Categories
ଆଜିର ଖବର ରାଜ୍ୟ ଖବର

ଏମ୍‌ସ ଭୁବନେଶ୍ୱର କାଏଜ୍‌ମା-୨୦୨୪କୁ ଉଦ୍‌ଘାଟନ କଲେ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର: କୋଭିଡ୍‌ ମହାମାରୀ ସମୟରେ ଏମ୍‌ସ ଭୁବନେଶ୍ୱର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅବଦାନ ଅନସ୍ବୀକାର୍ଯ୍ୟ। ବିକଶିତ ଭାରତର ପ୍ରକୃତ ଭାବନା ପୂରଣ କରିବାରେ ଦେଶର ଯୁବଗୋଷ୍ଠୀ ସମ୍ମୁଖଭାଗରେ ରହିଛନ୍ତି। ଏଥିସହ ଷ୍ଟାର୍ଟ ଅପ୍ ଇଣ୍ଡିଆ, ଖେଲୋ ଇଣ୍ଡିଆ ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ଅନ୍ୟାନ୍ୟ ଯୁବକେନ୍ଦ୍ରିକ କାର୍ଯ୍ୟକ୍ରମରେ ଦେଶର ଯୁବଗୋଷ୍ଠୀଙ୍କ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ ଥିବା ଏମ୍‌ସ ଭୁବନେଶ୍ବର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା-୨୦୨୪ ଉତ୍ସବକୁ ଉଦ୍‌ଘାଟନ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏପରି ମତବ୍ୟକ୍ତ କରିଛନ୍ତି।

ଏହି ଜାତୀୟ ଅନୁଷ୍ଠାନକୁ ପ୍ରଥମ ଗସ୍ତବେଳେ ରାଜ୍ୟପାଳ ରଘୁବର ଦାସ ଏମ୍‌ସ ଭୁବନେଶ୍ୱରକୁ ଦେଶର ସର୍ବୋଚ୍ଚ ଚିକିତ୍ସା ପ୍ରତିଷ୍ଠାନ ହେବାକୁ ଶୁଭେଚ୍ଛା ପ୍ରଦାନ କରିଥିଲେ। କାଏଜ୍‌ମା ଭଳି ମେଗା କାର୍ଯ୍ୟକ୍ରମରେ କ୍ରୀଡ଼ା, ସଂସ୍କୃତି ଏବଂ ସାହିତ୍ୟକୁ ଅନ୍ତର୍ଭୁକ୍ତ କରିଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିବା ସହିତ ଏମ୍‌ସ ଭୁବନେଶ୍ବରର ଛାତ୍ର ସଂସଦକୁ ପ୍ରଶଂସା କରିଥିଲେ। ଦେଶର ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମର ବ୍ୟାପକତାକୁ ପ୍ରମାଣ କରିବା ସହିତ ଏକ ନିଆରା ଅନୁଭବ ଆଣିଦେବ ବୋଲି ରାଜ୍ୟପାଳ ପ୍ରକାଶ କରିଥିଲେ।

ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ମାନନୀୟ ରାଜ୍ୟପାଳଙ୍କୁ ସ୍ବାଗତ କରିବା ସହିତ ଏହି ଜାତୀୟ ପ୍ରତିଷ୍ଠାନର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହି ଉତ୍ସବକୁ ସ୍ବାଗତ କରି ସଫଳତା କାମନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିନ୍ ଡ. ପି ଆର୍‌ ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ରେଜିଷ୍ଟ୍ରାର୍‌ ଡ. ଦେବପ୍ରିୟ ବନ୍ଦ୍ୟୋପାଧ୍ୟାୟ, ଡିଡିଏ ରଶ୍ମି ରଂଜନ ସେଠୀ, ଏମ୍‌ସ ଛାତ୍ର ସଂସଦ ସଭାପତି ଦିବ୍ୟଜ୍ୟୋତି ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।

