Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ଛାତିରେ ଦମ ଦେଖାଇଲା କଂଗ୍ରେସ, ଲାଠିମାଡ ଚେୟାର ଫିଙ୍ଗା, ଲୁହବୁହା ବାଷ୍ପ ପ୍ରୟୋଗରେ ଉଭୟପକ୍ଷ ଆହତ

ଭୁବନେଶ୍ବର: ଦୀର୍ଘ ବର୍ଷ ଧରି ନିଷ୍କ୍ରିୟ ହୋଇପଡିଥିବା ଓଡିଶା କଂଗ୍ରେସ ଏବେ ତାହାର ଦମ ଦେଖାଇଛି। ଯାହା ଆଜି ଭୁବନେଶ୍ବରର ରାଜରାସ୍ତାରେ ହଜାର ହଜାର କଂଗ୍ରେସ ନେତା ଓ କର୍ମି ଏକାଠି ହୋଇ ବିଜେପି ସରକାରଙ୍କୁ ନାକରେ ପାଣି ପିଆଇ ଦେଇଛନ୍ତି। ଭୁବନେଶ୍ବରର ପିଏମଜି ଛକ ପାଲଟି ଯାଇଥିଲା ରଣକ୍ଷେତ୍ର। କଂଗ୍ରେସ କର୍ମି ଉଗ୍ରରୂପ ଧାରଣ କରି ବିଧାନସଭା ଆଡକୁ ଅଗ୍ରସର ହେବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆରମ୍ଭ ହୋଇଥିଲା ଚେୟାର ଫିଙ୍ଗା।

ଆଜି କଂଗ୍ରେସର ଏପରି ପଦକ୍ଷେପକୁ ନେଇ ସାରା ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଥିଲା। ପୁରା ଗଣମାଧ୍ୟମ କଂଗ୍ରେସର ଏହି ଆନ୍ଦୋଳନ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ଶତାଧିକ କର୍ମି ରାମମନ୍ଦିର ଛକରେ ଏକାଠି ହୋଇ ଏକ ଶୋଭାଯାତ୍ରାରେ ବାହାରି ଥିଲେ। ଏହାପୂର୍ବରୁ ହଜାରହଜାର ସମର୍ଥକ ଗାନ୍ଧୀ ମାର୍ଗରେ ଏକାଠି ହୋଇଥିଲେ। ଫଳରେ ଗାନ୍ଧୀ ମାର୍ଗ ପୁରା ଲୋକାରଣ୍ୟ ହୋଇପଡିଥିଲା।

ଏହାପରେ ସେଠାରେ ଆରମ୍ଭ ହୋଇଥିଲା ସଭା। ମଞ୍ଚ ଉପରେ ମହିଳାମାନଙ୍କୁ ବସିବାର ଅଧିକାର ଦିଆଯାଇଥିଲା। ତଳେ ସମସ୍ତ ନେତାମାନେ ଆସନ ଗ୍ରହଣ କରିଥିଲେ। ଜଣଜଣଙ୍କୁ ମଞ୍ଚ ଉପରକୁ ଡାକି ଭାଷଣ ଦେବା ପାଇଁ ଅନୁରୋଧ କରାଯାଉଥିଲା। ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ମହମ୍ମଦ ମୋକିମ, ତାରା ବାହିନୀପତି ପ୍ରମୁଖ ଭାଷଣ ପ୍ରଦାନ କରୁଥିଲେ। ଏହି ଭିତରେ ପ୍ରସାଦ ହରିଚନ୍ଦନ ତାଙ୍କ ଭାଷଣ ଦେଉଥିବା ବେଳେ କର୍ମିମାନେ ମଞ୍ଚ ପାରି ହୋଇ ବିଧାନସଭା ଆଡକୁ ମାଡି ଚାଲିଥିଲେ।

ପୋଲିସ ତରଫରୁ ବିଭିନ୍ନ ସ୍ଥାନରେ ବାରିକେଟ କରାଯାଇଥିଲା। କର୍ମିମାନେ ପ୍ରଥମ ବାରିକେଟ ଭାଙ୍ଗି ଆଗକୁ ମାଡି ଚାଲିଲେ। ପୋଲିସ ଅଟକାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହାପରେ ସେମାନେ ଦ୍ବିତୀୟ ବାରିକେଟ ମଧ୍ୟ ଭାଙ୍ଗି ଦେଇଥିଲେ। ଏହିପରି ରାସ୍ତାରେ ଥିବା ଗୋଟିଏ ପରେ ଗୋଟିଏ ବାରିକେଟ ଭାଙ୍ଗି ଶେଷ ବାରିକେଟ ବେଳକୁ ପୋଲିସ ନୟାନ୍ତ ହୋଇଯାଇଥିଲା।

