Categories
ଜାତୀୟ ଖବର ବିଶେଷ ଖବର ସଂସ୍କୃତି

ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୨୩

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁଣି ଝଲସିଲା ଓଡ଼ିଆ କଳାକୃତୀର ଝଲକ। ଗୁଞ୍ଜରିତ ହେଲା ଓଡ଼ିଆ ଗଜପତିଙ୍କ ବୀରତ୍ୱର ଗାଥା। ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ମହକ ନେଇ ଦିଲ୍ଲୀରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ-୨୦୨୩।

ଓଡ଼ିଆ ସମାଜ, ନୂଆଦିଲ୍ଲୀ ତରଫରୁ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ତିନିଦିନିଆ ମହୋତ୍ସବରେ ସମ୍ମାନିତ ଅତିଥି ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ, ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡ଼ିଆ ସମାଜ, ଶ୍ରୀ ପ୍ରକାଶ ସାହୁ ଓ ଶ୍ରୀ ସନ୍ଦୀପ ମହାପାତ୍ର, ଟ୍ରଷ୍ଟି, ଓଡ଼ିଆ ସମାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭ ଉଦ୍‌ଘାଟନ କରିଥିଲେ।

ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ପ୍ରଥମ ଥର ପାଇଁ ଏହି ଉତ୍ସବରେ ସାମିଲ ହୋଇପାରିଥିବାରୁ ସେ ଗର୍ବିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାର ଇତିହାସ ସମ୍ବନ୍ଧରେ ଅବଲୋକନ କରି ଅର୍ଥନୈତିକ ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଜ୍ୟର ସମସ୍ତ ଜିଲାର ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ମୟୂରଭଞ୍ଜ ରୁ ମାଲକାନଗିରି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଏକତା ଓ ବରିଷ୍ଠତା ଆଜି ପ୍ରତିପାଦିତ ହୋଇପାରିଛି।

ଓଡ଼ିଶାର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଶାର ସେହି ଅତୀତକୁ ଆଗେଇ ନେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଚାଲିବା ଉଚିତ ଯଦ୍ୱାରା ପର୍ଯ୍ୟଟନ ଶିଳ୍ପ, ଆଦିବାସୀ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ସମ୍ଭାଷଣରେ ଓଡ଼ିଶା ପର୍ବ ୨୦୨୩ ଦିଲ୍ଲୀବାସୀଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟକୁ ନୂଆରୂପରେ ଭେଟି ଦେଇଥିବା କହିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବ ଅବସରରେ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶାର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିବା କହିଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ କିରେନ ରିଜିଜୁ, ମାନ୍ୟବର କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଜି. କିଷାନ ରେଡ୍ଡୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ, ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନରେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରାଯାଇଥିଲା।

ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଚକଲେଟ ପ୍ରଡକ୍ସନ ଦ୍ୱାରା ଥିଏଟର ନାଟକ ‘ଆହେ ନୀଳ ଶଇଳ’ ମଞ୍ଚସ୍ଥ କରାଯାଇଥିଲା। ପୁରୀ ଗଜପତିଙ୍କ ବୀରତ୍ୱର ଗାଥା ଦିଲ୍ଲୀବାସୀଙ୍କୁ ଆକର୍ଷିତ କରିଥିଲା। ମୁସଲିମ ଶାସକ ନାଏବ୍ ନାଜ୍ଜିମଙ୍କ ଲୋଲୁପ ଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କୁ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, ଏବଂ ସେସବୁ କୁ ସେ ଧୈର୍ଯ୍ୟ ଓ ବୀରତ୍ୱର ସହ ମୁକାବିଲା କରିଥିଲେ ତାହାକୁ ନାଟକରେ ଦର୍ଶାଯାଇଛି।