ଉଲ୍ଲେଖଯୋଗ୍ୟଯେ ଏମ୍‌ସ ଭୁବନେଶ୍ୱର ଛାତ୍ର ସଂସଦ ପକ୍ଷରୁ ଆୟୋଜିତ କାଏଜ୍‌ମା, ପୂର୍ବ ଭାରତର ଏକ ବୃହତ୍‌ କଲେଜ ଫେଷ୍ଟ ଭାବେ ପରିଚୟ ହାସଲ କରିଛି। ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏକାଡେମିକ୍‌ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସାଂସ୍କୃତିକ, ସାହିତ୍ୟିକ, କ୍ରୀଡ଼ା, ଏବଂ ମନୋରଂଜନ ଭିତ୍ତିକ ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।

ଏଥିସହିତ କାଏଜ୍‌ମା-୨୦୨୪ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନର ଅବସର ରଖିଛି। ଚଳିତ ମାସ ୨୯ ତାରିଖ(ଗୁରୁବାର) ସନ୍ଧ୍ୟାକୁ ପ୍ରସିଦ୍ଧ ହାସ୍ୟ କଳାକାର ତଥା ୟୁଟ୍ୟୁବ୍‌ ତାରକା ଅଭିମନ୍ୟୁ ଉପମନ୍ୟୁ ତାଙ୍କ ବ୍ୟଙ୍ଗ ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମଉଜ କରିବେ। ସେହିପରି ବଲିଉଡ୍‌ର ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର୍‌ ମୋହିତ ଚୌହାନ୍ୟ ଆସନ୍ତା ମାସ ୨ ତାରିଖ(ଶନିବାର) ସନ୍ଧ୍ୟାକୁ ତାଙ୍କ ସୁଲଳିତ କଣ୍ଠସ୍ବର ମାଧ୍ୟମରେ ଝୁମାଇବାର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି। ସେହିପରି ଆହୁରି ଅନେକ ଖ୍ୟାତିସମ୍ପନ୍ନ ଡିଜେ କଳାକାରଙ୍କ ପ୍ରଦର୍ଶନ ମଧ୍ୟ ରହିଥିବା ସଭାପତି ଦିବ୍ୟଜ୍ୟୋତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ରାଜ୍ୟପାଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ସାକ୍ଷାତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସରେ ପୋଷ୍ଟ କରିଛି;  ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଶ୍ରୀଜିୟୁଙ୍କୁ ପ୍ରାର୍ଥନା କଲେ ଓଡିଶାର ନବନିଯୁକ୍ତ ରାଜ୍ୟପାଳ, ଆସନ୍ତାକାଲି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

ପୁରୀ: ଆଜି ପୁରୀରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ଓଡିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ। ସେ ଆଜି ଟ୍ରେନଯୋଗେ ପୁରୀରେ ପହଞ୍ଚିବା ପରେ ତାଙ୍କୁ ପୁରୀ ପ୍ରଶାସନ ତରଫରୁ ସ୍ବାଗତ କରାଯାଇଥିଲା। ଏହାପରେ ସେ ପୁରୀ ରାଜଭବନରେ କିଛି ସମୟ ବିଶ୍ରାମ କରିଥିଲେ।

ଏହାପରେ ସେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ଓଡିଶାର ବିକାଶ ଏକମାତ୍ର ଲକ୍ଷ୍ୟ ହେବ ବୋଲି ଉପସ୍ଥିତ ଗଣମାଧ୍ୟମକୁ ସେ କହିଥିଲେ। ଓଡିଶାର ଗରିବ ଏବଂ ନିଷ୍ପେସିତଙ୍କ ଉନ୍ନତି ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କଲି ବୋଲି ସେ କହିଛନ୍ତି।

ଆଜି ସେ ଭୁବନେଶ୍ବର ରାଜଭବନ ଆସି ସେଠାରେ କେତେକ ବିଶିଷ୍ଠ ବ୍ୟକ୍ତିଙ୍କୁ ସାକ୍ଷାତ କରିବେ। ଏହାପରେ ସେ ଆସନ୍ତାକାଲି ସକାଳେ ପ୍ରଭୃ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଦିନ 11ଟା 45 ମିନିଟରେ ସେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ରାଜଭବନ ସୁତ୍ରରୁ ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ

ନୂଆଦିଲ୍ଲୀ: ରଘୁବର ଦାସ ହେବେ ଓଡିଶାର ନୂଆ ରାଜ୍ୟପାଳ। ଏ ନେଇ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍କି ପ୍ରକାଶ ପାଇଛି ବୋଲି କୁହାଯାଇଛି। ନ୍ୟୁଜ ଏଜେନସି ସୁତ୍ରରୁ ଜଣାପଡିଛି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ରଘୁବର ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ।

ବର୍ତ୍ତମାନ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କର କାର୍ଯ୍ୟକାଳ ଶେଷ ହୋଇଯାଇଛି। ହେଲେ ନୂଆ ରାଜ୍ୟପାଳ ନ ଆସିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିଆସିଛନ୍ତି।

ସେହିପରି ଆଜି ତ୍ରିପୁରାର ମଧ୍ୟ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ବରିଷ୍ଠ ବିଜେପି ନେତା ଇନ୍ଦ୍ରସେନା ରେଡ୍ଡି ନାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସଫେଇ ଅଭିଯାନରେ ସାମିଲ ହେଲେ ଓଡ଼ିଶା ରାଜ୍ୟପାଳ ଏବଂ ଭୁବନେଶ୍ୱର ସାଂସଦ

ଭୁବନେଶ୍ଵର: ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ୨ ଅକ୍ଟୋବର ୨୦୨୩ରେ ପରିପ୍ରେକ୍ଷୀରେ ସ୍ଵଚ୍ଛତା ହିଁ ସେବା ଉପଲକ୍ଷରେ ୧ ଅକ୍ଟୋବର ୨୦୨୩ ଦିବା ୧୦ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଏକ ବୃହତ ସଫେଇ ଅଭିଯାନ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣର ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟ ତଥା ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ଭୁବନେଶ୍ୱର ମଣ୍ଡଳ ତରଫରୁ ମିଳିତ ଭାବରେ ଆୟୋଜନ କରାଯାଇଥିଲା। ଏହି ସଫେଇ ଅଭିଯାନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମହୋଦୟା, ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଳାଙ୍ଗେ, ଆଇଏଏସ ଯୋଗଦାନ କରିଥିଲେ।

ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ, ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ, ଭୁବନେଶ୍ୱର ମହାନଗର ନିଗମ ଏବଂ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଅଧିକାରୀ ଏବଂ କର୍ମଚାରୀ ଏହି ସଫେଇ ଅଭିଯାନରେ ଅଂଶଗ୍ରହଣ କରିଥିଲେ। ଏତଦ ବ୍ୟତୀତ ଖଣ୍ଡଗିରି ବିହାର ଉନ୍ନୟନ ସମିତି, ଖଣ୍ଡଗିରି ବୟସ୍କ ନାଗରିକ ମଞ୍ଚ, ଯୂଥ ଫର ସେବା, ଜୟଦେବ ପଥଚାରୀ କ୍ଲବ ଆଦି ଅନେକ ସାମାଜିକ ସଂଗଠନ ଏହି ସଫେଇ ଅଭିଯାନରେ ସାମିଲ ହେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟର ଏନସିସି  ଏବଂ ଭାରତ ସ୍କାଉଟ ଏବଂ ଗାଇଡ ସଦସ୍ୟ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆନ୍ତରିକତା ସହ ଭାଗ ନେଇ ସାମିଲ ହେଇଥିଲେ ଆଉ ଏକ ଘଣ୍ଟା ଶ୍ରମଦାନ କରିଥିଲେ।

ଏକ ତାରିଖ – ଏକ ଘଣ୍ଟା – ଏକା ସଙ୍ଗେ ବିଷୟ ବସ୍ତୁ ଉପରେ ଆଧାରିତ ଏହି ବୃହତ ସଫେଇ କାର୍ଯ୍ୟକ୍ରମରେ ୬୦୦ ରୁ ଅଧିକ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ବୃହତ ସଫେଇ ଅଭିଯାନକୁ ସ୍ଥାନୀୟ ବାସିନ୍ଦା ଏବଂ ଉପସ୍ଥିତ ପର୍ଯ୍ୟଟକମାନେ ଭୂୟସୀ ପ୍ରଶଂସା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହ ପରିବେଶକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ସୁଧାକର ମିଶ୍ର

