯ୍ୟାତନା ଅଭିଯୋଗ: ବାଲୁଗାଁ ଶ୍ରମ ଅଧିକାରୀଙ୍କ ଦ୍ଵାରସ୍ଥ ହେଲେ ପରିବାର

ସୀତାରାମ ଅଗ୍ରୱାଲ

ବାଣପୁର: ପୁଣି ବିଦେଶରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଶ୍ରମିକଙ୍କୁ କମ୍ପାନୀ ଶ୍ରମ କରାଉଥିଲେ ମଧ୍ୟ ମାସ ମାସ ଧରି ଦରମା ଦେଉନଥିବା ଅଭିଯୋଗ ହୋଇଛି। ମସ୍କଟର ଓମାନ ସହରରୁ ଏଭଳି ଅଭିଯୋଗ ଆସିଛି।

ଅଭିଯୋଗ ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆୟତପୁର ଗ୍ରାମର ପ୍ରଫୁଲ୍ଲ ବେହେରା ଓ ପଞ୍ଚେଇ ବେହେରାଙ୍କ ବଡ ପୁଅ ଚନ୍ଦନ ବେହେରା (୨୬) ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ଚାରି ବର୍ଷ ପୂର୍ବେ ମସ୍କଟର ଓମାନ ସହରରେ ଥିବା ‘ଡ଼ଲଫିନ ଟ୍ରେଡିଙ୍ଗ ଆଣ୍ଡ ଇନଭେଷ୍ଟମେଣ୍ଟ ‘ ନାମକ ଏକ ଘରୋଇ କମ୍ପାନୀରେ ହେଲ୍ପର ଭାବେ କାମ କରିବାକୁ ଯାଇଥିଲେ।

ତେବେ ଦୀର୍ଘ ଦଶ ମାସ ହେବ ଉକ୍ତ କମ୍ପାନୀ ଚନ୍ଦନଙ୍କୁ ପାରିଶ୍ରମିକ ଦେଉନାହିଁ ଏବଂ ଖାଇବାକୁ ଖାଦ୍ୟ ମଧ୍ୟ ଠିକରେ ଦେଉନଥିବାର ଚନ୍ଦନଙ୍କ ମାତା ପଞ୍ଚେଇ ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ କମ୍ପାନୀ ତାଙ୍କୁ ନାନାଦିପ୍ରକାର ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଛନ୍ତି ପଞ୍ଚେଇ।

ଏହି ପରିପ୍ରେକ୍ଷୀରେ ସେ ନିକଟରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେବା ସହ ଯଥାଶୀଘ୍ର ତାଙ୍କ ପୁତ୍ର ଚନ୍ଦନଙ୍କୁ ସ୍ବଦେଶ ଫେରାଇ ଆଣିବାର ବ୍ୟବସ୍ଥା କରିବାପାଇଁ ନିବେଦନ କରିଛନ୍ତି।

ଅନୁରୂପ ଭାବେ ଏ ନେଇ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ଅଭିଯୋଗ ପାଇଥିବାର ସ୍ୱୀକାର କରିଛନ୍ତି। ଚନ୍ଦନଙ୍କ ସହିତ ବାଣପୁର ବ୍ଲକ, ଚିଲିକା ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାର ଆଉ ୭ ଜଣ ଶ୍ରମିକ ମଧ୍ୟ ଉକ୍ତ କମ୍ପାନୀରେ କାର୍ଯ୍ୟ କରୁଥିବାର ପ୍ରକାଶ କରିଛନ୍ତି ସହକାରୀ ଶ୍ରମ ଅଧିକାରୀ। ତେବେ ତଦନ୍ତରୁ ଜଣାପଡିଛି ଯେ ସମସ୍ତ ୮ ଜଣ ଶ୍ରମିକମାନଙ୍କ ରେସିଡେନ୍ସ ଭିଜାର ଅବଧି ଗତବର୍ଷରୁ ସମାପ୍ତ ହୋଇଯାଇଛି ଏବଂ ପୁନଃ କାର୍ଯ୍ୟକ୍ଷମ ହୋଇନାହିଁ। ଏବଂ ସେଥିନିମନ୍ତେ ସେମାନଙ୍କୁ ଉକ୍ତ କମ୍ପାନୀ ଗତବର୍ଷରୁ କାମ ଦେଉନାହିଁ କି ପାରିଶ୍ରମିକ ଦେଉନାହିଁ। ତଥାପି ପଞ୍ଚେଇ ଦେଇଥିବା ଅଭିଯୋଗ ଆଧାରରେ ଶ୍ରମ ଅଧିକାରୀ ଏ ନେଇ ଶ୍ରମ କମିଶନର ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରାଇସାରିଛନ୍ତି ଏବଂ ଯଥାଶୀଘ୍ର ସମସ୍ତ ୮ ଜଣ ଶ୍ରମିକଙ୍କୁ ସ୍ବଦେଶୀ ଆଣିବା ପାଇଁ ପ୍ରଚେଷ୍ଟା ଜାରିରହିଥିବାର ସୂଚନା ଦେଇଛନ୍ତି ଶ୍ରୀ ମାଝୀ।