ନାଟକର କଳାକାରଙ୍କ ନିଚ୍ଛକ ଅଭିନୟ ଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆଙ୍କ ସମେତ ଅଣଓଡ଼ିଆ ଦର୍ଶକଙ୍କ ମନକୁ ମଧ୍ୟ ଆତ୍କୃଷ୍ଟ କରିଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ସମାଜ ଟ୍ରଷ୍ଟି ଶ୍ରୀ ସନ୍ଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ବର୍ଷ ଓଡ଼ିଶା ପର୍ବ ୨୦୨୩ ର ବିଷୟ ବସ୍ତୁ ରହିଛି ‘ଅନନ୍ୟ ଓଡ଼ିଶା’। ଜାତୀୟ ସ୍ତରରେ ଓଡ଼ିଆ ଜାତିର ଦୃଢତା, ଭାବ, ଏକୀକୃତାକୁ ଦର୍ଶାଇବା ତଥା ଓଡ଼ିଆ ଜାତିର ଗୌରବକୁ ବିଶ୍ୱ ଦରବାରରେ ପରିଚିତ କରାଇବା ହେଉଛି ଏହି ‘ଅନନ୍ୟ ଓଡ଼ିଶା’ର ଉଦ୍ଦେଶ୍ୟ। ଏହି ବିଷୟ ବସ୍ତୁକୁ ନେଇ ଓଡ଼ିଆ ସମାଜ ପକ୍ଷରୁ ଏକ ରଚନା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ବିଜୟୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓଡ଼ିଶା ପର୍ବରେ ସାମିଲ ହେବା ସହ ରାଜଧାନୀ ଦିଲ୍ଲୀ ଭ୍ରମଣର ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ଓଡ଼ିଶାର ଗ୍ରାମାଞ୍ଚଳରୁ ଦିଲ୍ଲୀ ଯାଇଥିବା ଚାଷୀମାନେ ଏକ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ଓଡ଼ିଶା ଅସ୍ମିତା, ଓଡ଼ିଶା ସ୍ୱାଭିମାନ ଓ ଓଡ଼ିଶା ସ୍ୱାବଲମ୍ବନ କନ୍‌କ୍ଲେଭ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କନ୍‌କ୍ଲେଭର ‘ଓଡ଼ିଶା ଅସ୍ମିତା’ ଆଲୋଚନାରେ ଜାତୀୟ ସଂସ୍ମାରକ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ବାସା, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀ ଦିପ୍ତୀ ରଞ୍ଜନ ପଟ୍ଟନାୟକ, ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀ ସବ୍ୟସାଚୀ ମହାପାତ୍ର, ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ୍ ପୁରୀ ସର୍କଲ ଶ୍ରୀ ଦେବୀ ଗଡ଼ନାୟକ, ରେଭେନ୍ସା କଲେଜର ଅବସରପ୍ରାପ୍ତ ପ୍ରଫେସର ଗୌରାଙ୍ଗ ଚରଣ ଦାସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୌସୁମୀ ସାହୁ, ସ୍ତମ୍ଭାକାର ଅନୀତା ସାବତ ପ୍ରମୁଖ ଯୋଗଦେଇ ଓଡ଼ିଶା ଅସ୍ମିତା ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର ସଂସ୍କୃତି

ନୂଆଦିଲ୍ଲୀରେ ଆରମ୍ଭ ହେବ ‘ଓଡ଼ିଶା ପର୍ବ-୨୦୨୩’, ଜାଣନ୍ତୁ ଏଥିରେ କଣ ହେବ

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁନଃ ପ୍ରଦର୍ଶିତ ହେବ ଓଡ଼ିଶାର ଅଦ୍ୱିତୀୟ କଳାସଂସ୍କୃତି ଓ କାରିଗରୀର ବେଜୋଡ୍ ନମୁନା। ପାରମ୍ପରିକ ଲୋକକଳା ଓ ଲୋକନୃତ୍ୟରେ ଦୁଲୁକିବ ମଞ୍ଚ। ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଜାତୀୟ ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି “ଓଡ଼ିଶା ପର୍ବ-୨୦୨୩’, ଯାହା ହେଉଛି ପରିଚୟ ଓଡ଼ିଆ ଅସ୍ମିତାର, ଗାଥା ଗାଏ ଯିଏ ଓଡ଼ିଆ ସ୍ୱାଭିମାନ, ଗୌରବପୂର୍ଣ୍ଣ ଐତିହ୍ୟ ଓ ଉଜ୍ଜ୍ୱଳ ପରମ୍ପରାର।

କରୋନା ମହାମାରୀର ଦୁର୍ଦ୍ଦିନକୁ ପଶ୍ଚାତ୍‌ପଦ କରି ଏକ ନୂତନ ଦିଶାଭିମୁଖୀ ମାନବସମାଜ ମଧ୍ୟରେ ଏହି କାର୍ଯ୍ୟକ୍ରମ ନା କେବଳ ହର୍ଷୋଲ୍ଲାସର ବାତାବରଣ ସୃଷ୍ଟି କରିବ ତାହା ବ୍ୟତୀତ ସେମାନଙ୍କ ମାନସପଟଳରେ ଏହା ଆଙ୍କିଦେବ ଉତ୍କଳୀୟତାର ଏକ ଅପୂର୍ବ ଅଲିଭା ପଟ୍ଟଚିତ୍ର। ୨୦୧୭ ମସିହାରେ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଉଦ୍ୟାନରେ ଆରମ୍ଭ ହୋଇଥିବା “ଓଡ଼ିଶା ପର୍ବ’ କରୋନା ଯୋଗୁଁ ଗତ ୨୦୨୦ ମସିହାରେ ବନ୍ଦ ରହିଥିଲା ଓ ୨ ବର୍ଷ ଧରି ଏହା ଆଭାସୀ ମାଧ୍ୟମରେ ପ୍ରସାରିତ ହୋଇଥିଲା।

ଚଳିତ ବର୍ଷ ମାର୍ଚ୍ଚ ମାସ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ଉତ୍ସବ ନୂଆଦିଲ୍ଲୀସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ଅଣଲାଭକାରୀ, ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ “ଓଡ଼ିଆ ସମାଜ, ନୂଆଦିଲ୍ଲୀ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ତ୍ରିଦିବସୀୟ ସାଂସ୍କୃତିକ ମହାକୁମ୍ଭ ଓଡ଼ିଶାର ଅତୁଳନୀୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ସଙ୍ଗୀତ, ଲୋକନୃତ୍ୟ, ପାରମ୍ପରିକ ଖାଦ୍ୟ, ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଅଦ୍ଭୁତପୂର୍ବ ସଙ୍ଗମର ପୁନଃ ପ୍ରଦର୍ଶନ କରିବ ଦିଲ୍ଲୀବାସୀଙ୍କ ସମ୍ମୁଖରେ।

୨୪ ତାରିଖ ସନ୍ଧ୍ୟାରେ ଦେଶ ବିଦେଶରୁ ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଅର୍ଜ୍ଜନ କରିଥିବା ଓଡ଼ିଆ ବୁଦ୍ଧିଜୀବୀ ତଥା ଖ୍ୟାତନାମା ବ୍ୟକ୍ତିତ୍ୱମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ।ଉଦ୍‌ଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ପରିବେଷିତ ହେବାକୁ ଯାଉଛି ଚହଳ ସୃଷ୍ଟିକାରୀ ନାଟକ “ଆହେ ନୀଳଶୈଳ’। ଏହି ଅଦ୍ଭୁତ ନାଟକରେ ନାଏକ ନାଜିମ୍‌ର ଲୋଲୁପଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କ ନିରନ୍ତର ପ୍ରୟାସ ଓ ଏହି ସମୟରେ ସେ ଭୋଗ କରିଥିବା ନାନା ବାଧାବିଘ୍ନକୁ ଅତି ନିଖୁଣ ଭାବେ ଦର୍ଶାଯାଇଛି।

ଦ୍ୱିତୀୟଦିନ ମଞ୍ଚରେ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ଏବଂ ତାଙ୍କ ଶିଷ୍ୟମାନଙ୍କ ଦ୍ୱାରା “ଚିତ୍ରଭିତାନମ’ ପରିବେଷଣ କରାଯିବ। ତତ୍‌ପଶ୍ଚାତ “ଆଦି ବାଦ୍ୟ’ଙ୍କ ଲୋକବାଦ୍ୟ ଏବଂ ଗୌରବମୟ ଆଦିବାସୀ ନୃତ୍ୟ “ସ୍ୱରମୂର୍ଚ୍ଛନା’ ମଞ୍ଚକୁ କରିବ ମହିମାମଣ୍ଡିତ। ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ଶ୍ରୀ ଶାଶ୍ୱତ ଯୋଶୀଙ୍କ ସହ ତାଙ୍କ ଶିଷ୍ୟମାନେ ପ୍ରକୃତ ଲୋକଧ୍ୱନି ଓ ପ୍ରକୃତ ଓଡ଼ିଶା ଆଧାରିତ “ତିକ୍‌ତା କିତା’ ପ୍ରଦର୍ଶନ କରିବେ ଏବଂ ସର୍ବଶେଷରେ ଲୋକପ୍ରିୟ ଯୁବ ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତର ତାଳରେ ଝୁମିବେ ଦିଲ୍ଲୀବାସୀ।

ଉଦ୍‌ଯାପନୀ ଉତ୍ସବରେ ସର୍ବପ୍ରଥମେ ଗୁରୁ ଶାଶ୍ୱତ ଯୋଶୀ ଏବଂ ଗ୍ରୁପ୍‌ଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ “ଚିରନମସ୍ୟ ପରଂବ୍ରହ୍ମ’ ମଞ୍ଚସ୍ଥ ହେବ। ପରେ ପଶ୍ଚିମଓଡ଼ିଶାର ସଙ୍ଗୀତ ଅନୁଷ୍ଠାନ “ଆଦିଧୂନ୍‌’ର ସଞ୍ଚାଳକ ଶ୍ରୀ ରବି ରତନ ସାହୁ ଓ ଗ୍ରୁପ୍‌ଙ୍କ ଦ୍ୱାରା “ମହାନଦୀ- ଓଡ଼ିଶା ଓ ସଂସ୍କୃତି’ ଏବଂ ଗୁରୁ ଅନିରୁଦ୍ଧଙ୍କ ଦ୍ୱାରା ପ୍ରସ୍ତୁତ ଛଉ ଓ ପାଇକ ନୃତ୍ୟର ଏକ ଅପୂର୍ବ ସଂଯୋଜନା “ଅନନ୍ୟ ଓଡ଼ିଶା’ ପରିବେଷିତ ହେବ। ଯୁବତାରକା ଅନନ୍ୟା ଶ୍ରୀତମ ନନ୍ଦଙ୍କ ସୁଫିଆନା ସଙ୍ଗୀତ ଏବଂ ସନ୍ଦୀପ ମହାନ୍ତିଙ୍କ ତାଳବାଦ୍ୟ ଅନ୍ତିମ ସନ୍ଧ୍ୟାରେ ଶୋଭାକୁ ସହସ୍ର ଗୁଣିତ କରିବ।

ଏତଦ୍‌ବ୍ୟତୀତ ମଞ୍ଚ ତଳେ ଦେଖିବାକୁ ମିଳିବ ଓଡ଼ିଶାର ପ୍ରତି ଜିଲ୍ଲାରୁ ଆସିଥିବା ଲୋକନୃତ୍ୟର ଝଲକ। ଏଥିରେ ଗଞ୍ଜାମ ଜିଲ୍ଲାର ଯୋଡ଼ିଶଙ୍ଖ, ଦଣ୍ଡ, ପଶୁମୁଖା ନୃତ୍ୟ ଓ ରଣପା, ଆଦିବାସୀ ବହୁଳ ମାଲକାନଗିରିର ପ୍ରାଚୀନ ବଣ୍ଡା ଓ ସୁନ୍ଦରଗଡ଼ର ଓରାମ୍ ନୃତ୍ୟ, ପୁରୀର ସାହିଯାତ ଓ ଘୋଡ଼ାନାଚ, ପଶ୍ଚିମଓଡ଼ିଶାର ଲୋକନୃତ୍ୟ, ଖୋର୍ଦ୍ଧା ଜିଲ୍ଲାର ସାମରିକ କଳା ଓ ପାଇକ ନାଚ ଆଦି ପ୍ରଦର୍ଶନ କରାଯିବ।

ଏହାବ୍ୟତୀତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସ୍ୱାଦିଷ୍ଟ ବ୍ୟଞ୍ଜନ, ମିଷ୍ଠାନ୍ନ, ପଥପ୍ରାନ୍ତ ଖାଦ୍ୟ ଏକତ୍ର ଏକସ୍ଥାନରେ ପରଷାଯିବ। ଏହା ଓଡ଼ିଶା ପର୍ବକୁ ଆସିଥିବା ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଖାଦ୍ୟପ୍ରେମୀଙ୍କୁ ନିଆରା ଓ ଖାଣ୍ଟି ଓଡ଼ିଆ ସ୍ୱାଦ ପ୍ରଦାନ କରିବ।