ନୟାଗଡ/ଭୁବନେଶ୍ଵର: ସାମ୍ପ୍ରତିକ ବିଶ୍ୱରେ ଅସନ୍ତୁଳିତ ପରିବେଶ ଜୀବଜଗତ ପ୍ରତି ଏକ ଆହ୍ୱାନ ରୂପେ ଉଭା ହୋଇଛି। ବିଶ୍ଵ ତାପମାତ୍ରା ବୃଦ୍ଧି ହେବା ସହିତ ଜଳବାୟୁ ପରିବର୍ତ୍ତନ ପୃଥିବୀର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷକୁ ହନ୍ତସନ୍ତ କରି ସାରିଲାଣି। କରୋନା ମହାମାରୀ ପରି ଚଳିତ ବର୍ଷର ପ୍ରଚଣ୍ଡ ଖରା ଚତୁର ଓ ଜ୍ଞାନୀ ବିଜ୍ଞ ବୋଲାଉଥିବା ଭଦ୍ର ମଣିଷକୁ ଘାଇଲା କରିଛି। ଆଗକୁ ଦେଖାଯାଉଥିବା ପରିବେଶ ଜନିତ ସମସ୍ୟାର ମୁକାବିଲା କରିବାକୁ ହେଲେ ମାନବ ସମାଜ ସତର୍କ ରହିବା ଆବଶ୍ୟକ। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ।

“ପରିବେଶ ସମନ୍ଵୟ ସମିତି” ନୟାଗଡ଼ ଜିଲ୍ଲା ଓ ପ୍ରଗତିଶୀଳ ସମାଜ କେନ୍ଦ୍ରିକ ସାହିତ୍ୟ ଅନୁଷ୍ଠାନ “ମାଟିର ସ୍ୱର” ତରଫରୁ ଯଥାକ୍ରମେ ପ୍ରଭାତ କୁମାର ସାହୁ, ପ୍ରଫୁଲ୍ଲ ମାଝି, ପ୍ରକୃତିବନ୍ଧୁ ସୁକାନ୍ତ ଚୌଧୁରୀ, ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ଲେଖିକା ଡ଼. ବାସନ୍ତୀ ମହାନ୍ତି, ରୋଟାରିଆନ ରୁଦ୍ର ପ୍ରସାଦ ମହାପାତ୍ର ଓ ମହେଶ୍ୱେତା ନାହାନ୍ତୀ ଇତ୍ୟାଦି ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମହୋଦୟଙ୍କୁ ସାକ୍ଷାତ କରି “ମାଟିର ସ୍ୱର” କବିତା ସଂକଳନ ପ୍ରଦାନ କରିଥିଲେ।

“ମାଟିର ସ୍ୱର” ଅନୁଷ୍ଠାନ ସମ୍ବନ୍ଧରେ ପଚାରି ବୁଝିବା ସହିତ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣକୁ ପ୍ରାଧାନ୍ୟ ଦେଇ ମହାମହିମ ରାଜ୍ୟପାଳ କହିଥିଲେ ଯେ, “ଅଗର୍ ପେଡ୍ ଶାସ୍ ପ୍ରସ୍ୱଶ ନେହିଁ ଲେନା ହେ ତୋ, ମାନବ ସମାଜ କୈସେ ବଚେଗା ??

ଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଟି ଥିଲା ମହାମହିମ ରାଜ୍ୟପାଳଙ୍କର ଆମମାନଙ୍କ ପାଇଁ। ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଇଥିବା ବେଲ ଚାରାଟି ଶ୍ରଦ୍ଧାର ସହ ରାଜ୍ୟପାଳ ଗ୍ରହଣ କରିଥିଲେ ଏବଂ ବଗିଚାରେ ତୁରନ୍ତ ରୋପଣ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

ସମାଜ, ସାହିତ୍ୟ ଓ ପରିବେଶ ପରସ୍ପର ପରିପୂରକ। ଏ ଉପଦେଶ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ଆମେ ବିଚାର କରୁଛୁ। ମାଟିର ସ୍ୱର ଅନୁଷ୍ଠାନକୁ ସ୍ନେହ ଶ୍ରଦ୍ଧା ଓ ସମ୍ମାନ ପ୍ରଦାନ କରି ଏହି ଅନୁଷ୍ଠାନର କାମନା କରିଥିବାରୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ମହୋଦୟଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ସରିଲା ଓଡିଶା ରାଜ୍ୟପାଳଙ୍କ କାର୍ଯ୍ୟକାଳ, ଗଣେଷୀଲାଲ ରହିବେ ନା ନୂଆ ଆସିବେ !!

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ୨୦୧୮ ମସିହା ମେ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଅନୁସାରେ ଏଇ ୨୯ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ହେଲେ ନୂଆ ରାଜ୍ୟପାଳ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନା ପ୍ରଫେସର ଗଣେଷୀଲାଲଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ନା ନୂଆ କାହାକୁ ଦାୟିତ୍ବ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ, ଯଦି ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆ ନ ଯିବ ତେବେ ଯିଏ ଅଛନ୍ତି ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା କଥା। ହେଲେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।

ସେହିପରି ସମ୍ବିଧାନ ବିଶେଷଜ୍ଞଙ୍କ ଅନୁସାରେ କୌଣସି ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷହେଲେ ସେଠାରେ ତୁରନ୍ତ ନୂଆ ନିଯୁକ୍ତି ଦେବା କଥା। ଯଦି ହଠାତ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିବାରେ କିଛି ଅସୁବିଧା ହୁଏ ସେଠାରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଲା ଯିଏ ରାଜ୍ୟପାଳ ଥିବେ ତାଙ୍କର କାର୍ଯ୍ୟକାଳକୁ ତୁରନ୍ତ ବୃଦ୍ଧି କରାଯିବ। ନଚେତ ପଡୋଶୀ ରାଜ୍ୟର ରାଜ୍ୟପାଳଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ।

ହେଲେ ବର୍ତ୍ତମାନର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କିଛି କରି ନାହାଁନ୍ତି। ସେଥିପାଇଁ ସନ୍ଦେହ ହେଉଛି ଯେ, ପ୍ରଫେସର ଗଣେଷଲାଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ଆଉ କାହାକୁ ନିଯୁକ୍ତି ପ୍ରଦାନ କରୁ ନାହାଁନ୍ତି। ହେଲେ ରାଜ୍ୟର ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତିକୁ ନେଇ କେନ୍ଦ୍ର ଏପରି କରିବା ଉଚିତ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ପ୍ରଫେସର ଗଣେଷୀଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହେବା ପରେ ସେ ରାଜ୍ୟ ସରକାରଙ୍କ ସହିତ ଠିକ ତାଳମେଳ ରଖି କାର୍ଯ୍ୟ କରୁଛନ୍ତି। କାରଣ ଅନ୍ୟ କେତେକ ରାଜ୍ୟରେ ରାଜ୍ୟପାଳଙ୍କ ସହିତ ରାଜ୍ୟ ସରକାରଙ୍କ ତାଳମେଳ ରହୁ ନାହିଁ। ଫଳରେ ସେଠାରେ ଉଭୟ ରାଜ୍ୟପାଳ ଏବଂ ରାଜ୍ୟ ସରକାର ବିବାଦୀୟ ହୋଇପଡିଛନ୍ତି। ହେଲେ ଓଡିଶାରେ ତାହା ଦେଖାଯାଇ ନାହିଁ।