Categories
ଜାତୀୟ ଖବର ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ଆସାମ ର ଚା’ ବଗିଚା ଓ ଓଡ଼ିଆ ଶ୍ରମିକଙ୍କ ଜୀବନ କାହାଣୀ

ଲକ୍ଷ୍ମୀପ୍ରିୟା ଓଝା

ଭାରତ ର ପୁର୍ବାଞ୍ଚଳରେ ସ୍ଥିତ ଆସାମ ତା’ର ପ୍ରାକୃତିକ ବନ ସମ୍ପଦ, ଗୋଟେ ସିଂଘ ଵାଲା ଗଣ୍ଡା, ତେଲ ଭଣ୍ଡାର, ଚା ବଗିଚାର ଅପୂର୍ବ ସବୁଜିମା ଏବଂ ସତୁରି ଦଶକରୁ ହିଂସ୍ରକ ଉଗ୍ରବାଦଗ୍ରସ୍ତ ଅଶାନ୍ତ ପ୍ରଦେଶ ଭାବରେ ପରିଚିତ। ସାତ ଭଉଣୀ ଭାବେ ପରିଚିତ ଆସାମ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ତ୍ରିପୁରା ର ପ୍ରବେଶ ଦ୍ୱାର ଆସାମ ର ବ୍ୟବସାୟିକ କେଂଦ୍ର ଗୌହାଟୀ। ଆସାମ ଦି ଭାଗରେ ବିଭକ୍ତ, ଅପର (ଉପର) ଆସାମ ଓ ଲୋୟର (ତଳ) ଆସାମ। ଉପର ଆସାମ ର ମୁଖ୍ୟ ଉଦ୍ୟୋଗ, ଉତ୍ପାଦନ ଓ ବ୍ୟବସାୟ ହେଲା ଚା। ଇଂରେଜ ମାନଙ୍କର ଶାସନ ସମୟରେ ଆସାମ ରେ ଆରମ୍ଭ ହେଇଥିଲା ଚା ଚାଷ। ଆସାମ ର ଜଳବାୟୁ ଚା ଚାଷ ପାଇଁ ଯେ ଉପଯୋଗୀ ତାହା ଇଂରେଜ ମାନଙ୍କୁ ଜାଣିବାକୁ ଡେରି ହେଇ ନଥିଲା। ଥଣ୍ଡା ପାଣି ପାଗ ଯୋଗୁ ସାଧାରଣତଃ ଆସାମୀଜ ମାନେ କାମ କରିବାରେ ମନ୍ଥର।ତେଣୁ ସେମାନେ ଯେ ଚା ଚାଷ ପରି କଠିନ କାମ ପାଇଁ ଉପଯୁକ୍ତ ନୁହନ୍ତି , ତାହା ଜାଣି ପାରି ଇଂରେଜ ମାନେ ବେଙ୍ଗଲ, ବିହାର, ଓଡିଶାରୁ ଲୋକ ମାନଙ୍କୁ ବେଠି ଶ୍ରମିକ ଭାବରେ ଆଣି ଚା ଚାଷ ଆରମ୍ଭ କରିଥିଲେ।