ପୋଲିସ ଘେର ଭାଙ୍ଗି ଧସାଇ ପଶିବା ପାଇଁ ଜଣେ କର୍ମି ଚେଷ୍ଠା କରୁଥିବା ବେଳେ ଜଣେ ମହିଳା ପୋଲିସ ତାଙ୍କୁ ଲାଠିରେ ପେଲି ଦେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ଧସ୍ତାଧସ୍ତି। ଫଳରେ ପରିସ୍ଥିତି ଅଣଆୟତ ହୋଇଯାଇଥିଲା। ଯାହାଫଳରେ ପୋଲିସ ଲାଠି ଚାର୍ଯ୍ୟ ଆରମ୍ଭ କରିଦେଇଥିଲା। କର୍ମିମାନେ ଛତ୍ରଭଙ୍ଗ ଦେଇ ମଞ୍ଚ ପାଖରେ ପଡିଥିବା ଚେୟାର ସବୁ ପୋଲିସ ଉପରକୁ ଫିଙ୍ଗିବା ଆରମ୍ଭ କରିଥିଲେ।

ପୋଲିସ ଓ କଂଗ୍ରେସ କର୍ମିଙ୍କ ମଧ୍ୟରେ କିଛି ସମୟ ଧରି ଯୁଦ୍ଧ ଚାଲିବା ପରେ ପାଣିମାଡ ଆରମ୍ଭ କରାଯାଇଥିଲା। ଏହାପରେ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏହାଦ୍ବାର କର୍ମିମାନେ ମଇଦାନ ଖାଲି କରିବାକୁ ବାଧ୍ୟ ହୋଇଥିଲେ। ମଞ୍ଚ ପାଖରେ ଥିବା କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ସମେତ ବହୁ ନେତାଙ୍କୁ ପୋଲିସ ଘେରିଯାଇ ଗିରଫ କରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରଣକ୍ଷେତ୍ର ପାଲଟିଲା ପିଏମଜି ଛକ, ପୋଲିସ ଉପରକୁ ଚ୍ୟାୟର ଫିଙ୍ଗା, ଆରମ୍ଭ ହେଲା ଲାଠିଚାର୍ଯ୍ୟ, ପାଣିମାଡ

ଭୁବନେଶ୍ବର: ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବରର ପିଏମଜି ଛକ। କଂଗ୍ରେସ ଆନ୍ଦୋଳନ ବର୍ତ୍ତମାନ ପାଲଟିଛି ଯୁଦ୍ଧ। ପୋଲିସ ଏବଂ କଂଗ୍ରେସ କର୍ମିଙ୍କ ମଧ୍ୟରେ ଚାଲିଛି ଧସ୍ତାଧସ୍ତା। ଗୋଟିଏ ପରେ ଗୋଟିଏ ବାରିକେଟ ଭାଙ୍ଗିବା ପରେ କର୍ମିମାନେ ବିଧାନସଭାକୁ ପଶିବାକୁ ଉଦ୍ୟମ କରୁଥିଲେ। ହେଲେ ପୋଲିସ ପ୍ରଥମେ ଲାଠି ଚାର୍ଯ୍ୟ ଆରମ୍ଭ କରିଥିଲା। ଏହାକୁ ଦେଖି କଂଗ୍ରେସ କର୍ମୀମାନେ ସଭା ପାଇଁ ଆସିଥିବା ଚ୍ୟାୟର ପୋଲିସ ଉପରକୁ ଫିଙ୍ଗିଥିଲେ।

