Categories
ଜାତୀୟ ଖବର ବିଶେଷ ଖବର

କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି

ନୂଆଦିଲ୍ଲୀ, ଦେଶରେ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସାମିଲ ହୋଇଥିବା ଅଧିକାରୀମାନେ ମୋଦୀଙ୍କୁ ଦେଶରେ ଟିକାକରଣର ସଦ୍ୟତମ ସ୍ଥିତି ଓ ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହି ଅଧିକାରୀମାନେ ବିଭିନ୍ନ ଆୟୁ ବର୍ଗର ଲୋକମାନଙ୍କୁ କେତେ ମାତ୍ରାରେ ଟିକାକରଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ଏବଂ ବିଭିନ୍ନ ରାଜ୍ୟର ସାଧାରଣ ନାଗରିକମାନଙ୍କୁ କେତେ ସଂଖ୍ୟାରେ ଟିକାକରଣ କରାଯାଇଛି ତାହା ପ୍ରଧାନମନ୍ତ୍ରୀଙ୍କୁ ସୂଚାଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ମାସମାନଙ୍କରେ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚୀତ କରିଛନ୍ତି ।

ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଗତ ୬ ଦିନ ମଧ୍ୟରେ ଦେଶରେ ୩.୭୭ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଯାହାକି ମାଲେସିଆ, ସାଉଦି ଆରବ ଏବଂ କାନାଡ଼ାର ମୋଟ ଜନସଂଖ୍ୟା ଠାରୁ ସୁଦ୍ଧା ଅଧିକ। ସମୀକ୍ଷା ବୈଠକରେ ଆହୁରି ଆଲୋଚନା କରାଯାଇଥିଲା ଯେ ଦେଶର ୧୨୮ଟି ଜିଲ୍ଲାରେ ୪୫+ ବର୍ଷରୁ ଅଧିକ ଆୟୁବର୍ଗର ୫୦%ରୁ ଅଧିକ ନାଗରିକଙ୍କୁ ଟିକାକରଣ କରାଯାଇସାରିଛି ଏବଂ ୧୬ଟି ଜିଲ୍ଲାରେ ୪୫+ ଆୟୁ ବର୍ଗର ଲୋକଙ୍କ ଟିକାଦାନ ମାତ୍ରା ୯୦%ରୁ ମଧ୍ୟ ଅଧିକ ହୋଇସାରିଛି ।

ଦେଶରେ ଟିକାକରଣର ମାତ୍ରାରେ ଘଟିଥିବା ବୃଦ୍ଧିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାତ୍ରାକୁ ଜାରି ରଖିବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସୂଚନା ଅନୁସାରେ ଲୋକମାନଙ୍କ ନିକଟରେ ଟିକାକରଣ ନିମନ୍ତେ ପହଞ୍ଚିବା ସକାଶେ ଅଭିନବ ଉପାୟମାନ ଅବଲମ୍ବନ ନିମନ୍ତେ ସେମାନେ ଏବେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରୁଛନ୍ତି । ଅଭିନବ ଏନଜିଓ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନମାନଙ୍କୁ ଏହି କାର‌୍ୟ୍ୟରେ ସାମିଲ କରିବା ସକାଶେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟମାନଙ୍କ ସହିତ ଘନିଷ୍ଠ ସହଯୋଗ ରକ୍ଷା ପୂର୍ବକ ଏହା ସୁନିଶ୍ଚିତ କରାଯିବା ଜରୁରି ଯେ ଟେଷ୍ଟିଂ ମାତ୍ରା ଯେଭଳି ହ୍ରାସ ନ ପାଏ । କାରଣ ଯେକୌଣସି କ୍ଷେତ୍ରରେ ସଂକ୍ରମଣକୁ ଆୟତ୍ତ କରିବା ସକାଶେ ଟ୍ରାକିଂ ଏବଂ କଣ୍ଟେନମେଣ୍ଟ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତିଯେ କୋୱିନ୍ ପ୍ଲାଟଫର୍ମ ପ୍ରତି ଏବେ ବିଶ୍ୱବ୍ୟାପୀ ଆଗ୍ରହ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଯେଉଁସବୁ ରାଷ୍ଟ୍ରମାନେ କୋୱିନ୍ ଭଳି ଭାରତର ଉନ୍ନତ ପ୍ରଯୁକ୍ତି ସାମର୍ଥ୍ୟ ପ୍ରତି ଆଗ୍ରହ ପ୍ରକଟ କରିଛନ୍ତି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ।

Categories
ବିଶେଷ ଖବର ରାଜ୍ୟ ଖବର

ତୃତୀୟ ଲହର ମୁକାବିଲା ପାଇଁ ନବୀନଙ୍କ ନୂଆ ପଦକ୍ଷେପ, ତାଲିମ ନେବେ ୧୧୧୪ ଡାକ୍ତର

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ତୃତୀୟ ଲହର ପାଇଁ ଗଠିତ Technical Task force committee ର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ସ୍ଥିତି ସଂପର୍କରେ ବିସ୍ତୃତ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ପ୍ରଦୀପ୍ତ ମହାପାତ୍ର କହିଥିଲେ ରାଜ୍ୟରେ ବର୍ତ୍ତମାନ ୮୬ ପ୍ରତିଶତ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ଡାକ୍ତରଖାନାରେ ୬୮ ପ୍ରତିଶତ ବେଡ ଖାଲି ରହିଛି । ରାଜ୍ୟରେ ଅକ୍‌ସିଜେନ ଯୋଗାଣ ଠାରୁ ଆରମ୍ଭ କରି ସମସ୍ତ ଆବଶ୍ୟକ ଔଷଧ ପଯ୍ୟାପ୍ତ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର‌୍ୟ୍ୟନ୍ତ ୧୧୧୪ ଡାକ୍ତର ଓ ୧୦୩୬ ସ୍ବାସ୍ଥ୍ୟକର୍ମୀଙ୍କୁ ଶିଶୁ କୋଭିଡ ରୋଗୀଙ୍କ ତାଲିମ ଆରମ୍ଭ କରାଯିବ। ଏହାସହିତ ତୃତୀୟ ଲହରର ମୁକାବିଲା ପାଇଁ ୩୦୦୦ ବେଡ୍, ୨୩୯୦ Isolation Bed , ୬୧୦ ICU Bed ପ୍ରସ୍ତୁତ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଥିଲେ । ଏହାସହିତ ଜୁନ୍ ମଧ୍ୟ ଭାଗରୁ ଗଞ୍ଜାମ, କୋରାପୁଟ ଓ ରାୟଗଡା ଜିଲ୍ଲାରେ ଚତୁର୍ଥ sero survey  ଆରମ୍ଭ କରାଯିବ ଏବଂ ଏଥିରେ ପିଲାମାନଙ୍କ ବିଷୟରେ ବିଶେଷ ତଥ୍ୟ ସଂଗ୍ରହ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ଅଧିକ ସଂକ୍ରମଣ ହାର ଥିବା ରାୟଗଡା, ଯାଜପୁର, ପୁରୀ ଓ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ତଥା ଭୁବନେଶ୍ବର ଓ କଟକ ମୁନିସ୍‌ପାଲ କମିଶନର ମାନଙ୍କ ସହିତ ସ୍ଥାନୀୟ ପରିସ୍ଥିତି ସଂପର୍କରେ ପଚାରି ବୁଝିଥିଲେ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୩ ଲକ୍ଷ ୬୨ ହଜାର ୧୦୫ ଡୋଜ୍ ଟିକା ଦିଆଯାଇଛି ଏବଂ ଟିକାକରଣ କ୍ଷେତ୍ରରେ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି ବୋଲି ଜଣାଯାଇଛି । ଜୁଲାଇ ୧୫ ସୁଦ୍ଧା ଭୁବନେଶ୍ବରରେ ୪୫ ବର୍ଷରୁ ଉର୍ଦ୍ଧ୍ବ ସବୁ ଲୋକଙ୍କର ଦୁଇଟି ଡୋଜ ଟିକାକରଣ ହେବା ସହିତ ୧୮ ରୁ ୪୪ ବର୍ଷ ସମସ୍ତଙ୍କ ପ୍ରଥମ ଡୋଜ ସଂପୂର୍ଣ୍ଣ ହୋଇଯିବ ।
ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜି, ଅଗ୍ନିଶମ ସେବା ଡିଜି, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍.ପି ମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଓଡ଼ିଶା ସମେତ ଆଠଟି ରାଜ୍ୟର କରୋନା ସ୍ଥିତି ସହ ଟିକାକରଣ ସଂପର୍କରେ ସମୀକ୍ଷା କଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଆଜି ଓଡ଼ିଶା ସମେତ ଆଠଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଉପସ୍ଥିତ ଥିଲେ। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଦୈନିକ ସଂକ୍ରମଣ, ଅଧିକ ମୃତ୍ୟୁହାର ରହିଥିବା ବେଳେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇବା ସହିତ ଅଧିକ ରହୁଛି।

ଏସବୁ ରାଜ୍ୟ ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନା ସହିତ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ପ୍ରଦେଶ। ବୈଠକରେ ଓଡ଼ିଶାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ, ହରିୟାଣା ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ, ପଞ୍ଜାବ ସ୍ବାସ୍ଥ୍ୟ ମନ୍ତ୍ରୀ ବଲବିର ସିଂ ସିଦ୍ଧୁ, ଝାଡ଼ଖଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ ବନ୍ନା ଗୁପ୍ତା, ବିହାର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏହିସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ସମ୍ପର୍କରେ ଆଲୋକପାତ କରିବା ସହିତ ଚିକିତ୍ସା ଭିତ୍ତିଭୂମି ଉପରେ ପଡ଼ୁଥିବା ଚାପ ଉପରେ ଧ୍ୟାନ ଆକର୍ଷଣ କରିଥିଲେ। ତେବେ ମହାମାରୀ ମୁକାବିଲା ସହିତ ଜନସାଧାରଣଙ୍କ କଲ୍ୟାଣ ସୁନିଶ୍ଚିତ କରୁଥିବାରୁ ସେ ରାଜ୍ୟ ପ୍ରଶାସନର ସମର୍ପଣ ଓ ଧୈର୍ୟ୍ୟର ପ୍ରଶଂସା କରିଥିଲେ।

ସେ କହିଥିଲେ ଯଦିଓ ଗତ ୨୪ ଘଣ୍ଟା ମଧ୍ୟରେ ୩.୪୮ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ତଥାପି ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରୁ ୧୧,୧୨୨ ସଂଖ୍ୟକ ସଂକ୍ରମିତ ହ୍ରାସ ପାଇଛନ୍ତି। ଲଗାତାର ଦ୍ବିତୀୟ ଦିନ ପାଇଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। ସେ କୋଭିଡ ଉପଯୁକ୍ତ ବ୍ୟବହାର ଏବଂ ବର୍ତ୍ତମାନର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କଠୋରତାର ସହିତ କଣ୍ଟେନମେଣ୍ଟ ଲାଗୁ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।

ଟିକାକରଣ ଅଭିଯାନର ଗୁରୁତ୍ବ ଉପରେ ଆଲୋକପାତ କରି ମନ୍ତ୍ରୀ କହିଥିଲେ, କୋଭିଡ-୧୯ ବିରୋଧରେ ଟିକାକରଣ ହେଉଛି ଆମର ସବୁଠୁ ବଡ଼ ଅସ୍ତ୍ର। ୧୧୪ ଦିନ ମଧ୍ୟରେ ୧୭ କୋଟି ଟିକା ପ୍ରଦାନ କରି ଭାରତର ବିଶ୍ବର ଦ୍ରୁତତମ ରାଷ୍ଟ୍ର ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।

ସେ ଏହି ଅବସରରେ କହିଥିଲେ ଯେ ୧୩.୬୬ କୋଟି ଲୋକ ପ୍ରଥମ ଡୋଜ, ୩.୮୬ କୋଟି ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇସାରିଛି। ତେବେ ଆମେ ଦ୍ବିତୀୟ ଡୋଜ ଟିକାକରଣ ଉପରେ ଜୋର ଦେବା ଗୁରୁତ୍ବପୂର୍ଣ୍ଣ। ରାଜ୍ୟଗୁଡ଼ିକ ଦ୍ବିତୀୟ ଡୋଜ ଟିକା ଦେବା ଲାଗି ୭୦% ଟିକା ଉପଯୋଗ କରିବା ସହିତ ୩୦% ପ୍ରଥମ ଡୋଜ ପାଇଁ ସଂରକ୍ଷିତ କରିବା ଉପରେ ସେ ଜୋର ଦେଇଥିଲେ।

ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ ଟିକା ଉତ୍ପାଦନକାରୀଙ୍କ ଦ୍ବାରା ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନା ପାଇଁ ପ୍ରତି ମାସରେ ୫୦% ଟିକା ଡୋଜ ଉପଲବ୍ଧ କରାଯାଉଛି। ଭାରତ ସରକାର ନିଜର ଅଂଶ ଭାବେ ୫୦% ଟିକା କ୍ରୟ ଜାରି ରଖିଛନ୍ତି। ଏହି ଟିକା ପୂର୍ବ ପରି ରାଜ୍ୟଗୁଡ଼ିକୁ ନିଃଶୁଳ୍କ ଉପଲବ୍ଧ କରାଯିବ।

ଦେଶରେ ଟିକା ଉତ୍ପାଦନ ବୃଦ୍ଧି କରିବା ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଥିବା ଡ. ହର୍ଷ ବର୍ଦ୍ଧନ ସୂଚନା ଦେଇଥିଲେ। ବିଦେଶରେ ବିକଶିତ ଓ ଉତ୍ପାଦିତ ହେଉଥିବା ଟିକା ଯେଉଁଗୁଡ଼ିକ ୟୁଏସଏଫଡିଏ, ଇଏମଏ, ୟୁକେ ଏମଏଚଆରଏ, ପିଏମଡିଏ ଜାପାନ ଦ୍ବାରା ସୀମିତ ଉପଯୋଗ ନିମନ୍ତେ ଜରୁରିକାଳୀନ ମଞ୍ଜୁରି ମିଳିଛି କିମ୍ବା ଡବ୍ଲୁଏଚଓ ଦ୍ବାରା ଜରୁରିକାଳୀନ ଉପଯୋଗ ତାଲିକାରେ ସାମିଲ କରାଯାଇଛି। ସେଗୁଡ଼ିକୁ ଭାରତରେ ଜରୁରିକାଳୀନ ଉପଯୋଗ ନିମନ୍ତେ ମଞ୍ଜୁରି ମିଳିପାରେ ବୋଲି ଡ. ହର୍ଷବର୍ଦ୍ଧନ କହିଥିଲେ। ଟିକା ଉତ୍ପାଦନକାରୀମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଉଛି ଏହା ୨୦୨୧ ମେ ସୁଦ୍ଧା ୮କୋଟି ଡୋଜ ଏବଂ ଜୁନ ସୁଦ୍ଧା ୯ କୋଟି ଡୋଜରେ ପହଞ୍ଚିବ ।