ଏକଦା ପ୍ରଫେସର ଗଣେଷୀଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ଓଡିଶା ରାଜଭବନରେ ଦେହାନ୍ତ ହେବା ପରେ ମଧ୍ୟ ସେ ଛୁଟି ନ ନେଇ ନିଜର କାର୍ଯ୍ୟ ଜାରୀ ରଖିଥିଲେ। ଧର୍ମପତ୍ନୀଙ୍କ ଶବଦାହ ପରେ ପରେ ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜଭବନରେ ନିଜର କାର୍ଯ୍ୟ କରିଥିଲେ। ଯାହାକୁ ନେଇ ସେତେବେଳେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ ସାରା ଦେଶରେ ବେଶ୍ ପ୍ରଶଂସା କରାଯାଇଥିଲା।

ଅନ୍ୟପକ୍ଷରେ ପ୍ରଫେସର ଗଣେଷୀ ଲାଲ ଓଡିଶାର ସାହିତ୍ୟ, ସଂସ୍କୃତି ଏବଂ ଗବେଷଣା କ୍ଷେତ୍ରରେ ଉନ୍ନତି ପାଇଁ ଯଥେଷ୍ଠ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ନିଜେ ଜଣେ ଧର୍ମପରାୟଣ ଏବଂ ସାହିତ୍ୟପ୍ରେମୀ ବ୍ୟକ୍ତି ହୋଇଥିବାରୁ ସେହି କ୍ଷେତ୍ରରେ ସେ କାର୍ଯ୍ୟ କରୁଛନ୍ତି। ଫଳରେ ଓଡିଶାର ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଫେସର ଗଣେଶୀଲାଲ ବେଶ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ତରାପି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ସୀତାରାମ ଅଗ୍ରୱାଲ
ଚିଲିକା: ଆଜି ସଂଧ୍ୟାରେ ଖୋରଧା ଜିଲ୍ଲା ଚିଲିକା ବ୍ଲକ୍ ତରାପି ଗ୍ରାମର ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଉକ୍ତ ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇଥିଲେ। ରାଜ୍ୟପାଳଙ୍କୁ ପ୍ରଥମେ ଜିଲ୍ଲା ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ସଭା ମଞ୍ଚକୁ ପାଛୋଟି ନିଆଯାଇଥିଲା।

ଏହି ଅବସରରେ ଆୟୋଜିତ ସଭାରେ ପ୍ରଥମେ ଶତବାର୍ଷିକୀ କମିଟି ଉପସଭାପତି ପ୍ରଫେସର ରବି ନାରାୟଣ ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଉକ୍ତ ଉତ୍ସବରେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ସମ୍ମାନିତ ଅତିଥି ଭାବେ କଲିକତା ସ୍ଥିତ ସତ୍ୟଜିତ୍ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇଣ୍ଡଷ୍ଟ୍ରିର ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଓ ମୁଖ୍ୟ ବକ୍ତା ଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

ଏହି ପରିପରକ୍ଷୀରେ ଏକ ଡାକ ଟିକଟ ଉନ୍ମୋଚନ ସହ ବିଦ୍ୟାଳୟ ସ୍ମରଣିକା ଉନ୍ମୋଚନ ହୋଇଥିଲା। ପରି ଶେଷରେ ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସଭା ସମାପନ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ଶହ ଶହ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡ଼ିଶା ଟେକ୍ନୋଲୋଜି ଏବଂ ରସର୍ଚ୍ଚ ବିଶ୍ବବିଦ୍ୟାଳୟକୁ ମିଳିଲା ନୂଆ କୁଳପତି

ଭୁବନେଶ୍ୱର: ଓଡିଶା ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ବିଭୂତି ଭୁଷଣ ବିଶ୍ବାଳଙ୍କୁ ଚାରି ବର୍ଷ ପାଇଁ ଓଡ଼ିଶା ଟେକ୍ନୋଲୋଜି ଏବଂ ରସର୍ଚ୍ଚ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି। ସେ ଯେଉଁ ଦିନ କାର୍ଯ୍ୟଭାର ଗ୍ରହଣ କରିବେ ସେହି ଦିନଠାରୁ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