ତେବେ ପରିସ୍ଥିତି ଉତ୍ତେଜନା ସୃଷ୍ଟି ହେବା ପରେ କର୍ମିଙ୍କ ଉପରକୁ ପୋଲିସ ପାଣିମାଡ ଆରମ୍ଭ କରିଛନ୍ତି। ଫଳରେ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣ ବାହାରେ ରହିଛି। ଶତାଧିକ କର୍ମି ଉତେକ୍ତ ହୋଇ ପୋଲିସ ଉପରେ ହିଂସ୍ର ହୋଇପଡିଛି। କଂଗ୍ରେସ କର୍ମିମାନେ ପ୍ରାୟ ଚାରିଟି ବ୍ୟାରିକେଟ ଭାଙ୍ଗି ଆଗକୁ ମାଡିବାରେ ଲାଗିଛନ୍ତି। ତେବେ ପରିସ୍ଥିତି ଦେଖି ପୋଲିସ ଅଧିକ ଫୋର୍ସ ମୁତୟନ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଭିତରେ ଓ ରାସ୍ତାରେ ହାଙ୍ଗାମା, ଆଜି ଦୁଇ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି

ଭୁବନେଶ୍ବର: ବିଧାନସଭା ଭିତରେ ଏବଂ ବିଧାନସଭା ପରିସର ବାହାରେ ଆଜି ଜିନ ତମାମ ଚାଲିଛି ହାଙ୍ଗାମା। କାରଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ କଂଗ୍ରେସ ଏହି ଆନ୍ଦୋଳନ କରିଛି। ବିଧାନସଭା ପରିସର ବାହାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ କରିଥିବା ବେଳେ ଭିତରେ ଦୁଇ ବିଧାୟକ ତାରା ଓ ରମେଶ ମଧ୍ୟ ହାଙ୍ଗାମା କରିଛନ୍ତି। ଗୃହ ଭିତରେ ଘଣ୍ଟ ବଜାଇ ଦୁଇ ବିଧାୟକ ବିଶୃଙ୍ଖଳିତ କରିଥିବା ନେଇ ବାଚସ୍ପତି ଆଜି ତାଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି।

ଗତକାଲି ବାଚସ୍ପତି କଂଗ୍ରେସର 12 ବିଧାୟକଙ୍କୁ ନିଲମ୍ବନ କରିଛନ୍ତି, ଫଳରେ ସେମାନେ ଆଜି ବିଧାନସଭା ଯାଇପାରି ନ ଥିଲେ। ତେବେ କଂଗ୍ରେସର କେବଳ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବାକି ଅଛନ୍ତି। ଫଳରେ ଆଜି ଏହି ଦୁଇ ବିଧାୟକ କଂଗ୍ରେସ ନେତାଙ୍କ ସହିତ ଘଣ୍ଟ ବାଡେଇ ବାଡେଇ ଶୋଭାଯାତ୍ରାରେ ବିଧାନସଭା ଆଡକୁ ଯାଇଥିଲେ। ହେଲେ ବାଟରେ ପୋଲିସ ସମସ୍ତଙ୍କୁ ଅଟକାଇଥିବା ବେଳେ କେବେଳ ତାରା ଓ ରମେଶ ବିଧାନସଭା ପରିସରକୁ ଯାଇଥିଲେ।

ବିଧାନସଭାରେ ନିଲମ୍ବନ ନ ହୋଇଥିବା କଂଗ୍ରେସର ଏହି ଦୁଇ ବିଧାୟକ ପୂର୍ବ ପରି ଗୃହ ଭିତରେ ଘଣ୍ଟ ବାଡାଇ ପ୍ରତିବାଦ କରିଥିଲେ। ଫଳରେ ବାଚସ୍ପତି ବାଚସ୍ପତି ୨୧୭ ଧାରା ଅନୁଯାୟୀ ଉଭୟଙ୍କୁ ସାତଦିନ ପାଇଁ ନିଲମ୍ବନ କରିଥିଲେ। ଏହାକୁ ନେଇ କଂଗ୍ରେସ ବିଧାୟକ ତଥା ନେତାମାନେ ଖପ୍ପା ହୋଇଛନ୍ତି। ବିଧାନସଭା ବାହାରେ ସେମାନେ ପ୍ରତିବାଦ କରିବାରେ ଲାଗିଛନ୍ତି। ପୋଲିସ ସହିତ କଂଗ୍ରେସ କର୍ମି ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ବିଶାଳ ରାଲି ଭୁବନେଶ୍ୱର କ୍ଲବ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ପର୍ଯ୍ୟନ୍ତ ଯାଇଥିଲା। ସେହିଠାରେ ଯୁବକଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଏକଘଣ୍ଟା ଧରି ଧସ୍ତାଧସ୍ତି ହୋଇଥିଲା।

ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ କର୍ମୀଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା। ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ରଣଜିତ ପାତ୍ର କହିଛନ୍ତି ଯେ ବିଧାନସଭା ପରିସରରେ ବିଜେପି ବିଧାୟକ ଓ ମନ୍ତ୍ରୀମାନେ ଆତଙ୍କରାଜ ଚଳାଇଛନ୍ତି। ଯେଉଁ ବିରୋଧି ଦଳର ବିଧାୟକ ମୋହନ ସରକାରର ଅପାରଗତା, ଭ୍ରଷ୍ଟାଚାର ଓ ଦୁର୍ନୀତ ପ୍ରସଙ୍ଗରେ ସ୍ୱର ଉତୋଳନ କଲେ ତାଙ୍କୁ ବିଜେପି ବିଧାୟକ ମାନେ ଏକତ୍ରିତ ହୋଇ ଆକ୍ରମଣ କରୁଛନ୍ତି।

ଓଡ଼ିଶାରେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ବିରୁଦ୍ଧରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକମାନେ ବିଧାନସଭାରେ ସ୍ୱର ଉତୋଳନ କରିଥିଲେ। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଅନ୍ୟାନ୍ୟ ବିଜେପି ବିଧାୟକମାନେ ଗୃହରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲେ । ପବ୍ରିତ ଗୃହର ଗରିମା, ପରମ୍ପରା ଓ ସମ୍ମାନକୁ କ୍ଷୁର୍ଣ୍ଣକରି ସମ୍ବଲପୁର ବିଧାୟକ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ କଲର ଧରି ଆକ୍ରମଣ କରିବା ଦୁର୍ଭାଗ୍ୟଜନକ।

ସେହିପରି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଅତି ଅଶାଳୀନ ଓ ଅସଭ୍ୟ ଭାଷାରେ କଂଗ୍ରେସ ବିଧାୟକ ମାନଙ୍କୁ ଗାଳିଗୁଲଜ କରିଥିଲେ। ସାରା ଓଡ଼ିଶାବାସୀ ବିଧାନସଭାରେ ବିଜେପି ବିଧାୟକ ମାନଙ୍କର ଏହି ହିଟଲରୀ ରାଜକୁ ଦେଖିଛନ୍ତି। ଅନ୍ୟପକ୍ଷରେ ଯେଉଁମାନେ ଗୃହରେ ଅସାମାଜିକ ଆଚରଣ କଲେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ମାତ୍ର ସେମାନଙ୍କର ଗାଳି ଓ ଆକ୍ରମଣର ଶିକାର ହୋଇଥିବା ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଗୃହରୁ ନିଲମ୍ବନ କରିବା ଘଟଣା ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଥିବାର ପ୍ରମାଣିତ।

ଭୁବନେଶ୍ୱର କଂଗ୍ରେସ ସାସଂଦ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ ଏହି ସଂପୂର୍ଣ୍ଣ ଘଟଣାରୁ ଯାହା ନିର୍ଯ୍ୟାସ ବାହାରୁଛି, ସେଥିରେ ବିଜେପି ଦଳ ଏବଂ ବିଧାୟକମାନେ ମହିଳା ବିରୋଧି ବୋଲି ପ୍ରମାଣିତ। ଓଡ଼ିଶାରେ ୮ ମାସର ମୋହନ ସରକାରରେ ୧୬ଶହ ମହିଳା ନିର୍ଯ୍ୟାତିତ ହୋଇଥିବାର ପଞ୍ଜିକୃତ ହୋଇଛି ଏବଂ ହଜାର ହଜାର ମହିଳା ନିର୍ଯ୍ୟାତନାର ଶିକାର ହୋଇ ସହିଯାଇଛନ୍ତି।

