Categories
ଜାତୀୟ ଖବର ବିଶେଷ ଖବର

କରୋନା ଟିକା ସହ ପରୀକ୍ଷାକୁ ମଧ୍ୟ ବଢାଇବାର ଆବଶ୍ୟକ ବୋଲି ସମୀକ୍ଷା ବୈଠକରେ କହିଲେ ମୋଦି

ନୂଆଦିଲ୍ଲୀ, ଦେଶରେ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସାମିଲ ହୋଇଥିବା ଅଧିକାରୀମାନେ ମୋଦୀଙ୍କୁ ଦେଶରେ ଟିକାକରଣର ସଦ୍ୟତମ ସ୍ଥିତି ଓ ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହି ଅଧିକାରୀମାନେ ବିଭିନ୍ନ ଆୟୁ ବର୍ଗର ଲୋକମାନଙ୍କୁ କେତେ ମାତ୍ରାରେ ଟିକାକରଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ ।

ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ଏବଂ ବିଭିନ୍ନ ରାଜ୍ୟର ସାଧାରଣ ନାଗରିକମାନଙ୍କୁ କେତେ ସଂଖ୍ୟାରେ ଟିକାକରଣ କରାଯାଇଛି ତାହା ପ୍ରଧାନମନ୍ତ୍ରୀଙ୍କୁ ସୂଚାଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ମାସମାନଙ୍କରେ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚୀତ କରିଛନ୍ତି ।

ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଗତ ୬ ଦିନ ମଧ୍ୟରେ ଦେଶରେ ୩.୭୭ କୋଟି ଲୋକଙ୍କୁ ଟିକା ଦିଆଯାଇଛି ଯାହାକି ମାଲେସିଆ, ସାଉଦି ଆରବ ଏବଂ କାନାଡ଼ାର ମୋଟ ଜନସଂଖ୍ୟା ଠାରୁ ସୁଦ୍ଧା ଅଧିକ। ସମୀକ୍ଷା ବୈଠକରେ ଆହୁରି ଆଲୋଚନା କରାଯାଇଥିଲା ଯେ ଦେଶର ୧୨୮ଟି ଜିଲ୍ଲାରେ ୪୫+ ବର୍ଷରୁ ଅଧିକ ଆୟୁବର୍ଗର ୫୦%ରୁ ଅଧିକ ନାଗରିକଙ୍କୁ ଟିକାକରଣ କରାଯାଇସାରିଛି ଏବଂ ୧୬ଟି ଜିଲ୍ଲାରେ ୪୫+ ଆୟୁ ବର୍ଗର ଲୋକଙ୍କ ଟିକାଦାନ ମାତ୍ରା ୯୦%ରୁ ମଧ୍ୟ ଅଧିକ ହୋଇସାରିଛି ।

ଦେଶରେ ଟିକାକରଣର ମାତ୍ରାରେ ଘଟିଥିବା ବୃଦ୍ଧିରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ମାତ୍ରାକୁ ଜାରି ରଖିବା ଜରୁରି ବୋଲି ପରାମର୍ଶ ଦେଇଛନ୍ତି । ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ସୂଚନା ଅନୁସାରେ ଲୋକମାନଙ୍କ ନିକଟରେ ଟିକାକରଣ ନିମନ୍ତେ ପହଞ୍ଚିବା ସକାଶେ ଅଭିନବ ଉପାୟମାନ ଅବଲମ୍ବନ ନିମନ୍ତେ ସେମାନେ ଏବେ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶ କରୁଛନ୍ତି । ଅଭିନବ ଏନଜିଓ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନମାନଙ୍କୁ ଏହି କାର‌୍ୟ୍ୟରେ ସାମିଲ କରିବା ସକାଶେ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟମାନଙ୍କ ସହିତ ଘନିଷ୍ଠ ସହଯୋଗ ରକ୍ଷା ପୂର୍ବକ ଏହା ସୁନିଶ୍ଚିତ କରାଯିବା ଜରୁରି ଯେ ଟେଷ୍ଟିଂ ମାତ୍ରା ଯେଭଳି ହ୍ରାସ ନ ପାଏ । କାରଣ ଯେକୌଣସି କ୍ଷେତ୍ରରେ ସଂକ୍ରମଣକୁ ଆୟତ୍ତ କରିବା ସକାଶେ ଟ୍ରାକିଂ ଏବଂ କଣ୍ଟେନମେଣ୍ଟ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତିଯେ କୋୱିନ୍ ପ୍ଲାଟଫର୍ମ ପ୍ରତି ଏବେ ବିଶ୍ୱବ୍ୟାପୀ ଆଗ୍ରହ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିଯେ ଯେଉଁସବୁ ରାଷ୍ଟ୍ରମାନେ କୋୱିନ୍ ଭଳି ଭାରତର ଉନ୍ନତ ପ୍ରଯୁକ୍ତି ସାମର୍ଥ୍ୟ ପ୍ରତି ଆଗ୍ରହ ପ୍ରକଟ କରିଛନ୍ତି ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବା ଆବଶ୍ୟକ।