ଏନସିଡିସି ନିର୍ଦ୍ଦେଶକ ଡ. ସୁଜିତ କେ ସିଂ ରାଜ୍ୟଗୁଡ଼ିକରେ କୋଭିଡ ବୃଦ୍ଧି ଦରର ଏକ ବିଶ୍ଳେଷଣ ଉପସ୍ଥାପନ କରିଥିଲେ। ଉପସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ କ୍ଷେତ୍ରରେ ଟେଷ୍ଟିଂ ଓ ଟିକାକରଣ ଉପରେ ସେ ଜୋର ଦେଇଥିଲେ। ସେ କହିଥିଲେ ଯେ କୋଭିଡର ଯେକୌଣସି ଭାରିଆଣ୍ଟ ହେଉ ପଛେ ପ୍ରସ୍ତୁତି ପଦକ୍ଷେପ ଏବଂ ସୁରକ୍ଷା ସମାନ ରହିଛି। ଟେଷ୍ଟିଂ ଓ ଟିକାକରଣ ନିମନ୍ତେ ଚିକିତ୍ସା ଭିତ୍ତିଭୂମି ବଢ଼ାଇବା ଲାଗି ସେ ରାଜ୍ୟଗୁଡ଼ିକୁ ନିବେଦନ କରିଥିଲେ।

ଏନଏଚଏମର ଏଏସ ଆଣ୍ଡ ଏମଡି ବନ୍ଦନା ଗୁର୍ଣ୍ଣାନୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳର ଅତିରିକ୍ତ ସଚିବ (ସ୍ବାସ୍ଥ୍ୟ) ଆରତୀ ଆହୁଜାଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରମୁଖ ସଚିବ (ସ୍ବାସ୍ଥ୍ୟ), ଅତିରିକ୍ତ ମୁଖ୍ୟ ଶାସନ ସଚିବ (ସ୍ବାସ୍ଥ୍ୟ) ଓ ସମ୍ପୃକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ନିରୀକ୍ଷଣ ଅଧିକାରୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ନିଜ ଅଞ୍ଚଳର କରୋନା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ କୋଭିଡର ଦ୍ବିତୀୟ ଲହରୀ କାରଣରୁ ସୃଷ୍ଟି ହୋଇଥିବା ପରସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମନ୍ତ୍ରୀ ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା ଯେ ବର୍ତ୍ତମାନର ମହାମାରୀ ସଙ୍କଟ “ଶତାବ୍ଦୀରେ ଗୋଟିଏ ଥର ଦେଖାଦେଉଥିବା ସଙ୍କଟ” ହୋଇଥିବା ବେଳେ ଏହା ବିଶ୍ବ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ବୈଠକରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଓ ଭାରତର ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଆଧାରିତ ଭାରତ ସରକାରଙ୍କ ଟିମ ଇଣ୍ଡିଆ ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଏବଂ ଦ୍ରୁତ ଗତିରେ କାର‌୍ୟ୍ୟ କରୁଛି। ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହିତ ସମ୍ପର୍କରେ ରହିବା, ସେମାନଙ୍କୁ ସହାୟତା କରିବା ଓ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସ୍ତରରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବା ଓ ସମାଧାନ କରିବା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ଗତ ୧୪ ମାସ ଧରି କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଭାରତର ଜନସାଧାରଣଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପକୁ ମଧ୍ୟ ମନ୍ତ୍ରୀ ପରିଷଦ ସମୀକ୍ଷା କରିଥିଲା।
ଡାକ୍ତରଖାନାରେ ଶଯ୍ୟା, ପିଏସଏ ଅକ୍ସିଜେନ ସୁବିଧା ଆଦି ବଢ଼ାଇବା, ମୌଳିକ ଭିତ୍ତିଭୂମି ନିର୍ମାଣ, ଅକ୍ସିଜେନ ଉତ୍ପାଦନ, ଭଣ୍ଡାରଣ ଓ ଯୋଗାଣ ସହ ଜଡ଼ିତ ପ୍ରସଙ୍ଗର ସମାଧାନ, ଆବଶ୍ୟକ ଔଷଧ ଉପଲବ୍ଧତା ସହ ଜଡ଼ିତ ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆପୋସ ସମନ୍ବୟ ସ୍ଥାପନ କରାଯାଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା।

ସମସ୍ତ ଜରୁରୀ ସାମଗ୍ରୀ ଓ ସେବା ଯୋଗାଣ ତଥା ଉପଲବ୍ଧତାକୁ ଆହୁରି ଅଧିକ ବଢ଼ାଇବା ଲାଗି ଗ୍ରହଣ କରାଯାଇଥିବା ଉପାୟ ବିଷୟରେ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖାଦ୍ୟଶସ୍ୟ ବ୍ୟବସ୍ଥା ଜରିଆରେ ସମାଜର ଦୁର୍ବଳ ଶ୍ରେଣୀକୁ ଦିଆଯାଇଥିବା ବ୍ୟାପକ ସହାୟତା ଓ ଜନଧନ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଥିଲା।

ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ସଫଳତାପୂର୍ବକ ଦୁଇଟି ଟିକା ଉତ୍ପାଦନ କରିପାରିଛି। ଆହୁରି କେତୋଟି ଟିକା ମଞ୍ଜୁରି ପାଇବା ଏବଂ ସାମିଲ କରାଯିବାର ବିଭିନ୍ନ ପର‌୍ୟ୍ୟାୟରେ ରହିଛି। ବର୍ତ୍ତମାନସୁଦ୍ଧା ୧୫ କୋଟିରୁ ଅଧିକ ଟିକାକରଣ ହୋଇସାରିଛି।

ମନ୍ତ୍ରିପରିଷଦ ‘କୋଭିଡ ସଂକ୍ରାନ୍ତ ଉପଯୁକ୍ତ ଆଚରଣ’ ଉପରେ ଗୁରୁତ୍ବ ଦେବା ଦିଗରେ ବିଶେଷ ଧ୍ୟାନ ଦେଇଥିଲା। ମାସ୍କ ପିନ୍ଧିବା, ଛଅ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ଏଥିରେ ସାମିଲ ରହିଛି।

ଅତ୍ୟନ୍ତ ବ୍ୟାପକ ଉତ୍ତରଦାୟିତ୍ବକୁ ପୂରଣ କରିବା ଲାଗି ସମାଜର ଭାଗିଦାରୀ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ପୁନଃ ଉଲ୍ଲେଖ କରାଯାଇଥିଲା। ଏହି ସଙ୍କଟର ମୁକାବିଲା କରିବା ଲାଗି ଦେଶ ନିଜ ଆଡ଼ୁ ଯେକୌଣସି ପ୍ରୟାସ କରିବ ଏବଂ ଭୂତାଣୁକୁ ପରାଜିତ କରିବ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ବିଶ୍ବାସ ପ୍ରକଟ କରାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭିକେ ପଲ କୋଭିଡ-୧୯ ମହାମାରୀ ପରିଚାଳନା ଉପରେ ଏକ ଉପସ୍ଥାପନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଉନ୍ନତିକରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା।

ଅକ୍ସିଜେନ ଯୋଗାଣ ବୃଦ୍ଧି ଦିଗରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ ନିମନ୍ତେ କରାଯାଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (ଏଲଏମଓ) ଉତ୍ପାଦନ ଅଗଷ୍ଟ ୨୦୨୦ରେ ଦୈନିକ ୫୭୦୦ ମେଟ୍ରିକ ଟନ୍ ଥିବା ବେଳେ ୨୫ ଏପ୍ରିଲ ୨୦୨୧ ସୁଦ୍ଧା ଏହା ୮୯୨୨ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଦେଶରେ ଦୈନିକ ଘରୋଇ ଅକ୍ସିଜେନ ଉତ୍ପାଦନ ୯୨୫୦ ମେଟ୍ରିକ ଟନକୁ ଟପିଯିବ ବୋଲି ଆଶା କରାଯାଉଛି।

ଯଥାଶୀଘ୍ର ସମ୍ଭବ ପିଏସଏ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରଖି କାର‌୍ୟ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟଗୁଡ଼ିକୁ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ମଧ୍ୟ ଉତ୍ସାହିତ କରାଯାଉଥିବା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅକ୍ସିଜେନ ଏକ୍ସପ୍ରେସ ରେଳ ସେବା ସହିତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଜରିଆରେ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଉଥିବା ଅକ୍ସିଜେନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ାଇବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଚିକିତ୍ସା ଭିତ୍ତିଭୂମି ଓ କୋଭିଡ ପରିଚାଳନା ଉପରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି କରାଯାଉଥିବା ପ୍ରୟାସ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସଠିକ ଭାବେ କୋଭିଡ ପରିଚାଳନା ଆବଶ୍ୟକତାକୁ କାର‌୍ୟ୍ୟକାରୀ କରିବା ସଂକ୍ରାନ୍ତରେ ଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଓ ରଣନୀତି ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।

କୋଭିଡ ସଂକ୍ରାନ୍ତ ବ୍ୟବହାର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଦିଗରେ କରାଯାଉଥିବା ଉଦ୍ୟମ ସମ୍ପର୍କରେ ଯୋଗାଯୋଗ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଫାର୍ମାସ୍ୟୁଟିକାଲ୍ସ ବିଭାଗ ସଚିବ, ନୀତି ଆୟୋଗ ସଦସ୍ୟ, ଆଇସିଏମଆର ଡିଜି, ବାୟୋଟେକ୍ନୋଲୋଜି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ମୁକାବିଲା ସମୀକ୍ଷା କରି ପ୍ରଶାସନକୁ ଚେତାଇ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ଗୋଟିଏ ଗୋଟିଏ ଜୀବନ ରକ୍ଷା ପାଇଁ ଆମେ ସର୍ବୋତ୍ତମ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର କୋଭିଡ ପରିସ୍ଥିତି ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୁଦ୍ଧରେ ଲଢେଇ ଏକ ଲମ୍ବା ଲଢେଇ। ତେଣୁ ଏ ଲଢେଇ ଜିତିବାକୁ ହେଲେ ଆମ ସମସ୍ତଙ୍କୁ ଦାୟିତ୍ବର ସହ କାମ କରିବାକୁ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗୋଟିଏ ସଂକ୍ରମଣ କମିଲେ, ଗୋଟିଏ ICU ଓ ଗୋଟିଏ ବେଡ୍‌ ଉପରୁ ଚାପ କମିଥାଏ । ଯାହାଦ୍ବାରା ଜୀବନ ମରଣ ପରିସ୍ଥିତିର ଯନ୍ତ୍ରଣାକୁ ଦୂରେଇ ହୋଇଥାଏ । ରାଜ୍ୟ ସରକାର କୋଭିଡ ରୋଗୀ ମାନଙ୍କୁ ସର୍ବୋତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ମାନେ ଦିନରାତି ଏକ କରି ସେବା ଜାରି ରଖିଛନ୍ତି । ଏଥିପାଇଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଯେପରି ଚାପ କମ୍‌ ରହିବ, ସେଥିପାଇଁ ଆମକୁ ଦାୟିତ୍ବପୂର୍ଣ୍ଣ ଭାବରେ କାମ କରିବାକୁ ହେବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶ ବର୍ତ୍ତମାନ ଏକ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି । ବଡ ବଡ ସହର ଓ ମେଟ୍ରୋ ମାନଙ୍କରେ ସ୍ବାସ୍ଥ୍ୟ ସେବା ସଂପୂର୍ଣ୍ଣ ଚାପଗ୍ରସ୍ତ । ଏହାକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ପାଇଁ ଆମକୁ ସତର୍କ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସଂକ୍ରମଣ ସଂଖ୍ୟା ବୃଦ୍ଧି ସତ୍ତ୍ବେ ଆମେ ନିରନ୍ତର ଭାବେ ସେବା କରିଚାଲିଛୁ । କିନ୍ତୁ କେତେକ ଜିଲ୍ଲାରେ ସଂକ୍ରମଣର ସ୍ଥିତି ଆମ ପାଇଁ ଉଦ୍‌ବେଗ ସୃଷ୍ଟି କରିଛି। ଭାଇରସ୍‌ର double ଓ triple mutant ଦ୍ରୁତ ଗତିରେ ବ୍ୟାପୁଛି ଏବଂ ଏହି ଦ୍ବିତୀୟ ଲହରରେ ଆମର ଯୁବଗୋଷ୍ଠୀ ବିଶେଷ ଭାବରେ ସଂକ୍ରମିତ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ଜଟିଳତା ଦେଖା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୟରେ ଆମେ ଯେଉଁ ନୀତି ଅବଲମ୍ବନ କରିଆସିଛେ, ସେହିପରି କୋଭିଡର ମୁକାବିଲାରେ ସବୁଠାରୁ ଖରାପ ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଆମ ପ୍ରସ୍ତୁତ ରହିବା ଦରକାର । ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ପରିସ୍ଥିତିର ଆକଳନ କରି ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସ୍‌.ପି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ପର୍ଯ୍ୟବେକ୍ଷକ ମାନେ ଏଥିପ୍ରତି ଯତ୍ନବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏସବୁ ବିଷୟ ନିୟମିତ ସମୀକ୍ଷା କରି ପରବର୍ତ୍ତୀ ବୈଠକରେ ତାଙ୍କୁ ଅବଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବଙ୍କୁ ପରାମର୍ଶ ଦେଇଥିଲେ।

କୋଭିଡ ନିୟନ୍ତ୍ରଣରେ ବିଭିନ୍ନ ଜିଲ୍ଲାର ବଣିକ ସଂଗଠନ ମାନେ ଯେପରି ସ୍ବେଚ୍ଛାକୃତ ଭାବରେ ଆଗେଇ ଆସି ବ୍ୟବସାୟ ସମୟକୁ ସୀମିତ କରିଛନ୍ତି ଏବଂ କେତେକ ସ୍ଥାନରେ ସ୍ବେଚ୍ଛାକୃତ ଭାବରେ ଦୋକାନ ବନ୍ଦ କରିଛନ୍ତି, ତାହା ସ୍ବାଗତଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେଣୁ ଆମର କୋଭିଡ ନିୟନ୍ତ୍ରଣ କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ସମସ୍ତ ଆବାସିକ ସଂଘ, ବଣିକ ସଂଘ ଏବଂ ଅନ୍ୟାନ୍ୟ ଗୋଷ୍ଠୀଭିତ୍ତିକ ସଂଗଠନ ମାନଙ୍କ ସହିତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡ ରୋଗର ଚିକିତ୍ସାରେ ଅକ୍‌ସିଜେନର ଗୁରୁତ୍ବ ସବୁଠାରୁ ଅଧିକ । ତେଣୁ ଅକ୍‌ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍‌ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍‌ସିଜେନ ଯେପରି ରୋଗୀ ପାଖରେ ପହଞ୍ଚି ପାରିବ, ସେଥିପ୍ରତି ଯତ୍ନବାନ ହେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଜରୁରୀ ଔଷଧ ମହଜୁଦ ରଖିବା ଏବଂ ତାହାର ଯୋଗାଣ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