ଆଦିବାସୀ ମହିଳାଙ୍କୁ ଲଙ୍ଗଳାକରି ଗୈରିକ ସଂଗଠନର ସଭ୍ୟମାନେ ମାଡ ମାରୁଛନ୍ତି। ବଲାଙ୍ଗିରରେ ମହିଳାଙ୍କୁ ମଣିଷ ମଳ ଖୁଆଯାଉଛି । କେନ୍ଦୁଝର ଜିଲ୍ଲା ସ୍କୁଲ ଛାତ୍ରୀ ଗର୍ଭବତୀ ହେଉଛନ୍ତି। ଚିତ୍ରକୋଣ୍ଡାରେ ହାଇସ୍କୁଲ ଛାତ୍ରୀ ମା’ ହୋଇଛି । ସ୍କୁଲ, କଲେଜ ଓ ୟୁନିଭର୍ସିଟି ଛାତ୍ରୀମାନେ ସୁରକ୍ଷିତ ନାହାନ୍ତି। ଏହି ପ୍ରସଙ୍ଗ ବିଧାନସଭାରେ ଉତ୍‌ଥାପନ କରି ତାରାପ୍ରସାଦ ବାହିନୀପତି କଣ ଭୁଲ କରିଛନ୍ତି ଯାହାଫଳରେ ତାଙ୍କ ମାଡ଼ ମରାଯିବା ସହ ଅସଭ୍ୟ ଭାଷାରେ ଗାଳି ଫାଜିତ କରାଗଲା।

ମୋହନ ସରକାର ବିରୋଧି ଦଳର କଣ୍ଠରୋଧ କରିପାରିବେ ନାହିଁ । ମହିଳା ଅତ୍ୟାଚାର ବୃଦ୍ଧି ପ୍ରସଙ୍ଗକୁ ସାରା ଓଡ଼ିଶାର ମହିଳାମାନେ ଅନୁଭବ କଲେଣି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଭଳି ଅଭାବନୀୟ ପରିସ୍ଥିତି ପ୍ରସଙ୍ଗରେ ନୀରବ ରହିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବେ ଓ ସ୍ୱାବଲମ୍ବି କରିବେ ବୋଲି କହି କ୍ଷମତାକୁ ଆସିଲେ ମାତ୍ର କ୍ଷମତାପ୍ରାପ୍ତ ହେଲାପରେ ମହିଳାଙ୍କର ଇଜ୍ଜତ ଲୁଟାଯାଉଛି।

ତାରାପ୍ରସାଦ ବାହିନୀପତିଙ୍କୁ ଆକ୍ରମଣ କରିଥିବା ବିଧାୟକ ଜୟନାରାୟଣ ମିଶ୍ର ଏବଂ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଗୃହରେ ଗୁଣ୍ଡାଗିରି କରିଥିବା ବିଜେପି ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ ଦାବି କରିଛି। ଏହି ଆକ୍ରମଣର ଜବାବ ବିଧାନସଭା ବାହାରେ ଯୁବ କଂଗ୍ରେସ ଦେବ ବୋଲି ସତର୍କ କରିଦେଇଛି। ଯୁବ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ସୁଦିପ ସାମଲ, ଉଦିତ ପ୍ରଧାନ, ଗୋପନ ମାର୍ଥା, ସ୍ୱାଗତ କର, ମିଲନ ପଟ୍ଟନାୟକ, ମହମ୍ମଦ ପରଭେଜ, ବଟକୃଷ୍ଣ ରାଉତରାୟ, ବଳରାମ ନନ୍ଦ, ସୁରଜ ରାଉତ, କେଦାର ଦଳାଇ, ସଂଦୀପ ରାଉତରାୟ, ଲିପିକା ପାତ୍ର, ଶିଳ୍ପିଶ୍ରୀ ହରିଚନ୍ଦନ, ସସ୍ମିତା ପଣ୍ଡା, ସୁଶ୍ରୀ ବେହେରା, ସୁନିଲ ସାହୁ, ଆଲୋକ ଦାସ, ବିଂରଚି ବାରିକ, ଅଜୟ ପଣ୍ଡା, ପବିତ୍ର ସେଠୀ, ସାହାରୁଖ ଖାନ, ସାହିଲ ମହାନ୍ତି, ଚଣ୍ଡି ପ୍ରସାଦ ମହାପାତ୍ର, ଜଗଦିଶ ରାଉତ, ପ୍ରମୁଖ ଅଂଶଗହଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିବ ରାଜ୍ୟ କଂଗ୍ରେସ, ନିଯୁକ୍ତି ହେଲେ ପର୍ଯ୍ୟବେକ୍ଷକ, ଜାଣନ୍ତୁ କେଉଁ ଜିଲ୍ଲରୁ କିଏ