ତନ୍ମଧ୍ୟ ରୁ ଓଡିଶା ର ଲୋକ ଥିଲେ ସର୍ବାଧିକ। ପରେ କିଛି ଲୋକ ରୋଜଗାର ଆଶା ରେ ଚା ବଗିଚାରେ କାମ କରିବାକୁ ଆସାମ ଆସିଥିଲେ। ଚା ଚାଷ ଆସାମ ରେ ହେଲେ ମଧ୍ୟ ଏହାର ମୁଖ୍ୟ ବ୍ୟବସାୟିକ କେଂଦ୍ର ଥିଲା କୋଲକତା। ଦେଶ ସ୍ୱାଧୀନ ହେଲା। ହେଲେ ଏମାନଂକୁ ସ୍ୱାଧୀନତା ମିଳିଲାନି। ଇଂରେଜ ମାନେ ଯିବା ପୂର୍ବରୁ କୋଲକତା ର ଵ୍ୟାପାରୀ ମାନଙ୍କୁ ଚା ବଗିଚା ସବୁ ବିକ୍ରି କରିଦେଇ ଗଲେ। ଏମାନଙ୍କ ଜୀବନ ଚକ୍ର ରେ କିଛି ପରିବର୍ତ୍ତନ ଆସିଲାନି।ଆଗରୁ ଇଂରେଜ ଓ ପରେ ବ୍ୟବସାୟୀ ମାନଙ୍କ ପାଇଁ ଗୋତି ଶ୍ରମିକ ପରି ଖଟିବାକୁ ଲାଗିଲେ। ପୂର୍ବ ପରି ଚା ବଗିଚା ଭିତରେ ଏମାନେ ଛୋଟ ଛୋଟ ଘରେ ରହୁଥିଲେ। ମାଲିକ ଦିନ ରାତି ସେମାନଙ୍କ ଠୁ କାମ ଆଦାୟ କରୁଥିଲେ ବିନା ମଜୁରୀ ଦେଇ। ସରକାରଙ୍କ ହସ୍ତକ୍ଷେପ ପରେ ସେମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବ୍ୟବସ୍ଥା ମାଲିକ ମାନେ କରିଥିଲେ। ହେଲେ ପାଣିପାଗ ର ଅସ୍ଥିରତା ଓ ଆତଙ୍କବାଦର ପ୍ରକୋପ ଯୋଗୁ ଧୀରେ ଧୀରେ ଚା ବଗିଚାଗୁଡିକ ବନ୍ଦ ବା କ୍ଷତିରେ ଚାଲିଲା।

ତେଣୁ କୋଲକାତା ଓ ମୁମ୍ବାଇରେ ବସିଥିବା ମାଲିକ ମାନେ ଶ୍ରମିକ ମାନଙ୍କର କଥା ଆଉ ବୁଝିଲେନି।ତଦ୍ୱାରା ସେମାନଙ୍କର ଅବସ୍ଥା ଆହୁରି ଖରାପ ହେବାକୁ ଲଗିଲା।ଅଶିକ୍ଷା, ଦରିଦ୍ରତା, ଅନ୍ଧବିଶ୍ୱାସ ନେଇ ଚା ବଗିଚାର ଅନ୍ଧାରି ଜୀବନ ଭିତରେ ସେମାନେ ଖୋଜୁଛନ୍ତି ଆଶ୍ୱାସନା ର ଆଲୋକ ଟିକିଏ। ଏକବିଂଶ ଶତାବ୍ଦୀରେ ତାଙ୍କ ପିଲାଙ୍କ ପାଇଁ ଗୋଟେ ଉନ୍ନତ ଜୀବନ। ଚା ବଗିଚା ବନ୍ଦ ହେଲା ପରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ଆଦି କୌଣସି ଖବର ବୁଝୁନାହାଁନ୍ତି ଚା ମାଲିକ ମାନେ। ଏମିତିକି ଚା ବଗିଚା ଭିତରେ ଥିବା ବାଗାନି (ଚା ଶ୍ରମିକ) ମାନଙ୍କ ଘରେ ବିଜୁଳି ବି ନାହିଁ। ଦିନରେ ସୁନ୍ଦର ଦିଶୁଥିବା ଚା ବଗିଚା ,ଅନ୍ଧାରି ରାତିରେ କୌଣସି ଘଂଚ ଅରଣ୍ୟ ଠୁ ବି କମ ଭୟଙ୍କର ଲାଗେନି। ଦୀର୍ଘ ଦିନ ହେଲା ଆସାମ ରେ ରହିଲେ ମଧ୍ୟ ଚା ଶ୍ରମିକ ମାନେ ଏପର୍ଯନ୍ତ ଆସାମ ର ମୁଖ୍ୟଧାରା ରେ ମିଶି ପାରି ନାହାଂତି। ସେମାନକୁ “ବାଗାନି” (ବଗିଚାରେ କାମ କରୁଥିବା ଲୋକ) ବା “ଦେଶ କା ଲୋକ” ( ବାହାର ଦେଶର ଲୋକ) ହିସାବ ରେ ଗଣା ଯାଏ। ବହୁ ବର୍ଷ ଯାଏ ସେମାନଙ୍କର ଭୋଟ ଦେବାର ଅଧିକାର ବି ନଥିଲା। ମହିଳା ମାନେ ପରଘରେ ବାସନ ମାଜି ଆଉ ପୁରୁଷ ମାନେ ଚା ବଗିଚାରୁ କାଠ ସଂଗ୍ରହ କରି, ବିକ୍ରି କରି ଗୁଜୁରାଣ ମେଣ୍ଟାଇ ଥାନ୍ତି।ଓଡିଶା ର ଶ୍ରମିକ ମାନଂକୁ ଓଡିଶା ଫେରିବାର କୌଣସି ଉପାୟ ନାହିଁ।

