Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୨ ରେ କରୋନାର ଛାୟା, ଦିଲ୍ଲୀ-ପଞ୍ଜାବ ମ୍ୟାଚ୍ ଉପରେ ସଙ୍କଟ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର ୧୫ ତମ ସଂସ୍କରଣରେ ସଙ୍କଟ ଦେଖାଦେଇଛି। ଆଇପିଏଲରେ କରୋନା ପ୍ରବେଶ କରିଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଦ୍ୱିତୀୟ ଆରଟି-ପିସିଆର ରିପୋର୍ଟ ପଜିଟିଭ ଆସିଛି। ଖୁବ୍ ଶୀଘ୍ର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଅନ୍ୟପକ୍ଷରେ ମଙ୍ଗଳବାର ଦିନ ସମସ୍ତ ଖେଳାଳିଙ୍କ କରୋନା ପରୀକ୍ଷା ହେବ।

ଦିଲ୍ଲୀ କ୍ୟାପିଟାଲ୍ସର ଦଳ ସୋମବାର ପୁଣେ ଅଭିମୁଖେ ଯାତ୍ରା କରିବେ। ଏପ୍ରିଲ ୨୦ ତାରିଖ ବୁଧବାର ଦିନ ତାଙ୍କୁ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏକ ମ୍ୟାଚ୍ ଖେଳିବାକୁ ପଡିବ। ରିପୋର୍ଟ ଅନୁଯାୟୀ, ଏହି ମ୍ୟାଚକୁ ସ୍ଥଗିତ ରଖାଯାଇପାରେ। ମାର୍ଶଙ୍କ ବ୍ୟତୀତ ଦଳର ଡାକ୍ତର ସାଲଭି, ସୋସିଆଲ ମିଡିଆ ଷ୍ଟାଫ ଏବଂ ତିନିଜଣ ହୋଟେଲ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଆଇପିଏଲ୍ ର ନିୟମ ଅନୁଯାୟୀ, ବାୟୋ-ବବୁଲରେ ସଂକ୍ରମିତ ହୋଇଥିବା ଖେଳାଳୀଙ୍କୁ ଅତି କମରେ ସାତ ଦିନ ପାଇଁ ଅଲଗା ରହିବାକୁ ପଡିବ। ଏଥି ସହିତ, ଦଳକୁ ଫେରିବା ପାଇଁ ତାଙ୍କର କ୍ରମାଗତ ଦୁଇଟି RT-PCR ପରୀକ୍ଷାରେ ନେଗେଟିଭ ରିପୋର୍ଟ ଆସିବାକୁ ପଡିବ।  ପ୍ରକାଶ ଯୋଗ୍ୟ ଯେ, ଦଳରେ ଖେଳାଳି ପଜିଟିଭ ହେବା ପରେ ମଧ୍ୟ ଆଇପିଏଲ୍ ବନ୍ଦ ହେବ ନାହିଁ। ଯଦି କୌଣସି ଦଳର ୧୨ ଜଣ ଖେଳାଳି ନାହାଁନ୍ତି, ତେବେ ଆଇପିଏଲ୍ ମ୍ୟାନେଜମେଣ୍ଟ ଦ୍ୱାରା ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।