ଭୁବନେଶ୍ବର: ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଶାସନକଳ ସଂପୂର୍ଣ୍ଣ ବିଗିଡ଼ି ଯାଇଛି। ରାଜ୍ୟରେ ନାରୀ ହତ୍ୟା, ଧର୍ଷଣ ଓ ନିର୍ଯ୍ୟାତନା ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି, ଯାହାକି ଅତ୍ୟନ୍ତ ଉଦ୍‌ବେଗର ବିଷୟ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି। ଏହାର ପ୍ରତିବାଦରେ କଂଗ୍ରେସ ଦଳପକ୍ଷରୁ ଆଗାମୀ ୧୦ ତାରିଖ ସୋମ‌ବାର ଦିନ ୧୧ ଟା ସମୟରେ ଓଡ଼ିଶାର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ପ୍ରତ୍ୟେକ ଜିଲ୍ଲା ନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି । ଉକ୍ତ ପର୍ଯ୍ୟବେକ୍ଷକମାନେ ଖୁବଶୀଘ୍ର ନିଜ ଦାୟିତ୍ୱରେ ଥ‌ିବା ଜିଲ୍ଲାକୁ ଗସ୍ତ କରିବେ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିବେ । କାର୍ଯ୍ୟକ୍ରମ ପରେ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସଂପୃକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।

ଜିଲ୍ଲା ପାଇଁ ଯେଉଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ସେମାନେ ହେଲ

ଅନୁଗୁଳ- ଶ୍ରୀ ଲଲାଟେନ୍ଦୁ ଦାସ

ବାଲେଶ୍ଵର-ସନ୍ତୋଷ ସିଂ ସାଲୁଜା

ବରଗଡ଼- ଚିନ୍ମୟ ପ୍ରସାଦ ବେହୁରା

ଭଦ୍ରକ-ସତ୍ୟଶିବ ଦାସ

ଭୁବନେଶ୍ୱର-ନବଜ୍ୟୋତି ପଟ୍ଟନାୟକ

ବଲାଙ୍ଗୀର-ସୁଜିତ ପାଢ଼ୀ

ବୌଦ୍ଧ- ସଂଗ୍ରାମ କେଶରୀ ମହାନ୍ତି

କଟକ- ମନୋଜ ଜେନା

କଟକସିଟି- କିଶୋର ଜେନା

ଦେଓଗଡ଼-ବିଜୟାନନ୍ଦ ଚାଉଳିଆ

ଢ଼େଙ୍କାନାଳ-ଅଭିଳାଷ ମାଣିଆ

ଗଞ୍ଜାମ (ଇଷ୍ଟ)-ନକୁଳ ନାୟକ

ଗଞ୍ଜାମ (ୱେଷ୍ଟ)-ବିଜୟ କୁମାର ପ୍ରଧାନ

ଗଜପତି-ଦୁର୍ଗା ପଣ୍ଡା

ଜଗତସିଂହପୁର-ସନତ ଦାସ

ଯାଜପୁର-ଦେବାଶିଷ ପଟ୍ଟନାୟକ

ଝାରସୁଗୁଡ଼ା-ସିଦ୍ଧାଥ ସ୍ବରୂପ ଦାଶ

କଳାହାଣ୍ଡି-ମନୋରଞ୍ଜନ ତ୍ରିପାଠୀ

କନ୍ଧମାଳ-ଡ. ଲଲାଟେନ୍ଦୁ ମହାପାତ୍ର

କେନ୍ଦ୍ରାପଡ଼ା- ସଂଗ୍ରାମ ମିଶ୍ର

କେନ୍ଦୁଝର-ଶିବାନନ୍ଦ ରାୟ

ଖୋର୍ଦ୍ଧା-ଜୟଶ୍ରୀ ପାତ୍ର

କୋରାପୁଟ-ଅଜିତ ଦାସ

ମୟୁରଭଞ୍ଜ (ଇଷ୍ଟ)- ସୁଦର୍ଶନ ଦାସ

ମୟୁରଭଞ୍ଜ (ୱେଷ୍ଟ )- କୁମାର ଚିରଞ୍ଜିବ

ମାଲକାନଗିରି- ପ୍ରଦୀପ୍ତ କୁମାର ଦାସ

ନବରଙ୍ଗପୁର-ବଳଭଦ୍ର ମାଝୀ

ନୂଆପଡ଼ା- ମୁରଲୀଧର ନାୟକ

ନୟାଗଡ଼- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ପୁରୀ-ବିଭୂତି ମିଶ୍ର

ରାୟଗଡ଼ା-ଦ୍ରୌପଦୀ ମାଝୀ

ରାଉରକେଲା- ମିଲନ ପଟ୍ଟନାୟକ

ସମ୍ବଲପୁର- ହମିଦ ହୁସେନ

ସୁବର୍ଣ୍ଣପୁର- ଗଣେଶ ସାହୁ

ସୁନ୍ଦରଗଡ଼ ଜିଲ୍ଲା ପାଇଁ କୃଷ୍ଣଚନ୍ଦ୍ର ଶଗରିଆ

ନିଯୁକ୍ତି ହୋଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଭୁବନେଶ୍ବର ବସ୍ତିବାସିନ୍ଦାଙ୍କ ଆନ୍ଦୋଳନକୁ ସମର୍ଥନ କଲା କଂଗ୍ରେସ, ଯୋଗଦେଲେ ଚେଲା କୁମାର

ଭୁବନେଶ୍ୱର: ଆଜିକୁ ୧୧ ଦିନ ହେବ ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାଡ ନଂ- ୬୫ ଡୁମୁଡୁମା ହାଉସିଂବୋର୍ଡ ଫେଜ-୧, ସୁବାଷବୋଷ ନଗର ବସ୍ତି ବାସିନ୍ଦାମାନେ ରାଜ୍ୟ ସରକାର ଦ୍ୱାରା ବେଆଇନ ବସ୍ତି ଉଚ୍ଛେଦକୁ ବିରୋଧ କରି ଦିବାରାତ୍ର ଧାରଣାରେ ବସିଛନ୍ତି। ଏହାକୁ ସମର୍ଥନ କରି ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ଅନୁରୋଧ କ୍ରମେ କଂଗ୍ରେସ ନେତୃବୃନ୍ଦ ଉକ୍ତ ଧାରଣାରେ ସାମିଲ ହୋଇଥିଲେ।

ଧାରଣାରେ ଯୋଗଦେଇ ଏଆଇସିସି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର ବସ୍ତିବାସିନ୍ଦାଙ୍କୁ ସମ୍ବୋଧିତ କରି କହିଥିଲେ ଗରିବ ଶ୍ରେଣୀୟ ଲୋକଙ୍କୁ କଂଗ୍ରେସ ଦଳ ସଦାସର୍ବଦା ସୁରକ୍ଷା ଦେଇ ଆସୁଛି। ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଠୁ ଆରମ୍ଭ କରି ରାଜୀବ ଗାନ୍ଧୀ, ଶ୍ ସିଂ ଙ୍କ ପର୍ଯ୍ୟନ୍ତ ଭୂମିହୀନଙ୍କୁ ଗୃହ ନିର୍ମାଣ ପାଇଁ ମାଗଣାରେ ଜମି ଏବଂ ପରବର୍ତି ସମୟରେ ଗୃହ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ଯୋଜନା କଂଗ୍ରେସ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ଯୋଜନା ଗୁଡ଼ିକୁ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାର ନାମ ପରିବର୍ତ୍ତନ କରି ନିଜସ୍ୱ ଯୋଜନା ହିସାବରେ ଲୋକଙ୍କ ଆଖିରେ ଧୂଳି ଦେଇଛନ୍ତି।

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁରୂପ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଇ କହିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବିରୋଧି ସରକାର। ଦରଦାମ ଠାରୁ ଆରମ୍ଭ କରି ସ୍ଥାୟୀତ୍ୱ ପର୍ଯ୍ୟନ୍ତ ସବୁଥିରେ ବିଫଳ। କଂଗ୍ରେସ କାଲି ମଧ୍ୟ ଗରିବ, ଦଳିତ ଓ ଅସହାୟଙ୍କ ସହ ଥିଲା ଆଗକୁ ମଧ୍ୟ ଅନ୍ୟାୟ ବିରୋଧରେ ପ୍ରଭାବିତଙ୍କ ସାଙ୍ଗରେ ଠିଆ ହେବ। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଉପସଭାପତି ଶିବାନନ୍ଦ ରାୟ ବସ୍ତିବାସିନ୍ଦାଙ୍କୁ ଆସ୍ୱସନା ଦେଇ କହିଥିଲେ ପୋଲିସ, ପ୍ରଶାସନ କିମ୍ବା ସରକାର ବେଆଇନ ଭାବେ ବସ୍ତି ଉଚ୍ଛେଦ କରିପାରିବେ ନାହିଁ। ଯଦି ସେପରି କିଛି ପରିସ୍ଥିତି ଉପୁଜେ ତେବେ କଂଗ୍ରେସ ଦଳ ଆଗରେ ଠିଆହେବ।

ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ ପରିଶେଷରେ କହିଥିଲେ ଯଦି ବସ୍ତିବାସିନ୍ଦାଙ୍କୁ ନ୍ୟାୟ ନମିଳେ ତେବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କୋର୍ଟର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଓହ୍ଲାଇବ। ଏହି ଧାରଣା ସଭାକୁ ବସ୍ତି ସଭାପତି ପୁଷ୍କର ସୁବୁଦ୍ଧି ପରିଚାଳନା କରିଥିଲେ।

ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି ସଂପାଦକ ଜି. ରୁଦ୍ର ରାଜୁ, ପିସିସି ସଂପାଦକ ସୁବ୍ରତ ମହାପାତ୍ର, ଜ୍ଞାନଦେବ ବେଉରା, ରଶ୍ମି ମହାପାତ୍ର, ସେକ ତାକୱିମ, ଆଶିଷ ମଲ୍ଲିକ, ବ୍ଲକ ସଭାପତି ସେକ ଆପତାବ ଅଲ୍ଲି, ଅଶୋକ ଦାସ, ଶ୍ରୀଧର ବଳିଆର ସିଂ, ପ୍ରଦୀପ ମହାପାତ୍ର, ଦୀପକ ମହାପାତ୍ର, ଇନ୍ଦ୍ରଜିତ ରାଉତ, ଗୋବିନ୍ଦ ସାହୁ, କୁସୁମ ପ୍ରଧାନ, ରୀନା ସାହୁ, ରବିନ୍ଦ୍ର ନାୟକ, ବିଚିତ୍ର ପାତ୍ର, ବିକ୍ରମ ସୁନ୍ଦରରାୟ, ନିଆଜୁଲ ଇସ୍‌ଲାମ, ଦେବାଶିଷ ଦାସ, ଶିବନ ମୁସରଫ, ସାଗର ପରିଡ଼ା ପ୍ରମୁଖ ସାମିଲ ହୋଇଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, 30 ମିନିଟ ଲାଇନ ବନ୍ଦ କରିବାକୁ ନିଷ୍ପତି

ଭୁବନେଶ୍ୱର, କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବଂ ଏହି ସମସ୍ୟାରୁ ଜନସାଧାରଣ ସଂପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ଦର ବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶିତା ଓ ଉପଭୋକ୍ତାଙ୍କ ଉପରେ ଏକ ବୋଝ ସଦୃଶ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଦେଖା ଦେଇଛି ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଏହି ବର୍ଦ୍ଧିତ ଦର ସମସ୍ତଙ୍କୁ ବାଧୁ ଥିବାରୁ ଅପ୍ରେଲ ୪ ତାରିଖ ରବିବାର ସନ୍ଧ୍ୟା ଘ. ୬.୩୦ ମିନିଟ୍ ଠାରୁ ସନ୍ଧ୍ୟା ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍ ନିମନ୍ତେ) ରାଜ୍ୟବାସୀ ପ୍ରତିବାଦ ସ୍ୱରୂପ ନିଜ ଘରର ସମସ୍ତ ଲାଇଟ୍ ଓ ବୈଦ୍ୟୁତିକ ଉପକରଣ ବନ୍ଦ୍ ରଖିବା ପାଇଁ ପଟ୍ଟନାୟକ ନିବେଦନ କରିଛନ୍ତି ।

ଏହି ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ତା ୫.୪.୨୦୨୧ ରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାଠାରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦେବେ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଂପୃକ୍ତ ବିଦ୍ୟୁତ୍ ଅଧିକାରୀଙ୍କୁ ପ୍ରଦାନ କରିବେ ।

ସେହିଭଳି ଆସନ୍ତା ଏପ୍ରିଲ୍ ୬ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ ନଗର କଂଗ୍ରେସ କମିଟି ପକ୍ଷରୁ ନିଜ ଅଂଚଳରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦିଆଯିବ ବୋଲି ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ।