Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରିକେଟ ବିଶ୍ୱକପ୍ ଷ୍ଟାଡିୟମଗୁଡିକରେ ଜିଓର ଡାଉନଲୋଡ୍ ସ୍ପିଡ୍ ଏୟାରଟେଲଠାରୁ ଦୁଇଗୁଣ ଅଧିକ: ଓପନ ସିଗନାଲ

ନୂଆଦିଲ୍ଲୀ/ ଭୁବନେଶ୍ୱର: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତରେ ଆଇସିସି ବିଶ୍ୱକପ୍ ୨୦୨୩ ଅନୁଷ୍ଠିତ ହେବାକୁ ଥିବା କ୍ରିକେଟ ଷ୍ଟାଡିୟମଗୁଡ଼ିକରେ ରିଲାଏନ୍ସ ଜିଓର ଡାଉନଲୋଡ୍ ସ୍ପିଡ୍ ଏୟାରଟେଲଠାରୁ ଦୁଇଗୁଣ ଏବଂ ଭୋଡାଫୋନ୍ ଆଇଡିଆଠାରୁ ୩.୫ ଗୁଣ ଅଧିକ ରହିଛି।

ଓପନ୍ ସିଗନାଲର ରିପୋର୍ଟ ଅନୁଯାୟୀ ଭାରତୀୟ କ୍ରିକେଟ୍ ଷ୍ଟାଡିୟମ୍ ଭିତରେ ଓ ବାହାରେ ମପାଯାଇଥିବା ଡାଉନଲୋଡ୍ ସ୍ପିଡରେ ଜିଓ ବାଜି ମାରିଛି। ରିଲାଏନ୍ସ ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ୬୧.୭ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ ୩୦.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ଏବଂ ଭୋଡାଫୋନ୍ ଆଇଡିଆ ୧୭.୭ ଏମବିପିଏସ୍ ସହ ତୃତୀୟ ସ୍ଥାନରେ ରହିଛି।

ଓପନ୍ ସିଗନାଲ ରିପୋର୍ଟରେ ୫ଜି ଡାଉନଲୋଡ୍ ସ୍ପିଡରେ ମଧ୍ୟ ରିଲାଏନ୍ସ ଜିଓ ପ୍ରଥମ ସ୍ଥାନରେ ରହିଛି। ଏୟାରଟେଲ ତୁଳନାରେ ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୨୫.୫ ପ୍ରତିଶତ ଅଧିକ ରହିଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ଜିଓର ହାରାହାରି ୫ଜି ଡାଉନଲୋଡ୍ ସ୍ପିଡ୍ ୩୪୪.୫ ଏମବିପିଏସ୍ ରହିଥିବା ବେଳେ ଏୟାରଟେଲ୍ ୨୭୪.୫ ଏମବିପିଏସ୍ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ଭୋଡାଫୋନ ଆଇଡିଆ ବର୍ତ୍ତମାନ ୫ଜି ସେବା ପ୍ରଦାନ କରୁନାହିଁ। ଆଇସିସି ବିଶ୍ୱକପ୍ ୨୦୨୩ର ମ୍ୟାଚ୍ଗୁଡ଼ିକ ଦେଶର ୧୦ଟି ଷ୍ଟାଡିୟମରେ ଖେଳାଯିବ। ଏଥିରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଭଳି ନୂଆ ଷ୍ଟାଡିୟମଠାରୁ ଆରମ୍ଭ କରି କୋଲକାତାର ଇଡେନ ଗାର୍ଡେନ ଭଳି ଐତିହାସିକ ଷ୍ଟାଡିୟମ ରହିଛି। ଏହାବ୍ୟତୀତ ଦିଲ୍ଲୀ, ମୁମ୍ବାଇ, ପୁନେ, ହାଇଦ୍ରାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ଲକ୍ଷ୍ନୌ ଓ ଧର୍ମଶାଳାର କ୍ରିକେଟ ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ଗୁଡ଼ିକ ଖେଳାଯିବ।

ଅପଲୋଡ୍ ସ୍ପିଡ୍ ଦୃଷ୍ଟିରୁ କ୍ରିକେଟ ଷ୍ଟାଡିୟମରେ କମ୍ପାନୀଗୁଡ଼ିକ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଏୟାରଟେଲର ହାରାହାରି ଅପଲୋଡ୍ ସ୍ପିଡ୍ ୬.୬ ଏମବିପିଏସ୍ ଏବଂ ଜିଓର ୬.୩ ଏମବିପିଏସ୍ ରହିଛି। ଭୋଡାଫୋନ ଆଇଡିଆ ୫.୮ ଏମବିପିଏସ ସହ ତୃତୀୟ ସ୍ଥାନରେ ରହିଛି। ସେହିଭଳି ହାରାହାରି ୫ଜି ଅପଲୋଡ୍ କ୍ଷେତ୍ରରେ ଏୟାରଟେଲର ସ୍ପିଡ୍ ୨୬.୩ ଏମବିପିଏସ୍ ଏବଂ ରିଲାଏନ୍ସ ଜିଓର ସ୍ପିଡ୍ ୨୧.୬ ଏମବିପିଏସ୍ ରହିଛି।

ଓପନ୍ ସିଗନାଲ୍ ମଧ୍ୟ ଆଇସିସି ବିଶ୍ୱକପ୍ ଅନୁଷ୍ଠିତ ହେବାକୁ ଥିବା ଷ୍ଟାଡିୟମଗୁଡିକ ଭିତରେ ଏବଂ ବାହାରେ ୫ଜି ସଂଯୋଗର ଉପଲବ୍ଧତା ଯାଞ୍ଚ କରିଥିଲା। ନେଟୱାର୍କ ଉପଲବ୍ଧତା ୫ଜି ନେଟୱାର୍କରେ ଉପଭୋକ୍ତାଙ୍କ ଦ୍ୱାରା ବ୍ୟୟ କରାଯାଇଥିବା ସମୟରୁ ଜଣାପଡ଼ିଥାଏ।

ରିପୋର୍ଟ ଅନୁଯାୟୀ, ବିଶ୍ୱକପ୍ ଷ୍ଟାଡିୟମରେ ୫ଜି ଉପଲବ୍ଧତା କ୍ଷେତ୍ରରେ ଜିଓ ଶୀର୍ଷରେ ରହିଛି । ଜିଓର ଗ୍ରାହକମାନେ ୫ଜି ନେଟୱାର୍କ ସହ ୫୩%ରୁ ଅଧିକ ସମୟ ଯୋଡ଼ି ହୋଇରହିଥିଲେ। ଏୟାରଟେଲ ଗ୍ରାହକମାନେ ମାତ୍ର ୨୦.୭% ସମୟ ୫ଜି ନେଟୱାର୍କକୁ ସଂଯୋଗ କରିପାରିଥିଲେ। ସେହି ଅନୁଯାୟୀ ଜିଓର ୫ଜି ନେଟୱାର୍କର ଉପଲବ୍ଧତା ଏୟାରଟେଲ ତୁଳନାରେ ୨.୬ ଗୁଣ ଅଧିକ ଥିବା ଜଣାପଡ଼ିଛି।