Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟ ଶାସନ ସଚିବଙ୍କ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁବାର ଭୁବନେଶ୍ୱର ଅନ୍ଧାରୁଆସ୍ଥିତ ଓଡିଶା ବାୟୋଟେକ୍ ପାର୍କ ପରିଦର୍ଶନ କରିଥିଲେ। ଓଡ଼ିଶାରେ ବାୟୋଟେକ୍ନୋଲୋଜି ଏବଂ ଜୈବ-ସୂଚନା ପ୍ରଯୁକ୍ତି ଶିଳ୍ପକୁ ଆନୁଷଙ୍ଗିକ ସୁବିଧା ସହିତ ଆକୃଷ୍ଟ ଓ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ଏହା ଏକ ସମନ୍ୱିତ ଶିଳ୍ପ ପାର୍କ।

ରାଜ୍ୟ ସରକାରଙ୍କ ଇଡକୋ ଦ୍ୱାରା ଦୀର୍ଘମିଆଦୀ ଲିଜ୍ ସୂତ୍ରରେ ଓଡ଼ିଶା ବାୟୋଟେକ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ (ଓବିପିପିଏଲ୍) କୁ ପ୍ରଦତ୍ତ ଜମିରେ ଏହି ପାର୍କରେ ସ୍ଥାପିତ ପ୍ରକଳ୍ପରେ ହାଇଦରାବାଦର ସାପିଜେନ୍ ବାୟୋଲୋଜିକ୍ସ ତରଫରୁ ପ୍ରାଥମିକ ପର‌୍ୟ୍ୟାୟରେ ମ୍ୟାଲେରିଆ, ନାଜାଲ କରୋନା ଭ୍ୟାକ୍ସିନ୍ ଆଦି ଔଷଧ ପ୍ରସ୍ତୁତି ପାଇଁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି।

ମୁଖ୍ୟଶାସନ ସଚିବ ଏହି ପରିପ୍ରେକ୍ଷୀରେ ଏଠାରେ ଅତ୍ୟାଧୁନିକ ଶୈଳୀରେ ଉତ୍ପାଦନ ହେବାକୁ ଥିବା ଔଷଧର ପ୍ରାରମ୍ଭିକ ପରୀକ୍ଷାମୂଳକ ପ୍ରସ୍ତୁତି ପ୍ରଣାଳୀ ଅନୁଧ୍ୟାନ କରିଥିଲେ। ଏହି ପ୍ରକଳ୍ପର କାର‌୍ୟ୍ୟକାରିତା ନେଇ ଓ ପାର୍କର ଅଧିକ ବିକାଶ ନେଇ ରହିଥିବା ବିଭିନ୍ନ ଆବଶ୍ୟକତା ସଂପର୍କରେ ସେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ଶ୍ରୀ ହେମନ୍ତ ଶର୍ମା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମଙ୍କ ସହ ଆଲୋଚନା କରିଥିଲେ।

ସାପିଜେନ୍ ବାୟୋଲୋଜିକ୍ସର କାର‌୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡା. କ୍ରୀଷ୍ଣମୋହନ,ମୁଖ୍ୟ ବିତ୍ତ ଅଧିକାରୀ ଟି.ଶ୍ରୀନିବାସ, ପ୍ରକଳ୍ପ ଇନ୍ ଚାର୍ଜ ଏ.ଅରୁଣାଚଳମ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆନ୍ତଃ ବିଭାଗୀୟ ପରିଦର୍ଶନରେ ରାଜ୍ୟ ସରକାରଙ୍କ ପୂର୍ତ୍ତ, ଜଙ୍ଗଲ ଓ ପରିବେଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ସଂପୃକ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ।