Categories
ଆଜିର ଖବର ରାଜ୍ୟ ଖବର

ଖୁବଶୀଘ୍ର ଖୋଲିପାରେ ଶ୍ରୀମନ୍ଦିର, ଜାଣନ୍ତୁ କଣ ରହିବ କଟକଣା

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହୋଇଥିଲେ ସୁଦ୍ଧା ଏବେ ବି ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିପାରିନାହିଁ । ତେବେ ଡିସେମ୍ବର ମାସ ତୃତୀୟ ସପ୍ତାହରୁ ଶ୍ରୀମନ୍ଦିର ଖୋଲିବା ନେଇ ସମ୍ଭାବନା ରହିଛି  । ମନ୍ଦିର ଖୋଲିବା ପ୍ରସଙ୍ଗରେ ସେବାୟତଙ୍କ ଓ ଜଗନ୍ନାଥ ପ୍ରେମୀ ମାନେ ବାରମ୍ବାର ସରକାରଙ୍କୁ ଘେରିଛନ୍ତି । ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପୂର୍ବରୁ ମନ୍ଦିର ଖୋଲିବାକୁ ନେଇ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୈଠକ ବସିଥିଲା ଯେଉଁଥିରେ ଡିସେମ୍ବର ତୃତୀୟ ସପ୍ତାହରେ ମନ୍ଦିର ଖୋଲିବା ନେଇ ସ୍ଥିର ହୋଇଥିଲା ।ସେହି ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଛନ୍ତି । ଶ୍ରୀମନ୍ଦିର ସେବାୟତ ଓ ଅନ୍ୟାନ୍ୟ ଲୋକଙ୍କୁ ଡାକି ବିଚାର ବିମର୍ଶ ଆରମ୍ଭ କରିଛି।

ତେବେ କଟକଣା ଭିତରେ କେଉଁଭଳି ଭାବରେ ମନ୍ଦିର ଖୋଲାଯିବ ଓ ମନ୍ଦିର ଖୋଲିଲେ କଣ ସବୁ ସମସ୍ୟା ହୋଇପାରେ ଏଥି ସହିତ ମନ୍ଦିର ଭିତରେ ଦର୍ଶନ ସମୟରେ କୋଭିଡ୍ ନିୟମାବଳୀକୁ କେଉଁ ଭଳି ଭାବରେ ପାଳନ କରାଯିବ ତାକୁ ନେଇ ଏବେ ଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।

ଗତ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ନିଜେ ଏହି ବୈଠକ ଡାକିଥିଲେ । ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକଙ୍କ ସମେତ ବରିଷ୍ଠ ସେବାୟତ, ମନ୍ଦିର ସହ ସମ୍ପୃକ୍ତ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ। ଶ୍ରୀମନ୍ଦିର ଖୁବ ଶୀଘ୍ର ଖୋଲିବାକୁ ଯାଉଥିବା ବେଳେ ସମସ୍ତେ ଏଥିପାଇଁ ପ୍ରସ୍ତୁତ ରହିବାକୁ କୁହାଯାଉଥିଲା । ରାଜ୍ୟ ବାହାରର ଅନ୍ୟ ଦେବାଦେବୀ ମନ୍ଦିର ପ୍ରସଙ୍ଗରେ ବି ଆଲୋଚନା ହୋଇଥିଲା । ରାଜ୍ୟ ବାହାରେ ଯେଉଁ ଦେବାଦେବୀ ମନ୍ଦିର ଖୋଲାଯାଇଛି, ତାହା କେଉଁଭଳି ଚାଲିଛି, ସେ ଉପରେ ସମୀକ୍ଷା କରାଯାଇଥିଲା । କ’ଣ ସବୁ କଟକଣା ଲଗାଯାଇଛି, ତାର ବିବରଣୀ ବି ପ୍ରସ୍ତୁତ ହୋଇଥିଲା । ଅପରପକ୍ଷରେ ଆଗକୁ ବଡଦିନ ଓ ନୂଆବର୍ଷ ଥିବାରୁ ଶ୍ରୀମନ୍ଦିରର କିପରି ଭାବରେ କୋଭିଡ୍‌ ନିୟମାବଳୀକୁ ପାଳନ କରିହେବ, ସେ ନେଇ ମଧ୍ୟ ସମୀକ୍ଷା କରାଯାଇଛି ।

ତେବେ ଶ୍ରୀମନ୍ଦିର ଖୋଲିବା ନେଇ ପର୍ଯ୍ୟାପ୍ତ ପରାମର୍ଶ ଓ ବିଚାର ବିମର୍ଶ କରିବା ପରେ ହିଁ ମନ୍ଦିର ଖୋଲିବା ତାରିଖ ସ୍ପଷ୍ଟ କରାଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ୍‌ କୁମାର ।