Categories
ଆଜିର ଖବର ଜାତୀୟ ଖବର

ବୃଦ୍ଧି ପାଇବାରେ ଲାଗିଛି ଦେଶରେ ଆରୋଗ୍ୟ ହାର; ଗତ ୨୪ ଘଣ୍ଟାରେ ରେକର୍ଡ ୭୩,୬୪୨ ସୁସ୍ଥ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ଜନିତ ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ଦିନକରେ ୭୦,୦୦୦ରୁ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୭୩,୬୪୨ ରୋଗୀ ସୁସ୍ଥ ହୋଇ ଘରୋଇ ଏକାନ୍ତବାସ ଏବଂ ହସ୍ପିଟାଲରୁ ଛୁଟି ପାଇଛନ୍ତି ।

ଏଥିସହିତ ଗତକାଲି ସୁଦ୍ଧା ଦେଶରେ ମୋଟ ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ୩୧ ଲକ୍ଷ ୮୦ ହଜାର ୮୬୫ ରେ ପହଞ୍ଚିଛି। ଦେଶରେ ଦୈନିକ ଅଧିକରୁ ଅଧିକ ରୋଗୀ ସୁସ୍ଥ ହେଉଥିବା ଫଳରେ ହାରାହାରି ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇ ୭୭.୩୨ ପ୍ରତିଶତକୁ ଛୁଇଁଛି ।

କେନ୍ଦ୍ର ସରକାରଙ୍କ ନୀରବଚ୍ଛିନ୍ନ ଉଦ୍ୟମ ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ସହଯୋଗରେ ଅଧିକରୁ ଅଧିକ ସଂକ୍ରମିତଙ୍କୁ ଶୀଘ୍ର ଠାବ କରାଯାଇ ନମୁନା ପରୀକ୍ଷା କରାଯାଇପାରୁଛି । ଏଥିସହିତ କରୋନା ନିୟମାବଳୀକୁ ଅନୁସରଣ କରି ହସ୍ପିଟାଲ ଓ ଘରୋଇ ଏକାନ୍ତବାସରେ ସଠିକ ଚିକିତ୍ସା କରାଯାଇପାରୁଛି ।

କେନ୍ଦ୍ରର ନିର୍ଦ୍ଦେଶକ୍ରମେ ନୂଆଦିଲ୍ଲୀସ୍ଥିତ ଏମ୍ସର ବିଶେଷଜ୍ଞ ଡାକ୍ତରମାନେ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲ ଆଇସିୟୁ ପରିଚାଳନା କରୁଥିବା ଡାକ୍ତରମାନଙ୍କୁ ବିଶେଷ ପରାମର୍ଶ ଦେଉଛନ୍ତି, ଯାହାଫଳରେ ଦେଶର କୋଭିଡ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଆମ ଦେଶର ମୃତ୍ୟୁହାର ବିଶ୍ଵରେ ସର୍ବନିମ୍ନ । ଆଜି ଏହି ହାର ୧.୭୨ ପ୍ରତିଶତରେ ରହିଛି । ସେଦୃଷ୍ଟିରୁ ଦେଶର ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮,୬୨,୩୨୦ ରହିଛି, ଯାହା ମୋଟ ସଂକ୍ରମିତଙ୍କ ମାତ୍ର ୨୦.୯୬ ଭାଗ ବୋଲି ଜଣାପଡିଛି ।