ପ୍ରଫେସର ବିଶ୍ବାଳ ବର୍ତ୍ତମାନ  ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ମେଘାଳୟର ନିର୍ଦ୍ଦେଶକ ଅଛନ୍ତି। ତାଙ୍କର ୩୬ ବର୍ଷରୁ ଅଧିକ ସମୟର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୩ଟି ପୁସ୍ତକ ରଚନା କରିଛନ୍ତି ଏବଂ ୨୪ ପିଏଚଡି ଏବଂ ୪୫ ପିଜି ସ୍କର୍ଲାରଙ୍କୁ ସଫଳତାର ସହ ମାର୍ଗଦର୍ଶନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଆଜି ରାଜ ଭବନରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ମାନ୍ୟବର ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା ରୋଗୀ ସେବା ସମ୍ବନ୍ଧୀୟ ଅନେକ ବିକାଶମୂଳକ କାର୍ଯ୍ୟ, ଗବେଷଣା ଏବଂ ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗରେ ଅବଗତ କରାଇଥିଲେ। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ରୋଗୀ ସେବା ଓ ସମାଜ ପ୍ରତି ଏମ୍ସ ଭୁବନେଶ୍ୱରର ସେବା ମନୋଭାବ ଏବଂ ସକରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ।

ଓଡ଼ିଶାର ରାଜ୍ୟପାଳ ତଥା ଦେଶର ଜଣେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଗଣେଶୀ ଲାଲଙ୍କ ସହିତ ସାକ୍ଷାତକୁ ନେଇ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ଆନନ୍ଦ ପ୍ରକାଶ କରିବା ସହିତ ଏହା ଏକ ପ୍ରେରଣାଦାୟୀ ବୈଠକ ଥିଲା ବୋଲି ପ୍ରକାଶ କରିଛନ୍ତି।
ଏହି ଅବସରରେ ଏମ୍ସ ଭୁବନେଶ୍ୱର ରେଜିଷ୍ଟ୍ରାର ବି ବି ମିଶ୍ର, ଡିଡିଏ (ଇନ୍-ଚାର୍ଜ) ରଶ୍ମିରଜନ ସେଠୀ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟପାଳଙ୍କ ଉଦ୍ୟମ,ହେବ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ବର: ରାଜ୍ୟର ବଛାବଛା ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ନେଇ ରାଜଭବନରେ ଆୟୋଜିତ ହେବ ଚିତ୍ରଶିଳୀ ଶିବିର। ଆସନ୍ତା ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଚିତ୍ରଶିଳ୍ପୀ ଶିବିରକୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଉଦଘାଟନ କରିବେ। ମୁଖ୍ୟତଃ ରାଜ୍ୟର ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ରାଜ୍ୟପାଳ ବ୍ୟକ୍ତିଗତ ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜଭବନ ଲନରେ ଏହି ଶିବିର ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ୩୧ତାରିଖରେ ଶେଷ ହେବ। ଏଥିରେ ଓଡିଶାର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ବଳଦେବ ମହାରଥା, ରାମହରି ଜେନା, ରବିନାରାୟଣ ରଥ, ପ୍ରବୋଧ ରଥ, ଚକ୍ରଧର ବେହେରା,ପ୍ରବୀର ଦଳାଇ, ତାରାକାନ୍ତ ପରିଡା, ମାନସ ରଂଜନ ଜେନା, ପଞ୍ଚାନନ ସାମଲ, ଅତସୀ ବସୁ ପ୍ରମୁଖ ଚିତ୍ରଶିଳ୍ପୀ ଯୋଗଦେବେ।

Categories
ଆଜିର ଖବର ରାଜ୍ୟ ଖବର

‘ଦୁଇ ଦଶନ୍ଧି ସରକାର ମୁଖ୍ୟ ରୂପେ ନରେନ୍ଦ୍ର ମୋଦି ଓ ଗଣତନ୍ତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ରାଜ୍ୟପାଳ

