Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ନଷ୍ଟ ହେଲା 49 ଲକ୍ଷ କରୋନା ଟିକା, ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ, କୋରନା କାୟା ମେଲାଇବା ପରେ ସାରା ଦେଶ କାହିଁକି ପୃଥିବୀରେ ସମସ୍ତେ ଏକ ଆତଙ୍କିତ ଅବସ୍ଥାରେ ଥିଲେ। ଟିକା କେବେ ଆସିବା ବୋଲି ସମସ୍ତେ ଅପେକ୍ଷା କରି ରହିଥିଲେ। କେଉଁ ଦେଶ ଆଗ ଟିକା ଆଣିବ ସେ ନେଇ ଚାଲିଥିଲା ପ୍ରତିଯୋଗୀତା। ବର୍ତ୍ତମାନ ଟିକା ଆସିଲାଣି। ଲୋକଙ୍କୁ ମଧ୍ୟ ଟିକା ଦିଆଗଲାଣି। ହେଲେ ଏବେ ଏକ ଚକିତ କରିବା ପରି ଖବର ଆସିଛି। ତାହା ହେଉଛି ଦେଶରେ ବର୍ତ୍ତମାନ 49 ଲକ୍ଷ ଟିକା ନଷ୍ଟ ହୋଇଛି। ତେବେ ଏହି ତଥ୍ୟ ଆଉ କେହି ଦେଇ ନାହାଁନ୍ତି, ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ବର୍ତ୍ତମାନ ଟିକାକରଣ କେତେଦୂର ଗଲା ବୋଲି ଆଲୋଚନା କରୁଥିଲେ। ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ 49 ଲକ୍ଷ ଟିକା ନଷ୍ଟ ହୋଇଗଲାଣି। ଗୋଟିଏ ଟିକା ନଷ୍ଟ ହେବା ଅର୍ଥ ଜଣେ ଲୋକର ସ୍ବାସ୍ଥ୍ୟର ଅଧିକାର ଛଡାଇ ନେବା। ସେଥିପାଇଁ ଟିକାକରଣ ଧ୍ୟାନର ସହିତ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ହିସାବରୁ ଜଣାପଡିଛି ଯେ, ବର୍ତ୍ତମାନ କରୋନା ଟିକା ଆସିବା ପରେ ସମସ୍ତ ରାଜ୍ୟରେ ଟିକାକରଣ ପାଇଁ 7 କୋଟି 45 ଲକ୍ଷ ଟିକା ପ୍ରଦାନ କରାଯାଇଛି। ବିଭି୍ନ୍ନ ରାଜ୍ୟରେ ଯେତେ ପରିମାଣର ଟିକା ଗଛିତ ଅଛି ସେଥିରେ 6.5 ପ୍ରତିଶତ ଟିକା ନଷ୍ଟ ହୋଇଛି। ସେହି ହିସାବରେ ଦେଖିବାକୁ ଗଲେ ଏହି ନଷ୍ଟର ପରିମାଣ 49 ଲକ୍ଷ ହେବ।

ରାଜ୍ୟ ସ୍ତରୀୟ ହିସାବ କଲେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତର ପ୍ରଦେଶରେ ସର୍ବାଧିକ ଟିକା ନଷ୍ଟ ହେଉଛି। ତେଲେଙ୍ଗାନାରେ ୧୭.୬ ପ୍ରତିଶତ ଓ ଆନ୍ଧ୍ରରେ ୧୧.୬ ପ୍ରତିଶତ ଟିକା ନଷ୍ଟ ହେଉଛି । ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ୯.୪ ପ୍ରତିଶତ ଟିକା ନଷ୍ଟ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେଥିପାଇଁ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ମହାରାଷ୍ଟ୍ର, ମଧ୍ୟପ୍ରଦେଶ,ଗୁଜୁରାଟ, ତାମିଲନାଡୁ ଏବଂ ପଂଜାବରୁ ଅଧିକ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହି ରାଜ୍ୟରେ କୋଭିଡ ଟେଷ୍ଟକୁ ଜୋରଦାର କରିବା ସହିତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଉ ବୋଲି ମୋଦୀ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା ଯୋଗଦେଇ ନ ଥିଲେ।