Categories
ଜାତୀୟ ଖବର ବିଶେଷ ଖବର

ନିଜ ଅଞ୍ଚଳର କରୋନା ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ଦେଶରେ କୋଭିଡର ଦ୍ବିତୀୟ ଲହରୀ କାରଣରୁ ସୃଷ୍ଟି ହୋଇଥିବା ପରସ୍ଥିତି ସମ୍ପର୍କରେ ଆଲୋଚନା କରିବା ଲାଗି ଆଜି ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।
ମନ୍ତ୍ରୀ ପରିଷଦ ବୈଠକରେ ମତପ୍ରକାଶ ପାଇଥିଲା ଯେ ବର୍ତ୍ତମାନର ମହାମାରୀ ସଙ୍କଟ “ଶତାବ୍ଦୀରେ ଗୋଟିଏ ଥର ଦେଖାଦେଉଥିବା ସଙ୍କଟ” ହୋଇଥିବା ବେଳେ ଏହା ବିଶ୍ବ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହି ବୈଠକରେ କୋଭିଡ ମୁକାବିଲା ପାଇଁ କେନ୍ଦ୍ର, ରାଜ୍ୟ ସରକାର ଓ ଭାରତର ଜନସାଧାରଣଙ୍କ ମିଳିତ ପ୍ରୟାସ ଉପରେ ଆଧାରିତ ଭାରତ ସରକାରଙ୍କ ଟିମ ଇଣ୍ଡିଆ ଆଭିମୁଖ୍ୟକୁ ଉଲ୍ଲେଖ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସରକାରଙ୍କ ସମସ୍ତ ବିଭାଗ ମିଳିତ ଭାବେ ଏବଂ ଦ୍ରୁତ ଗତିରେ କାର‌୍ୟ୍ୟ କରୁଛି। ସେ ମନ୍ତ୍ରୀମାନଙ୍କୁ ନିଜ ନିଜ ଅଞ୍ଚଳର ଲୋକମାନଙ୍କ ସହିତ ସମ୍ପର୍କରେ ରହିବା, ସେମାନଙ୍କୁ ସହାୟତା କରିବା ଓ ସେମାନଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ପରାମର୍ଶ ଦେଇଥିଲେ। ସ୍ଥାନୀୟ ସ୍ତରରେ ଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଚିହ୍ନଟ କରିବା ଓ ସମାଧାନ କରିବା ସୁନିଶ୍ଚିତ କରିବାର ଆବଶ୍ୟକତା ରହିଛି ବୋଲି ସେ ଜୋର ଦେଇ କହିଥିଲେ।

ଗତ ୧୪ ମାସ ଧରି କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଭାରତର ଜନସାଧାରଣଙ୍କ ଦ୍ବାରା ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପକୁ ମଧ୍ୟ ମନ୍ତ୍ରୀ ପରିଷଦ ସମୀକ୍ଷା କରିଥିଲା।
ଡାକ୍ତରଖାନାରେ ଶଯ୍ୟା, ପିଏସଏ ଅକ୍ସିଜେନ ସୁବିଧା ଆଦି ବଢ଼ାଇବା, ମୌଳିକ ଭିତ୍ତିଭୂମି ନିର୍ମାଣ, ଅକ୍ସିଜେନ ଉତ୍ପାଦନ, ଭଣ୍ଡାରଣ ଓ ଯୋଗାଣ ସହ ଜଡ଼ିତ ପ୍ରସଙ୍ଗର ସମାଧାନ, ଆବଶ୍ୟକ ଔଷଧ ଉପଲବ୍ଧତା ସହ ଜଡ଼ିତ ସମସ୍ୟାର ସମାଧାନ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆପୋସ ସମନ୍ବୟ ସ୍ଥାପନ କରାଯାଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା।

ସମସ୍ତ ଜରୁରୀ ସାମଗ୍ରୀ ଓ ସେବା ଯୋଗାଣ ତଥା ଉପଲବ୍ଧତାକୁ ଆହୁରି ଅଧିକ ବଢ଼ାଇବା ଲାଗି ଗ୍ରହଣ କରାଯାଇଥିବା ଉପାୟ ବିଷୟରେ ମଧ୍ୟ ଏହି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖାଦ୍ୟଶସ୍ୟ ବ୍ୟବସ୍ଥା ଜରିଆରେ ସମାଜର ଦୁର୍ବଳ ଶ୍ରେଣୀକୁ ଦିଆଯାଇଥିବା ବ୍ୟାପକ ସହାୟତା ଓ ଜନଧନ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦିଆଯାଇଥିଲା।

ଏହି ଅବସରରେ ଉଲ୍ଲେଖ କରାଯାଇଥିଲା ଯେ ଭାରତ ସଫଳତାପୂର୍ବକ ଦୁଇଟି ଟିକା ଉତ୍ପାଦନ କରିପାରିଛି। ଆହୁରି କେତୋଟି ଟିକା ମଞ୍ଜୁରି ପାଇବା ଏବଂ ସାମିଲ କରାଯିବାର ବିଭିନ୍ନ ପର‌୍ୟ୍ୟାୟରେ ରହିଛି। ବର୍ତ୍ତମାନସୁଦ୍ଧା ୧୫ କୋଟିରୁ ଅଧିକ ଟିକାକରଣ ହୋଇସାରିଛି।

ମନ୍ତ୍ରିପରିଷଦ ‘କୋଭିଡ ସଂକ୍ରାନ୍ତ ଉପଯୁକ୍ତ ଆଚରଣ’ ଉପରେ ଗୁରୁତ୍ବ ଦେବା ଦିଗରେ ବିଶେଷ ଧ୍ୟାନ ଦେଇଥିଲା। ମାସ୍କ ପିନ୍ଧିବା, ଛଅ ଫୁଟ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ଧୋଇବା ଏଥିରେ ସାମିଲ ରହିଛି।

ଅତ୍ୟନ୍ତ ବ୍ୟାପକ ଉତ୍ତରଦାୟିତ୍ବକୁ ପୂରଣ କରିବା ଲାଗି ସମାଜର ଭାଗିଦାରୀ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଦିଗ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ପୁନଃ ଉଲ୍ଲେଖ କରାଯାଇଥିଲା। ଏହି ସଙ୍କଟର ମୁକାବିଲା କରିବା ଲାଗି ଦେଶ ନିଜ ଆଡ଼ୁ ଯେକୌଣସି ପ୍ରୟାସ କରିବ ଏବଂ ଭୂତାଣୁକୁ ପରାଜିତ କରିବ ବୋଲି ମନ୍ତ୍ରୀ ପରିଷଦ ବୈଠକରେ ବିଶ୍ବାସ ପ୍ରକଟ କରାଯାଇଥିଲା।

ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଂଶଗ୍ରହଣ କରିଥିଲେ। ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡ. ଭିକେ ପଲ କୋଭିଡ-୧୯ ମହାମାରୀ ପରିଚାଳନା ଉପରେ ଏକ ଉପସ୍ଥାପନା ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ସ୍ବାସ୍ଥ୍ୟ ଭିତ୍ତିଭୂମିର ଦ୍ରୁତ ଉନ୍ନତିକରଣ ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ, ଦେଶରେ କୋଭିଡ-୧୯ ସଂକ୍ରାନ୍ତ ସ୍ଥିତିର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶୀର୍ଷସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦେଶରେ ଅକ୍ସିଜେନ, ଔଷଧ, ସ୍ବାସ୍ଥ୍ୟ ଭିତ୍ତିଭୂମିର ଉପଲବ୍ଧତା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ସୂଚନା ଦିଆଯାଇଥିଲା।

ଅକ୍ସିଜେନ ଯୋଗାଣ ବୃଦ୍ଧି ଦିଗରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଅକ୍ସିଜେନ ଉପଲବ୍ଧତା ଓ ଯୋଗାଣ ନିମନ୍ତେ କରାଯାଉଥିବା ପ୍ରୟାସ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଦେଶରେ ତରଳ ମେଡ଼ିକାଲ ଅକ୍ସିଜେନ (ଏଲଏମଓ) ଉତ୍ପାଦନ ଅଗଷ୍ଟ ୨୦୨୦ରେ ଦୈନିକ ୫୭୦୦ ମେଟ୍ରିକ ଟନ୍ ଥିବା ବେଳେ ୨୫ ଏପ୍ରିଲ ୨୦୨୧ ସୁଦ୍ଧା ଏହା ୮୯୨୨ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ଏପ୍ରିଲ ୨୦୨୧ ଶେଷ ସୁଦ୍ଧା ଦେଶରେ ଦୈନିକ ଘରୋଇ ଅକ୍ସିଜେନ ଉତ୍ପାଦନ ୯୨୫୦ ମେଟ୍ରିକ ଟନକୁ ଟପିଯିବ ବୋଲି ଆଶା କରାଯାଉଛି।

ଯଥାଶୀଘ୍ର ସମ୍ଭବ ପିଏସଏ ଅକ୍ସିଜେନ ପ୍ଲାଣ୍ଟଗୁଡ଼ିକୁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ସହିତ ସମନ୍ବୟ ରଖି କାର‌୍ୟ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟଗୁଡ଼ିକୁ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ମଧ୍ୟ ଉତ୍ସାହିତ କରାଯାଉଥିବା ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଅକ୍ସିଜେନ ଏକ୍ସପ୍ରେସ ରେଳ ସେବା ସହିତ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଜରିଆରେ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଉଥିବା ଅକ୍ସିଜେନ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ସାଧାରଣ ଶଯ୍ୟା ଓ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ାଇବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଚିକିତ୍ସା ଭିତ୍ତିଭୂମି ଓ କୋଭିଡ ପରିଚାଳନା ଉପରେ କାର‌୍ୟ୍ୟ କରୁଥିବା କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଲାଗି କରାଯାଉଥିବା ପ୍ରୟାସ ସମ୍ପର୍କରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ସଠିକ ଭାବେ କୋଭିଡ ପରିଚାଳନା ଆବଶ୍ୟକତାକୁ କାର‌୍ୟ୍ୟକାରୀ କରିବା ସଂକ୍ରାନ୍ତରେ ଥିବା ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଓ ରଣନୀତି ସୁନିଶ୍ଚିତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ।

କୋଭିଡ ସଂକ୍ରାନ୍ତ ବ୍ୟବହାର ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତାରେ ସୁଧାର ଆଣିବା ଦିଗରେ କରାଯାଉଥିବା ଉଦ୍ୟମ ସମ୍ପର୍କରେ ଯୋଗାଯୋଗ ଉପରେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଏହି ବୈଠକରେ କ୍ୟାବିନେଟ ସଚିବ, ଗୃହ ସଚିବ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଫାର୍ମାସ୍ୟୁଟିକାଲ୍ସ ବିଭାଗ ସଚିବ, ନୀତି ଆୟୋଗ ସଦସ୍ୟ, ଆଇସିଏମଆର ଡିଜି, ବାୟୋଟେକ୍ନୋଲୋଜି ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ନଷ୍ଟ ହେଲା 49 ଲକ୍ଷ କରୋନା ଟିକା, ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, କୋରନା କାୟା ମେଲାଇବା ପରେ ସାରା ଦେଶ କାହିଁକି ପୃଥିବୀରେ ସମସ୍ତେ ଏକ ଆତଙ୍କିତ ଅବସ୍ଥାରେ ଥିଲେ। ଟିକା କେବେ ଆସିବା ବୋଲି ସମସ୍ତେ ଅପେକ୍ଷା କରି ରହିଥିଲେ। କେଉଁ ଦେଶ ଆଗ ଟିକା ଆଣିବ ସେ ନେଇ ଚାଲିଥିଲା ପ୍ରତିଯୋଗୀତା। ବର୍ତ୍ତମାନ ଟିକା ଆସିଲାଣି। ଲୋକଙ୍କୁ ମଧ୍ୟ ଟିକା ଦିଆଗଲାଣି। ହେଲେ ଏବେ ଏକ ଚକିତ କରିବା ପରି ଖବର ଆସିଛି। ତାହା ହେଉଛି ଦେଶରେ ବର୍ତ୍ତମାନ 49 ଲକ୍ଷ ଟିକା ନଷ୍ଟ ହୋଇଛି। ତେବେ ଏହି ତଥ୍ୟ ଆଉ କେହି ଦେଇ ନାହାଁନ୍ତି, ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଟିକାକରଣ କେତେଦୂର ଗଲା ବୋଲି ଆଲୋଚନା କରୁଥିଲେ। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ 49 ଲକ୍ଷ ଟିକା ନଷ୍ଟ ହୋଇଗଲାଣି। ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ଜଣେ ଲୋକର ସ୍ବାସ୍ଥ୍ୟର ଅଧିକାର ଛଡାଇ ନେବା। ସେଥିପାଇଁ ଟିକାକରଣ ଧ୍ୟାନର ସହିତ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ହିସାବରୁ ଜଣାପଡିଛି ଯେ, ବର୍ତ୍ତମାନ କରୋନା ଟିକା ଆସିବା ପରେ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ 7 କୋଟି 45 ଲକ୍ଷ ଟିକା ପ୍ରଦାନ କରାଯାଇଛି। ବିଭି୍ନ୍ନ ରାଜ୍ୟରେ ଯେତେ ପରିମାଣର ଟିକା ଗଛିତ ଅଛି ସେଥିରେ 6.5 ପ୍ରତିଶତ ଟିକା ନଷ୍ଟ ହୋଇଛି। ସେହି ହିସାବରେ ଦେଖିବାକୁ ଗଲେ ଏହି ନଷ୍ଟର ପରିମାଣ 49 ଲକ୍ଷ ହେବ।

ରାଜ୍ୟ ସ୍ତରୀୟ ହିସାବ କଲେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ସର୍ବାଧିକ ଟିକା ନଷ୍ଟ ହେଉଛି। ତେଲେଙ୍ଗାନାରେ ୧୭.୬ ପ୍ରତିଶତ ଓ ଆନ୍ଧ୍ରରେ ୧୧.୬ ପ୍ରତିଶତ ଟିକା ନଷ୍ଟ ହେଉଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ୯.୪ ପ୍ରତିଶତ ଟିକା ନଷ୍ଟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେଥିପାଇଁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ଗୁଜୁରାଟ, ତାମିଲନାଡୁ ଏବଂ ପଂଜାବରୁ ଅଧିକ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହି ରାଜ୍ୟରେ କୋଭିଡ ଟେଷ୍ଟକୁ ଜୋରଦାର କରିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଉ ବୋଲି ମୋଦୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଯୋଗଦେଇ ନ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ୭ ରାଜ୍ୟର କୋଭିଡ ମୁକାବିଲା ସ୍ଥିତି ସଂପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ  ଅଧିକ ପ୍ରଭାବିତ ୭ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ।

ଏହି ସାତଟି ରାଜ୍ୟରେ ଦେଶର ୬୩ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛି । ସେହିପରି ସମୁଦାୟ ଚିହ୍ନଟ ମାମଲାର ୬୫.୫ ପ୍ରତିଶତ ଓ ସମୁଦାୟ ମୃତ୍ୟୁର ୭୭ ପ୍ରତିଶତ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ହୋଇଛି । ଅନ୍ୟ ପାଞ୍ଚ ରାଜ୍ୟ ସମେତ ପଞ୍ଜାବ ଓ ଦିଲ୍ଲୀରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ରାଜ୍ୟରେ ସିଏଫଆର (ରୋଗ ମୃତ୍ୟୁ ହାର) ୨ ପ୍ରତିଶତରୁ ଅଧିକ ରହିଛି । ପଞ୍ଜାବ ଓ ଉତ୍ତର ପ୍ରଦେଶ ବ୍ୟତୀତ ଅନ୍ୟ ୫ଟି ରାଜ୍ୟର ପଜିଟିଭ ହାର, ଜାତୀୟ ହାର (୮.୫୨ ପ୍ରତିଶତ) ଠାରୁ ଅଧିକ ରହିଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକର ସରକାରଙ୍କ ସହ ଉତମ ସହଯୋଗ ଓ ସମନ୍ୱୟ ରଖି ଦେଶର କୋଭିଡ ବିରୋଧୀ ଲଢେଇରେ କେନ୍ଦ୍ର ସରକାର ନେତୃତ୍ୱ ନେଉଛନ୍ତି । ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଢାଂଚା ଉନ୍ନତ କରିବାରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏମ୍ସ, ନୂଆଦିଲ୍ଲୀଙ୍କ ସହଯୋଗରେ ଇ-ଆଇସିୟୁ ଟେଲି-ପରାମର୍ଶ ମାଧ୍ୟମରେ ଆଇସିୟୁ ସଂଚାଳନ କରୁଥିବା ଡାକ୍ତରମାନଙ୍କ ନିଦାନ ପ୍ରବନ୍ଧନ କ୍ଷମତା ଉନ୍ନତ କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକ ସହିତ ଉଚ୍ଚସ୍ତରୀୟ ସମୀକ୍ଷାରେ ଡାକ୍ତରଖାନା ତଥା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଚିକିତ୍ସା ପାଇଁ ପର‌୍ୟ୍ୟାପ୍ତ ଅମ୍ଳଜାନ ସୁନିଶ୍ଚିତ କରାଯାଇଛି । ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ କେନ୍ଦ୍ର ସରକାର ନିୟମିତ ଭାବେ ସହାୟତା ପ୍ରଦାନ ତଥା ଆବଦ୍ଧାଚଂଳ, ନୀରିକ୍ଷଣ, ପରୀକ୍ଷଣ ଓ ପଜିଟିଭ ମାମଲାଗୁଡିକର ସଫଳ ନୈଦାନିକ ପ୍ରବନ୍ଧନ ଆଦି ମାମଲାରେ ଦିଗଦର୍ଶନ ପାଇଁ ବିଶେଷଜ୍ଞ ଦଳ ପଠାଉଛନ୍ତି । ଏହି କେନ୍ଦ୍ରୀୟ ଦଳଗୁଡିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସଠିକ ସମୟରେ ନିଦାନ ଓ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସହ ଜଡିତ ଆହ୍ୱାନଗୁଡିକର ନିପୁଣ ପ୍ରବନ୍ଧନ ପାଇଁ ମାର୍ଗଦର୍ଶନ କରୁଛି ।