ଭୁବନେଶ୍ୱର: ଭାରତରେ ଗଣତଂତ୍ରର ଐତିହ୍ୟ ଓ ପରମ୍ପରା ବେଶ ପ୍ରାଚୀନ ଏବଂ ଏହାର ଉତ୍ସ ଓ ଆଧାର ହେଉଛି ଆଧ୍ୟାତ୍ମିକତା । ସମଗ୍ର ବିଶ୍ୱକୁ କୁଟୁମ୍ବ ଜ୍ଞାନ କରୁଥିବା ଭାରତ ପ୍ରତ୍ୟେକ ବ୍ୟକ୍ତିକୁ ସମ୍ନାନ ଦେବା ସହିତ ପ୍ରତ୍ୟେକଙ୍କ ମଧ୍ୟରେ ଏକତା ଓ ଅଭିନ୍ନତାର ଭାବ ପ୍ରସାରିତ କରିଆସିଛି । ଏବଂ ଏହି ଭାବ ସୁଗନ୍ଧକୁ ନିଜ କ୍ରିୟାଶୀଳତାରେ ସଂଚରାଇଛନ୍ତି ନରେନ୍ଦ୍ର ମୋଦି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ଆଜି ଇଡ଼କଲ ପ୍ରେକ୍ଷାଳୟରେ ଆୟୋଜିତ ‘ଦୁଇ ଦଶଂଧି ସରକାର ମୁଖ୍ୟ ରୂପେ ନରେଂଦ୍ର ମୋଦି ଓ ଗଣତଂତ୍ର ପ୍ରକ୍ରିୟା’ ଶୀର୍ଷକ ଆଲୋଚନାରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ସତ୍ତାର ସଂସ୍କୃତି ନୁହେଁ ସଂସ୍କୃତିର ସତ୍ତା ହିଁ କାମ୍ୟ । ପଦପଦବୀଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାଧାରଣ ଜନତାର ପାଦସେବା । ଏହା ହିଁ ଗଣତଂତ୍ରର ଆତ୍ମା ଓ ସ୍ୱରୂପ । ଏ କ୍ଷେତ୍ରରେ ଭାରତ ବିଶ୍ୱ ବଂଦନୀୟ ହେବାକୁ ଯାଉଛି । ସମଗ୍ର ବିଶ୍ୱରେ ଯୋଗର ପ୍ରସାରରେ ଆଧ୍ୟାତ୍ମ ଭାବର ପ୍ରସାର ଘଟିଛି । ସୂକ୍ଷ୍ମ ଭାବରେ ଅନୁଶୀଳନ କଲେ ନରେନ୍ଦ୍ର ମୋଦିଙ୍କ ବିପୁଳ ଅନୁଭବ, ଅନୁଭୂତି, ଉପଲବ୍ଧି ଓ ବହୁସ୍ତରୀୟ ଅଭିଜ୍ଞତା ଭାରତକୁ ଗୌରବାନ୍ୱିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ।

ବିଶିଷ୍ଟ ଲେଖକ ତଥା ଚିନ୍ତକ ହରପ୍ରସାଦ ଦାସ ଭାରତରେ ଗଣତଂତ୍ର ଏକ ନିରଂତର ପ୍ରକ୍ରିୟା ଓ ପାଶ୍ଚାତ୍ୟ ଚିଂତନଠୁ ଏହା ଭିନ୍ନ ଏବଂ ନରେନ୍ଦ୍ର ମୋଦି ନିଜସ୍ୱ ଶୈଳୀରେ ଏହାର ପ୍ରତିଷ୍ଠା ଓ ପ୍ରସାରଣ କରୁଥିବା ପ୍ରକାଶ କରିଥିଲେ । ପ୍ରଫେସର ଚିଂତାମଣି ମହାପାତ୍ର ଓ ପ୍ରଫେସର ଶ୍ରୀରାମ ଚାଉଲିଆ ପ୍ରମୂଖ ଶାସନ ମୁଖ୍ୟ ଭାବରେ ନରେନ୍ଦ୍ର ମୋଦିଙ୍କ ଦୁଇ ଦଶକକୁ ଗଣତଂତ୍ର ପ୍ରକ୍ରିୟା ପରିପ୍ରେକ୍ଷୀରେ ବିଭିନ୍ନ ଦୃଷ୍ଟିରୁ ଆଲୋଚନା କରିଥିଲେ ।ରାମଭାଉ ମହାଲଗି ପ୍ରବୋଧିନି ଆନୁକୁଲ୍ୟରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା