ଆଜି ୭ ରାଜ୍ୟର କୋଭିଡ ମୁକାବିଲା ସ୍ଥିତି ସଂପର୍କରେ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published: Sep 23, 2020, 7:30 am IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ  ଅଧିକ ପ୍ରଭାବିତ ୭ ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ବୈଠକରେ କୋଭିଡ ମୁକାବିଲା ପ୍ରସ୍ତୁତି ଓ ସ୍ଥିତି ସମୀକ୍ଷା କରିବେ । ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଓ ପଞ୍ଜାବ ।

ଏହି ସାତଟି ରାଜ୍ୟରେ ଦେଶର ୬୩ ପ୍ରତିଶତରୁ ଅଧିକ ସକ୍ରିୟ ମାମଲା ରହିଛି । ସେହିପରି ସମୁଦାୟ ଚିହ୍ନଟ ମାମଲାର ୬୫.୫ ପ୍ରତିଶତ ଓ ସମୁଦାୟ ମୃତ୍ୟୁର ୭୭ ପ୍ରତିଶତ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରୁ ହୋଇଛି । ଅନ୍ୟ ପାଞ୍ଚ ରାଜ୍ୟ ସମେତ ପଞ୍ଜାବ ଓ ଦିଲ୍ଲୀରେ କିଛିଦିନ ହେଲା କରୋନା ସଂକ୍ରମଣ ବୃଦ୍ଧି ପାଇଛି । ମହାରାଷ୍ଟ୍ର, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ରାଜ୍ୟରେ ସିଏଫଆର (ରୋଗ ମୃତ୍ୟୁ ହାର) ୨ ପ୍ରତିଶତରୁ ଅଧିକ ରହିଛି । ପଞ୍ଜାବ ଓ ଉତ୍ତର ପ୍ରଦେଶ ବ୍ୟତୀତ ଅନ୍ୟ ୫ଟି ରାଜ୍ୟର ପଜିଟିଭ ହାର, ଜାତୀୟ ହାର (୮.୫୨ ପ୍ରତିଶତ) ଠାରୁ ଅଧିକ ରହିଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକର ସରକାରଙ୍କ ସହ ଉତମ ସହଯୋଗ ଓ ସମନ୍ୱୟ ରଖି ଦେଶର କୋଭିଡ ବିରୋଧୀ ଲଢେଇରେ କେନ୍ଦ୍ର ସରକାର ନେତୃତ୍ୱ ନେଉଛନ୍ତି । ସ୍ୱାସ୍ଥ୍ୟ ସେବା ଓ ଚିକିତ୍ସା ଢାଂଚା ଉନ୍ନତ କରିବାରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଏମ୍ସ, ନୂଆଦିଲ୍ଲୀଙ୍କ ସହଯୋଗରେ ଇ-ଆଇସିୟୁ ଟେଲି-ପରାମର୍ଶ ମାଧ୍ୟମରେ ଆଇସିୟୁ ସଂଚାଳନ କରୁଥିବା ଡାକ୍ତରମାନଙ୍କ ନିଦାନ ପ୍ରବନ୍ଧନ କ୍ଷମତା ଉନ୍ନତ କରାଯାଇଛି ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଗୁଡିକ ସହିତ ଉଚ୍ଚସ୍ତରୀୟ ସମୀକ୍ଷାରେ ଡାକ୍ତରଖାନା ତଥା କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ଚିକିତ୍ସା ପାଇଁ ପର‌୍ୟ୍ୟାପ୍ତ ଅମ୍ଳଜାନ ସୁନିଶ୍ଚିତ କରାଯାଇଛି । ରାଜ୍ୟ/କେନ୍ଦ୍ରଶାସିତ ଅଂଚଳଗୁଡିକୁ କେନ୍ଦ୍ର ସରକାର ନିୟମିତ ଭାବେ ସହାୟତା ପ୍ରଦାନ ତଥା ଆବଦ୍ଧାଚଂଳ, ନୀରିକ୍ଷଣ, ପରୀକ୍ଷଣ ଓ ପଜିଟିଭ ମାମଲାଗୁଡିକର ସଫଳ ନୈଦାନିକ ପ୍ରବନ୍ଧନ ଆଦି ମାମଲାରେ ଦିଗଦର୍ଶନ ପାଇଁ ବିଶେଷଜ୍ଞ ଦଳ ପଠାଉଛନ୍ତି । ଏହି କେନ୍ଦ୍ରୀୟ ଦଳଗୁଡିକ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସଠିକ ସମୟରେ ନିଦାନ ଓ ପରବର୍ତ୍ତୀ କାର‌୍ୟ୍ୟପନ୍ଥା ସହ ଜଡିତ ଆହ୍ୱାନଗୁଡିକର ନିପୁଣ ପ୍ରବନ୍ଧନ ପାଇଁ ମାର୍ଗଦର୍ଶନ କରୁଛି ।

Related posts