କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି

Published: Jun 27, 2021, 12:03 am IST

ନୂଆଦିଲ୍ଲୀ, ଦେଶରେ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସାମିଲ ହୋଇଥିବା ଅଧିକାରୀମାନେ ମୋଦୀଙ୍କୁ ଦେଶରେ ଟିକାକରଣର ସଦ୍ୟତମ ସ୍ଥିତି ଓ ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହି ଅଧିକାରୀମାନେ ବିଭିନ୍ନ ଆୟୁ ବର୍ଗର ଲୋକମାନଙ୍କୁ କେତେ ମାତ୍ରାରେ ଟିକାକରଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ଏବଂ ବିଭିନ୍ନ ରାଜ୍ୟର ସାଧାରଣ ନାଗରିକମାନଙ୍କୁ କେତେ ସଂଖ୍ୟାରେ ଟିକାକରଣ କରାଯାଇଛି ତାହା ପ୍ରଧାନମନ୍ତ୍ରୀଙ୍କୁ ସୂଚାଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ମାସମାନଙ୍କରେ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚୀତ କରିଛନ୍ତି ।

ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଗତ ୬ ଦିନ ମଧ୍ୟରେ ଦେଶରେ ୩.୭୭ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଯାହାକି ମାଲେସିଆ, ସାଉଦି ଆରବ ଏବଂ କାନାଡ଼ାର ମୋଟ ଜନସଂଖ୍ୟା ଠାରୁ ସୁଦ୍ଧା ଅଧିକ। ସମୀକ୍ଷା ବୈଠକରେ ଆହୁରି ଆଲୋଚନା କରାଯାଇଥିଲା ଯେ ଦେଶର ୧୨୮ଟି ଜିଲ୍ଲାରେ ୪୫+ ବର୍ଷରୁ ଅଧିକ ଆୟୁବର୍ଗର ୫୦%ରୁ ଅଧିକ ନାଗରିକଙ୍କୁ ଟିକାକରଣ କରାଯାଇସାରିଛି ଏବଂ ୧୬ଟି ଜିଲ୍ଲାରେ ୪୫+ ଆୟୁ ବର୍ଗର ଲୋକଙ୍କ ଟିକାଦାନ ମାତ୍ରା ୯୦%ରୁ ମଧ୍ୟ ଅଧିକ ହୋଇସାରିଛି ।

ଦେଶରେ ଟିକାକରଣର ମାତ୍ରାରେ ଘଟିଥିବା ବୃଦ୍ଧିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାତ୍ରାକୁ ଜାରି ରଖିବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସୂଚନା ଅନୁସାରେ ଲୋକମାନଙ୍କ ନିକଟରେ ଟିକାକରଣ ନିମନ୍ତେ ପହଞ୍ଚିବା ସକାଶେ ଅଭିନବ ଉପାୟମାନ ଅବଲମ୍ବନ ନିମନ୍ତେ ସେମାନେ ଏବେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରୁଛନ୍ତି । ଅଭିନବ ଏନଜିଓ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନମାନଙ୍କୁ ଏହି କାର‌୍ୟ୍ୟରେ ସାମିଲ କରିବା ସକାଶେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟମାନଙ୍କ ସହିତ ଘନିଷ୍ଠ ସହଯୋଗ ରକ୍ଷା ପୂର୍ବକ ଏହା ସୁନିଶ୍ଚିତ କରାଯିବା ଜରୁରି ଯେ ଟେଷ୍ଟିଂ ମାତ୍ରା ଯେଭଳି ହ୍ରାସ ନ ପାଏ । କାରଣ ଯେକୌଣସି କ୍ଷେତ୍ରରେ ସଂକ୍ରମଣକୁ ଆୟତ୍ତ କରିବା ସକାଶେ ଟ୍ରାକିଂ ଏବଂ କଣ୍ଟେନମେଣ୍ଟ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତିଯେ କୋୱିନ୍ ପ୍ଲାଟଫର୍ମ ପ୍ରତି ଏବେ ବିଶ୍ୱବ୍ୟାପୀ ଆଗ୍ରହ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଯେଉଁସବୁ ରାଷ୍ଟ୍ରମାନେ କୋୱିନ୍ ଭଳି ଭାରତର ଉନ୍ନତ ପ୍ରଯୁକ୍ତି ସାମର୍ଥ୍ୟ ପ୍ରତି ଆଗ୍ରହ ପ୍ରକଟ କରିଛନ୍ତି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ।

Related posts