ଦଳୀୟ ନିର୍ବାଚନୀ ପ୍ରଚାରରେ ସରକାରୀ ଲୋଗୋ ବ୍ୟବହାର କରୁଛି ବିଜେଡି: ଅଭିଯୋଗ କଲା ବିଜେପି

Published: May 7, 2024, 8:54 am IST

ଭୁବନେଶ୍ୱର: ବିଜେଡିର କଟକ ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ନିର୍ବାଚନ ଆଚରଣ ବିଧୀ ଉଲ୍ଲଘଂନ କରିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସେ ଜିଲ୍ଲାପାଳ କାର୍ଯ୍ୟାଳୟ ପାଖରେ ସରକାରୀ ସ୍ଥାନ ଓ ପବ୍ଲିକ ରୋଡର ଦୁଇ ପାଶ୍ୱର୍ରେ ହୋଡିଂ ଛାଇ ଦେଇଛନ୍ତି । ସାଧାରଣ ସ୍ଥାନରେ ଶ୍ରୀ ମିଶ୍ର ହୋଡିଂ ଲଗାଇ ରାସ୍ତାକୁ ବନ୍ଦ କରୁଛନ୍ତି ।

ଏହି ହୋଡିଂରେ “ଆମ ଓଡିଶା ନବୀନ ଓଡ଼ିଶା” ଲୋଗୋକୁ ବ୍ୟବହାର କରୁଛନ୍ତି । ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଓ ତୁରନ୍ତ ରାସ୍ତାରେ ଲଗାଯାଇଥିବା ହୋର୍ଡିଂକୁ ହଟାଯାଉ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପି ପ୍ରତିନିଧିମଣ୍ଡଳୀ ।

ସେହିପରି ପୁରୀ ଲୋକସଭା ମଣ୍ଡଳୀ ଅନ୍ତର୍ଗତ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେଡି ପ୍ରାର୍ଥୀଙ୍କ ସହ ଇଏପିପି(ଆସିଷ୍ଟାଂଟ ପବ୍ଲିକ ପ୍ରସ୍ୟୁକ୍ୟୁଟର) ରବିନ୍ଦ୍ର ନାଥ ନାୟକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଜେଡିର ନିର୍ବାଚନ ପ୍ରଚାର କରୁଛନ୍ତି । ଶ୍ରୀ ନାୟକଙ୍କୁ ପଦବୀରୁ ବହିଷ୍କାର କରାଯିବା ସହ ତାଙ୍କୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରାଯାଉ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ବିଜେପି ସର୍ବଦା ନିର୍ବାଚନ ବେଳେ ଶାନ୍ତି ଚାହେଁ କିନ୍ତୁ ବିଜେଡିର ନେତା, ମନ୍ତ୍ରୀମାନେ ତାହା କରାଇ ଦିଅନ୍ତି ନାହିଁ । ଏଭଳି ବିଶୃଙ୍ଖଳିତ ଦଳ ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏଥର ସଧାରଣ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ କିଭଳି ହେବ ସେ ନେଇ ସିଇଓ ସୁବନ୍ଦୋବସ୍ତ କରନ୍ତୁ ବୋଲି ଶ୍ରୀ ମଲ୍ଲିକ ଦାବି କରିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା, ବରିଷ୍ଠ ନେତ୍ରୀ ନିୟତି ଗିରି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ, କୃଷକମୋର୍ଚ୍ଚା କୋଷାଧ୍ୟକ୍ଷ ବିଶ୍ୱଜିତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related posts