ଏ ଭିତରେ ତିନି ପିଢ଼ି ବିତି ଗଲାଣି। ଯୁବ ପିଢିଙ୍କୁ ଜଣା ନାହିଁ ସେମାନେ ଓଡ଼ିଶାର କେଉଁ ପ୍ରାନ୍ତ ରୁ ଆସିଥିଲେ। ତାଛଡା ଓଡିଶା ଅପେକ୍ଷା ସେମାନଙ୍କର ଆସାମ ପାଇଁ ମୋହ ବେଶୀ।ପୁରୁଣା କାଳିଆ ବୁଢା ବୁଢ଼ୀ ଙ୍କୁ ଓଡିଶା ର କଥା କିଛି କିଛି ମନେ ଥିଲେବି , କୁଆଡେ ଯିବୁ ? କିଏ ଆମକୁ ଚିହ୍ନିବ? ଆଦି ପ୍ରଶ୍ନ ରୁ ସେମାନଙ୍କର ଅସହାୟତା ସ୍ପଷ୍ଟ ବାରି ହେଇ ପଡେ।ଆସାମ ର ଆସେମ୍ବ୍ଲି ରେ ବହୁ ଓଡ଼ିଆ ମଂତ୍ରୀ ଆଉ ଉଚ୍ଚପଦସ୍ଥ ଅଧିକାରୀ ମାନେ ଅଛନ୍ତି। ହେଲେ ଆଜି ଯାଏ ଏମାନଙ୍କର ଅସହାୟତା ଓ ଦୁର୍ଦଶା ଆସାମ ବା ଓଡିଶା ସରକାର ବା କୌଣସି ସ୍ଵୟଂସେବୀ ସଂସ୍ଥା ର ନଜର ରେ ପଡିନି। ହେଲେ ଦିନେ ନା ଦିନେ ସେମାନଙ୍କର ଉପରେ ସମସ୍ତଙ୍କର ନଜର ପଡିବ ଓ ସେମାନଙ୍କର ଜୀବନର ମାନଦଣ୍ଡ ଉନ୍ନତ ହେବ, ସେହି ଅଶାର ଦୀପକ ଜଳାଇ ଓଡିଶା ର ସନ୍ତାନ ଆଉ ଆସାମ ର ବାଗାନି ବିସ୍ତୃତ ଚା ବଗିଚାର ଅନ୍ଧାରି ମୁଲକ ରେ ଆଲୋକର ପ୍ରତୀକ୍ଷାରେ ଦିନ ଅତିବାହିତ କରୁଛନ୍ତି।

(ଲକ୍ଷ୍ମୀପ୍ରିୟା ଓଝା ,ବରୋଦା, ଗୁଜୁରାଟରେ ରହୁଥିବା ଜଣେ ଓଡିଆ ଲେଖିକା। ସେ ଦୀର୍ଘ ବର୍ଷ ଧରି ଆସାମରେ ଥିଲେ)