ବାଣପୁର: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

Published: Nov 30, 2021, 3:41 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କେରଳରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଶ୍ରମିକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମର ଶେଷଦେବ ବେହେରା। ସୂଚନା ମୁତାବକ ଶେଷଦେବ ଦୀର୍ଘ ୧୦ ବର୍ଷ ହେବ କେରଳର ଥ୍ରୀଶୁର ସହରରେ ଶ୍ରୀ ମେନନ ନାମକ ଏକ ଘରୋଇ କମ୍ପାନୀରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ।

ତେବେ କରୋନା ଲାଗି ଦୀର୍ଘ ମାସ ହେବ ଘରେ ବସିଲା ପରେ ଗତ ବର୍ଷ ଜାନୁଆରୀ ମାସରେ ପୁନଶ୍ଚ ସେ କାମକୁ କେରଳ ଯାଇଥିଲେ। ଆଜି ସକାଳେ କମ୍ପାନୀ ଗାଡ଼ି ତାଙ୍କୁ କାମ ନିମନ୍ତେ ନେବାକୁ ଆସିଥିବା ବେଳେ ସେ ଏକ ଚା’ ଦୋକାନରେ ଚା’ ପିଇ ବାହାରିଲା ବେଳକୁ ଅଚେତ ହୋଇ ତଳେ ପଡିଯାଇଥିଲେ। କମ୍ପାନୀ ପକ୍ଷରୁ ତାଙ୍କୁ ମେଡିକାଲକୁ ନିଆଯାଇଥିବା ବେଳେ ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିବାର ତାଙ୍କ ପତ୍ନୀ ସସ୍ମିତା ବେହେରାକୁ କମ୍ପାନୀ ସୂଚନା ଦେଇଥିଲା।

ତେବେ ମୃତ୍ୟୁ କିପରି ହେଲା ସେ ବିଷୟରେ ତାଙ୍କ ପତ୍ନୀ ଅବଗତ ନଥିବାର କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପତ୍ନୀ ସସ୍ମିତା କହିଛନ୍ତି। ଅପରପକ୍ଷେ ସସ୍ମିତା ଅତି ଗରିବ ହୋଇଥିବା ବେଳେ ତାଙ୍କର ବୟସ୍କ ଶାଶୁ ଏବଂ ଦୁଇ ପୁଅ ଝିଅଙ୍କୁ ନେଇ ଏକ ଭଡ଼ାଘରେ ରହୁଥିବାର କୋହଭରା କଣ୍ଠରେ ଗଣମାଧ୍ୟମକୁ କହିଛନ୍ତି। ତାଙ୍କ ପରିବାରର ଏକ ମାତ୍ର ରୋଜଗାରକ୍ଷମ ସ୍ୱାମୀ ଶେଷଦେବଙ୍କ ଅକାଳ ବିୟୋଗ ପରେ ସସ୍ମିତା ଭାଙ୍ଗିପଡିଛନ୍ତି। ବର୍ତ୍ତମାନ ଚଳିବା ପାଇଁ ଏବଂ ପିଲାଙ୍କ ଭବିଷ୍ୟତ ଗଢିବାରେ ଜନୈକ କମ୍ପାନୀ ସହଯୋଗ କରୁ ବୋଲି ସସ୍ମିତା ଦାବି କରିଛନ୍ତି। ଶେଷଦେବଙ୍କ ମର ଶରୀର ଆଜି ତାଙ୍କ ଗ୍ରାମକୁ ଆସିବ ବୋଲି ଜଣାପଡିଛି।

Related posts