କୋଭିଡର ଏହି ଦ୍ବିତୀୟ ଲହର ଆମକୁ ସୂଚାଇ ଦେଇଛି ଯେ ଏ ସଂକଟ ଦୀର୍ଘ ଦିନର ଏବଂ ଏଥିପାଇଁ ଆମକୁ ସବୁବେଳେ ପ୍ରସ୍ତୁତ ରହିବାକୁ ହେବ । ଏଣୁ ଯଦି ଆମେ କୋଭିଡ ନିୟମାବଳୀକୁ ଠିକ୍‌ ଭାବରେ ପାଳନ କରିବା, ତେବେ କୋଭିଡର ପରାଜୟ ସୁନିଶ୍ଚିତ । ଏ ବିପତ୍ତି ସମୟରେ ନିଷ୍ଠାର ସହ ସେବା ଯୋଗାଉ ଥିବା ଆମର frontline covid warrior ମାନଙ୍କର ଯତ୍ନ ନିଆଯିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ ।

ସବୁବେଳେ ଠିକ୍‌ ଭାବରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତ ଧୋଇବା ଆଦି କୋଭିଡ ନିୟମାବଳୀର ସଠିକ୍‌ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ରୋଗୀର ଜୀବନ ରକ୍ଷା ପାଇଁ ଆମର ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ କଠିନ ପରିଶ୍ରମ କରୁଛନ୍ତି। ତେଣୁ ଆମେ ପ୍ରତ୍ୟେକ ଯଦି ଦାୟିଦ୍ବବାନ ହେବା, ତେବେ କୋଭିଡ ଯୁଦ୍ଧରେ ଆମେ ନିଶ୍ଚିତ ବିଜୟୀ ହେବା ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ କେୟାର ସେଣ୍ଟର ଗୁଡିକୁ କ୍ରିୟାଶୀଳ କରାଯିବା ସହିତ ସମସ୍ତ କୋଭିଡ ହସ୍‌ପିଟାଲ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି । ମେଡିକାଲ କଲେଜ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ନୂଆ ବେସରକାରୀ ହସ୍‌ପିଟାଲ ଗୁଡିକୁ କୋଭିଡ ହସ୍‌ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି।

୩୦ ପ୍ରତିଶତ ଶଯ୍ୟାରେ ଅକ୍‌ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ । ପଡୋଶୀ ରାଜ୍ୟ ଗୁଡିକରେ ଅଧିକ କୋଭିଡ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି। ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ Online Real-time Bed Management System କାର୍ଯ୍ୟକାରୀ କରାଯିବ ବୋଲି ସେ କହିଥିଲେ ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ୫୦,୯୫୮ active case ରହିଛି ଏବଂ ୭ଟି ଜିଲ୍ଲାରେ ୬୦ ପ୍ରତିଶତ active case ରହିଛି । ସେ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍‌ ରହିଛି ଏବଂ ICU bed ବ୍ୟତୀତ ୧୭,୪୯୫ଟି ବେଡ୍‌ରେ ଅକ୍‌ସିଜେନର ବ୍ୟବସ୍ଥା କରାଯାଇଛି।

ଉଭୟ ସରକାରୀ ଓ ବେସରକରୀ କୋଭିଡ ହସ୍‌ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍‌ସିଜନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଥିଲେ। ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍‌ ଅକ୍‌ସିଜେନ ବ୍ୟବହାର କରାଯାଉଛି ବୋଲି ସୂଚନା ଦେବା ସହିତ Remdesivir ଓ Favipiravir ଆଦି ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍‌ଧ ରହିଛି ବୋଲି ସେ କହିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ କୋଭିଡ ନିୟମାବଳୀର ଅନୁପାଳନ ଦିଗରେ ପୋଲିସର ପଦକ୍ଷେପ ସଂପର୍କରେ ସୂଚନା ଦେବା ସହିତ କହିଥିଲେ ଯେ ଆଜି ସୁଦ୍ଧା ୮ଟି ରାଜ୍ୟକୁ ୯୦ଟି ଟ୍ୟାଙ୍କର ଜରିଆରେ ୧୬୭୫.୮୧ ଟନ୍‌ ଅକ୍‌ସିଜେନ ପଠାଯାଇଛି । ବିଭିନ୍ନ କୋଭିଡ ଚିକିତ୍ସାଳୟରେ ଅଗ୍ନି ନିୟନ୍ତ୍ରଣ ସଂପର୍କରେ ନିଆଯାଉଥିବା ପଦକ୍ଷେପ ଉପରେ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ ।

ବୈଠକରେ ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ବର ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ମାନେ ଜିଲ୍ଲାର କୋଭିଡ ପରିସ୍ଥିତି ଓ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକକୁ ସଂଯୋଜନା କରିଥିଲେ । ବୈଠକରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଶ୍ରୀ ଡି.କେ. ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Categories
ଜାତୀୟ ଖବର ବିଶେଷ ଖବର

ବଢିଲା କରୋନା ଚିନ୍ତା , 11ଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜି ପୋଲିସ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଗତ ଦୁଇ ସପ୍ତାହରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ବୃଦ୍ଧି ପାଉଥିବା କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁ ନେଇ ହୋଇଥିବା ରିପୋର୍ଟ ଉପରେ ଫୋକସ୍ କରିଛନ୍ତି ।

ପନ୍ଦର ଦିନ ମଧ୍ୟରେ କୋଭିଡ ସ୍ଥିତିର କ୍ରମାଗତ ଅବନତି ହେତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ବର୍ତ୍ତମାନର କୋଭିଡ ମାମଲା ଅଭିବୃଦ୍ଧି ହାର ୬.୮% ରହିଛି ଯାହାକି ପୂର୍ବବର୍ଷର ରେକର୍ଡ ୫.୫% (ଜୁନ୍ ୨୦୨୦) ରେକର୍ଡକୁ ଅତିକ୍ରମ କରିଛି । ଏହି ସମୟରେ ଦେଶରେ କୋଭିଡ ମୃତ୍ୟ କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାର ମଧ୍ୟ ରିପୋର୍ଟ ହୋଇଛି । ସେପ୍ଟେମ୍ବର ୨୦୨୦ ରେ କୋଭିଡ ସଂକ୍ରମଣର ପିକ୍ ସମୟରେ ଦେଶରେ ଦୈନିକ ପ୍ରାୟ ୯୭,୦୦୦ ନୂତନ କୋଭିଡ ମାମଲା ରିପୋର୍ଟ ହେଉଥିବାବେଳେ ଦେଶ ବର୍ତ୍ତମାନ କୋଭିଡର ୮୧,୦୦୦ ଦୈନିକ ନୂତନ ମାମଲାରେ ପହଞ୍ଚିଛି ।

ଏକ ବିସ୍ତୃତ ଉପସ୍ଥାପନା ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡର ବର୍ତ୍ତମାନର ସ୍ଥିତିକୁ ଦର୍ଶାଇଥିବାବେଳେ କେନ୍ଦ୍ରୀୟ ସଚିବ (ସୂଚନା ଓ ପ୍ରସାରଣ) କୋଭିଡକୁ ପ୍ରତିହତ ଲାଗି ଜନସାଧାରଣଙ୍କ ମଧ୍ୟରେ ପ୍ରଭାବଶାଳୀ ଆଚରଣ ପରିବର୍ତ୍ତନ ଯୋଗାଯୋଗର ଉପାୟ ଦର୍ଶାଇଥିଲେ । ଜେନୋମ କ୍ରମରେ ଜୀବାଣୁଙ୍କର ମ୍ୟୁଟାଣ୍ଟଣ୍ଟ ଷ୍ଟ୍ରେନ୍ ବିଷୟରେ ଅଧିକ ବିସ୍ତୃତ ଅଧ୍ୟୟନ ପାଇଁ କ୍ଲିନିକାଲ୍ ଏବଂ ଏପିଡେମୋଲୋଜିକାଲ୍ ତଥ୍ୟ ପ୍ରଦାନ ପାଇଁ ରାଜ୍ୟଗୁଡିକ ଏକ ମାର୍ଗଦର୍ଶିକା ଅନୁସରଣ କରିବାର ଆବଶ୍ୟକତା ଉପରେ ଡକ୍ଟର ଭି.କେ.ପାଉଲ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ର ଗୃହ ସଚିବ ଦର୍ଶାଇଛନ୍ତି ଯେ ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁମାନେ ଦୈନିକ କୋଭିଡ ମାମଲାରେ ବୃଦ୍ଧି ଘଟାଉଛନ୍ତି, ସେମାନେ କଣ୍ଟେନମେଣ୍ଟ ଏନ୍ଫୋର୍ସମେଣ୍ଟ କାର‌୍ୟ୍ୟକଳାପ ପ୍ରଦର୍ଶନ କରିନାହାନ୍ତି । ଏ ବାବଦରେ ଉପଯୁକ୍ତ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜି (ପୋଲିସ) ଙ୍କୁ ଅନୁରୋଧ କରିଛନ୍ତି ।

୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦୈନିକ ବୃଦ୍ଧି ପାଉଥିବା ମାମଲା ଏବଂ ଦୈନିକ ବୃଦ୍ଧି ପାଉଥିବା ମୃତ୍ୟୁ ହେତୁ ‘ଗୁରୁତର ଚିନ୍ତାଜନକ ରାଜ୍ୟ’ ଭାବରେ ବର୍ଗୀକୃତ କରାଯାଇଛି । ଏମାନେ ଗତ ୧୪ ଦିନ ମଧ୍ୟରେ ୯୦% କୋଭିଡ ମାମଲା (୩୧ ମାର୍ଚ୍ଚ ସୁଦ୍ଧା) ଏବଂ ୯୦.୫% ମୃତ୍ୟୁ (୩୧ ମାର୍ଚ୍ଚ ସୁଦ୍ଧା) ଯୋଗଦାନ କରିଛନ୍ତି ଏବଂ ଗତ ବର୍ଷ ସେମାନଙ୍କର ପ୍ରାରମ୍ଭିକ ରିପୋର୍ଟର ଶିଖର ଅତିକ୍ରମ କରିବାକୁ କିମ୍ବା ନିକଟତର ହୋଇଛନ୍ତି । ମହାରାଷ୍ଟ୍ରରେ ପରିସ୍ଥିତି ବିଶେଷ ଚିନ୍ତାଜନକ ବୋଲି ଦର୍ଶାଯାଇଥିଲା ।

ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ଷ୍ଟାଣ୍ଡାର୍ଡ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ପାଳନ କରି ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅନ୍ୟ ଏକ ଚିନ୍ତାଜନକ ଦିଗ ଦର୍ଶାଇ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ସହିତ ସହରତଳି ଅଞ୍ଚଳରେ କୋଭିଡ ମାମଲାରେ ସମ୍ପ୍ରତି ତୀବ୍ର ଗତି ରେକର୍ଡ ହୋଇଛି; ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଏହି ଅଞ୍ଚଳରୁ ଗ୍ରାମାଞ୍ଚଳରେ ସଂକ୍ରମଣର ବିସ୍ତାର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅସୁବିଧାରେ ପକାଇବବୋଲି ଦର୍ଶାଇଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା ଲେଉଟାଣି ପାଇଁ ସଜାଗ ହେଲେ ରାଜ୍ୟ ସରକାର, ପ୍ରତିଦିନ ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କୋଭିଡ ମହାମାରୀର ସମ୍ଭାବ୍ୟ ଦ୍ବିତୀୟ ସଂକ୍ରମଣର ମୁକାବିଲା ସଂପର୍କରେ ସମୀକ୍ଷା କରି ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଓ ଜନସଚେତନତା ଉପରେ ଗୁରୁତ୍ବ ଆରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେତେକ ରାଜ୍ୟରେ ପରିସ୍ଥିତି ଦ୍ରୁତ ଗତିରେ ବିଗିଡିବାରେ ଲାଗିଛି। ଏବେଠାରୁ ତୁରନ୍ତ ପ୍ରତିରୋଧମୂଳକ ପଦକ୍ଷେପ ନ ନେଲେ, ଆମ ରାଜ୍ୟ ମଧ୍ୟ ଘୋର ବିପଦର ସମ୍ମୁଖୀନ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହା ମଧ୍ୟରେ କୋଭିଡ ଯୁଦ୍ଧର ଏକ ବର୍ଷ ପୂରଣ ହୋଇଯାଇଛି । ତେବେ ଆମର ଡାକ୍ତର, ପାରାମେଡିକ୍, ଆଗଧାଡିର ଯୋଦ୍ଧା, ପ୍ରଶାସନ, ପଞ୍ଚାୟତ ପ୍ରତିନିଧି ଓ ପୋଲିସ– ଏ ସମସ୍ତଙ୍କର ନିସ୍ବାର୍ଥପର ସେବା ଓ ତ୍ୟାଗ ଯୋଗୁ ଆମେ ଏପର‌୍ୟ୍ୟନ୍ତ ଭୂତାଣୁର ମୁକାବିଲାରେ ସଫଳ ହୋଇଛୁ ।

ରାଜ୍ୟ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସଫଳ କୋଭିଡ ମୁକାବିଲା ପାଇଁ ସ୍ବୀକୃତି ହାସଲ କରିଛି ବୋଲି ସେ କହିଥିଲେ। ଏବେ ଯେତେବେଳ ରୋଗ ନିୟନ୍ତ୍ରଣ, ଜୀବିକା ସୃଷ୍ଟି ଓ ଅର୍ଥନୀତି କ୍ଷେତ୍ରରେ ରାଜ୍ୟ ସ୍ବାଭାବିକ ପରିସ୍ଥିତିକୁ ଫେରିଆସୁଛି, ସେତେବେଳେ ଆମ ଦେଶ ସହିତ ବିଶ୍ବର ଅନେକ ଦେଶରେ କୋଭିଡର ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ କରାଯାଉଛି । ଆମ ଦେଶରେ ଦ୍ବିତୀୟ ସଂକ୍ରମଣ ଆରମ୍ଭ ହେବା ପରି ପରିସ୍ଥିତି ଲକ୍ଷ୍ୟ କରାଯାଉଛି।

ତେଣୁ ଏଭଳି ପରିସ୍ଥିତିରେ ଦ୍ବିତୀୟ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ବ୍ୟବହାର ଓ ହାତଧୁଆ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବା ଜରୁରୀ । ବିଶେଷକରି ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରର ଦୃଢ ଅନୁପାଳନକୁ ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସମସ୍ତ ଜିଲ୍ଲାଗୁଡିକ ନିଜ ନିଜ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ, ପଞ୍ଚାୟତ ପ୍ରତିନିଧି ଓ ଧାର୍ମିକ ସଂସ୍ଥା ଆଦି ବିଭିନ୍ନ ଆବଶ୍ୟକ ବ୍ୟକ୍ତି ଓ ସଂସ୍ଥା ମାନଙ୍କ ସହିତ ସଚେତନତା ଓ ସମନ୍ବୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନେକ ଦେଶରେ କୋଭିଡର ଦ୍ବିତୀୟ ଲହର ପ୍ରଥମ ଲହର ଠାରୁ ଅଧିକ ଭୟଙ୍କର ହେଉଛି। ଏସବୁ ଦେଶ ପୁଣି ଲକ୍‌ଡାଉନ ପରିସ୍ଥିତିକୁ ଫେରୁଛନ୍ତି। ଆମ ପକ୍ଷରେ ପୁଣି ଥରେ ଲକ୍‌ଡାଉନକୁ ଫେରିବା ବହୁତ କ୍ଷତିକାରକ ହେବ। ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଥିଲେ ଯେ ଆମ ସମସ୍ତେ ଆତ୍ମ ସଂଯମତା ପାଳନ କରିବା ସହିତ ରାଜ୍ୟର ସବୁସ୍ଥାନରେ କୋଭିଡ ନିୟମାବଳୀର ଅନୁପାଳନକୁ ସୁନିଶ୍ଚିତ କରିବା ।

ଦ୍ବିତୀୟ ଲହର ନ ହେବା ପାଇଁ ରାଜ୍ୟ ପ୍ରଶାସନ ନୂତନ ଉତ୍ସାହ ସହିତ କାର‌୍ୟ୍ୟ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ସମସ୍ତେ ସତର୍କ ରହିବା ଏବଂ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରତିରୋଧମୂଳକ ପଦକ୍ଷେପକୁ କାର‌୍ୟ୍ୟକାରୀ କରିବା । ପରିସ୍ଥିତି ଉପରେ ସତର୍କ ନଜର ରଖିବା ସହ ନିୟମିତ ସମୀକ୍ଷା କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାପାଳ ଓ ଏସ୍‌.ପି ମାନେ ନିଜ ନିଜ ଅଞ୍ଚଳରେ ବ୍ୟକ୍ତିଗତ ଭାବେ ଏହି ଅନୁପାଳନକୁ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସ୍ବାସ୍ଥ୍ୟ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ବ୍ୟାପକ ପ୍ରଚାର ଓ IEC campaign ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ପରିମର୍ଶ ଦେଇଥିଲେ। ଗାଁ, ସାପ୍ତାହିକ ହାଟ ଓ ଭିଡ ପରିଲକ୍ଷିତ ହେଉଥିବା ମାର୍କେଟରେ ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ନିୟମାବଳୀ ଓ ଜରୁରୀ ସୂଚନା ସଂପର୍କରେ ତୁରନ୍ତ ଘୋଷଣା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳରେ ସର୍ଭେଲାନସ୍ ଓ ଟେଷ୍ଟିଂ କାର‌୍ୟ୍ୟକ୍ରମକୁ କଡାକଡି ଭାବରେ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ସମଗ୍ର ପ୍ରଶାସନିକ କଳକୁ ପରିସ୍ଥିତିର ଗମ୍ଭୀରତା ଅନୁଭବ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତେ ନିଜ ନିଜକୁ କୋଭିଡ ଯୁଦ୍ଧରେ ପୁଣିଥରେ ନିଷ୍ଠାର ସହ ସାମିଲ କରିବା ପାଇଁ ନିବେଦନ କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ କୋଭିଡ ନିୟମକୁ ଅଧିକ କଡାକଡି ଭାବରେ ପାଳନ କରାଯିବ । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଅଧିକ ସତର୍କ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ବର୍ତ୍ତମାନର ସ୍ଥିତି ସଂପର୍କରେ ବିସ୍ତୃତ ଉପସ୍ଥାପନା ଦେଇଥିଲେ। ଗତ କିଛି ଦିନ ହେଲା କୋଭିଡ ପଜିଟିଭ କେସ୍‌ରେ ସାମାନ୍ୟ ବୃଦ୍ଧି ଆସିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ ରାଜ୍ୟର ସୁନ୍ଦରଗଡ, ମୟୁରଭଞ୍ଜ, କଟକ ଓ ଖୋର୍ଦ୍ଧା – ଏହି ୪ ଗୋଟି ଜିଲ୍ଲାରେ ରାଜ୍ୟରେ ବାହାରୁଥିବା ପଜିଟିଭ ସଂଖ୍ୟାର ୪୦ ପ୍ରତିଶତ ଥିବାବେଳେ ନୟାଗଡ ଓ ମାଲକାନଗିରିରେ କେହି ଜଣେ ବି ପଜିଟିଭ ନାହାନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ରାଜ୍ୟରେ ୮୯୮ ଜଣ ସକ୍ରିୟ ରୋଗୀ ଥିବାବେଳେ, ୧୦୬ ଜଣ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ରାଜ୍ୟର କୋଭିଡ ଭିତ୍ତିଭୂମି ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ କହିଥିଲେ।

RT-PCR ଟେଷ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଓ ରେଡ୍ ଫ୍ଲାଗ୍ ରାଜ୍ୟ ଗୁଡିକରୁ ଆସୁଥିବା ଲୋକମାନଙ୍କୁ କଡାକଡି ଯାଂଚ କରାଯାଉଛି। ଟୀକାକରଣ ସଂପର୍କରେ ଆଲୋକପାତ କରି ସେ କହିଲେ ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮.୮୧ ଲକ୍ଷ ଲୋକଙ୍କୁ ଟୀକା ଦିଆଯାଇସାରିଛି । ଅଧିକ ୨୫ ଲକ୍ଷ ଡୋଜ୍ ଟୀକା ପଠାଇବା ପାଇଁ କେନ୍ଦ୍ରକୁ ଅନୁରୋଧ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟରେ ଟୀକା ନଷ୍ଟ ପରିମାଣ ୦.୨୪ ପ୍ରତିଶତ ରହିଛି, ଯାହାକି ସମଗ୍ର ଦେଶରେ ସବୁଠାରୁ କମ୍ ବୋଲି ସେ କହିଥିଲେ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ କହିଥିଲେ ଯେ କୋଭିଡ ନିୟମର କଡା ଅନୁପାଳନ ପାଇଁ ପୋଲିସ ପ୍ରଶାସନକୁ ଦୃଢ ନିର୍ଦ୍ଦେଶ ଦିଆଯାଇଛି ।

ଷ୍ଟେସନ ଓ ବିମାନ ବନ୍ଦର ଗୁଡିକରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡା ନଜର ରଖାଯିବା ସହିତ ସେମାନଙ୍କ ଟେଷ୍ଟିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଶ୍ରୀ ପି.କେ ଜେନା, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌. କେ. ଶର୍ମା, କୃଷି ବିଭାଗ ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଆସନ୍ତା ୧୬ ତାରିଖରୁ ପ୍ରାୟ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମୀଙ୍କୁ ଦିଆଯିବ କରୋନା ଟୀକା, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ର ସ୍ଥିତି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ଟୀକାକରଣର ପ୍ରସ୍ତୁତି ସମୀକ୍ଷା ପାଇଁ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ୟାବିନେଟ୍‍ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ବିସ୍ତୃତ ସମୀକ୍ଷା ପରେ ସ୍ଥିର ହୋଇଥିଲା ଯେ ଆଗକୁ ପଡୁଥିବା ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ମାଘ ବିହୁ ଆଦି ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଜାନୁଆରୀ ୧୬ରୁ କୋଭିଡ-୧୯ ଟୀକାଦାନ ଆରମ୍ଭ ହେବ ।

କୋଭିଡ ପରିଚାଳନା ଓ ଏ ସଂକ୍ରାନ୍ତ ଅନ୍ୟାନ୍ୟ ପ୍ରସଙ୍ଗର ସ୍ଥିତି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସମୀକ୍ଷା କରିଥିଲେ। ସୁରକ୍ଷା ଓ ପ୍ରତିରୋଧକଶକ୍ତି ପ୍ରମାଣିତ କରିଥିବା ଦୁଇଟି ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ର ଜରୁରୀକାଳୀନ ବ୍ୟବହାର କିମ୍ବା ତ୍ୱରିତ ଅନୁମୋଦନ ଲାଗି ଜାତୀୟ ନିୟନ୍ତ୍ରକ ମଞ୍ଜୁର କରିଛନ୍ତି ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ମିଳିତ ସହଯୋଗରେ ନିକଟ ଭବିଷ୍ୟତରେ ଟୀକାକରଣ ସଂକ୍ରାନ୍ତରେ କେନ୍ଦ୍ରର ପ୍ରସ୍ତୁତି ନେଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଟୀକାକରଣ ନେଇ ଚାଲିଥିବା ଏହି ପ୍ରସ୍ତୁତି କାର‌୍ୟ୍ୟକ୍ରମକୁ ଜନ ଭାଗିଦାରୀ ନୀତି; ନିର୍ବାଚନ ଅଭିଜ୍ଞତାର ବ୍ୟବହାର (ବୁଥ୍‍ସ୍ତରୀୟ ରଣନୀତି) ଏବଂ ସାର୍ବଜନୀନ ଟୀକାକରଣ କାର‌୍ୟ୍ୟକ୍ରମ (ୟୁଆଇପି) ଅଭିଜ୍ଞତାକୁ ଉପଯୋଗ କରାଯାଇ କାର‌୍ୟ୍ୟକାରୀ କରାଯିବ। ବର୍ତ୍ତମାନ ଜାରି ରହିଥିବା ସ୍ୱାସ୍ଥ୍ୟସେବା ବିଶେଷକରି ଜାତୀୟ କାର‌୍ୟ୍ୟକ୍ରମ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ କୌଣସି ବୁଝାମଣା ହେବନାହିଁ। ବୈଜ୍ଞାନିକ ଏବଂ ନିୟାମକ ମାନଦଣ୍ଡ, ଅନ୍ୟ ଏସ୍‍ଓପି ଉପରେ କୌଣସି ବୁଝାମଣା ହେବନାହିଁ। ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଏକ ବ୍ୟବସ୍ଥିତ ସହଜ ସିଦ୍ଧାନ୍ତ ଉପରେ ଏହାକୁ କାର‌୍ୟ୍ୟକାରୀ କରାଯିବ।

କୋଭିଡ଼ ୧୯ ଟୀକାକରଣ ଅଭିଯାନରେ ପାଖାପାଖି ୩ କୋଟି ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ଅନ୍ୟ ରୋଗରେ ପୀଡ଼ିତ ୫୦ ବର୍ଷରୁ କମ ବୟସ୍କର ଜନସଂଖ୍ୟାଙ୍କୁ ମିଶାଇ ମୋଟ ୨୭ କୋଟି ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରାଯିବ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ କୋ-ୱିନ ଟୀକା ବିତରଣ ପରିଚାଳନା ବ୍ୟବସ୍ଥା ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ଏହି ଅଭିନବ ଡିଜିଟାଲ ପ୍ଲାଟଫର୍ମ ଟୀକା ମହଜୁଦର ବାସ୍ତବ ସମୟ ସୂଚନା, ଗଚ୍ଛିତ ଟୀକାର ତାପମାତ୍ରା ଏବଂ କୋଭିଡ-୧୯ ଟୀକା ନେଉଥିବା ହିତାଧିକାରୀଙ୍କ ବ୍ୟକ୍ତିଗତ ଟ୍ରାକିଂ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିବ ।

ପୂର୍ବରୁ ପଞ୍ଜିକୃତ ହୋଇଥିବା ହିତାଧିକାରୀ, ସେମାନଙ୍କର ଯାଞ୍ଚ ଏବଂ ଟୀକାକରଣ ସଫଳ ହେବାପରେ ଡିଜିଟାଲ ପ୍ରମାଣପତ୍ର ବାହାର କରିବା ଲାଗି ଅଟୋମେଟିକ ଅଧିବେଶନ ଆବଣ୍ଟନ ଜରିଆରେ ସମସ୍ତ ସ୍ତରରେ ଯୋଜନା ପରିଚାଳକମାନଙ୍କୁ ସହାୟତା କରିବ। ଏହି ପ୍ଲାଟଫର୍ମରେ ୭୯ଲକ୍ଷରୁ ଅଧିକ ହିତାଧିକାରୀ ପଞ୍ଜିକୃତ ହୋଇ ସାରିଛନ୍ତି ।

ଟୀକାଦାନ ପ୍ରସ୍ତୁତି କାର‌୍ୟ୍ୟକ୍ରମରେ ଟୀକାକରଣକାରୀ ଏବଂ ଟୀକା ପରିଚାଳକମାନେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବାରୁ ସେମାନଙ୍କ ପ୍ରଶିକ୍ଷଣ ପ୍ରକ୍ରିୟା ସଂକ୍ରାନ୍ତରେ ବିସ୍ତୃତ ସୂଚନା ଦିଆଯାଇଥିଲା । ଜାତୀୟ ସ୍ତରର ପ୍ରଶିକ୍ଷକ ପ୍ରଶିକ୍ଷଣ ସମୟରେ ୨୩୬୦ ଅଂଶଗ୍ରହଣକାରୀଙ୍କୁ ତାଲିମ ଦିଆଯାଇଥିଲା। ଯେଉଁଥିରେ ରାଜ୍ୟ ଟୀକାକରଣ ଅଧିକାରୀ, କୋଲ୍ଡ ଚେନ୍‍ ଅଧିକାରୀ, ଆଇଇସି ଅଧିକାରୀ, ଉନ୍ନୟନ ସହଯୋଗୀ ଆଦି ରହିଥିଲେ । ୬୧ହଜାରରୁ ଅଧିକ ଯୋଜନା ପରିଚାଳକ, ୨ଲକ୍ଷ ଟୀକାକରଣକାରୀ ଏବଂ ୩.୭ଲକ୍ଷ ଅନ୍ୟ ଟୀକାକରଣ ଦଳର ସଦସ୍ୟଙ୍କୁ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ସମଗ୍ର ଦେଶରେ ଜାରି ରହିଥିବା ତିନି ପର‌୍ୟ୍ୟାୟ ଡ୍ରାଏ ରନ୍‍ ସଂକ୍ରାନ୍ତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ଗତକାଲି ଅନୁଷ୍ଠିତ ତୃତୀୟ ପର‌୍ୟ୍ୟାୟ ଡ୍ରାଏ ରନ୍‍ ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ୬୧୫ଟି ଜିଲ୍ଲାରେ ୪୮୯୫ ଅଧିବେଶନ ସ୍ଥଳୀ ପରିଚାଳିତ ହୋଇଥିଲା ।